11-03-2020 କାହାଣୀ
🌸 ୧୧-୦୩-୨୦୨୦ ଆଜି ର କାହାଣୀ 🌸
🥀 *କରୁଣାର ପ୍ରମାଣ* 🥀
କୌମୁଦୀ ରାଜ୍ୟର ପରିସର ଭିତରେ ବ୍ୟାପକ ଅଂଚଳ ବ୍ୟାପୀ ଗୋଟିଏ ବଣ ଥିଲା । ତାହାର ନାମ ଶାନ୍ତିବନ । ସେ ବଣର ଗୋଟିଏ ପ୍ରାନ୍ତରେ ଜୀବାନନ୍ଦ ନାମକ ଜଣେ ଋଷି ରହୁଥିଲେ । ତାଙ୍କର ଜଣେ ଶିଷ୍ୟ ଥିଲେ । ତା’ର ନାମ ପ୍ରବୋଧ ।
ପ୍ରବୋଧ ବେଦ ବେଦାନ୍ତ ଅଧ୍ୟୟନରେ ଖୁବ୍ ପରାକାଷ୍ଠା ଦେଖାଇଲେ । ଥରେ ଗୁରୁ ଜୀବାନନ୍ଦ କହିଲେ, “ବାପା ପ୍ରବୋଧ, ଶାସ୍ତ୍ର ଜ୍ଞାନ ସାଙ୍ଗକୁ ଭିତରେ ଭକ୍ତିଭାବ ଉଦ୍ରେକ ହେବା ଆବଶ୍ୟକ । ଦିଅଁ ଦର୍ଶନରେ ଭକ୍ତିଭାବର ଉଦୟ ହୁଏ । ମୋ କଥା ମାନି ତମେ ଥରେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରି ଆସ ।”
ପ୍ରବୋଧ ପଚାରିଲେ “ସେଥିରେ କ’ଣ ଅଧିକା ଲାଭ ହେବ?”
ଗୁରୁ କହିଲେ “ହଁ ବାପା । ଦିଅଁ ଦର୍ଶନ କଲେ ନୟନ ପବିତ୍ର ହେବ । ପୁଣି ଭକ୍ତିଭାବରେ ଉଦ୍ରେକ ହେଲେ ହୃଦୟ ମଧ୍ୟ ନିର୍ମଳ ହେବ ।” ସେ ଗୋଟିଏ ଶୁଭଦିନ ମଧ୍ୟ ନିଶ୍ଚୟ କରିଦେଲେ ।
ଯଥା ସମୟରେ ପ୍ରବୋଧ ଗୁରୁଙ୍କଠାରୁ ବିଦାୟ ନେଇ କାଶୀ ଅଭିମୁଖେ ଯାତ୍ରା କଲେ ।
ପ୍ରାୟ ପାଞ୍ଚଦିନ ଚାଲିବା ପରେ ଦିନେ ତାଙ୍କ ଚଟି ଜୋତା ଛିଡିଗଲା । ଭାଗ୍ୟକୁ ସେ ଗୋଟିଏ ବରଗଛ ମୂଳରେ ଜଣେ ମୋଚି ବସିଥିବାର ଦେଖି ତାକୁ ଜୋତା ମରାମତି କରିବାକୁ ଦେଲେ । ତା’ ସହ କଥା କହି ବୁଝିଲେ, ଆଖପାଖରେ ଗାଁ ଗଣ୍ଡା କିଛି ନାହିଁ । ସେ ନିଜେ ଗୋଟିଏ କୁଡିଆ ବନାଇ ସେଠି ରହିବାର କାରଣ, ସେ ବାଟ ଅନେକ ଗୁଡିଏ ସହର ଓ ତୀର୍ଥସ୍ଥାନ ସହିତ ସଂଯୁକ୍ତ ହୋଇଥିବାରୁ ସେ ବାଟରେ ଅନେକ ବାଟୋଇ ଯିବା ଆସିବା କରନ୍ତି । ମଧ୍ୟେ ମଧ୍ୟେ ତାକୁ ଜୋତା ସିଲେଇ କରିବା କାମ ମିଳେ । ସେଥିରେ ସେ କୌଣସି ମତେ ଚଳିଯାଏ । ପ୍ରବୋଧଙ୍କ ଜୋତା ସେ ମରାମତି କରିଦେଲା । ପ୍ରବୋଧ ତାକୁ ଖୁସି ହୋଇ ଗୋଟିଏ ମୁଦ୍ରା ଦେଲେ ।
ମୋଚି ଦୋଦୋପାଞ୍ଚ କରି କହିଲା, “ବାବୁ! ମୋଠାରେ ତ ରେଜା ପଇସା ନାହିଁ!”
ପ୍ରବୋଧ କହିଲେ, “ରେଜା ଲୋଡା ନାହିଁ । ତମେ ମୁଦ୍ରାଟି ରଖ ।”
ମୋଚି ଖୁସି ହେଲା ଓ ତାଙ୍କୁ ନମସ୍କାର କଲା । ପ୍ରବୋଧ ତା’ର ମଙ୍ଗଳ କାମନା କଲେ ।
ମୋଚି ପଚାରିଲା, “ବାବୁ, ଆପଣ କୁଆଡେ ଯାଉଛନ୍ତି?” ପ୍ରବୋଧ ଯେତେବେଳେ କହିଲେ କି ସେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି, ମୋଚି ଭକ୍ତି ଗଦ୍ଗଦ୍ କଣ୍ଠରେ କହିଲା, “ବାବୁ, ମୁଁ ଦିନେ ଯାଇ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବି, ସେ ଆଶା ନାହିଁ । ଆପଣ ଭାଗ୍ୟବାନ । ଦୟାକରି ଏ ମୁଦ୍ରାଟି ନେଇଯା’ନ୍ତୁ । ମୋ ତରଫରୁ ଦିଅଁଙ୍କୁ ପ୍ରଣାମୀ ଦେବେ ।”
ମୋଚିର ଭକ୍ତିରେ ପ୍ରବୋଧ ଅତ୍ୟନ୍ତ ମୁଗ୍ଧ ହେଲେ । ସେ ମୁଦ୍ରାଟି ନିଜ ଚଦର କାନିରେ ବାନ୍ଧିଲେ ।
ପ୍ରବୋଧ ଦୀର୍ଘ ଦୁଇଦିନ ଧରି ବାଟ ଚାଲିବା ପରେ ଦେଖିଲେ, ଗାଁ ଗଣ୍ଡା ଦେଇ ଗଲେ ତାଙ୍କୁ କାଶୀରେ ପହଁଚିବାକୁ ଅନେକ ଦିନ ଲାଗିଯିବ । ସେ ଲୋକଙ୍କଠାରୁ ବୁଝିଲେ, ବଣ ଭିତର ଦେଇ ଗଲେ ବାଟ ପ୍ରାୟ ଅଧା ପଡିବ । ସେ ବଣ ପାଖରେ ଗୋଟିଏ ଚଟିଘରେ ଦିନଟିଏ ଅପେକ୍ଷା କଲେ । କୌଣସି ଯାତ୍ରୀଦଳ ବଣ ଭିତର ଦେଇ ଯିବାକୁ ପ୍ରସ୍ତୁତ ଥିଲେ ତାଙ୍କ ସହ ସେ ଯିବେ, ଏଇଆ ଥିଲା ତାଙ୍କ ଉଦ୍ଧେଶ୍ୟ । କିନ୍ତୁ ସେପରି କୌଣସି ଯାତ୍ରୀଦଳ ସେ ଦେଖିଲେ ନାହିଁ । ସେ ଏକାକୀ ବଣ ଭିତର ଦେଇ ଯିବାକୁ ପ୍ରସ୍ତୁତ ହେଲେ ଓ ବଣରେ ପଶିଲେ ।
ପ୍ରଥମେ ଅଳ୍ପ ଘନ ବଣ ପଡିଲା ।
ଏହାପରେ ପାହାଡିଆ ନିର୍ଜନ ରାସ୍ତା ପଡିଲା । ପ୍ରବୋଧ ଏକାଗ୍ର ମନରେ ବାଟ ଚାଲୁଛନ୍ତି, ଦୁର୍ଦ୍ଦାନ୍ତ ଭଳି ଦିଶୁଥିବା ଜଣେ ଲୋକ ହଠାତ୍ ଘୋଡା ଝପଟାଇ ତାଙ୍କ ପାଖରେ ଆସି ପହଁଚିଗଲା । “ପଥିକ! ଅଗ୍ନିଶିଖ ଡାକୁର ନାମ ଶୁଣିଛ? ତା’ ନାମରେ କି ରାଜା କି ପ୍ରଜା ସମସ୍ତେ ବେଶ୍ ଥରହର । ମୁଁ ସେହି ଡାକୁ । ପାଖରେ ଯାହା ଅଛି ଦେଇଦିଅ । ନହେଲେ ତମ ପ୍ରାଣ ଯିବ ।”
ପ୍ରବୋଧ ନିଜ ଟଙ୍କା ଥଳିଟି ସେ ଡାକୁ ହାତକୁ ବଢାଇ ଦେଲେ । ଡାକୁ ପ୍ରଖର ଦୃଷ୍ଟିରେ ତାଙ୍କୁ ଆପାଦମସ୍ତକ ଦେଖୁଥାଏ । ସେ ପଚାରି ଦେଲା, “ଚଦର କାନିରେ କ’ଣ ବାନ୍ଧିଛ? ଜଲଦି ତାହା ଫିଟାଅ ।”
ତା’ପରେ ପ୍ରବୋଧ କାନି ଫିଟାଇ ମୁଦ୍ରାଟି ବାହାର କଲେ । କିନ୍ତୁ କହିଲେ, “ଭାଇ, ମୋର ଯାହା ଥିଲା, ତମକୁ ଦେଇ ଦେଇଛି । ଏ ମୁଦ୍ରାଟି କାଶୀ ବିଶ୍ୱନାଥଙ୍କ ହୁଣ୍ଡିରେ ପକାଇବା ନିମନ୍ତେ ମୋତେ ଜଣେ ଗରୀବ ମୋଚି ଦେଇଛି । ତମେ ଏହାକୁ ମୋଠାରୁ ନିଅ ନାହିଁ ।”
ଡାକୁ ସ୍ତବ୍ଧ ହୋଇ ରହିଲା । “ଜଣେ ଗରୀବ ମୋଚି ତମ ହାତରେ ବିଶ୍ୱନାଥଙ୍କୁ ପ୍ରଣାମୀ ପଠାଇଛି? ଆଚ୍ଛା! ତେବେ ତମେ ଏ ଥଳି ବି ନେଇଯାଅ । ମୋ ତରଫରୁ ଦିଅଁଙ୍କୁ ପ୍ରଣାମୀ ଦେବ ।” ଏହା କହି ପ୍ରବୋଧଙ୍କ ଟଙ୍କା ଥଳି ତାଙ୍କୁ ସେ ଫେରାଇ ଦେଲା ।
ଏହାପରେ ଆହୁରି ଦୀର୍ଘପଥ ବାକି ଥାଏ । ବାଟରେ ଏକ ଭୀଷଣ ଘନ ଜଙ୍ଗଲ ପଡିଲା । ପ୍ରବୋଧ ଜଙ୍ଗଲ ଭିତର ଦେଇ ଯାଉଛନ୍ତି, ପ୍ରବଳ ହୁଙ୍କାର ଛାଡି ତାଙ୍କ ଆଡକୁ ଲଂପଂଦେଇ ଗୋଟିଏ ବ୍ରହ୍ମରାକ୍ଷସ ଆସିଲା । ସେ ପ୍ରବୋଧଙ୍କୁ ଗୋଟାଏ ହାତରେ କାବୁ କରିନେଇ ଖାଇବାକୁ ଉଦ୍ୟତ ହେଲା ।
ପ୍ରବୋଧ ଭୀଷଣ ଶଙ୍କିଯିବା ସତ୍ତ୍ୱେ କହିଲେ, “ରାକ୍ଷସ! ମୋର ଅନୁରୋଧ ଶୁଣ । ମୁଁ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବାକୁ ଯାଉଛି । ଜଣେ ଗରୀବ ମୋଚି ମୁଁ ତାକୁ ଦେଇଥିବା ପାରିଶ୍ରମିକ ଓ ଜଣେ ଡାକୁ ମୋଠୁଁ ଲୁଣ୍ଠନ କରିନେଇଥିବା ଅର୍ଥ ପୁଣି ମୋତେ ଦେଇ ଦିଅଁଙ୍କ ପାଖରେ ପହଁଚାଇ ଦେବାକୁ କହିଛନ୍ତି ଓ ମୁଁ ସେମାନଙ୍କୁ ତାହା କରିବି ବୋଲି ପ୍ରତିଶୃତି ମଧ୍ୟ ଦେଇଛି । ତୁମେ ମୋତେ ବର୍ତ୍ତମାନ ଗ୍ରାସ କଲେ ମୁଁ ମୋ ପ୍ରତିଶୃତି ରକ୍ଷା କରି ପାରିବି ନାହିଁ । ଫଳରେ ମୁଁ ପାପୀ ହେବି । ମୁଁ କଥା ଦେଉଛି, ଏଇ ବାଟରେ ଲେଉଟି ଆସିବି । ସେତେବେଳେ ତମେ ମୋତେ ଖାଇବ । ମୋତେ ବିଶ୍ୱାସ କର ।”
ପ୍ରବୋଧଙ୍କ କଥାରେ ରାକ୍ଷସର ବିଶ୍ୱାସ ହେଲା । ସେ ତାଙ୍କୁ ଛାଡି ଦେଲା ।
ବଣରୁ ବାହାରିବା ମାତ୍ରେ ଦଳେ ଯାତ୍ରୀଙ୍କ ସହ ପ୍ରବୋଧଙ୍କର ସାକ୍ଷାତ୍ ହେଲା । ସେ ଯାତ୍ରୀମାନଙ୍କ ଦଳରେ ଜଣେ ବିଶିଷ୍ଟ ବଣିକ ଥିଲେ । ଗୁରୁ ଜୀବାନନ୍ଦଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଥିଲା । ସେ ଜୀବାନନ୍ଦଙ୍କ ଶିଷ୍ୟ ପ୍ରବୋଧଙ୍କୁ ଭେଟି ବହୁତ ଆନନ୍ଦିତ ହେଲେ । ତେଣିକି ପ୍ରବୋଧଙ୍କ ଖିଆପିଆ ଖର୍ଚ୍ଚ ସବୁ ସେ ବହନ କଲେ । କାଶୀରେ ପହଁଚିବା ପରେ ସେ ଯାତ୍ରୀଦଳ ଯେଉଁ ଅତିଥି ଭବନରେ ରହିଲେ, ପ୍ରବୋଧ ମଧ୍ୟ ସେହିଠାରେ ରହିଲେ ।
ରାସ୍ତାରେ ଯାହା ଯାହା ଘଟିଥିଲା, ପ୍ରବୋଧ ସେସବୁ ବଣିକଙ୍କୁ କହିଲେ । ବଣିକ ଯେତିକି ଆଶ୍ଚର୍ଯ୍ୟ ହେଲେ, ସେତିକି ଆତଙ୍କିତ ବି ହେଲେ । ସେ ପ୍ରବୋଧଙ୍କୁ କହିଲେ, “ଯାହା ହେବାର ହେଲାଣି । ଆପଣ ଆମ ସାଙ୍ଗରେ କୌମୁଦୀ ରାଜ୍ୟକୁ ଫେରିବେ । ମୁଁ ଆପଣଙ୍କୁ ନେଇ ଜୀବାନନ୍ଦଙ୍କ ପାଖରେ ପହଁଚାଇ ଦେବି । ବଣ ରାସ୍ତାରେ ଆସିବା ଉଚିତ୍ ହୋଇନାହିଁ ।”
ପ୍ରବୋଧ ବଣିକଙ୍କ କଥାରେ ରାଜି ହେଲେ । କିନ୍ତୁ ଯେଉଁଦିନ ସେମାନେ କାଶୀ ଛାଡିବା କଥା, ସେଦିନ ସେ କହିଲେ, “ମହାଶୟ, ମୋର ଏଠାରେ ଆଉ ଦିନେ ଦୁଇଦିନ ରହିବାକୁ ଭାରି ଇଚ୍ଛା ।”
ବଣିକ କାଶୀ ଛାଡିବା ପରଦିନ ପ୍ରବୋଧ କିନ୍ତୁ ବଣରେହିଁ ପଶିଲେ ଓ ବ୍ରହ୍ମରାକ୍ଷସକୁ ଖୋଜିଲେ । ତା’ ନାମ ରୁଧୀରବର୍ଣ୍ଣ ବୋଲି ସେ ମନେ ରଖିଥିଲେ । ସେ ସେହି ନାମରେ ପାଟି କରି ତାକୁ ଡାକିଲେ ।
ହଠାତ୍ ବଣୁଆ ଶୀକାରୀ ଭଳି ଦିଶୁଥିବା ଜଣେ ଲୋକ ଆସି ତାଙ୍କୁ ପ୍ରଣାମ କଲା ଓ କହିଲା, “ମହାଶୟ, ଆପଣଙ୍କ ପ୍ରତି ମୁଁ କ’ଣ କହି କୃତଜ୍ଞତା ଜଣାଇବି? ଆପଣ ଈଶ୍ୱରଙ୍କ ଆଶୀର୍ବାଦ ରୂପେ ମୋ ପାଖକୁ ଆସିଥିଲେ । ଜଣେ ଭକ୍ତର ପ୍ରାଣ ମୁଁ ନେଲି ନାହିଁ । ସେହି ପୂଣ୍ୟରୁ ମୁଁ ମଣିଷ ହୋଇ ଯାଇଛି ।”
ପ୍ରବୋଧ ରାକ୍ଷସ ରୁଧୀରବର୍ଣ୍ଣକୁ ମଣିଷ ରୂପରେ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ । ସେ ହସି ହସି କହିଲେ, “ମୁଁ ତେବେ ଯାଇପାରେ?”
ରୁଧୀରବର୍ଣ୍ଣ କହିଲା “ଆଜ୍ଞା, ଯଦି କେବେ ମୋ ଦ୍ୱାରା କିଛି ସେବା ପାଇବା ଦରକାର ହେବ, ତେବେ ନିଃସଙ୍କୋଚରେ କହିବେ ।”
ପ୍ରବୋଧ ତାକୁ ଆଶୀର୍ବାଦ ଦେଇ ଅଗ୍ରସର ହେଲେ । କିଛି ଦୂର ଯିବା ପରେ ସେ ଦେଖିଲେ ବଣ ଭିତରେ ଧୂମ୍ଧାମ୍ ଉତ୍ସବ ଲାଗିଛି । ଭୀଲ୍ ମାନେ ନାଚଗୀତରେ ମାତିଛନ୍ତି । ପ୍ରବୋଧ ଜଣକୁ ପଚାରିଲେ, “ଆଚ୍ଛା, ଅଗ୍ନିଶିଖ ଡାକୁ କେଉଁଠି ଥାଇପାରେ?” ସଙ୍ଗେ ସଙ୍ଗେ ସେ ଭୀଲ୍ ପ୍ରବୋଧଙ୍କୁ ସସମ୍ମାନେ ସେମାନଙ୍କ ରାଜା ପାଖକୁ ନେଇଗଲା । ରାଜା ପ୍ରବୋଧଙ୍କୁ ପ୍ରଣାମ କରି କହିଲା, “ମହାଶୟ, ମୁଁ ସେହି ଡାକୁ । ଭୀଲ୍ମାନଙ୍କ ରାଜା ମରିଯିବାରୁ ସେମାନଙ୍କ ରୀତି ଅନୁସାରେ ସେମାନେ ଗୋଟିଏ କପୋତ ଉଡାଇ ଦେଲେ । କପୋତ ଆସି ମୋ ମୁଣ୍ଡରେ ବସିବାରୁ ମୁଁ ରାଜା ହେଲି । ଏସବୁ କେବଳ କାଶୀ ବିଶ୍ୱନାଥଙ୍କ କରୁଣା ଓ ଆପଣଙ୍କ ଆଶୀର୍ବାଦ ।”
ପ୍ରବୋଧ ଏଥିରେ ବିସ୍ମିତ ଓ ଆନନ୍ଦିତ ହେଲେ । ଭୀଲ୍ ରାଜା ତାଙ୍କୁ ତା’ ଅତିଥି ରୂପେ କିଛିଦିନ ରହିବାକୁ ଅନୁରୋଧ କଲା । କିନ୍ତୁ ସେ ରହିଲେ ନାହିଁ । ଭୀଲ୍ ରାଜା କହିଲା “ମୋତେ କିଛି ଉପଦେଶ ଦିଅନ୍ତୁ ।”
ପ୍ରବୋଧ କହିଲେ “ସମସ୍ତଙ୍କ ପ୍ରତି ସଦୟ ହେବ ।”
ଭୀଲ୍ ରାଜା କହିଲା “ମୁଁ ଏହା ନିଶ୍ଚେ ମନେ ରଖିବି ।”
ପ୍ରବୋଧ ଖୁସି ହୋଇ ଭୀଲ୍ ରାଜାଠୁଁ ବିଦାୟ ନେଇ ଅଗ୍ରସର ହେଲେ । ବଣରୁ ବାହାର ହେବା ପରେ ସେ ମୋଚିକୁ ଖୋଜିଲେ, କିନ୍ତୁ ତାକୁ ଆଉ ପାଇଲେ ନାହିଁ । ଗୋଟିଏ ଛୋଟ ସହର ବାଟରେ ଯାଉ ଯାଉ ସେ ନୂଆ ଦୋକାନଟିଏ ଦେଖିଲେ । ଦୋକାନୀ ଦୌଡି ଆସି ତାଙ୍କୁ ପ୍ରଣାମ କଲା । ଦେଖିବା ବେଳକୁ ସେ ସେହି ମୋଚି । ସେ କହିଲା, “ମହାଶୟ, କେଇଦିନ ତଳେ ରାଜା ଏ ବାଟରେ ଯାଉଥିଲେ । ମୋ କାରିଗରୀ ଦେଖି ଅତ୍ୟନ୍ତ ମୁଗ୍ଧ ହୋଇ ମୋତେ ଏ ଘର ଦେଲେ ଓ ଦୋକାନ ପାଇଁ ପୁଞ୍ଜିବି ଦେଲେ । ଏସବୁ କାଶୀ ବିଶ୍ୱନାଥଙ୍କ କରୁଣା ଓ ଆପଣଙ୍କ ଆଶୀର୍ବାଦ ।”
ପ୍ରବୋଧ ଶାନ୍ତିବନକୁ ଫେରି ଆସି ପହଁଚି ଗୁରୁ ଜୀବାନନ୍ଦଙ୍କୁ ସବୁ କଥା କହିଲେ । ସେ ନିଜେ ଯେତିକି ଖୁସି ହୋଇଥାନ୍ତି ଗୁରୁ ବି ସେତିକି ଖୁସି ହେଲେ । କିନ୍ତୁ ପ୍ରବୋଧ ପଚାରିଲେ, “ଗୁରୁଦେବ! ବ୍ରହ୍ମରାକ୍ଷସ, ଡାକୁ ଓ ମୋଚି ସମସ୍ତେ ତୁରନ୍ତ ବିଶ୍ୱନାଥଙ୍କ କୃପା ଲାଭ କଲେ । ମୁଁ କିନ୍ତୁ କିପରି କିଛି ପାଇଲି ନାହିଁ?”
ଏମନ୍ତ କଥାରେ ଜୀବାନନ୍ଦ ହସିଲେ ଓ କହିଲେ, “ତମେ ଏ ପ୍ରଶ୍ନ ଉପରେ ଭଲ କରି ଚିନ୍ତା କରିଛ?”
ପ୍ରବୋଧ ନୀରବ ରହିଲେ ।
ଜୀବାନନ୍ଦ ବୁଝାଇ ଦେଲେ: “ସେ ତିନି ଜଣଙ୍କ ପ୍ରାର୍ଥନା ଓ ଆବଶ୍ୟକତା ଯାହା, ତମର ତାହା ନୁହେଁ । ବ୍ରହ୍ମରାକ୍ଷସ ତୁରନ୍ତ ମଣିଷ ହୋଇଯିବାର କାରଣ ରାକ୍ଷସ ରୂପେ ସେ ଆହୁରି କେତେ ଅନ୍ୟାୟ କରିଥାନ୍ତା । ଡାକୁ ବିଷୟରେ ବି ଏକା କଥା ପ୍ରଯୁଯ୍ୟ । ମୋଚି ଦାରିଦ୍ର୍ୟରୁ ରକ୍ଷା ପାଇଗଲା, କାରଣ ତାହାହିଁ ତା’ର ପ୍ରାର୍ଥନା ଥିଲା । ତମେ ବିଶ୍ୱନାଥଙ୍କ ପାଖକୁ ଯାଇଥିଲ କୌଣସି ସ୍ଥୁଳ ଲାଭ ଆଶାରେ ନୁହେଁ, ବରଂ ତମ ଚେତନାର ବିକାଶ ପାଇଁ । ତାହା ହୋଇ ନାହିଁ ବୋଲି କହୁଛ?”
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ପ୍ରବୋଧ ପୁର୍ନବାର ନୀରବ ରହିଲେ ।
ଜୀବାନନ୍ଦ କହିଲେ, “ତମେ ପ୍ରଥମେ ବଣିକଙ୍କ ସହ ଅଲଗା ବାଟରେ ଆସିବାକୁ ବାହାରିଥିଲ । ପୁଣି କିପରି ବଣ ଦେଇ ଆସିଲ? ସେ ସାହସ, ସତ୍ୟ ପ୍ରତି ନିଷ୍ଠା କେଉଁଠୁ ଆସିଲା? ତାହାହିଁ ତମ ପ୍ରତି ବିଶ୍ୱନାଥଙ୍କ କରୁଣା । ତାହାହିଁ ତମ ଚେତନାର ବିକାଶର ପ୍ରମାଣ । ସତ୍ୟ ପ୍ରତି ନିଷ୍ଠା ଯୋଗୁଁ ବ୍ରହ୍ମରାକ୍ଷସର ଆହାର ହେବା ପାଇଁ ଜାଣି ଜାଣି ଆସିବା ସାଧାରଣ ମଣିଷ ପକ୍ଷରେ ସମ୍ଭବ ନୁହେଁ ।”
ଏସବୁକଥା ଶୁଣି ପ୍ରବୋଧଙ୍କ ଆଖିରେ ଅଶ୍ରୁ ଦେଖା ଦେଲା । ସେ ଗୁରୁଙ୍କୁ ପ୍ରଣାମ କଲେ ।
ଅଧିକ!
ରାମପୁର ଗ୍ରାମରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଗୋଟିଏ ସୁନ୍ଦର ମନ୍ଦିର ଥିଲା । କାଳକ୍ରମେ ସେ ମନ୍ଦିର ଜୀର୍ଣ୍ଣ ହୋଇ ଯାଇଥାଏ । ତାକୁ ମରାମତି କରିବାର ପ୍ରସ୍ତାବ ହେଲା । ଗ୍ରାମର ନେତା ଗୋବିନ୍ଦ ଦାସ କହିଲେ, “ଆମ ଗାଁରେ ଦୁଇଜଣ ବିଶିଷ୍ଟ ଗାୟକ ଅଛନ୍ତି । ସେମାନଙ୍କୁ ନେଇ ଆମେ ଗୋଟିଏ ସଙ୍ଗୀତ ସଭାର ବ୍ୟବସ୍ଥା କରିବା । ସେଥିଲାଗି ଆଖପାଖର ସବୁ ବିଶିଷ୍ଟ ଲୋକଙ୍କୁ ନିମନ୍ତ୍ରଣ କରାଯିବ । ସେମାନେ ଗୀତ ଶୁଣିବା ଉପଲକ୍ଷ୍ୟରେ ମନ୍ଦିର ପାଇଁ କିଛି କିଛି ଚାନ୍ଦା ଦେବେ ।”
ସେହି ଅନୁସାରେ ସମସ୍ତ ପ୍ରକାର ଆୟୋଜନ ହେଲା । ଗାୟକ ପ୍ରଭାତଙ୍କୁ ଗୋବିନ୍ଦବାବୁ ପଚାରିଲେ, “ଗୋଟାଏ ଭଲ କାମ ପାଇଁ ତୁମକୁ ଗୀତ ବୋଲିବାକୁ ହେଲେ ତୁମେ କେତେ ଟଙ୍କା ନେବ?”
ପ୍ରଭାତ କହିଲେ “ମୋତେ ଶହେଟଙ୍କା ଦେଲେ ଚଳିବ ।” ତା’ପରେ ଗୋବିନ୍ଦବାବୁ ଅନ୍ୟ ଗାୟକ ଚନ୍ଦ୍ରଶେଖରଙ୍କୁ ଡାକି କହିଲେ କି ଗୋଟାଏ ସଙ୍ଗୀତ ସଭା ହେବ ଓ ସେଥିପାଇଁ ପ୍ରଭାତ ଶହେଟଙ୍କା ନେଇ ଗୀତ ବୋଲିବେ । ତାଙ୍କୁ ବି ସେଇଆ କରିବାକୁ ହେବ ।
ଚନ୍ଦ୍ରଶେଖର ରୋକ୍ଠୋକ୍ କହିଲେ, “ପ୍ରଭାତ ଯଦି ଶହେଟଙ୍କା ନେବ, ତେବେ ମୋତେ ତାଠୁଁ ଅନ୍ତତଃ ଟଙ୍କାଟିଏ ଅଧିକ ମିଳିବା ଆବଶ୍ୟକ!”
ତାଙ୍କର ଏଭଳି ପ୍ରସ୍ତାବରେ ଗୋବିନ୍ଦବାବୁ ରାଜି ହେଲେ । ସଭା ଶେଷରେ ସେ ଘୋଷଣା କଲେ, “ଚନ୍ଦ୍ରଶେଖରଙ୍କ କଥା ଅନୁସାରେ ପ୍ରଭାତଙ୍କୁ ଯାହା ଦିଆଯିବ, ତାଙ୍କୁ ତା’ଠାରୁ ଟଙ୍କାଟିଏ ଅଧିକ ଦେବା ଦରକାର । ପ୍ରଭାତ ଏ ଆସରର ପ୍ରକୃତ ଉଦ୍ଧେଶ୍ୟ ଜାଣିବା ପରେ ତାଙ୍କ ପ୍ରାପ୍ୟ ସେ ଶହେଟଙ୍କା ନେଉ ନାହାଁନ୍ତି । ଅର୍ଥାତ୍ ସେ ଶୂନ୍ୟ ନେଲେ । ଶୂନ୍ୟଠୁଁ ଅଧିକ ଟଙ୍କାଏ ଅର୍ଥ ଟଙ୍କାଏ । ଆମେ ତାହାହିଁ ଚନ୍ଦ୍ରଶେଖରଙ୍କୁ ଦେଲୁଁ ।”🙏
Comments
Post a Comment