1 may 2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈 
           _*👉"ବୀର ହନୁମାନ"👈*_
*ତାରିଖ : ୦୧/୦୫/୨୦୨୦*

 *❀꧁❀꧂❀꧁❀꧂❀꧁❀꧂❀*
_________________________________________
*☘☘🌼🌼🙏🏻✒🙏🏻🌼🌼☘☘

ହନୁମାନ ହିମାଳୟରୁ ଅଯୋଧ୍ୟା ଯିବା ବାଟରେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ଓହ୍ଲାଇ ବାଲ୍ମୀକିଙ୍କୁ ପଚାରିଲେ, “ମହାମୁନି, ଶ୍ରୀରାମଙ୍କର ଏପରି କାହିଁକି ହେଲା ।”

                ବାଲ୍ମୀକି ଅଳ୍ପ ହସି କହିଲେ, “ହନୁମାନ, ଠିକ୍ ଭାବରେ ରାଜ୍ୟ ପାଳନ କରିବା ବଡ କଠିନ କଥା । ତୁମେ ରାମଚନ୍ଦ୍ରଙ୍କର ଶମ୍ଭୁକ ପ୍ରତି ବ୍ୟବହାର କଥା ବୋଧହୁଏ ଶୁଣିନାହଁ ଜଣେ ଅବତାର ହେଲେ ମଧ୍ୟ ବିଧିର ବିଧାନକୁ ସେ କେବେବି ଅତିକ୍ରମ କରି ପାରିବ ନାହିଁ । କାରଣ ସେଇ ଭଗବାନହିଁ ବିଧି ହୋଇ ସବୁ କର୍ମ କର୍ମଫଳରବିଧାନ କରିଛନ୍ତି । ତାକୁ ସେ ନିଜେ ବା କିପରି ଅତିକ୍ରମ କରି ଯିବେ? ଶମ୍ଭୁକ ପରମ ଜ୍ଞାନୀ, ସାଧୁ, ନିରପରାଧି, ତପସ୍ୱୀ ଥିଲେ । କେବଳ ଉଚ୍ଚ ଜାତିର ମିଥ୍ୟାଭିମାନ ତାଙ୍କର ନଥିଲା । ତେଣୁ ଉଚ୍ଚ ଜାତିଙ୍କୁ ତୃପ୍ତ କରିବାକୁ ଶ୍ରୀରାମ ତାଙ୍କୁ ବଧ କଲେ । ରାମ ଜାଣିଥିଲେ ଯେ ସେ ଘୋର ଅପରାଧ କରୁଛନ୍ତି ତଥାପିବି ସେ ନାଚାର ଥିଲେ । ଅଶିକ୍ଷିତ ଓ ଅସଂସ୍କୃତ ଲୋକଙ୍କ ମୁହଁରୁ ଯେଉଁ ନିଷ୍ଠୁର କଥା ସବୁ ବାହାରେ ତାକୁ ସହ୍ୟ କରିବା ଏକ ରାଜାର ଧର୍ମ । ଧୋବା କଥାକୁ ସହି ନ ପାରି ସେ ସୀତାଙ୍କୁ ତ୍ୟାଗ କଲେ । ଶ୍ରୀରାମ ଆଦର୍ଶ ରାଜା ହେଲେ, ତାଙ୍କର କିଛି ବିଶିଷ୍ଟ ଆଦର୍ଶ ରହିଛି । ସେସବୁ ସ୍ଥାପନ କରିବା ପାଇଁ ସେ ନିଜର ସୁଖ ଆନନ୍ଦରେ ଜଳାଞ୍ଜଳି ଦେଇଛନ୍ତି । କିନ୍ତୁ ଶ୍ରୀରାମଙ୍କ ଆଦର୍ଶ ଚିରସ୍ଥାୟୀ । ତାହା ମାନବ ଜୀବନର ପଥ ପ୍ରଦର୍ଶକ ।”

                ହନୁମାନ ସୀତାଙ୍କ ନିବାସ, ଲବକୁଶଙ୍କ ବାଣ ଚିହ୍ନ ଓ ସୀତାଙ୍କର ପାତାଳ ପ୍ରବେଶ କରିବାର କ୍ଷେତ୍ରସବୁ ଦେଖି ପ୍ରଣାମ କରିବା ପରେ ସେ ଅଯୋଧ୍ୟା ଚାଲିଗଲେ । ସେ ଭାବିପାରିଲେ ନାହିଁ ଯେ ସେ କିପରି ଭୂମି ମଧ୍ୟରେ ପ୍ରବେଶ କଲେ । ଦେବୀ ସୀତା ହେଲେ ଦୟା, କୃପା, ସ୍ନେହ, ବାତ୍ସଲ୍ୟ ତଥା ଦୀନଜନଙ୍କ ପ୍ରତି କରୁଣାର ମୂର୍ତ୍ତିମନ୍ତ୍ର ରୂପ । ତାଙ୍କୁ ସ୍ମରଣ କରିବା ମାତ୍ରେ ତାଙ୍କ ଚକ୍ଷୁଦୁଇଟି ଅଶ୍ରୁସଜଳ ହୋଇ ଉଠିଲା । କିନ୍ତୁ ଏସବୁ ଘଟଣା ପାଇଁ ସେ ବା ଶ୍ରୀରାମଙ୍କୁ କିପରି ଅପରାଧି ବୋଲି ଭାବିବେ? ବାଲ୍ମୀକି ତ ସ୍ୱୟଂ କହିଲେ ଯେ ଲୋକ କଲ୍ୟାଣ ପାଇଁ ସେ ଏସବୁ ଇଚ୍ଛାକରି କରିଛନ୍ତି । ଶ୍ରୀରାମ ଓ ସୀତାଙ୍କର ସେବା କରିବାର ସୌଭାଗ୍ୟ ଯେତେଦିନ ତାଙ୍କୁ ମିଳିଥିଲା; ସେହି ଦିନଗୁଡିକର କଥାସବୁ ସେ ମନେ ପକାଇଲେ । ସେ ବୁଝିପାରିଲେ ନାହିଁ ଯେ ସେ ଏବେ ହସିବେ ନା କାନ୍ଦିବେ । ସେହିସବୁ କଥା ଭାବି ଭାବି ସେ ଆକାଶ ମାର୍ଗରେ ଉଡି ଉଡି ଅଯୋଧ୍ୟା ରାଜନଅରର ସମୁଖସ୍ଥ ଉଦ୍ୟାନରେ ଯାଇ ଓହ୍ଲାଇଲେ । ସେତେବେଳେ ଲବକୁଶ ଧନୁଶର ଧରି ନାନା ପ୍ରକାର କୌଶଳ ଅଭ୍ୟାସ କରୁଥିଲେ । ହନୁମାନଙ୍କୁ ଦେଖି ସେମାନେ ନିଜ ନିଜ ମଧ୍ୟରେ କିଛି ସଙ୍କେତ ଆଦାନ ପ୍ରଦାନ ପରେ ବାଣ ଦ୍ୱାରା ଏକ ଗୋଲ କାନ୍ଥ ହନୁମାନଙ୍କ ଚାରିପାଖରେ ବନାଇ ଦେଲେ ।

                ତା’ପରେ ସେମାନେ ପଚାରିଲେ, “ହେ ମାୟାବୀ, ତୁମେ କିଏ?” ମାତ୍ର ହନୁମାନ ମୁଗ୍ଧ ହୋଇ ସେ ଦୁହିଁଙ୍କୁ ଦେଖୁଥା’ନ୍ତି । କୁଶ ଠିକ୍ ରାମଙ୍କ ପରି ଲବ ଠିକ୍ ସୀତାଙ୍କ ପରି । ତା’ପରେ ସେ କହିଲେ, “ମୁଁ ହନୁମାନ, ଶ୍ରୀରାମଙ୍କ ଦର୍ଶନ ପାଇଁ ମୁଁ ଏଠାକୁ ଆସିଛି ।”

                ଲବ କହିଲେ “ଆମେ ତୁମକୁ କିପରି ବିଶ୍ୱାସ କରିବୁ? ଗଦା ଧରିଲେ କ’ଣ ସମସ୍ତେ ହନୁମାନ ହୋଇଯିବେ? ତମେ ତ କେହି ମାୟାବୀ ବୋଲି ମନେ ହେଉଛ ।” ତା’ପରେ ସେ ଲବ ହନୁମାନଙ୍କ ପ୍ରତି ନିଜ ବାଣ ଯୋଖିଲେ ।

                କୁଶ ତ ଶ୍ରୀରାମଙ୍କ ପରି ଅତ୍ୟନ୍ତ ଶାନ୍ତ ଥିଲେ । ସେ କହିଲେ, “ଯେ ପର୍ଯ୍ୟନ୍ତ ତୁମେ ନିଜକୁ ହନୁମାନ ବୋଲି ପ୍ରମାଣିତ ନ କରିଛ, ସେ ପର୍ଯ୍ୟନ୍ତ ଆମେ ତୁମକୁ ଆଦୌ ଛାଡିବୁ ନାହିଁ ।” ଲବ କହିଲେ, “ତୁମର ପ୍ରତାପ ଦେଖାଅ, ତୁମର ବିରାଟ ରୂପ ଦେଖାଅ ଯେଉଁ ରୂପରେ କି ତୁମେ ସମୁଦ୍ର ଲଂଘନ କରିଥିଲ ।”

                ସେ ପିଲାଦୁଇଟିଙ୍କ ମଧୁର କଣ୍ଠରେ ଏତେ ବଡ କଥା ପାଇଁ ଅନୁରୋଧ କରିବାର ଭଙ୍ଗୀ ତାଙ୍କୁ ବଡ ମୁଗ୍ଧ କଲା । ଏଥିରୁ ସେ ଠିକ୍ ବୁଝିପାରିଲେ ଯେ ସେମାନେ ତାଙ୍କୁ ଚିହ୍ନି ପାରିଛନ୍ତି ଅଥଚ ସେମାନେ ତାଙ୍କ ବିରାଟ ରୂପ ଦେଖିବାକୁ ଚାହାଁନ୍ତି ।



                ଏହାପରେ ସେ ହନୁମାନ ତାଙ୍କ ବିରାଟ ରୂପ ଦେଖାଇଲେ, କାୟା ବିସ୍ତାର କଲେ ଓ ସେ ଦୁଇଜଣଙ୍କୁ ଆଲିଙ୍ଗନ କଲେ । ତା’ପରେ ହନୁମାନ ସେ ଦୁହିଁଙ୍କୁ ନିଜ କାନ୍ଧରେ ବସାଇ ଆକାଶ ମାର୍ଗକୁ ଉଠିଲେ ଓ ଅଯୋଧ୍ୟା ନଗରୀ ପରିକ୍ରମା କଲେ । ତା’ପରେ ସେମାନଙ୍କୁ ସେ ବହୁତ କଥା ଗପିଲେ । ଗଳ୍ପ ଛନ୍ଦରେ ସେ ମହୀରାବଣ ବଧ କଥା ମଧ୍ୟ କହିଲେ ସେହି ଭୟଙ୍କର ରାକ୍ଷସପୁରୀ, ଓ ଶ୍ରୀରାମ ଲକ୍ଷ୍ମଣଙ୍କର ବିପଦ ସଂକୁଳ କାରାଗୃହ । ପୁଣି ମହୀରାବଣ ସେମାନଙ୍କୁ କିପରି ନରବଳୀ ଦେବାକୁ ନେଉଥିଲା, ଇତ୍ୟାଦି ନାନା କଥା । ତା’ପରେ ସେ କହିଲେ, “ଯେପରି ମୁଁ ଆଜି ତୁମ ଦୁହିଁଙ୍କୁ କାନ୍ଧରେ ବସାଇ ଉଡୁଛି, ଠିକ୍ ଏହିପରି ମୁଁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ମଧ୍ୟ ନିଜ କାନ୍ଧରେ ବସାଇଥିଲି । ସେମାନେ ଯୁଦ୍ଧ କରି ମହୀରାବଣକୁ ବଧ କଲେ । ପାତାଳପୁରୀକୁ ଜୟ କରି ଆମେ ପୁଣି ଲଙ୍କାକୁ ଲେଉଟି ଆସିଲୁ ।”

                ତା’ପରେ ସେମାନେ ତଳକୁ ଆସିଲେ । ଲବକୁଶ ହନୁମାନଙ୍କୁ ପ୍ରଣାମ କରି କହିଲେ, “ଆପଣଙ୍କ ପ୍ରତାପକୁ ଆମେ ନିଜ ଆଖିରେ ଦେଖିବାର ଆମର ବଡ ଲାଳସା ଥିଲା । ଖାଲି ସେଇଥିପାଇଁ ଆମେ ଏପରି କହିଲୁ; ଆମକୁ କ୍ଷମା କରି ଦିଅନ୍ତୁ ।”

                ହନୁମାନ ମଧ୍ୟ ହସି ହସି କହିଲେ, “ତୁମ ଦୁହିଁଙ୍କର ଇଚ୍ଛା ପୂର୍ତ୍ତି ହେବାରୁ ମୁଁ ମଧ୍ୟ ବହୁତ ସନ୍ତୁଷ୍ଟ ।”

                ଏଥିଉତାରେ ସେ ଲବକୁଶ, ହନୁମାନଙ୍କୁ ନେଇ ଶ୍ରୀରାମଙ୍କ ପାଖକୁ ଗଲେ । ହନୁମାନଙ୍କୁ ଦେଖିବା ମାତ୍ରେ ଶ୍ରୀରାମଙ୍କ ଆଖି ସଜଳ ହୋଇ ଉଠିଲା । ସେ ଆଉ ଅଶ୍ରୁ ସମ୍ବରଣ କରିପାରିଲେ ନାହିଁ । ହନୁମାନ ବ୍ୟସ୍ତ ହୋଇ କହିଲେ, “ପ୍ରଭୂ, ଆପଣ ଜଣେ ସାଧାରଣ ମଣିଷ ପରି କାନ୍ଦୁଛନ୍ତି, ଇଏ ତ କିଛି ଭଲ କଥା ନୁହେଁ । ଆଦର୍ଶ ରାଜ୍ୟ ଶାସନ ପାଇଁ ଆପଣହିଁତ ଇଚ୍ଛା କରି ସବୁକିଛି ତ୍ୟାଗ କରିଛନ୍ତି । ଭବିଷ୍ୟତରେ ରାଜ୍ୟ ଶାସନର ଉଦାହରଣ ଦେଇ ଲୋକ କହିବେ ଯେ ରାମରାଜ୍ୟହିଁ ଶ୍ରେଷ୍ଠ ଶାସନ । ଏହା ଚିରଦିନ ପାଇଁ ଏକ ଅବିସ୍ମରଣୀୟ ହୋଇ ରହିବ, ଏଥିରେ କୌଣସି ସନ୍ଦେହ ନାହିଁ । ଆପଣ ଯାହା କରୁଛନ୍ତି ସେଥିରେ ପରମାର୍ଥ ଅଛି । ଅନେକ ରାଜା ତାଙ୍କ ଜୀବନରେ ଏହାକୁ ବ୍ରତ ବୋଲି ମାନିବେ ।” ହନୁମାନ ସାନ୍ତ୍ୱନା ଦେବା ପୂର୍ବକ ଏପରି କହିଲେ ।

ଶ୍ରୀରାମ ଦୀର୍ଘଶ୍ୱାସ ଛାଡି କହିଲେ, “ହନୁମାନ, ତୁମକୁ ଦେଖି ଓ ତୁମର କଥା ଶୁଣି ମୋ ମନ ଟିକିଏ ଶାନ୍ତ ହେଲା । ସୀତାଙ୍କୁ ଛାଡି ମୋର ମନ ଏବେ ଭାଙ୍ଗି ପଡିଛି । ତା’ପରେ ଯଦି ଅଶ୍ୱମେଧ ଯଜ୍ଞ ବିଫଳ ହୁଏ ତ ତେବେ ମୁଁ ବହୁତ କଷ୍ଟ ପାଇବି; ଏବେ ଅଶ୍ୱ ମଣିପୁର ଅଂଚଳରେ ଚାଲୁଛି । ଅଶ୍ୱ ସହିତ ମୋ ଭାଇମାନେ ଅଛନ୍ତି । ତୁମେ ମଧ୍ୟ ସେଠାକୁ ଯାଅ ।”

                ଶ୍ରୀରାମଙ୍କ ଆଜ୍ଞା ପାଇବା ମାତ୍ରେ ହନୁମାନ ସେଠାରୁ ଆକାଶ ମାର୍ଗରେ ଉଡିଗଲେ । ଯିବା ବାଟରେ ସେ ଦେଖିଲେ ଏକ ଘନ ଜଙ୍ଗଲ ମଧ୍ୟରେ ଜଣେ ରାକ୍ଷସ ଓ ଜଣେ ରାକ୍ଷସୀ ଖୁସିରେ ନାଚୁଛନ୍ତି । ସେତେବେଳେ ସେମାନେ ବହୁତ ମଦ ପିଇଥା’ନ୍ତି । ଏସବୁ ଘଟଣା ଦେଖି ସେମାନଙ୍କର ଏତେ ଖୁସିର କାରଣ କ’ଣ ବୋଲି ହନୁମାନଙ୍କର ତାହା ଜାଣିବାକୁ ଭାରି ଇଚ୍ଛା ହେଲା । ସୁତରାଂ ହନୁମାନ ସୂକ୍ଷ୍ମରୂପରେ ସେଠାରେ ଓହ୍ଲାଇ ପାଖରେ ଥିବା ଏକ ଗଛ ଡାଳରେ ଲୁଚିରହି ସେମାନଙ୍କ କଥା ସବୁ ଶୁଣିଲେ ।

ରାକ୍ଷସୀ କହିଲା, “ଶତ୍ରୁ ତ ଏପର୍ଯ୍ୟନ୍ତ ଶେଷ ହେଲା ନାହିଁ । ଭଲ ହେଲା ଯେ ଆମେ ଦୁହେଁ ବଂଚିରହି ଭାଇମାନଙ୍କ ପାଇଁ ପ୍ରତିଶୋଧ ନେଲେ । କରାଳକଣ୍ଠ, ସେଦିନ ରାତିରେ ଧୋବା ହୋଇ ତୁ କେତେ ବଢିଆ ଅଭିନୟ କଲୁ । ତୋ ଚିତ୍କାରରେ ଗାଁସାରା ଜାଗି ଉଠିଲେ ।” ତା’କଥାରେ ସେ ରାକ୍ଷସ କହିଲା, “ସୁର୍ପଣଖା, ତୋର ବେଶଭୂଷା କେତେ ସୁନ୍ଦର ଲାଗୁଥିଲା । ତୁ ତ ନିଜର ବେଶ ବଦଳାଇ ସେଦିନ ସେମାନଙ୍କୁ ଭଲ ଭାବରେ ଠକିଲୁ ।”

କରାଳକଣ୍ଠ  ଓ ଶତକଣ୍ଠ, ରାବଣର ଭାଇ ଥିଲେ; ଯୁଦ୍ଧବେଳେ ସେମାନେ ନିଜର ପ୍ରାଣ ରକ୍ଷା କରିବାକୁ ସେଠାରୁ ପଳାଇ ଯାଇଥିଲେ । ଶ୍ରୀରାମ ରାଜା ହେବା ପରେ କରାଳକଣ୍ଠ ଦିନେ ମଣିଷ ରୂପରେ ଅଯୋଧ୍ୟାରେ ବୁଲୁଥିଲା, ଏକେଲା କାହାକୁ ପାଇଲେ ସେ ଖାଇବ । ସୂର୍ପଣଖା ମଧ୍ୟ ସେହିପରି ସୁନ୍ଦରୀ ସ୍ତ୍ରୀ ହୋଇ ଅଯୋଧ୍ୟାରେ ବୁଲୁଥାଏ । ଦୁହେଁ ଦୁହିଁଙ୍କୁ ଦେଖି ଚିହ୍ନିଲେ ଓ ବଣ ମଧ୍ୟକୁ ଯାଇ ଧୋବା ଧୋବଣୀର ଅଭିନୟ କରି ଶ୍ରୀରାମଙ୍କ ନିନ୍ଦା କରି ନିଜ ଭାତୃ ହତ୍ୟାର ପ୍ରତିଶୋଧ ନେବାକୁ ଚାହିଁଲେ । ତା’ପରେ ସେମାନେ ତାଙ୍କ ଯୋଜନା ଅନୁସାରେ କାମ କଲେ ଓ ସେଥିରେ ସଫଳତମବି ହେଲେ । ସେହିଦିନଠାରୁ ସେ ଭାଇଭଉଣୀ ଦୁହେଁ ଅଯୋଧ୍ୟାର ନିକଟରେ ଥିବା ବଣରେ ବାସ କରନ୍ତି, ଏକେଲା କାହାକୁ ଦେଖିଲେ ସେମାନେ ଖାଇଯା’ନ୍ତି । ଏହିପରି ଭାବେ ସେମାନେ ନାନା ଉତ୍ପାତ କରନ୍ତି । ତାଙ୍କୁ ଜାଣିବା ଅସମ୍ଭବ । କାହିଁକିନା ସେମାନେ ସର୍ବଦା ମଣିଷଙ୍କ ଉପରେ ସବାର ହୁଅନ୍ତି ଓ ନାନା ଉପଦ୍ରବ କରନ୍ତି ।

ହନୁମାନ ଗଛ ଉପରେ ଥାଇ ଏସବୁ କଥା ଶୁଣିଲେ । କରାଳକଣ୍ଠ କହିଲା, “ଜାଣିଲୁ ଭଉଣୀ, ଆମ ଭାଗ୍ୟ ସବୁଠାରୁ ଭଲ । କେହି ହେଲେବି ଆମକୁ ଟିକେ ସନ୍ଦେହ କରୁ ନାହାଁନ୍ତି । କିନ୍ତୁ ଯଦି ହନୁମାନ ଏବେ ଏଠି ଥା’ନ୍ତା ତେବେ ସେ ଆମକୁ ଚଟଣି ବନାଇ ଆମ ଭାଇମାନଙ୍କ ପାଖକୁ ପଠାଇ ସାରନ୍ତାଣି । ସେ ହିମାଳୟକୁ ତପସ୍ୟା କରିବାକୁ ଯାଇଛି, ଭଲ ହୋଇଛି । ଏବେ ଆମେ ନିର୍ଭୟରେ ଚରି ବୁଲିବା ଓ ଖୁବ୍ ମଜାରେ ରହିବା ।” ସୂର୍ପଣଖା କହିଲା, “ସେ ହନୁମାନ କଥା ମୋଟେ କୁହନା, ତା’ର ନାମ ଉଚାରଣ କରିବା ମାତ୍ରେ ମୋ ଦେହ ସତେ ଯେମିତି କ୍ରୋଧରେ ଜଳି ଉଠୁଛି ।”

କରାଳକଣ୍ଠ ଦାନ୍ତ ନିକୁଟି ଥଟ୍ଟା କରି କହିଲା, “କ’ଣ କ୍ରୋଧରେ ଜଳୁଛି? ନା ଭୟରେ ଥରୁଛି?”

ସୂର୍ପଣଖା କହିଲା “ସେ ବଦମାସ ତା’ ଲାଙ୍ଗୁଡରେ ମୋ ଭାଇର ସୁନାର ଲଙ୍କାକୁ ଜଳାଇ ଦେଲା । ମୁଁ କାହିଁକି ତାକୁ ଭୟ କରିବି । ରାଗରେ ମୋ ଦେହ ଜଳୁଛି ।” ଏହା କହି ସେ ତା’ ନିଜ ପିଠି ଉପରେ ହାତ ବୁଲାଇ କିଛି ଖୋଜିଲା ପରି ଲାଗିଲା । ଲଙ୍କାପୋଡି ବେଳେ ଖଣ୍ଡେ ନିଆଁ ତା’ ପିଠିରେ ପଡି ଘା’ ହୋଇଥିଲା । ସୂର୍ପଣଖା ତାକୁ ସ୍ପର୍ଶ କଲା ।

କରାଳକଣ୍ଠ ହସି ହସି ବ୍ୟଙ୍ଗ କରି କହିଲା, “ଏଇଥିପାଇଁ ତୁ କ୍ରୋଧରେ ଜଳୁଛୁ? ଲଙ୍କା ପଛକେ ଜଳୁ, ତୁ ତ ବଂଚିଗଲୁ ନା?” ଏହା ଶୁଣି ସୂର୍ପଣଖା ରାଗିଯାଇ କହିଲା, “ଚୁପ୍କର । ବେଶି କହିଲେ, ପୁଣି ଦେଖିବୁ ।”

କରାଳକଣ୍ଠ କହିଲା “ଆରେ ତୁ ମୋ ଉପରେ କାହିଁ ରାଗୁଛୁ । ସେ ହନୁମାନଟା ସାକ୍ଷାତ୍ ଶଇତାନ୍ । ମୁଁ ତ ତା’ ନାମ ଶୁଣିଲେହିଁ ରାଗେ ।”

ସୂର୍ପଣଖା କହିଲା “ଏବେ ତୁ ଆଉ ବେଶି ଢଙ୍ଗ ଦେଖାନା । ମୁଁ ଜାଣି ନାହିଁକି ଯୁଦ୍ଧରେ କ’ଣ କରିଥିଲୁ କାପୁରୁଷ କେଉଁଠିକାର? ଯୁଦ୍ଧରେ ବୀରପରି ନ ମରି ଲୁଚିଥିଲୁ ନା?”

କରାଳ କହିଲା “ପଳେଇ ଆସିଥିଲି ବୋଲି ତ ମୁଁ ତା’ର ପ୍ରତିଶୋଧ ନେଲି, ତୁ ମଧ୍ୟ ମୋ ସହିତ ଆସି କାମ କଲୁ । ଆମେ ଆମ ଭାତୃହତ୍ୟାର ପ୍ରତିଶୋଧ ନେଲେ ନା?”

ସୂର୍ପଣଖା କହିଲା “ବରଂ ଏବେ ଆମେ ଟିକେ ଶାନ୍ତିରେ ଭାବିବା ଯେ କେଉଁଠି ବସବାସ କରିବା ଯେଉଁଠିକି ବେଶି ମଣିଷ ଖାଇବାକୁ ମିଳିବେ ।”

କରାଳକଣ୍ଠ କହିଲା “ମୁଁ ବି ତ ସେଇକଥାହିଁ କହୁଛି । କିନ୍ତୁ ତା’ ପୂର୍ବରୁ ଆମେ ରାମର ସେ ଯଜ୍ଞଘୋଡାକୁ ଧରିବା । ତା’ର ଯଜ୍ଞ ଭଙ୍ଗ ନକଲେ ଆମର ଆଉ କ’ଣ ବା ଲାଭ ହେଲା?”

ସୂର୍ପଣଖା କହିଲା “ହଁ ଭଲ ହେବ, ଆମେ ସେ ଘୋଡା ଉପରେ ବସି ବୁଲିବା ।”

କରାଳକଣ୍ଠ କହିଲା “ଧେତ୍ ବୋକି । ଘୋଡାକୁ ଧରି ଆମେ ତାକୁ ମାରି ଦେବା ।”

ସୂର୍ପଣଖା କହିଲା “ସେ ବିଚରା ଘୋଡା ସହିତ ଆମର ତ କିଛିବି ଶତୃତା ନାହିଁ । ହଁ ଯଦି ଆମର କାହା ସାଙ୍ଗେ ଶତ୍ରୁତା ଅଛିତ ତାହା କେବଳ ରାମ ସହିତ ।”

କରାଳକଣ୍ଠ କହିଲା “ହେଲା ଯେ, ଘୋଡାକୁ ମାରିଦେଲେ ତା’ର ଯଜ୍ଞ ମଧ୍ୟ ବିଫଳ ହେବ । ଏହାଦ୍ୱାରା ଆମର ପ୍ରତିଶୋଧ ବି ସଂମ୍ପୂର୍ଣ୍ଣ ହେବ । ଯଜ୍ଞ କରି ସେ ପୁଣ୍ୟ ଅର୍ଜନ କରିବ ବୋଲି ଭାବିଛି ।”

ସୂର୍ପଣଖା କହିଲା “ହଁ ହଁ, ସେ ଘୋଡାକୁ ମାରି ଆମେ ତା’ର ମାଂସ ଖାଇ ଦେବା । ତା’ମାଂସ ତ ବଡ ସ୍ୱାଦିଷ୍ଟ ।”

କରାଳକଣ୍ଠ କହିଲା “ପେଟି କେଉଁଠିକାର । ତୁ ଖାଲି ଖାଇବୁ ।” ତା’ପରେ ସେ ଦୁହେଁ ଆନନ୍ଦ ମନରେ ଘୋଡାକୁ ଧରିବାକୁ ଚାଲିଲେ । ହଠାତ୍ ଦେଖିଲେ ଏକ ଲମ୍ବା ଦଉଡିପରି କିଛି ଗୋଟେ ଜିନିଷ ତାଙ୍କ ରାସ୍ତା ବନ୍ଦ କରିଛି । କରାଳକଣ୍ଠ କହିଲା “ଆରେ ବିରାଟ ସାପ, ଦୌଡି ଚାଲ ।” ସୂର୍ପଣଖା ଚିତ୍କାର କରି କହିଲା, “ଏହା ସାପ ନୁହେଁରେ ବୋକା ଯମର ଫାଶ । ମୁଁ ଠିକ୍ ଚିହ୍ନିଛି ଇଏ ତ ସେହି ହନୁମାନର ଲାଙ୍ଗୁଡ ।”

କରାଳକଣ୍ଠ କହିଲା “ଧେତ୍, ଏବେ ଏଠାକୁ ସେ ହନୁମାନ କେଉଁଠୁ ଆସିବ? ଯାହା ଦେଖୁଛୁ ତୋତେ ସବୁ ହନୁମାନ ପରି ଲାଗୁଛି ।”

ସୂର୍ପଣଖା କହିଲା “ମୁଁ ଠିକ୍ ଚିହ୍ନିଛି । ଦୌଡି ଚାଲ, ଏବେ ଆଉ ଆମ ବଂଚିବାର କୌଣସି ଉପାୟ ନାହିଁ ।” କରାଳକଣ୍ଠ ହନୁମାନଙ୍କ ଲାଙ୍ଗୁଡ ଚିହ୍ନିବା ମାତ୍ରେ ସେ ଅଣନିଶ୍ୱାସୀ ହୋଇ ଧାଇଁଲା । “ହେ ମତେ ଛାଡିଦେଇ କୁଆଡେ ଗଲୁ?” ଏହା କହି ସୂର୍ପଣଖା ମଧ୍ୟ ଧାଇଁଲା । ବୀର ହନୁମାନ ପାହାଡରୁ ଖଣ୍ଡେ ବଡ ପଥର ଉପାଡି ଆଣି ତା’ ସାହାଯ୍ୟରେ ସେ ଦୁହିଁଙ୍କର ଜୀବନ ସେ ଶେଷ କଲେ । ତାଙ୍କ ମନରେ ତୃପ୍ତି ଆସିଲା ଯେ ପାପୀଙ୍କର ଉଚିତ୍ ଶାସ୍ତି ହୋଇଛି । ତା’ପରେ ସେ ଆକାଶ ମାର୍ଗରେ ମଣିପୁର ଆଡକୁ ଉଡି ଗଲେ । ନିରୀକ୍ଷଣ କରି ସେ ଦେଖିଲେ ହଠାତ୍ ଏକ ବଡ ବିଜୁଳି ପରି କିଛି ଗୋଟେ ଯେପରି ଆକାଶରେ ଦେଖାଦେଲା । ତା’ପରେ ସେ ସେହି ସ୍ଥାନକୁ ଦ୍ରୁତ ଗତିରେ ଉଡିଗଲେ ।

*ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।*

*(ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି .....ଅପେକ୍ଷା କରିଥାଅ ସମସ୍ତେ!)*

*☘🌸🌼🙏🏻ଶୁଭ ରାତ୍ରୀ🙏🏻🌼🌸☘*
=========================

Comments

Popular posts from this blog

ପାଲି ଖେଳ