16 may କାହାଣୀ

🌼 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌼

🌀 *କାରଣ* 🌀

ରଘୁନନ୍ଦନ ମିଶ୍ର, ଆନନ୍ଦପୁର ଗ୍ରାମର ଅନ୍ୟ ଅଧିବାସୀମାନଙ୍କ ଅପେକ୍ଷା ବେଶ୍ ସ୍ୱଚ୍ଛଳ । ପନ୍ଦର ଏକର ଉର୍ବର ଚାଷଜମି ସାଙ୍ଗକୁ ଦୁଇ ଏକର ଆମ୍ବ ତୋଟାରୁ ତାଙ୍କର ଭଲ ଆୟ ହୁଏ । ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ଏକମାତ୍ର କନ୍ୟା – ରୁକ୍ମିଣୀ ।

                ରୁକ୍ମିଣୀ ଏବେ ବିବାହ-ଯୋଗ୍ୟ ବୟସରେ ଉପନୀତା । ମିଶ୍ରେ ନିଜ କନ୍ୟାର ବିବାହ ଆୟୋଜନରେ ଲାଗି ଥାଆନ୍ତି । ମନେ ମନେ ସ୍ଥିର କରି ଥାଆନ୍ତି, ଜଣେ ସୁନ୍ଦର ଅଥଚ ବିଦ୍ୱାନ ଯୁବକଙ୍କୁ ସେ ନିଜ ଜୋଇଁ କରିବେ, ଯେ କି, ଘରଜୋଇଁ ଭାବେ ରହିବା ପାଇଁ ସମ୍ମତ ଥିବ ।

                ତାଙ୍କ ପସନ୍ଦର ଯୁବକ, ଦୁଇ ତିନି ଜଣ ନଜରକୁ ଆସିଲେ । କିନ୍ତୁ, ସେମାନଙ୍କ ମଧ୍ୟରୁ କେହି ଘରଜୋଇଁ ହେବାପାଇଁ ରାଜି ନ ଥିଲେ । ଇତିମଧ୍ୟରେ ରୁକ୍ମିଣୀ, ନିଜ ମା’ଙ୍କ ସହିତ ଏକ ସମ୍ପର୍କୀୟଙ୍କ ଘରକୁ ଏକ ବିବାହ-ଉତ୍ସବରେ ଯୋଗ ଦେବା ପାଇଁ ଯାଇଥାଏ । ସେଠାରେ ତା’ର ଶ୍ରୀକାନ୍ତ ନାମକ ଏକ ଯୁବକଙ୍କ ସହ ପରିଚୟ ହେଲା । ବେଶ୍ ଧନୀ ନ ହେଲେ ବି ନିଜର ପାଣ୍ଡିତ୍ୟ ତଥା ଉତ୍ତମ ବ୍ୟବହାର ପାଇଁ ତା’ର ଯଥେଷ୍ଟ ସୁନାମ ଥାଏ ।

                ରୁକ୍ମିଣୀ ଶ୍ରୀକାନ୍ତଙ୍କୁ ପସନ୍ଦ କରୁଥିବା ବିଷୟ ମା’ ଜାଣି ପାରି ପ୍ରଥମେ ବହୁତ ଖୁସି ହେଲେ । ମାତ୍ର କାଳେ ଘରଜୋଇଁ ହେବା କଥା ଶୁଣିଲେ ସେ ମନା କରିଦେବ ଏହା ଭାବି ସେ ପୁଣି ଚିନ୍ତିତ ହେଲେ । ତଥାପି ମନରେ ସାହସ ରଖି ଶ୍ରୀକାନ୍ତଙ୍କୁ ସେ ପଚାରିଲେ, “ତୁମର ବିଦ୍ୟା ଅଧ୍ୟୟନ ସରିଯାଇଛି କି? ଏବେ ପୁଣି ତମେ ଆଉ କ’ଣ କରିବାକୁ ମନସ୍ଥ କରୁଛ?”

                ଶ୍ରୀକାନ୍ତ ତୁରନ୍ତ ଉତ୍ତର ଦେଲେ, “ପୈତୃକ ସମ୍ପତ୍ତି ରୂପେ, ଦୁଇ ଏକର ଚାଷଜମି ମୋତେ ମିଳିଛି । ମାତ୍ର ସେଥିରୁ ଆମଦାନୀ ପର୍ଯ୍ୟାପ୍ତ ହେବ ନାହିଁ । ଅନ୍ୟମାନେ ପରାମର୍ଶ ଦେଉଛନ୍ତି, ଏକ ଶିକ୍ଷାୟତନ ଆରମ୍ଭ କରିବା ପାଇଁ, ମୋର ମଧ୍ୟ ଅନୁରୂପ ଇଚ୍ଛା ରହିଛି ।”

                ଏପରି ପ୍ରତ୍ୟୁତ୍ତର ରୁକ୍ମିଣୀଙ୍କ ମା’ଙ୍କ ମନରେ ଆଶା ସଂଚାର କଲା । ସେ କହିଲେ, “ତୁମେ ଆମର ଦୂର ସମ୍ପର୍କୀୟ । ଏ କଥା ତୁମେ ତ ଜାଣିଛ । ଏହି ଦୂର-ସମ୍ପର୍କକୁ ନିକଟତର କରିବା ପାଇଁ, ମୋର ଇଚ୍ଛା । ଯେବେ ମୋର ସ୍ୱାମୀ ରାଜି ହୁଅନ୍ତି, ତେବେ ତୁମକୁ ଜୋଇଁ କରିବାର ଆଶା ମୁଁ ରଖିଛି । ମୋର କନ୍ୟା ରୁକ୍ମିଣୀକୁ ଦେଖି ତମେ ନିଶ୍ଚୟ ପସନ୍ଦ କରିଥିବ” ।

ଶ୍ରୀକାନ୍ତ ହସି ହସି କହିଲେ, “ରୁକ୍ମିଣୀଙ୍କୁ ତ ନାପସନ୍ଦ କରିବାର କୌଣସି ପ୍ରଶ୍ନହିଁ ଉଠୁ ନାହିଁ । ମାତ୍ର ତାଙ୍କର ପିତା ଜଣେ ସ୍ୱଚ୍ଛଳ ବ୍ୟକ୍ତି ଓ ତାଙ୍କର ଇଚ୍ଛା ଜଣେ ଘରଜୋଇଁ ରୂପେ ରହିବାକୁ ରାଜି ଥିବା ଯୁବକ । ମୁଁ ଜଣେ ଦୂର-ସମ୍ପର୍କୀୟ ଭାବେ, ଏପରି ଯୁବକଙ୍କୁ ଖୋଜିବାରେ ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବି ।” ତାଙ୍କର ଏଇ କଥାରୁ ସୂଚନା ମିଳିଲା ଯେ ଶ୍ରୀକାନ୍ତ ଘରଜୋଇଁ ହେବାପାଇଁ ଅନିଚ୍ଛୁକ ।

ଏହି ଘଟଣା ଘଟିବାର ମାସଟିଏ ବିତିଗଲା । ପତ୍ନୀ ଓ କନ୍ୟା ଶ୍ରୀକାନ୍ତଙ୍କୁ ଜୋଇଁ କରିବାର ଜିଦ୍ରେ ଅଟଳ ରହିଲେ । ରଘୁନନ୍ଦନ ମିଶ୍ର ଶେଷରେ ବାଧ୍ୟ ହୋଇ, ବଡ ଆଡମ୍ବର ସହକାରେ କନ୍ୟାର ବିବାହ ଶ୍ରୀକାନ୍ତଙ୍କ ସହିତ କରାଇଲେ । ମାତ୍ର ଶ୍ରୀକାନ୍ତଙ୍କ ଘରଜୋଇଁ ରୂପେ ରହିବା ପ୍ରସ୍ତାବକୁ ତିରସ୍କାର କରିଥିବା ପ୍ରସଙ୍ଗଟି ମିଶ୍ରଙ୍କର ମନରୁ ଯାଉ ନ ଥାଏ । ସର୍ବ ସମକ୍ଷରେ ଜୋଇଁକୁ କିପରି ଅପମାନିତ କରିବେ, ତା’ର ଉପାୟ ସେ ପାଂଚୁଥାନ୍ତି । ଏପରି କଲେ, ତାଙ୍କ କ୍ରୋଧ ଶାନ୍ତ ପଡିବ ବୋଲି ସେ ଭାବୁଥା’ନ୍ତି ।

ବିବାହର ଚାରିମାସ ପରେ ଦୀପାବଳୀ ପର୍ବ ପଡିଲା । ଶ୍ରୀକାନ୍ତ ଓ ରୁକ୍ମିଣୀ, ମିଶ୍ରଙ୍କ ଘରକୁ ବୁଲି ଆସିଲେ । ସଂନ୍ଧ୍ୟା ସମୟରେ ମନ୍ଦିର ପ୍ରାଙ୍ଗଣରେ କିଛି ଲୋକଙ୍କ ସହ ବସି ମିଶ୍ର ଗପସପ ହେଉଥାନ୍ତି । ଶ୍ରୀକାନ୍ତ ସେଠାରେ ପହଁଚିଲେ ।

ରଘୁନନ୍ଦନ ମିଶ୍ର, ସେଠାରେ ଉପସ୍ଥିତ ଲୋକମାନଙ୍କୁ ନିଜ ଜୋଇଁଙ୍କୁ ପରିଚିତ କରାଇ ଦେଇ କହିଲେ, “ସମସ୍ତେ କହୁଛନ୍ତି, ମୋର ଜାମାତା ଖୁବ୍ ବିଦ୍ୱାନ ଓ ସୁପଣ୍ଡିତ । ମୋର ମଧ୍ୟ ଠିକ୍ ସେହିପରି ଧାରଣା ଅଟେ । ମାତ୍ର ଏହି ଧାରଣାର ସତ୍ୟତା ସର୍ବ ସମକ୍ଷରେ ପ୍ରମାଣିତ ହୋଇଗଲେ ଖୁବ୍ ଭଲ ହେବ ।” ତା’ପରେ ସେ ଶ୍ରୀକାନ୍ତଙ୍କୁ କହିଲେ, “ଯଦି ତୁମର ପାଣ୍ଡିତ୍ୟ ରହିଛି, ତେବେ ମୋର କେତୋଟି ଛୋଟ ଛୋଟ ପ୍ରଶ୍ନର ଉତ୍ତର ପ୍ରଦାନ କର । ପ୍ରଥମ ପ୍ରଶ୍ନଟି ହେଉଛି – କେବେ କେବେ ଆକାଶରେ ବଳାକା – ଯୂଥ ଉଡିଗଲା ସମୟରେ ମଧୁର ସ୍ୱରରେ ଧ୍ୱନି କରନ୍ତି । ତା’ର କାରଣ କ’ଣ?”

ଶ୍ରୀକାନ୍ତ ତୁରନ୍ତ ଉତ୍ତର ଦେଲେ “ଏହା ସେମାନଙ୍କ ପାଇଁ ପ୍ରକୃତିର ଅବଦାନ ଅଟେ ।”

“ନିମ୍ବ ଓ ଅଁଅଳା ବୃକ୍ଷ ବସନ୍ତ ଋତୁରେ ପଲ୍ଲବିତ ହୁଅନ୍ତି, ତା’ର କାରଣ କ’ଣ?”

ଶ୍ରୀକାନ୍ତ କହିଲେ, “ଏହା ମଧ୍ୟ ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ ।”

“ରାସ୍ତାର ଦୁଇପାଶ୍ୱର୍ରେ ଥିବା ବୃକ୍ଷଗୁଡିକରେ ଅନେକ ବଡବଡ ଗଣ୍ଠି ରହିଛି । ତା’ର କାରଣ କ’ଣ?”

ଶ୍ରୀକାନ୍ତ ସେହି ଏକା ପ୍ରତ୍ୟୁତ୍ତର ଦେଲେ । “ଏହା ମଧ୍ୟ ପ୍ରକୃତିର ଅବଦାନ ଯୋଗୁଁ ହୋଇଛି ।” ଏଥର ମିଶ୍ର ହସି ଉଠିଲେ । ଉପହାସ କରି ସେ କହିଲେ, “ଜଣେ ବିଦ୍ୟାହୀନ ବ୍ୟକ୍ତି ମୋର ପ୍ରଶ୍ନର ଉତ୍ତର ଯଥାର୍ଥ ରୂପେ ଦେଇପାରିବ । ଅଥଚ ତୁମଦ୍ୱାରା ତାହା ସମ୍ଭବ ହେଲା ନାହିଁ । ବଗ-ବଗୁଲୀଙ୍କ ଧ୍ୱନି ମଧୁର କାରଣ ସେମାନଙ୍କର ଗଳା ଲମ୍ବାକୃତି ଅଟେ । ନିମ୍ବ, ଅଅଁଳା ବୃକ୍ଷ ବସନ୍ତ ଋତୁରେ ପଲ୍ଲବିତ ହୁଅନ୍ତି, କାରଣ ସେମାନଙ୍କର ଚେର ମାଟିର ଖୁବ୍ ଗଭୀରକୁ ବ୍ୟାପିଥାଏ । ରାସ୍ତାର ଦୁଇପାଶ୍ୱର୍ର ବୃକ୍ଷର ଗଣ୍ଡିରେ ବଡ ବଡ ଗଣ୍ଠି ଥାଏ, କାରଣ ପଶୁମାନେ ନିଜ ଶରୀରକୁ ସେଠାରେ ଘଷି ରଗଡି ପାରିବେ । ତୁମର ଏଇ ବିଚିତ୍ର ଉତ୍ତର –“ସବୁ ପ୍ରକୃତିର ଅବଦାନ”, ସତରେ ବଡ ହାସ୍ୟାସ୍ପଦ ।

ତତ୍କ୍ଷଣାତ୍ ଶ୍ରୀକାନ୍ତ ସମସ୍ତଙ୍କଠାରୁ ଅନୁମତି ଭିକ୍ଷା କରି ନିଜ ଉତ୍ତରର ବ୍ୟାଖ୍ୟା କରି କହିଲେ, “ବେଙ୍ଗ କଟରକଟର ହେଉଛି, ମାତ୍ର ତା’ର ଗଳା ଲମ୍ବାକୃତି ହେବାରୁ କ’ଣ ସେ ଏପରି ଧ୍ୱନି କରୁଛି? ବାଉଁଶର ମଧ୍ୟ ବସନ୍ତ ଋତୁରେ ଫୁଲଫୁଟେ, ଅର୍ଥ ବାଉଁଶର ଚେର ଖୁବ୍ ଗଭୀର ମାଟିରେ ବ୍ୟାପ୍ତ ରହିଛି? ଶ୍ୱଶୁର ମହାଶୟ, କ୍ଷମା କରିବେ, ଆପଣଙ୍କ କଣ୍ଠର ଯେଉଁ ଏତେ ବଡ ଗଣ୍ଠି ସଦୃଶ ଘଂଟିକା ରହିଛି, ତାହା କ’ଣ ପଶୁମାନଙ୍କର ଶରୀର ଘର୍ଷଣ ପାଇଁ?”

ଏହା ଶୁଣି ସମସ୍ତେ ହସିଉଠିଲେ । ଏଣେ ରଘୁନନ୍ଦନ ମିଶ୍ର ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ କରିଦେଲେ ।🙏

Comments

Popular posts from this blog

ପାଲି ଖେଳ