24-02-2020 କାହାଣୀ
👉_*ଆସନ୍ତୁ ପଢିବା ଆଜିର କାହାଣୀ*_👈
_*👉" ଘର କେଉଁଠି "👈*_
*ତାରିଖ : ୨୪/୦୨/୨୦୨୦*
*❀꧁❀꧂❀꧁❀꧂❀꧁❀꧂❀*
_________________________________________
*☘☘🌼🌼🙏🏻✒🙏🏻🌼🌼☘☘
ତା ଝିଅ ସୋନୁ ସ୍କୁଲ୍ରୁ ଆସିବାକୁ ଆଉ କିଛି ସମୟ ବାକି ଅଛି । ଗଲାବେଳେ କହିଥିଲା ସ୍କୁଲ୍ର ବାର୍ଷିକ ଉତ୍ସବ ପାଇଁ ହେଉଥିବା ନାଚ କାର୍ଯ୍ୟକ୍ରମର ପ୍ରାକ୍ଟିସ୍ ପାଇଁ ଟିକେ ଡେରିରେ ଆସିବ ।
ଖଟ ବାଡ଼ରେ ତକିଆଟା ରଖି ପିଠିକୁ ଆଉଜାଇ ଦେଇ ସେ ବହି ପଢ଼ାରେ ମନ ନିବେଶ କଲା । ରବିନ୍ ଶର୍ମାଙ୍କ ବହି “ଦି ମଙ୍କ୍ ହୁ ସୋଲ୍ଡ଼ ହିଜ୍ ଫେରାରି” ବହିଟା ଆଉଥରେ ପଢିବା ଆରମ୍ଭ କରିଛି ଅଲିଭା । ଲେଖକଙ୍କ ଭାବନା ସହ ତା ଭାବନା ଖୁବ୍ ମେଳ ଖାଏ । ଜିନିଷଟି ନ ପାଇବା ପରେ ମଣିଷ ହାରିଯାଇ ସେଥିରୁ ସନ୍ୟାସ ନେବା ପରିବର୍ତ୍ତେ, ସବୁ ପାଇସାରିବା ପରେ ସେ ସବୁରୁ ଅନାସକ୍ତ ରହିବାଟା ହିଁ ପ୍ରକୃତ ତ୍ୟାଗ । ସେ ହିଁ ଯୋଗୀ ଯିଏ ଏତେ ପ୍ରାଚୁର୍ଯ୍ୟକୁ ଆଡେଇ ଦେଇ, ନିଜ ସହ, ଭଗବାନଙ୍କ ସହ ସହଜରେ ସଂଯୋଗ ହୋଇପାରେ ।
ଫୋନ୍ଟିଏ ଆସିବା ଶବ୍ଦରେ ସମ୍ବିତ ପାଇଲା ଅଲିଭା । ” ନମସ୍କାର ମାଡାମ୍, ଖବର କାଗଜରେ ବାହାରିଥିବା ଆପଣଙ୍କ ଲେଖାଟି ଖୁବ ଉଚ୍ଚ କୋଟିର ହୋଇଛି । ଆପଣ ଏମିତି ଆପଣଙ୍କ ଲେଖନି ମାଧ୍ୟମରେ ସମାଜକୁ, ନାରୀ ଜାତିର ସମ୍ମାନ ଓ ଉତ୍ଥାନ ପାଇଁ ପ୍ରେରଣା ଦିଅନ୍ତୁ । ଆପଣଙ୍କ ଘରଟା କେଉଁଠି ମାଡାମ୍ ? “ଜଣେ ନାରୀ ପାଠିକା ସେପଟୁ ଫୋନ୍ରେ ପଚାରିଥିଲେ ।
ଧନ୍ୟବାଦ ସହ ଅନ୍ୟ ସମ୍ଭାଷଣ ଜଣାଇବା ପରେ ଅଲିଭା ଟିକେ ଚୁପ୍ ହୋଇଗଲା । ଘର ? କେଉଁଠି ତା ଘର ? ଗୋଟେ ନାରୀର କଣ ଘର ଥାଏ ? ଝିଅ ବେଳେ ପିତାର ଘର, ବାହାଘର ପରେ ଶାଶୁ ଘର, ସ୍ୱାମୀଙ୍କ ସଙ୍ଗେ ରହିଲେ ପତିଙ୍କ ଘର, ଆଉ ବୁଢ଼ୀ ହୋଇଗଲେ ପୁଅ, ବୋହୁଙ୍କ ପାଖରେ ବା ଝିଅ ଘରେ ରହିଲେ ପୁଅର ଘର ବା ଝିଅର ଘର ବୋଲି କୁହାଯାଏ । ପିତାଙ୍କ ଘରର ସ୍ୱାଧୀନତା ତାକୁ ଶାଶୁଘରେ ବା ପତି ଘରେ କେବେ ବି ମିଳେନା । ନିଜକୁ ଯେତେ ତିଳ ତିଳ କରି ଦଗ୍ଧ କରି ପରିବାରକୁ ଉଷ୍ମତା ଯୋଗାଇଲେ ବି, ଦଲ୍କା ଦଲ୍କା ପବନର ମାଡ଼ ଫାଙ୍କ ସୃଷ୍ଟି କରିଦିଏ ।
ସେଠି କେହି ତାକୁ ନିଜର ଭାବେନା, ନିଜ ଇଚ୍ଛା ସାବ୍ୟସ୍ତ କରିବାକୁ ଅନୁମତି ଦିଏନା । ଯେତେ କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବି ସେ ସବୁବେଳେ ଅପାରଗ ହୋଇ ରହିଯାଏ । ଆଉ ପୁଅ, ଝିଅଙ୍କ ଘରେ ତ ଖାଲି ମୁଣ୍ଡ ଜାକି, ତିନିବେଳା ଖାଇ, ସେମାନଙ୍କ ପିଲାମାନଙ୍କର ହେପାଜତ କରି କେବଳ ମୃତ୍ୟୁକୁ ଅପେକ୍ଷା କରିବା କଥା ।
ନାରୀର ପ୍ରକୃତ ଘର ତ କେବଳ ତା ସ୍ୱାମୀର ହୃଦୟରେ, ପାଇପାରିଛି କି ଅଲିଭା ସେଠି ଜାଗା ? ନାଁ! ଯେତେ ଯତ୍ନ ଯେତେ ସମ୍ମାନ କଲେ ମଧ୍ୟ ସାଗର ତାଙ୍କର ପୁରୁଣା ପ୍ରେମିକା ତଟିନୀର ପ୍ରେମକୁ ଭୁଲି ପାରେନି । କୁମାରୀ ତଟିନୀ ଅଲିଭାର ଘରେ ଭାଗ ବସାଇଛି । ଅଲିଭା କେବେ କେବେ ଶୁଣେ, ସାଗର ତଟିନୀକୁ ଗୁପ୍ତ ବିବାହ କରିଛନ୍ତି । ବିରାଟ କୋଠା ତା ନା’ରେ ଲେଖି ଦେଇଛନ୍ତି । ସାଗର, ତଟିନୀଙ୍କ ମିଳନରେ କିଏ ବା ବାଧା ଦେବ ?
ବହୁ ପ୍ରଚେଷ୍ଟା ପରେ ଖୁବ ନିରବ, ଶାନ୍ତ ହୋଇ ଯାଇଛି ଅଲିଭା । ବୋଧହୁଏ ଭିତରେ ଯଥେଷ୍ଟ ସାହସ ନଥିଲେ ମଣିଷର ଅନ୍ତରାତ୍ମା ସ୍ଥିର ହୁଏନି । ଏହି ସ୍ଥିରତା ହିଁ ସବୁ ପରିସ୍ଥିତିକୁ ସମ୍ମୁଖୀନ କରିବାକୁ ସାହସ ଦିଏ । ବିପଦ ବିପଦ ବୋଲି କହି ହୁରି ପକାଇଲେ ବିପଦ ଟଳି ଯାଏନି, ବରଂ ମଣିଷକୁ ହଲାଇ ଦିଏ । ବୋଧହୁଏ ଗୋଟିଏ ନାରୀ ସବୁ କିଛି ସହିବାକୁ ଶକ୍ତି ପାଇଥାଏ ତେଣୁ ଘରର ଏତେ ଅସ୍ଥିରତା ତାକୁ ବିଚଳିତ କରେନି । ଅଲିଭା ତଥାପି ଆଶାବାଦୀ, ଦିନେ ସତକୁ ସାମ୍ନାକୁ ଆଣିବାକୁ ।
କିଏ କୁହେ ମିଛକୁ ପୋଷାକ ପିନ୍ଧିବାକୁ ପଡେ, ମାତ୍ର ସତ କହିବାକୁ, ମୁହଁରେ ଆବରଣ ଢାଙ୍କିବାକୁ ପଡୁଛି । ସମାଜର ଏମିତି ଅକୁହା ସମସ୍ୟାକୁ ଉନ୍ମୋଚନ କରିବା ପାଇଁ ସେ ଛଦ୍ମ ନାମରେ ତା ଲେଖା ପ୍ରକାଶ କରେ । ତା ପିତାଙ୍କ ପ୍ରଦତ୍ତ ନାଁ ଟି ତା ସ୍ୱାମୀଙ୍କ ପ୍ରତିପତ୍ତି, ପ୍ରତିଷ୍ଠା ଓ ସମ୍ମାନରେ ଆଞ୍ଚ ନ ଆଣୁ ବୋଲି ।
“ହାଲୋ ! ମାଡାମ୍, କଣ ଶୁଣିପାରୁଛନ୍ତି ? ଆପଣଙ୍କ ଘରଟା ? ପୁଣିଥରେ ପଚାରୁଥିଲେ ନାରୀ ପାଠିକା ଜଣକ । ନୀରବତା ଭାଙ୍ଗି ଅଲିଭା ଗମ୍ଭୀର ଭାବେ ଉତ୍ତର ଦେଲା “ବାଦଲପୁର” ।
*ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।*
*(ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି .....ଅପେକ୍ଷା କରିଥାଅ ସମସ୍ତେ!)*
*☘🌸🌼🙏🏻ଓଁ🙏🏻🌼🌸☘*
Comments
Post a Comment