୨୬ ଜୁଲାଇ ୨୦୨୦ କାହାଣୀ
🌸 *ଗପ ଟିଏ... 🌛ଜହ୍ନମାମୁଁ ପୃଷ୍ଠାରୁ* 🌸
💮 *ରାକ୍ଷସୀର ମୁକ୍ତି* 💮
ନିଶା ଗରଜୁଥାଏ । ଏଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଘଡ ଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଚକ୍ ଚକ୍ ହୋଇ ଦିଶିଯାଉଥାଏ ।
କିନ୍ତୁ ସେ ରାଜା ବିକ୍ରମାର୍କ ତିଳେହେଲେ ମଧ୍ୟ ସଙ୍କୋଚ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ । ତେବେ, ବୃକ୍ଷାରୋହଣ କରି ସେହି ଶବଟିକୁ ଉତାରି ଆଣି, ତାକୁ ସେ ନିଜ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜା, ବାସ୍ତବିକ ତୁମ ଧୈର୍ଯ୍ୟ ଅସୀମ । କିନ୍ତୁ କେଉଁ ଲକ୍ଷ୍ୟ ନେଇ ତୁମେ ଏ ଦୁର୍ଯ୍ୟୋଗମୟ ରାତିରେ ଏଭଳି ପରିଶ୍ରମ କରୁଛ? କୌଣସି ତାନ୍ତ୍ରିକ ତୁମକୁ ଏ କାମରେ ଲଗାଇଛି ନା କୌଣସି ମୁନି ଋଷି ତମକୁ କିଛି ସର୍ତ୍ତ ଦେଇଛନ୍ତି? ତାନ୍ତ୍ରିକର ପ୍ରରୋଚନାରେ ତୁମେ ଏସବୁ କରୁଥିଲେ ଭୁଲ୍ କରୁଛ । ତୁମେ ସେମାନଙ୍କର ସମସ୍ତ ସର୍ତ୍ତ ପାଳନ କରିବା ସତ୍ତ୍ୱେ ସେମାନେ ସେମାନଙ୍କ ପ୍ରତିଶୃତି ରକ୍ଷା ନକରି ପାରନ୍ତି । କିନ୍ତୁ ମୁନିଋଷିଙ୍କ କଥା ଅଲଗା । ତୁମେ ସେମାନେ ଦେଇଥିବା ସବୁ ସର୍ତ୍ତ ପାଳନ ନକଲେ ମଧ୍ୟ ସେମାନଙ୍କ ବର ବିଫଳ ନ ହୋଇ ପାରେ । ଏହି ବିଷୟରେ ତୁମକୁ ଗୋଟାଏ ଦୃଷ୍ଟାନ୍ତ ଦେଉଛି, ମନଦେଇ ତାହା ତୁମେ ଶୁଣ । ଶୁଣିଲେ ତୁମର ଶ୍ରମଭାର ଲାଘବ ମନେହେବ ।”
ଏହାପରେ ସେ ବେତାଳ ଗପିଲା – ବହୁ ଦିନ ତଳର କଥା । ଅଗନା ଅଗନି ବନସ୍ତରେ ଗୋଟିଏ ରାକ୍ଷସୀ ଥାଏ । ତା’ ଘର ହେଲା ପର୍ବତର ଗୁମ୍ଫାଟିଏ । ସେ ଗୁମ୍ଫାଟି ପର୍ବତର ଅଧାଅଧି ଉଚ୍ଚତାରେ ଥିବା ହେତୁ ସେ ବଣ ଭିତର ଯାକ ଦେଖି ପାରୁଥାଏ । ହରିଣ, ଠେକୁଆ, ଏଭଳି ଜୀବ ଦେଖିଲେ ସେ ଦୌଡି ଯାଇ ତାକୁ ଧରି ଆଣି ଆହାର କରୁଥାଏ । କିନ୍ତୁ ମଣିଷ ହେଲା ତା’ର ସବୁଠାରୁ ପ୍ରିୟ ଖାଦ୍ୟ । ଗୋଟାଏ ମଣିଷ ପାଇଗଲେ ସେ ଦିନେ ଦୁଇଦିନ ଯାଏଁ ଆଉ କୌଣସି ଆହାର ଲୋଡୁ ନଥାଏ ।
ଦିନେ ବଣ ପାଖଦେଇ ଗୋଟାଏ ଶୋଭାଯାତ୍ରା ଯାଉଥାଏ । ସେ ହଠାତ୍ ଯାଇ ସେମାନଙ୍କ ଆଗକୁ ଡେଇଁପଡି ଠିଆ ହୋଇଗଲା । ପ୍ରାଣ ବିକଳରେ ଶୋଭାଯାତ୍ରାକାରୀମାନେ କିଏ କୁଆଡେ ପଳାଇଗଲେ । ତେବେ କେତେଜଣ ମୂର୍ଚ୍ଛାଗଲେ । ରାକ୍ଷସୀ ସେମାନଙ୍କୁ ଘୋଷାରି ଘୋଷାରି କାହାକୁ ବା କାଖରେ ଜାକି, ନିଜ ଗୁମ୍ଫାକୁ ନେଇଆସିଲା । ସାତଦିନ ଯାଏଁ ଆରାମରେ ସେ ସବୁ ଦିନ ଜଣେ ଦୁଇଜଣଙ୍କୁ ମାରି ଖାଉଥାଏ । ଆହାର ନିଃଶେଷ ହେବା ଉତାରୁ ସେ ଶୋଇଗଲା । ସାତଦିନ ପରେ ଯେତେବେଳେ ତା’ ନିଦ ଭାଙ୍ଗିଲା, ସେତେବେଳକୁ ତାକୁ ତ ଭାରି ଜୋର୍ରେ ଭୋଖ । ସେ ଅନେକବେଳ ଯାଏଁ ବଣ ଭିତରକୁ ଓ ବଣର ଆଖପାଖ ଅଂଚଳ ଲକ୍ଷ୍ୟ କରି ଦେଖିଲା ମଣିଷ କେହି ଆଖିରେ ପଡିଲେ ନାହିଁ । ଅନ୍ୟ ଜନ୍ତୁ ଜାନୁଆର ଥାନ୍ତି, କିନ୍ତୁ ଗୁଡାଏ ମଣିଷ ଖାଇବାପରେ ସେ ରାକ୍ଷସୀର ଅନ୍ୟ କିଛି ଖାଇବାରେ ଆଉ ରୁଚି ହେଲା ନାହିଁ ।
ସେ ବଣ ଭିତରେ ବୁଲି ବୁଲି ଗୋଟାଏ ବିରାଟ ଗଛ ତଳେ କେହି ଜଣେ ବସିଥିବାର ଦୂରରୁ ସେ ଦେଖିଲା । ପାଖକୁ ଯାଇ ସେ ଲକ୍ଷ୍ୟ କଲା, ଜଣେ ଋଷି ଧ୍ୟାନ ମଗ୍ନ । ସେ ଆଉ ଟିକିଏ ପାଖକୁ ଯିବାମାତ୍ରେ ଋଷିଙ୍କ ଚାରି କଡରେ ହୁତୁହୁତୁ ହୋଇ ନିଆଁ ଜଳି ଉଠିଲା । ନିଆଁକୁ ଟପିବା ତା’ପକ୍ଷରେ ଆଉ ସମ୍ଭବ ହେଲା ନାହିଁ । କାରଣ ସେ ପାଦେ ଆଗକୁ ଗଲେ ନିଆଁ ଯେମିତି ତା’ ଆଡକୁ କୁଦି ଆସେ ।
ସେ ମୁଗ୍ଧ ହୋଇ ଋଷିଙ୍କୁ ଲକ୍ଷ୍ୟ କଲା । କ୍ରମେ ତାଙ୍କ ପ୍ରତି ତା’ ମନରେ ଭକ୍ତିଭାବ ଜାତ ହେଲା । କିଛି ସମୟ ପରେ ଋଷି ଆଖି ଖୋଲି ତାକୁ ଦେଖିଲେ ଓ କହିଲେ, “ରାକ୍ଷସୀ! ତୁ ଗୁଡାଏ ମଣିଷ ମାରିଲୁଣି । ଅବଶ୍ୟ ତୋର ତାହା ପ୍ରକୃତି । କିନ୍ତୁ ତୁ ପଶୁ ନୋହୁଁ ଯେ ଭଲ ମନ୍ଦ ମୋଟେ ବୁଝିପାରୁ ନାହୁଁ । ପଶୁ ମଣିଷ ମାରିଲେ ସେଥିରେ ତା’ର କୌଣସି ପାପ ହୁଏ ନାହିଁ । କିନ୍ତୁ ତୁ ନବୁଝି ନ ବିଚାର କରି ଅନେକ ନିରୀହ ଲୋକଙ୍କୁ ଖାଇଛୁ । ତୋର ପାପ ହୋଇଛି । ଏଣିକି ରାକ୍ଷସୀ ଜୀବନରୁ ମୁକ୍ତି ପାଇଁ ତୁ ବ୍ରତୀ ହ ।”
ରାକ୍ଷସୀ ପଚାରିଲା “ଋଷିବର! ତାହା କିପରି ସମ୍ଭବ ହେବ?”
ତହୁଁ ସେ ଋଷି କହିଲେ “ଆଗାମୀ କାଲି ଶିବରାତ୍ରୀ । ବର୍ତ୍ତମାନଠୁଁ ତୁ ଆଉ ମଣିଷ ଖାଆନା । ଆଗାମୀ କାଲି ଠିକ୍ ସଂନ୍ଧ୍ୟା ବେଳକୁ କେହି ଜଣେ ଗଙ୍ଗାଜଳ ଧରି ଯାଉଥିବ । ତା’ଠୁ ଗଙ୍ଗାଜଳ ତକ ନେଇ ପିଇଲେ ଯାଇ ତୁ ନିଶ୍ଚୟ ଏ ରାକ୍ଷସଜନ୍ମରୁ ମୁକ୍ତି ପାଇବୁ ।”
ଏଥୁଅନ୍ତେ ରାକ୍ଷସୀ ତାଙ୍କୁ ପ୍ରଣାମ କରି ସେଠାରୁ ଚାଲିଗଲା । କିନ୍ତୁ ଭୋଖର ଦାଉ ତ ବଡ ଭୀଷଣ । ସେ ପଶୁଟିଏ ପାଇବା ପାଇଁ ବୁଲୁଛି, ଦେଖିଲା ଘୋଡା ଚଢି ଗୋଟାଏ ଲୋକ ଆସୁଛି । ରାକ୍ଷସୀକୁ ଦେଖିପକାଇ ଲୋକଟି ଆହୁରି ଯୋରେ ପଳାଇବାକୁ ବସିବାମାତ୍ରେ ରାକ୍ଷସୀ ତାକୁ ଘୋଡା ଉପରୁ ଟେକି ନେଲା । ଦେଖିଲା, ତା’ ପୋଷାକ ପତ୍ରରେ ତାଜା ରକ୍ତ ।
ରାକ୍ଷସୀ ପଚାରିଲା “କିଏ ତୁମେ?”
ତା’ପରେ ସେ ଲୋକଟି ଉତ୍ତର ଦେଲା “ମୁଁ ଜଣେ ଡାକୁ ।”
ରାକ୍ଷସୀ ପଚାରିଲା “କାହାରକ୍ତ ତୋ ଲୁଗାପଟାରେ ଲାଗିଛି?”
ଡାକୁ କହିଲା “ବରକନ୍ୟା ଯାଉଥିଲେ । ସେମାନଙ୍କୁ ମାରିପକାଇ ଗହଣା ଓ ଟଙ୍କା ପଇସା ଆଣିଛି । ସେସବୁ ତମେ ନିଅ । ହେଲେ ମୋତେ ଛାଡି ଦିଅ ।”
ରାକ୍ଷସୀ ତା’ ର କଥା ଶୁଣି ଅଟ୍ଟହାସ୍ୟ କଲା । ସେଥିରେ ଡାକୁର ଚେତା ବୁଡିଗଲା । ରାକ୍ଷସୀ ତା’କୁ ଖାଇଦେଲା ।
କିନ୍ତୁ ତା’ର କ୍ଷୁଧା ଉପଶମ ହେଲା ନାହିଁ । ଆହୁରି କିଛି ବାଟ ଯାଇ ଆଉ ଗୋଟାଏ ମଣିଷକୁ ସେ ଭେଟିଲା । ରାକ୍ଷସୀକୁ ଦେଖି ସେ ଲୋକଟି ଦୌଡି ପଳାଇବାକୁ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ ।”
ରାକ୍ଷସୀ ପଚାରିଲା “ତୁମେ କିଏ?”
“ମୁଁ ରାଜାଙ୍କ ପ୍ରଧାନ ପାଚକ । ମୋତେ ରାଜା ବଣକୁ ନିର୍ବାସନ କରିଛନ୍ତି । ମୋତେ ମାର ନାହିଁ ।” ଏହିଭଳି ସେ ଲୋକଟି ବିନତି କଲା ।
ରାକ୍ଷସୀ ପଚାରିଲା “ରାଜା ତମକୁ କାହିଁକି ନିର୍ବାସନ କଲେ?”
ପାଚକ ବୁଝାଇ କହିଲା “ପଡୋଶୀ ରାଜାଙ୍କ ପ୍ରରୋଚନାରେ ମୁଁ ରାଜାଙ୍କ ଖାଦ୍ୟରେ ବିଷ ମିଶାଉଥିଲି । ମାତ୍ର ଷଡଯନ୍ତ୍ର ଧରାପଡିଗଲା । ତେଣୁ ରାଜା ମୋତେ ନିର୍ବାସନ ଦେଲେ ।”
ରାକ୍ଷସୀ କହିଲା “ରାଜା ଭୁଲ୍ କଲେ ।”
ଏକଥା ଶୁଣି ସେ ପାଚକର ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା । କିନ୍ତୁ ରାକ୍ଷସୀ ପରେ ପରେ କହିଲା, “ତୋ ଭଳି ବିଶ୍ୱାସଘାତକକୁ ପ୍ରାଣଦଣ୍ଡ ନଦେଇ ରାଜା ନିର୍ବାସନ ଦେଲେ କିପରି?” ଏହା କହି ରାକ୍ଷସୀ ଅଟ୍ଟହାସ୍ୟ କରି ତାକୁ ବି ଖାଇଦେଲା ।
ପରଦିନ ସଂନ୍ଧ୍ୟାବେଳକୁ ସେ ଦେଖିଲା ଜଣେ ପଥିକ ଆସୁଛନ୍ତି । ସେଯାଏଁ ତା’ର କ୍ଷୁଧା ମେଂଟି ନଥାଏ । ସେ ପଥିକ ଆଡେ ଅଗ୍ରସର ହୋଇ କହିଲା, “ବଡ ଭୋଖ । ତୁମକୁ ଖାଇବି ।”
ପଥିକ କହିଲା “ଖାଅ!”
ରାକ୍ଷସୀ ପଚାରିଲା “ତୁମର କ’ଣ ମୃତ୍ୟୁଭୟ ନାହିଁ?”
ପଥିକ କହିଲା “ନା । ଦିନେ ନା ଦିନେ ତ ମରିବାକୁ ହେବ । ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ମରିବା ଅପେକ୍ଷା ଜଣକର କ୍ଷୁଧା ନିବାରଣ କରିବା ପାଇଁ ପ୍ରାଣ ଦେବା ଯଥେଷ୍ଟ ଶ୍ରେୟସ୍କର ।”
ସେ ପଥିକର କଥା ଶୁଣି ରାକ୍ଷସୀ ବିସ୍ମିତ ହେଲା । ପ୍ରଥମଥର ସେ ତାକୁ ବା ମୃତ୍ୟୁକୁ ଡରୁ ନଥିବା ଲୋକଟିଏ ଦେଖୁଥିଲା ।
ପଥିକ ପୁଣି କହିଲା, “ଗୋଟାଏ କାମ କର । ମୋ ମା ଅତି ବୃଦ୍ଧା ମୃତ୍ୟୁକୁ ସେ ଅପେକ୍ଷା କରିଛି । ତାହାରି ଇଚ୍ଛା ପୂରଣ ପାଇଁ ଗଙ୍ଗାଜଳ ଆଣିବାକୁ ମୁଁ ଯାଇଥିଲି । ମୋତେ ଖାଇବା ସଙ୍ଗେ ସଙ୍ଗେ ଏ ଗଙ୍ଗାଜଳ ବି ତମେ ଖାଇ ଦେବ । ମାତ୍ର ଫୋପାଡିଦେବ ନାହିଁ ।”
ଋଷିଙ୍କ କଥା ରାକ୍ଷସୀର ମନେଥିଲା । ସେ କହିଲା, “ହେ ପଥିକ । ତମ ଭଳି ନିର୍ଭୟ, ମହତ୍ ଲୋକକୁ ଭେଟି ମୁଁ ଆଜି ଧନ୍ୟ ହେଲି । ଗଙ୍ଗାଜଳ ତମ ମା’ଙ୍କୁ ନେଇ ଦିଅ । ମୋତେ ଖାଲି ତମ ପାଦ ସ୍ପର୍ଶ କରିବାକୁ ଟିକେ ଅନୁମତି ଦିଅ ।”
ରାକ୍ଷସୀ ସେ ପଥିକର ପାଦସ୍ପର୍ଶ କରିବା ମାତ୍ରେ ରାକ୍ଷସୀ ଜନ୍ମରୁ ସେ ମୁକ୍ତି ପାଇଗଲା ।
କାହାଣୀଟି ଏଇଠି ଶେଷ କରି ବେତାଳ ରୁକ୍ଷ କଣ୍ଠରେ ପ୍ରଶ୍ନ କଲା: “ରାଜା! ଋଷିଙ୍କ ସର୍ତ୍ତ ଭଙ୍ଗ କରି ଦୁଇ ଦୁଇଟା ମଣିଷ ଖାଇବା ସତ୍ତ୍ୱେ ଓ ପୁଣି ଗଙ୍ଗାଜଳ ନ ପିଇବା ସତ୍ତ୍ୱେ ରାକ୍ଷସୀ କିପରି ମୁକ୍ତି ପାଇଲା? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଜାଣିକରି ନୀରବ ରହିଲେ ତମ ଶିର ସ୍କନ୍ଧଚ୍ୟୁତ ହେବ ।”
ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନ କରି ରାଜା ବିକ୍ରମାର୍କ ଯଥାଶୀଘ୍ର ଉତ୍ତରଦେଲେ, “ରାକ୍ଷସୀ ଯେଉଁ ଦୁଇଟା ଲୋକଙ୍କୁ ଖାଇଥିଲା, ସେ ଦୁଇଜଣ ତା’ ବିବେଚନାରେ ମଣିଷ ନୁହଁନ୍ତି, ପିଶାଚ । ଦ୍ୱିତୀୟରେ ପଥିକର ମା ସକାଶେ ଗଙ୍ଗାଜଳ ଛାଡିଦେଇ ସେ ଯେଉଁ ସଦିଚ୍ଛାର ପ୍ରମାଣ ଦେଲା, ତାହା ଗଙ୍ଗାଜଳ ସେବନ ସମାନ ପୂଣ୍ୟ । ତେଣୁ ସେ ମୁକ୍ତି ପାଇଲା ।”
ରାଜାଙ୍କ ଉତ୍ତରଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେହି ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।🙏
Comments
Post a Comment