24-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈
    _*👉" ରମ୍ୟରଚନା - ଭାରତ ବନ୍ଦ "👈*_
*ତାରିଖ : ୨୪/୦୩/୨୦୨୦*
*
 *❀꧁❀꧂❀꧁❀꧂❀꧁❀꧂❀*
_________________________________________
*☘☘🌼🌼🙏🏻✒🙏🏻🌼🌼☘☘ 

ସେ ଦିନ ଭାରତବାସୀଙ୍କର ଦୁର୍ଦ୍ଦଶାର ଦିନ ଆସି ଯାଇଥିଲା ଯେତେବେଳେ ଡଲାର ଦର ୭୩କୁ ଛୁଇଁ ଥିଲା । ଟିଭି, ରେଡ଼ିଓ, ଖବରକାଗଜରେ ସବୁ ବହୁ ଆଲୋଚନା ଓ ସମାଲୋଚନା କରି, ଏହି ଅଘଟଣ କିଭଳି ଭାବେ ଜନ ଜୀବନକୁ ପ୍ରଭାବିତ କରିବ, ତାହା ଅତ୍ୟନ୍ତ ଯଟୀଳ ହୋଇଥିଲେ ମଧ୍ୟ, ସରଳ ଭାବେ ପ୍ରାଞ୍ଜଳକରି ବୁଝାଇ ଦେଇଥିଲେ । ବିଭିନ୍ନ ଆଶଙ୍କା ମଧ୍ୟରୁ ଗୋଟିଏ ସେଦିନ ସତ୍ୟର ରୂପ ନେଇଗଲା, ଯେତେବେଳେ ପେଟ୍ରୋଲର ଦର ଲିଟର ପିଛା ୮୦ ଟଙ୍କାକୁ ଛୁଇଁଗଲା । ପେଟ୍ରୋଲ ଦର ବୃଦ୍ଧି ଏକ ଅନର୍ଥର ଲକ୍ଷଣ କିମ୍ବା ଅନ୍ୟ ଅନର୍ଥମାନଙ୍କର କାରଣ, ତାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ବିରୋଧାଭାସ ପରିଲିକ୍ଷିତ ହୋଇଥିଲା । ଅବସ୍ଥା ସେତେବେଳେ ସଙ୍କଟାପନ୍ନ ହୋଇଗଲା ଯେବେ ଟିଭି ଆଲୋଚନା ସମୟରେ ନିଜର ଅସହମତି ଜଣାଇବାକୁ ଯାଇ ସର୍ବଜ୍ଞ ସାହୁ ମୁଣ୍ଡକୁ ଏତେ ଯୋରରେ ହଲେଇ ଦେଲେ ଯେ ତାଙ୍କରି ଓ୍ଵିଗଟା ତଳେ ପଡ଼ି ତାଙ୍କୁ ସର୍ବସ୍ଵାନ୍ତ କରି ଦେଇଥିଲା । ଲଜ୍ଜା, କ୍ରୋଧ ଏବଂ ଆବେଗରେ ଭାବବିହ୍ଵଳ ହୋଇ ଓଡ଼ିଶାର ଯୁବ ସମାଜକୁ ଏକ ନୂତନ କ୍ରାନ୍ତିର ସୃଷ୍ଟି ପାଇଁ ଆହ୍ଵାନ କରିଦେଇଥିଲେ ।


ପେଟ୍ରୋଲ ଦର ବୃଦ୍ଧି ଧୀରେ ଧୀରେ ତା’ର ପ୍ରଭାବ ଦେଖାଇବା ଆରମ୍ଭ କରିଦେଇଥିଲା । ଏ.ସି. ବାଲା ମଲ୍ ଛାଡ଼ି ଗୌରାବାବୁ ସକାଳ ବେଳା ହାଟରେ ପୁଣିଥରେ ଦେଖା ଯାଉଥିଲେ । ପିଜାହଟରେ ବସି କଲେଜ ପିଲାମାନେ ପେଟ୍ରୋଲ ଦରର ଦୈନିକ ବୃଦ୍ଧି ହାର ହିସାବ କରି ଗଣିତଜ୍ଞ ଭାବେ ଅଳଙ୍କୃତ ହୋଇ ଗୌରବାନ୍ଵିତ ମନେକରୁଥିଲେ । ଭୁବନେଶ୍ଵର ପଟିଆ ଛକଠାରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ୧୫ ମିନିଟର ରାସ୍ତାକୁ ୫୫ ମିନିଟ ବଦଳରେ ୫୦ ମିନିଟ ଲାଗିବା ପରି ଅଦ୍ଭୂତପୂର୍ବ ଘଟଣାମାନ ମଧ୍ୟ ଦେଖିବାକୁ ମିଳିଥିଲା ।


ଅବସ୍ଥା ଅସମ୍ଭାଳ ହେବାରୁ ପେଟ୍ରୋଲ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେବାକୁ ଆରମ୍ଭ କରିଦେଇଥିଲେ । କିନ୍ତୁ ସେସବୁ ପ୍ରଚେଷ୍ଟାର ପରିଣାମ ଆଖି ଦୃଷ୍ଟିଆ ହେଉ ନଥିଲା । ଦର କମିବା ବଦଳରେ ଦିନ ପ୍ରତିଦିନ ଆହୁରି ଅଧିକା ବଢ଼ିବାକୁ ଲାଗିଥିଲା । ବିରାଡ଼ି କପାଳକୁ ସିକା ଛିଡ଼ିଲା ପରି ସରକାରଙ୍କ ଏହି ବିଫଳତା, ବିପକ୍ଷ ଦଳମାନଙ୍କ ପାଇଁ ଖୋଲିଦେଲା ସୁଯୋଗର ସମ୍ଭାର । ଜନସାଧାରଣଙ୍କ ମନର ଏହି ଦହନଶୀଳ କୋହକୁ, ଯଦି ସଠିକ ଭାବରେ ଉପସ୍ଥାପନ କରିପାରିବେ ତେବେ ତାହା ଖୋଲିଦେବ ଆସନ୍ତା ନିର୍ବାଚନରେ ସେମାନଙ୍କର ଭାଗ୍ୟ । ତେଣୁ ସମସ୍ୟାର ସମାଧାନ କରିବାକୁ ଅଣ୍ଟା ଭିଡ଼ି ରାଜରାସ୍ତାକୁ ବାହାରି ପଡ଼ିଲେ ସେମାନେ ।


ଭାରତରେ, ସମସ୍ତ ପ୍ରକାରର ସମସ୍ୟାର ସମାଧାନ ପାଇଁ ରାଜନୈତିକ ଦଳ ମାନଙ୍କ ପାଖରେ ଥାଏ ଦୁଇଟି ଅମୋଘ ଅସ୍ତ୍ର — ଛୋଟ ପ୍ୟାକ୍ ଓ ବଡ଼ ପ୍ୟାକ୍ । ସମସ୍ୟାର ଗମ୍ଭିରତା ଏବଂ ସମାଧାନ ପାଇବାର ଆତୁରତାକୁ ନେଇ ସଠିକ ପ୍ୟାକର ବ୍ୟବହାର କରାଯାଇ ଥାଏ । ଛୋଟ ପ୍ୟାକରେ ଆସେ ରାସ୍ତାରୋକ୍, ରେଳରୋକ୍, ଟାୟାରପୋଡ଼୍, ସଟରପକା ଭଳିଆ ଛୋଟ ମୋଟ ପଦକ୍ଷେପ ଏବଂ ବଡ଼ ପ୍ୟାକରେ ଆସିଥାଏ ଓଡ଼ିଶା ବନ୍ଦ, ଭାରତ ବନ୍ଦ ଭଳି ଯୁଗାନ୍ତକାରୀ ପଦକ୍ଷେପ । ତେଣୁ ବର୍ତ୍ତମାନର ପରିପ୍ରେକ୍ଷୀରେ କେଉଁ ପ୍ୟାକର ବ୍ୟବହାର ସମୂଚିନ ହେବ ସେଥିପାଇଁ ସମସ୍ତ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାକୁ ଆରମ୍ଭ କରିଦେଇଥିଲେ ।



ରାଜନୀତି ପାଇଁ ସମସ୍ୟାର ସମାଧାନ ଯେତେ ଜରୁରୀ ନଥାଏ, ତାଠାରୁ ଅଧିକ ଜରୁରୀ ଥାଏ ତାକୁ କିଏ କରିଲା । ତାଛଡ଼ା ଭବିଷ୍ୟତର ଲାଭ କ୍ଷତିର ପରିପ୍ରେକ୍ଷୀରେ ଦେଖିବାକୁ ଗଲେ, ସବୁ ଦଳ ମିଳିମିଶି ସମାଧାନ ପାଇଁ ଚେଷ୍ଟା କରିବା ମଧ୍ୟ ନିରର୍ଥକ । ତେଣୁ ଗୋଟେ ସର୍ବଦଳୀୟ ବୈଠକ ଅନୁଷ୍ଠିତ କରାଇ ଦଳର ପୂରୋଧାମାନେ ଶାନ୍ତିପୂର୍ଣ୍ଣ ଭାବରେ ବାଡ଼ିଆପିଟା ହୋଇ ନିଜ ପ୍ରୟୋଗର ପ୍ରୟାସ ପାଇଁ ଗୋଟେ ସମୟସୀମା ନିର୍ଦ୍ଧାରଣ କରିନେଲେ । ଏମିତି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିବାର କଥାଟା ନିଜେ ହିଁ ଏତେ ପ୍ରଭାବଶାଳୀ ଥିଲା ଯେ ଜନସାଧାରଣଙ୍କ କଷ୍ଟ କିଛି ମାତ୍ରାରେ ଲାଘବ ହେଇଯାଇଥିଲା । ଏହାକୁ ନେଇ ଖବରକାଗଜରେ ପ୍ରଶଂସା ପତ୍ରମାନ ପ୍ରକାଶିତ ହେବାର ମଧ୍ୟ ଦେଖାଦେଇଥିଲା ।


ବିଜାଡ଼ିଆ ଦଳ — ରାଜ୍ୟରେ ସରକାର, ସବୁଠାରୁ ଅଧିକ ସଂଖ୍ୟକ ବିଧାୟକ ଓ ସାଂସଦ । ତେଣୁ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରିବାର ପ୍ରଥମ ଅଧିକାର ତାଙ୍କୁ ସହଜରେ ମିଳିଗଲା । ‘କେନ୍ଦ୍ର ଦାୟୀ’ ପ୍ରସଙ୍ଗକୁ ନେଇ ସମସ୍ତ ପ୍ରକାରର ରଣ କୌଶଳର ପ୍ରସ୍ତୁତି କାର୍ଯ୍ୟ ସରିଥିଲା । କିନ୍ତୁ ପ୍ରତିବାଦର ପ୍ରଦର୍ଶନ ସ୍ଥଳୀକୁ ନେଇ କିଛିଟା ବିଭ୍ରାଟ ଦେଖାଗଲା । ଯଦି ଲୋକମାନେ ଭୁଲରେ, ପ୍ରତିବାଦଟି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ହେଉଛି ବୋଲି ଧାରଣା କରିନେଲେ ତେବେ ଦଳକୁ ଲାଭ ବଦଳରେ କ୍ଷତି ସହିବାର ଆଶଙ୍କା କରାଗଲା । ଦଳର ଅଧ୍ୟକ୍ଷ, ଏଭଳି ଏକ ଅଧା ଖଣ୍ଡିଆ ଯୋଜନାର ପରିକଳ୍ପନାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ଏକ ଦଳୀୟ କାର୍ଯ୍ୟକ୍ରମ ହେଇଥିଲେ ମଧ୍ୟ ସଚିବାଳୟର ତୃତୀୟ ମହଲାରେ, ଏକ ଉଚ୍ଚସ୍ତରୀୟ ଜରୁରୀକାଳୀନ ବୈଠକ ଡକାଇ ସମାଧାନର ବାଟ ଖୋଜିବାର ବ୍ୟବସ୍ଥା କରାଇଲେ ।


ବିଜାଡ଼ିଆ ଦଳର ପଦକ୍ଷେପ ନେବାରେ ବିଳମ୍ବ ପରିଲକ୍ଷିତ ହେବାରୁ, ଅସମ୍ଭାଳ ହୋଇ ରାଜ୍ୟର ନାଲିପାଟିଆ ଦଳ, ନିଜର ନିର୍ଦ୍ଧାରିତ ସମୟସୀମାକୁ ଉପେକ୍ଷା କରି, ବିନା ଚେତାବନୀରେ ରେଳରୋକ୍ ଓ ରାସ୍ତାରୋକ୍ ଭଳି ପଦକ୍ଷେପମାନ ନେଇଗଲେ । ଯେଉଁ କିଛି ଲୋକ ପେଟ୍ରୋଲ ଦର ବୃଦ୍ଧିକୁ ବର୍ତ୍ତମାନ ଯାଏଁ ଧ୍ୟାନ ଦେଇ ନଥିଲେ, ସେମାନେ ମଧ୍ୟ ଏହାର ଦୂରଗାମୀ ପ୍ରଭାବକୁ ଠିକ ରୂପେ ଅନୁଭବ କରିପାରିଥିଲେ । ‘ସମସ୍ୟାକୁ ସମସ୍ତଙ୍କୁ ଅନୁଭବ କରାଇବା ବି ସମସ୍ୟାର ସମାଧାନ ପାଇଁ ଏକ ଅବଦାନ’, ଏହାକୁ ସଠିକ୍ ଭାବରେ ତୁଲାଇ ଥିବାରୁ ନାଲିପାଟିଆ ଦଳ ସନ୍ତୁଷ୍ଟିର ସହ ନିଜର ଆନ୍ଦୋଳନାତ୍ମକ ପ୍ରଚେଷ୍ଟାର ପରିସମାପ୍ତି କରିଥିଲା ।


ପ୍ରଥମେ ପ୍ରଚେଷ୍ଟା କରିବାର ଫଳପ୍ରାପ୍ତିର ସୁଯୋଗକୁ ହରାଇଥିବାରୁ, କ୍ରୋଧରେ ଆନ୍ଦୋଳନକୁ ତିବ୍ରତର କରିବା ପାଇଁ ବଳ କଷିଲା, ବିଜାଡ଼ିଆ ଦଳ । ଓଡ଼ିଶାର ଗଳି କନ୍ଦିରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର୍ ଲାଗିଥିଲା ବେଳେ କେବଳ ପେଟ୍ରୋଲ ପମ୍ପ ହିଁ ଥିଲା ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ବଡ଼ ବଡ଼ ପୋଷ୍ଟର୍ ଲାଗିଥିଲା । ତେଣୁ ‘କେନ୍ଦ୍ର ଉପରେ ପେଟ୍ରୋଲ ଦର ବୃଦ୍ଧିର ସମସ୍ତ ଦୋଷକୁ ଲଦିବା’ ଭଳି ପଦକ୍ଷେପ ପାଇଁ ପେଟ୍ରୋଲ ପମ୍ପ ଶ୍ରେଷ୍ଠ ସ୍ଥାନ ରୂପେ ନିର୍ଧାରଣ କରାଗଲା । କିନ୍ତୁ ସବୁ ପମ୍ପ ଆଗରେ ଧାରଣା ଦେବାପାଇଁ ଯଥେଷ୍ଟ କର୍ମୀ ଥିଲେ ମଧ୍ୟ ଟିଭି ନିଉଜ୍ ଚ୍ୟାନେଲ କ୍ୟାମେରାମ୍ୟାନଙ୍କ ଅଭାବ ପରିଲକ୍ଷିତ ହୋଇଥିଲା । ସେ ସଙ୍କଟର ମୁକାବିଲା କରିବା ପାଇଁ ‘ଯୁବସେନାଙ୍କ ଧାରଣା ରଥ’ ଭଳି ଏକ ଅଭିନବ ଯୋଜନା ପ୍ରସ୍ତୁତ କରାଗଲା । ‘ଯୁବସେନାଙ୍କ ଧାରଣା ରଥ’ — ହାରାହାରି ୧୫ ଖଣ୍ଡେ ଲୋକଙ୍କୁ ଖୋଲା ଜିପରେ ଧରି ବିଭିନ୍ନ ପେଟ୍ରୋଲ ପମ୍ପକୁ ଯିବେ ଏବଂ ସେଠି ଓହ୍ଲାଇ ଟିଭି କ୍ୟାମେରା ସାମ୍ନାରେ କେନ୍ଦ୍ର ବିରୁଦ୍ଧରେ ବିଭିନ୍ନ ପ୍ରକାରର ଶ୍ଳୋଗାନ ଦେବେ । ଦିନ ନିର୍ଦ୍ଧାରଣ କରାଗଲା ଏବଂ ସେଦିନ ପ୍ରାୟ ୧୦୦ ଖଣ୍ଡେ ‘ଯୁବସେନାଙ୍କ ଧାରଣା ରଥ' ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସେ ଅଭିନବ ଉପାୟର ବିଶେଷତ୍ଵ ହିଁ ଏହାକୁ ଜନ ଆଦୃତ କରାଇଥିଲା । ଏହି ସଫଳତାର ସନ୍ତୁଷ୍ଟିରେ ବିଜାଡ଼ିଆ ଦଳ ମଧ୍ୟ ନିଜର ଆନ୍ଦୋଳନାତ୍ମକ ପ୍ରଚେଷ୍ଟାର ପରିସମାପ୍ତି କରିଥିଲା ।



ଛୋଟ ପ୍ୟାକର ଅସ୍ତ୍ର ଗୁଡ଼ିକର ସଫଳ ପ୍ରୟୋଗ ପରେ ଜନସାଧାରଣ ଟିକେ ସହଜ ଅନୁଭବ କରୁଥିଲେ ସତ କିନ୍ତୁ ପେଟ୍ରୋଲ ଦର ଲଗାତର ଭାବେ ବଢ଼ି ଚାଲିଥିଲା । ‘ଏବେ ବଡ଼ ପ୍ୟାକ୍ ବ୍ୟବହାର କରିବାର ସମୟ’, ସେ କଥା ଦେଶର ନାମୀ ବିରୋଧୀ ଦଳର ନେତା ରାଗାବାବାଙ୍କୁ ଠିକ ଭାବରେ ଜଣା ପଡ଼ିଥିଲା । ଆଉ କାଳ ବିଳମ୍ବ ନକରି ଏକ ବିରୋଧୀ ଦଳୀୟ ବୈଠକ ଡକାଇ ତୁରନ୍ତ ଏକ ୧୨ ଘଣ୍ଟିଆ ଭାରତ ବନ୍ଦ’ର ଆହ୍ୱାନ ଦେଇଦେଲେ । ଦେଶବ୍ୟାପୀ ଦଳୀୟ କର୍ମୀ ମାନଙ୍କୁ ଲଗାଇ, ସକାଳୁ ସକାଳୁ ଜବରଦସ୍ତି ଲୋକମାନଙ୍କୁ ଦୈନନ୍ଦିନ ଜୀବନ ଯାପନ କରିବାକୁ ବାରଣ କରାଇ, ସେ ଖବରକୁ ଭାଇରାଲ୍ କରି ଦିଆଗଲା । ଜବରଦସ୍ତି ବାରଣ ହେଉଥିବାର ଖବର ପାଇବା ପରେ ବିଭିନ୍ନ ସଂସ୍ଥାର କର୍ମଚାରୀମାନେ ଏତେ ମାତ୍ରାରେ ଡରିଯାଇଥିଲେ ଯେ ସେମାନେ ଶୋଇବା ଖଟରୁ ତଳକୁ ଓହ୍ଲାଇବାକୁ ଅନିଛା ପ୍ରକାଶ କଲେ । ପକୋଡ଼ି ଛଣା ଜଞ୍ଜାଳରୁ ତ୍ରାହି ପାଇବାର ଆଶାରେ ଘରଣୀମାନେ ମଧ୍ୟ ଖୁଡ଼ ଖାଡ଼ ଶବ୍ଦର ପ୍ରାଦୁର୍ଭାବଯୁକ୍ତ ଘରକରଣା କାମକୁ ମଧ୍ୟ ବନ୍ଦ କରିଦେଇ ଟିଭି ସାମ୍ନାରେ ବସି ରହିଲେ । ଘର ଭିତରେ ନରନାରୀ ନିଜକୁ ଆବଦ୍ଧ କରି ରଖିଥିବାରୁ ରାସ୍ତାଘାଟ ସବୁ ଜନଶୂନ୍ୟ ଦେଖାଗଲା । ଅନ୍ୟଥା ଚଳ ଚଞ୍ଚଳ ରହୁଥିବା ଦେଶ ହଠାତ୍ ଠପ ହୋଇଗଲା । ଭାରତ ବନ୍ଦକୁ ଜନସାଧାରଣଙ୍କର ଏହି ଅପ୍ରତ୍ୟାଶିତ ସମର୍ଥନ ମିଳିବା, ବର୍ତ୍ତମାନର ସରକାରଙ୍କ ପ୍ରତି ସେମାନଙ୍କର ଅବିଶ୍ଵାସର ପ୍ରଦର୍ଶକ ରୂପେ ଗ୍ରହଣ କରି ବିରୋଧୀ ଦଳର କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ଢେଉ ଖେଳିଯାଇଥିଲା ।


ଭାରତ ବନ୍ଦ’ର ସଫଳତା ପରେ ପେଟ୍ରୋଲ ଦର ଉପରେ ଏହାର ପ୍ରଭାବକୁ ନେଇ ଟିଭିରେ ନାନା ପ୍ରକାରର ତର୍ଜମା ଆରମ୍ଭ ହୋଇଯାଇଥିଲା । ସର୍ବଜ୍ଞ ସାହୁ ରାଜ୍ୟରେ କ୍ରାନ୍ତିର ମାହୋଲକୁ ଦେଖି, ଏହାକୁ ଏକ ବ୍ୟକ୍ତିଗତ ସଫଳତା ଭାବି, ବଡ଼ ଗର୍ବ ଅନୁଭବ କରୁଥିଲେ । ତେଣୁ ସେ, ସବୁ ଆଲୋଚନାରେ ଭାଗ ନେଇ, ଭାରତ ବନ୍ଦ କିଭଳି ଭାବରେ ପେଟ୍ରୋଲ ଦରକୁ ନେଇ ଲୋକମାନଙ୍କର କଷ୍ଟ ଲାଘବ କରିବାରେ ସହାୟକ ହୋଇପାରିଛି ତାହା ବୁଝାଇ ଦେଇଥିଲେ । ତାଙ୍କର କହିବା ଅନୁସାରେ, “ପେଟ୍ରୋଲ ଦର କେତେ, ସେଇଟା କେବେହେଲେ ଲୋକମାନଙ୍କୁ କଷ୍ଟ ଦେଇ ନଥାଏ ।ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍  ରୁ ପଢୁଚନ୍ତି ।ଯଦି କିଛି ପ୍ରକୃତରେ କଷ୍ଟ ଦେଇଥାଏ, ସେଇଟା ହେଲା, ପେଟ୍ରୋଲ ଦରର ବୃଦ୍ଧି ହାର । ଏହି ଦରର ବୃଦ୍ଧି ହାରକୁ ମାପିବା ପାଇଁ ଆଜିର ଦରକୁ ଏକ ବେସ୍ ରେଟ୍ ସହ ତୁଳନା କରାଯାଇ ଥାଏ । କିନ୍ତୁ ଯେଉଁ ଦିନ ଭାରତ ବନ୍ଦ ପାଳନ ହୁଏ, ସେଦିନର ଦରକୁ ନୂତନ ବେସ ରେଟ ରୂପେ ହିସାବରେ ନିଆଯାଇଥାଏ । ତେଣୁ ଦରର ବୃଦ୍ଧି ହାର ସାଙ୍ଗେ ସାଙ୍ଗେ ଶୁନୁ ହୋଇଯାଏ ଏବଂ ଏହା ଦ୍ଵାରା ଲୋକମାନଙ୍କୁ ତୁରନ୍ତ ସେଥିରୁ ନିସ୍ତାର ମିଳିଯାଇଥାଏ ।”


ଆଜି ମଧ୍ୟ ପେଟ୍ରୋଲ ଦର ୮୦ ଟଙ୍କା ଅଛି କିନ୍ତୁ ଲୋକମାନଙ୍କୁ ସେ ଦର ଆଉ ବାଧୁ ନାହିଁ । ଭାରତ ବନ୍ଦ ଭଳି ଯୁଗାନ୍ତକାରୀ ପଦକ୍ଷେପ, ଏହି କଷ୍ଟଦାୟକ ଦରକୁ ଆପଣେଇବାକୁ ଲୋକମାନଙ୍କର ସହାୟକ ହୋଇପାରିଛି, ସେଥିରେ ସନ୍ଦେହ ନାହିଁ । ଏହାଛଡ଼ା ଭାରତ ବନ୍ଦକୁ ଦେଶର ଅନ୍ୟ ବଡ଼ ବଡ ସମସ୍ୟାର ସମାଧାନ ପାଇଁ ମଧ୍ୟ ସଫଳତାର ସହିତ ପରୀକ୍ଷଣ କରାଯାଇ ଏହା କେତେ ପ୍ରଭାବଷାଳୀ ତାହା ପ୍ରମାଣିତ ହେଇସାରିଛି । ସେଥିପାଇଁ ସୁପ୍ରିମକୋର୍ଟଙ୍କ ବାରଣ ସତ୍ତ୍ୱେ ଆଜି ବି ଏହାର ବହୁଳ ପ୍ରୟୋଗ କରାଯାଇଥାଏ । ଭାରତ ବନ୍ଦ ଆସନ୍ତା କାଲିର ବହୁ ଅଜଣା ଅଶୁଣା ସମସ୍ୟାକୁ ମଧ୍ୟ ଏହିଭଳି ଭାବେ ସମାଧାନ କରିପାରିବ ସେଥିରେ ତିଳେ ହେଲେ ସନ୍ଦେହର ଅବକାଶ ନାହିଁ । ଭାରତ ବନ୍ଦ ଜିଂଦାବାଦ ।

*ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।*

*(ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି .....ଅପେକ୍ଷା କରିଥାଅ ସମସ୍ତେ!)*

*☘🌸🌼🙏🏻ଓଁ🙏🏻🌼🌸☘*
========================

Comments

Popular posts from this blog

ପାଲି ଖେଳ