୦୪ ଜୁଲାଇ ୨୦୨୦ କାହାଣୀ
🌷 *ଗପ ଟିଏ...🌙ଜହ୍ନମାମୁଁ ପୃଷ୍ଠାରୁ* 🌷
🌀 *ଶିବମଲ୍ଲଙ୍କ କାହାଣୀ* 🌀
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସିଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ ଉତାରି ଆଣିଲେ । ତେବେ, ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜନ୍! ରାତ୍ରିର ଏହି ପ୍ରହର ତୁମେ ଶୟନ-କକ୍ଷରେ ଶୋଇରହି ସୁନ୍ଦର ସ୍ୱପ୍ନ ଦେଖିବାର ସମୟ । କିନ୍ତୁ ତୁମେ ଏକ ଶ୍ମଶାନ ରକ୍ଷକ ସଦୃଶ ଏଠାରେ ବିଚରଣ କରୁଛ । ତୁମର ଏହି ଶୋଚନୀୟ ସ୍ଥିତି ଦେଖି ମୋର କାହିଁ ମନେ ହେଉଛି, ସତରେ ବିଧୀର ଲୀଳା ବଡ ବିଚିତ୍ର । ସମସ୍ତେ ତା’ ହାତରେ କାଠ କଣ୍ଢେଇ ସଦୃଶ । ପୁରୁଷ ଦୁଇଟି ଆର୍କଷଣକୁ ସହଜରେ ଏଡାଇ ଦେଇ ପାରେ ନାହିଁ, ତାହାହେଲା ସ୍ତ୍ରୀ, ସମ୍ପତ୍ତି । ବୋଧହୁଏ ତୁମେ କୌଣସି ସ୍ତ୍ରୀର ପ୍ରେମରେ ପଡି, ତା’ର ହୃଦୟ ଜୟ କରିବା ପାଇଁ ଏହି କଷ୍ଟ ସ୍ୱୀକାର କରିଛ । ଏତେ ପରିଶ୍ରମ ଓ ଧୈର୍ଯ୍ୟ ବିନିମୟରେ ତୁମେ ଯେଉଁ ସଫଳତା ହାସଲ କରିବ, ତାହା ତୁମେ ନିଜ ପାଖରେ ରଖିବ କି, ସେହି ମୂର୍ଖ ଶିବମଲ୍ଲ ପରି, ଶେଷ ମୁହୂର୍ତ୍ତରେ ନିଜର ସିଦ୍ଧାନ୍ତ ବଦଳେଇ ଆପଣାର ସୌଭାଗ୍ୟକୁ ଅନ୍ୟ ହସ୍ତରେ ଅର୍ପଣ କରିବ ତାହା କିଏ ଜାଣେ? ମୁଁ ତୁମକୁ ଶିବମଲ୍ଲର କାହାଣୀ ଶୁଣାଉଛି, ଫଳରେ ତୁମର ପଥକ୍ଳାନ୍ତି ଦୂର ହେବ ।” ତା’ପରେ ସେ ବେତାଳ କାହାଣୀଟି କହିବା ଆରମ୍ଭ କଲା ।
ପ୍ରତାପପୁରୀ ରାଜ୍ୟର ରାଜା ବିଜୟସେନ ଥିଲେ । ସେ ଜଣେ ହୃଦୟବାନ ତଥା ଦକ୍ଷ ଶାସକ ଥିଲେ । ଏହି ରାଜ୍ୟର ପଶ୍ଚିମ ଦିଗରେ ଥିବା ଅରଣ୍ୟ ପ୍ରଦେଶରେ ଏକ ଆଦିବାସୀ ବସତି ଥିଲା । ଯୁଦ୍ଧ ସମୟରେ, ଏହି ଆଦିବାସୀମାନେ ବିଜୟସେନଙ୍କୁ ଖୁବ୍ ସାହାଯ୍ୟ କରନ୍ତି ।
ଆଦିବାସୀମାନଙ୍କର ସର୍ଦ୍ଦାରଙ୍କ ନାମ ଶମ୍ଭୁମଲ୍ଲ । ତାଙ୍କରି ପୁତ୍ର ହେଉଛନ୍ତି ଶିବମଲ୍ଲ । ଧନୁର୍ବିଦ୍ୟାରେ ପାରଙ୍ଗମ ଏହି ଯୁବକ ବିଜୁଳିବେଗରେ ଧାଉଁଥିବା, ବାର୍ହା, ବାଘକୁ ମଧ୍ୟ ଗୋଟିଏ ଶରରେ ଧରାଶାୟୀ କରିଦେଇପାରେ ।
ପ୍ରତାପପୁରୀର ପଡୋଶୀ ଦେଶ ‘ହିରଣ୍ୟପୁରୀର ରାଜା ଧୀରସେନ । ସେ ବିଜୟସେନଙ୍କ ଅଧୀନସ୍ଥ ଏକ ସାମନ୍ତରାଜା । ଥରେ ଧୀରସେନଙ୍କ କନ୍ୟା ଅମୃତା ନିଜର ସହଚରୀମାନଙ୍କ ସହିତ ବନବିହାର କରୁଥିଲେ । ତାଙ୍କ ରଥ ଆଦିବାସୀ ବସତି ନିକଟରେ ଯାଉଥିବା ସମୟରେ, ଏକ ଆମ୍ବଗଛରୁ ଗୋଟିଏ ବିରାଟକାୟ ଅଜଗର ରଥ ଉପରେ ପଡି ରାଜକୁମାରୀଙ୍କୁ ଗିଳିବା ପାଇଁ ଆରମ୍ଭ କଲା ।’
ଅମୃତା ଭୟଭୀତା ହୋଇ ଜୋର୍ରେ ଚିତ୍କାର କରୁଥାନ୍ତି । ରଥର ସାରଥୀ ଓ ଅନ୍ୟ ସହଚରୀମାନେ ଭୟଙ୍କର ଅଜଗର ଡରରେ ରଥରୁ ତଳକୁ ଡେଇଁପଡି ‘ରକ୍ଷାକର, ରକ୍ଷାକର’ ବୋଲି ଚିତ୍କାର କଲେ ।
ସେତେବେଳେ ଶିକାର ଉଦ୍ଧେଶ୍ୟରେ ଯାଇଥିବା ବିଜୟସେନଙ୍କ କାନରେ ଏ ଆର୍ତନାଦ ପଡିଲା । ଦ୍ରୁତବେଗରେ ଘୋଡା ଝପଟାଇ ସେ ସେଠାରେ ପହଁଚି, ସେହି ଭୟଙ୍କର ଦୃଶ୍ୟ ଦେଖି ସ୍ତବ୍ଧ ହୋଇଗଲେ । ଘୋଡା ଉପରେ ଥାଇ, ସେ ରଥରେ ଥିବା ଅଜଗରକୁ ତୀର ଚଳାଇ ମାରିପାରିବେ, କିନ୍ତୁ କାଳେ ତୀର ଆଘାତରେ ସୁକୁମାରୀ ରାଜକୁମାରୀ ଆହତ ହେବେ, ଏହି ଦ୍ୱିଧାରେ ସେ ସାହସ କରିପାରୁ ନ ଥାନ୍ତି ।
ସେହି ଆର୍ତ୍ତଚିତ୍କାର ଶୁଣି ଶିବମଲ୍ଲ ଦୌଡି ଦୌଡି ସେଠାରେ ଯାଇ ପହଁଚିଲେ । ଆଉ କାଳବିଳମ୍ବ ନ କରି ସେ ଧନୁରେ ତୀର ସଂଯୋଗ କରି ଅଜଗରର ଠିକ୍ ମଥାକୁ ଲକ୍ଷ୍ୟକରି ଶର ନିକ୍ଷେପ କଲେ । ବିଜୁଳିବେଗରେ ତୀର ଯାଇ ଅଜଗରର ମସ୍ତକରେ ଗଳିଗଲା ଓ ତାହା ଛଟପଟ ହୋଇ ରଥତଳକୁ ଖସି ପଡିଲା । ଏହିପରି ଭାବେ ଅମୃତାଙ୍କର ଜୀବନ ରକ୍ଷା ହେଲା । ରାଜକୁମାରୀ ଶିବମଲ୍ଲଙ୍କ ପାଖକୁ ଯାଇ ନିଜର କୃତଜ୍ଞତା ଜଣେଇ କହିଲେ, “ମୁଁ ହିରଣ୍ୟପୁରୀର ରାଜକୁମାରୀ ଅମୃତା । ତୁମେ ସର୍ପମୁଖରୁ ରକ୍ଷା କରି, ମତେ ଏକ ନୂତନ ଜୀବନଦାନ କରିଛ । ଏଣୁ ମୁଁ ତୁମ ନିକଟରେ ଚିରଋଣୀ । ତୁମର ମୋପ୍ରତି ଆଜିର ଏହି ଉପକାର ଅମୂଲ୍ୟ ଅଟେ, ଶ୍ରଦ୍ଧାର ସହିତ ମୁଁ ମୋର ରତ୍ନହାର ତୁମକୁ ପ୍ରଦାନ କରୁଛି, ତୁମେ ଏହା ଗ୍ରହଣ କର ।” ଏପରି କହି, ସେ ତାଙ୍କ ଗଳାରୁ ହାରଟି କାଢି ଶିବମଲ୍ଲଙ୍କ ହସ୍ତରେ ତାହା ଅର୍ପଣ କଲେ ।
ହାରଟିକୁ ହାତରେ ଧରି ତାଙ୍କୁ ଚକିତନୟନରେ ଚାହିଁ ରହିଥିବା ଶିବମଲ୍ଲଙ୍କୁ ଅମୃତା ହସି ହସି ପଚାରିଲେ, “ସୁବିଧାଦେଖି କେବେ ରାଜଧାନୀକୁ ଆସିବ । ମୁଁ ତୁମକୁ ମୋର ଅଙ୍ଗରକ୍ଷୀରୂପେ ନିଯୁକ୍ତି ଦେବାକୁ ପିତାଙ୍କୁ ଅନୁରୋଧ କରିବି । ଏଥିରେ ତୁମର କିଛି ଆପତ୍ତି ଅଛି କି?”
ଏହି ଦୃଶ୍ୟ ଦେଖି ବିଜୟସେନଙ୍କ ହୃଦୟ ଈର୍ଷାରେ ଜଳିଗଲା । ରାଜକୁମାରୀ ତାଙ୍କୁ ଆଡଆଖିରେ ଚାହିଁଲେ ବି ନାହିଁ, ଏହା ତାଙ୍କୁ ଏକ ଅସହ୍ୟ ଅପମାନ ସଦୃଶ ମନେହେଲା ।
ରାଜଧାନୀକୁ ଫେରି ଆସିବା ପରେ, ବିଜୟସେନଙ୍କ ଆଖିଆଗରେ ଖାଲି ସଦା ସର୍ବଦା ରାଜକୁମାରୀଙ୍କ ଅପରୂପ ସୌନ୍ଦର୍ଯ୍ୟ ଭାସି ଉଠିଲା । ଭାବିଲେ, ତାଙ୍କୁ ବିବାହ କରି ନ ପାରିଲେ, ତାଙ୍କର ଜୀବନ ବ୍ୟର୍ଥ ହୋଇଯିବ । ଜଣେ ସାମନ୍ତରାଜା, ତାଙ୍କ କନ୍ୟା, ମହାରାଜାଙ୍କ ହସ୍ତରେ ଅର୍ପଣ କରିବାକୁ କେବେବି ମଧ୍ୟ ଅନିଚ୍ଛୁକ ହେବ ନାହିଁ । କିନ୍ତୁ ବିଜୟସେନ ମନରେ ଭାବିଲେ, ଯଦି ଏହି ବିବାହରେ ରାଜକୁମାରୀ କୌଣସି ଆପତ୍ତି ଜଣାନ୍ତି, ତେବେ ଧରିନେବାକୁ ହେବ, ସେ ନିଶ୍ଚୟ ଶିବମଲ୍ଲର ପ୍ରେମରେ ପଡିଯାଇଛନ୍ତି ।
ବିଜୟସେନ ବହୁ ଭାବିଚିନ୍ତି, ନିଜର ନିର୍ଣ୍ଣୟ ସ୍ଥିର କରି ପାରୁ ନ ଥାନ୍ତି, ଇତି ମଧ୍ୟରେ ଗୁପ୍ତଚର ସମ୍ବାଦ ଆଣିଦେଲା ଯେ, ରାଜକୁମାରୀ ଅମୃତା ଶିବମଲ୍ଲକୁ ନିଜର ଅଙ୍ଗରକ୍ଷକ ପଦବୀରେ ନିଯୁକ୍ତି ଦେଇଛନ୍ତି । ବିଜୟସେନ ଭାବିଲେ, ଆଉ ଅଧିକ ବିଳମ୍ବ କଲେ ତାଙ୍କୁ ହୁଏତ ସବୁଦିନ ପାଇଁ ରାଜକୁମାରୀଙ୍କୁ ହରାଇବାକୁ ପଡିପାରେ ।
ତେଣୁ ଅବିଳମ୍ବେ ସେ ଏକ ପତ୍ର ଅମୃତାଙ୍କ ପିତା ଧୀରସେନଙ୍କ ନିକଟକୁ ଲେଖି, ତାଙ୍କର ବିବାହ ଲାଳସା ବ୍ୟକ୍ତ କଲେ, କିନ୍ତୁ ତାଙ୍କ ମନରେ ସନ୍ଦେହ ଥିଲା । କାଳେ ଏହି ପ୍ରସ୍ତାବରେ ରାଜକୁମାରୀ ସମ୍ମତ ହେବେନାହିଁ । ତେଣୁ ସନ୍ଦେହର ବଶବର୍ତ୍ତୀ ହୋଇ ସେ ସେହି ପତ୍ରରେ ଏହା ଉଲ୍ଲେଖ କଲେ ଯେ, ବିବାହରେ ଅସମ୍ମତ ହେଲେ ସେ ଆକ୍ରମଣ କରି ହିରଣ୍ୟପୁରୀ ଦଖଲ କରିବେ ଓ ବଳପୂର୍ବକ ରାଜକୁମାରୀଙ୍କୁ ବିବାହ କରିବେ । ଦୂତ ଏହି ପତ୍ର ଧୀରସେନଙ୍କୁ ପ୍ରଦାନ କଲା ।
ଏହି ପତ୍ର ପଢି ଧୀରସେନ ଉଲ୍ଲସିତ ହୋଇଉଠିଲେ । କାରଣ ମହାରାଜଙ୍କ ଠାରୁ ଏପରି ପ୍ରସ୍ତାବ ପାଇବା ତାଙ୍କର କଳ୍ପନାତୀତ ଥିଲା । ଏହାପରେ ସେ ତାଙ୍କ କନ୍ୟାଙ୍କୁ ପତ୍ରଟି ଦେଇ କହିଲେ, “କନ୍ୟା, ତୁମେ ଅତ୍ୟନ୍ତ ଭାଗ୍ୟବତୀ । ମହାରାଜା ତୁମକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।”
ମାତ୍ର ସମୁଦାୟ ପତ୍ରଟି ପଢିବା ପରେ ଅମୃତା କ୍ରୋଧରେ ଜଳି ଉଠିଲେ । କିଛିକ୍ଷଣ ମୌନତା ରଖି ନିଜକୁ ସମ୍ଭାଳିବା ପରେ, ସେ ତାଙ୍କ ପିତାଙ୍କୁ ସ୍ପଷ୍ଟ କହିଲେ, “ପିତାଶ୍ରୀ, ଏହି ପତ୍ର କୌଣସି ସାମନ୍ତରାଜାଙ୍କୁ ଚେତାବନୀ ପରି ମନେହେଉଛି । ମୋର ଯାହା ହୃଦ୍ବୋଧ ହେଉଛି, ସେ ମତେ ପ୍ରେମ କରନ୍ତି ନାହିଁ, କିମ୍ବା ମୋତେ ପାଇବା ପାଇଁ ଆଦୌ ବ୍ୟାକୁଳ ନୁହଁନ୍ତି । ଏହିପରି ଅହଂକାରୀ ବ୍ୟକ୍ତିଙ୍କୁ ବିବାହ କରି ମୁଁ କଦାପି ମଧ୍ୟ ସୁଖୀ ହୋଇପାରିବି ନାହିଁ ।” ଏଥିଉତାରେ ସେ ରାଜକୁମାରୀ ସ୍ୱୟଂ ଏକପତ୍ର ଲେଖି ଦୁତ ହସ୍ତରେ ତାହା ବିଜୟସେନଙ୍କ ନିକଟକୁ ପ୍ରେରଣ କଲେ ।
ଅମୃତାଙ୍କ ପତ୍ର ପଢି ବିଜୟସେନଙ୍କ କ୍ରୋଧର ଆଉ କୌଣସି ସୀମା ରହିଲା ନାହିଁ । କାହିଁକିନା ସେ ପତ୍ରଟିର ସାରାଂଶ ଏହିଭଳି ଥିଲା – “କ୍ଷମା କରିବେ । ନିକଟ ଭବିଷ୍ୟତରେ ମୋର ବିବାହ କରିବାପାଇଁ ମୋଟେ ଇଚ୍ଛା ନାହିଁ । ବଳପୂର୍ବକ ବିବାହ କରିବାର ଲାଳସା ତ୍ୟାଗ କରିବେ । ଆପଣଙ୍କର ବିଶାଳ ସୈନ୍ୟବାହିନୀ ସହାୟତାରେ, ଆମ ରାଜ୍ୟ ଉପରେ ବିଜୟ ଲାଭ କରିବା ଏକ ଆୟସମାଧ୍ୟ କାର୍ଯ୍ୟ । କିନ୍ତୁ ରାଜ୍ୟ ଜୟର ଅର୍ଥ ନୁହେଁ, ମୋର ହୃଦୟ ଜୟ । ଖୁବ୍ ଚିନ୍ତା କରି ନିଷ୍ପତି ନେବେ ।”
ଚିଠିଟିକୁ ବାରମ୍ବାର ପଢିବାପରେ ବିଜୟସେନ ନିଜର ଅହଂତାକୁ ବୁଝିପାରିଲେ । ଧୀରମନରେ ସେ ଚିନ୍ତା କଲେ, ପ୍ରକୃତରେ ପାରସ୍ପରିକ ସ୍ନେହ ଓ ଅନୁରାଗ ବିନା, ସୈନ୍ୟ ବଳର ଭୟ ଓ ଧମକ ଦେଖାଇ, ରାଜକୁମାରୀଙ୍କୁ ବିବାହ କରିବା ଅନୁଚିତ୍ । ଏହା ମଧ୍ୟ ରାଜୋଚିତ ନ୍ୟାୟ ସଂଗତ କାର୍ଯ୍ୟ ନୁହେଁ ।
ଧୀରସେନଙ୍କ ମନରେ ଭୟଥିଲା, ହୁଏତ ତାଙ୍କ କନ୍ୟାର ପତ୍ର ପଢି ବିଜୟସେନ ତାଙ୍କ ରାଜ୍ୟକୁ ତୁରନ୍ତ ଆକ୍ରମଣ କରିବେ । କିନ୍ତୁ ଏହି ଭିତରେ ଦୁଇ ତିନି ମାସ ବିତିଗଲେ ମଧ୍ୟ, ଏପରି କିଛି ନ ଘଟିବାରୁ, ସେ ମନେକଲେ, ସମ୍ଭବତଃ ବିଜୟସେନ ଅନ୍ୟକେଉଁ ଯୁବତୀଙ୍କୁ ବିବାହ କରିବା ପାଇଁ ସ୍ଥିର କଲେ ।
କିନ୍ତୁ ଅମୃତା ତାଙ୍କ ପିତାଙ୍କୁ କହିଲେ, “ମୋର ଅନୁମାନ ସତ୍ୟ ହେଲା । ମୋର ଧାରଣା ଥିଲା, ବିଜୟସେନ ମୋ ପତ୍ର ପଢିବା ପରେ, ଯୁଦ୍ଧର ବିଚାର ତ୍ୟାଗ କରିବେ । ମୋ ପ୍ରତି ତାଙ୍କର ଆସକ୍ତି ଭାବ ବଢିବ । ସେହି ଅନୁରୂପ ଫଳାଫଳ ମିଳିଛି ।”
ଏହାର କିଛିଦିନ ପରେ, ଦିନେ ଅମୃତା ତାଙ୍କ ଉଦ୍ୟାନରେ ବିଚରଣ କରୁଥିବାବେଳେ ଦେଖିଲେ, ଉଦ୍ୟାନର ଦ୍ୱାରଦେଶରେ ଶିବମଲ୍ଲ ଠିଆ ହୋଇଛନ୍ତି । ରାଜକୁମାରୀ ଏପଟ ସେପଟ ବୁଲି ଉଦ୍ୟାନର ଶୋଭା ନିରୀକ୍ଷଣ କରୁଥିବା ସମୟରେ ଶୁଷ୍କପତ୍ର ଭିତରେ ଲୁଚିଥିବା ଗୋଟିଏ ସର୍ପକୁ ସେ ତାଙ୍କ ପାଦରେ ମାଡିଦେଲେ । ସର୍ପ ସଙ୍ଗେସଙ୍ଗେ ତାଙ୍କୁ ଦଂଶନ କଲା ।
ରାଜକୁମାରୀ ଆର୍ତନାଦ କରି, ଅଚେତ୍ହୋଇ ତଳେ ପଡିଗଲେ । ଶିବମଲ୍ଲ ଏଇ ଦୁର୍ଦ୍ଦଶା ଦେଖି ବିଜୁଳିବେଗରେ ଛୁଟିଆସି, ଫୁଲବୁଦା ଆଢୁଆଳରେ ଲୁଚିଯାଉଥିବା ରକ୍ତବର୍ଣ୍ଣର ସାପଟିକୁ ଖଣ୍ଡାରେ ଚୋଟ ପକେଇ ହାଣିଦେଲା ।
ଏହି ସମାଚାର ପାଇ ରାଜା,ରାଣୀ ସେଠାକୁ ଧାଇଁ ଆସିଲେ । ସେତେବେଳକୁ ଶିବମଲ୍ଲ ରାଜବୈଦ୍ୟଙ୍କୁ ଆଣି ସାରିଥିଲେ । ମୃତ ସାପଟିକୁ ଦେଖି ରାଜବୈଦ୍ୟ ସ୍ତମ୍ଭିତ ହୋଇଗଲେ । କିଛି ପତ୍ର ଛେଚି ତା’ର ରସ ରାଜକୁମାରୀଙ୍କ ପାଦରେ ବୋଳି ଦେଇ ରାଜବୈଦ୍ୟ କହିଲେ, “ମହାରାଜ, ଅଳ୍ପ ସମୟ ମଧ୍ୟରେ ରାଜକୁମାରୀ ଚେତା ଫେରିପାଇବେ । କିନ୍ତୁ ଦୁଃଖର କଥା, ସେ ସବୁଦିନ ପାଇଁ ନିଜର ଦୃଷ୍ଟିଶକ୍ତି ହରାଇ ବସିବେ । ତାଙ୍କୁ ଦଂଶନ କରିଥିବା ସାପ କୌଣସି ସାଧାରଣ ସାପ ନୁହେଁ, ଏହା ରକ୍ତବୀର୍ଯ୍ୟ ସର୍ପ । ଶୁଣିଛି, ପୂର୍ବ ଦିଗରେ ରକ୍ତପିପାସୀ ନାମକ ଏକ ପର୍ବତ ରହିଛି, ଯାହାକି ଏହି ଧରଣର ସର୍ପମାନଙ୍କର ବାସସ୍ଥଳୀ ଅଟେ । ଏପରି ଭୟଙ୍କର ବିଷଧାରୀ ସର୍ପ ଆମ ଉଦ୍ୟାନକୁ ଆସି ରାଜକୁମାରୀଙ୍କୁ ଦଂଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ।”
ଚେତା ଫେରି ଆସୁ ଆସୁ ରାଜକୁମାରୀ ନିଜ ଆଖି ମଳିମଳି କରି କହିଲେ, “ଶିବମଲ୍ଲ, ମତେ କାହିଁକି କିଛି ଦିଶୁନାହିଁ? ମୁଁ କ’ଣ ଆଉ ଅନ୍ଧୁଣି ହୋଇଗଲି କି?” ରାଜକୁମାରୀ ଏହିକଥା ଗଦ୍ଗଦ୍ କଣ୍ଠରେ କହୁଥାନ୍ତି । ଶିବମଲ୍ଲ କିଂକର୍ତ୍ତବ୍ୟବିମୂଢ ହୋଇ ଠିଆ ହୋଇରହିଥାନ୍ତି । ସେ ନିଜକୁ ଦୋଷୀ ମନେ କରୁଥାନ୍ତି । ରାଣୀ ନିଜ କନ୍ୟାକୁ ତାଙ୍କ କୋଳକୁ ନେଇ କାନ୍ଦିବାକୁ ଆରମ୍ଭ କଲେ । ରାଜା ନିଜକୁ ସମ୍ଭାଳି ନେଇ ବୈଦ୍ୟବରଙ୍କୁ ପଚାରିଲେ, “ଏପରି କିଛି ଉପାୟ ନାହିଁ, ଯାହାଦ୍ୱାରାକି ରାଜକୁମାରୀ ପୁଣି ତାଙ୍କ ଦୃଷ୍ଟିଶକ୍ତି ଫେରି ପାଇବେ?”
ରାଜବୈଦ୍ୟ କୁଣ୍ଠିତ ଚିତ୍ତରେ କହିଲେ, “ରକ୍ତବୀର୍ଯ୍ୟ ସର୍ପ ଦଂଶନର ପ୍ରତିକାର ସ୍ୱରୂପ ଆୟୁର୍ବେଦରେ ଗୋଟିଏ ମାର୍ଗ ରହିଛି ତାହା, ସର୍ପଗନ୍ଧା ପୁଷ୍ପ ଆଣି ତାହାକୁ ଚକ୍ଷୁ ଉପରେ ରଖିବା ।”
ଏହା ଶୁଣି ସେ ରାଜା ବଡ ଆତୁରତାର ସହିତ କହିଲେ, “ତେବେ ଡେରି କାହିଁକି? ଏହି କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ।”
ରାଜାଙ୍କ କଥା ଶୁଣି ରାଜବୈଦ୍ୟ ଦୀର୍ଘଶ୍ୱାସ ପକାଇ କହିଲେ, “ମହାରାଜ, ମୁଁ ପ୍ରଥମରୁ କହୁଛି, ଏଥିପାଇଁ ଅଶେଷ ସାହସ ଦରକାର । ରକ୍ତପିପାସୁ ପର୍ବତକୁ ଲାଗି କୃଷ୍ଣ ଆଳୟ । ସେହି କୃଷ୍ଣ ଆଳୟ ନିକଟରେ ସର୍ପଗନ୍ଧା ବୃକ୍ଷ ରହିଛି । ମୋର ପ୍ରପିତାମହ ବାଲ୍ୟକାଳରେ ମତେ କହୁଥିଲେ, ଏହି ବୃକ୍ଷରେ ପଚାଶ ବର୍ଷରେ ଥରେ ଫୁଲ ଫୁଟିଥାଏ । ଚିକିତ୍ସା ପାଇଁ ଏହାକୁ କେବଳ ଥରେ ମାତ୍ର ପ୍ରୟୋଗ କରାଯାଇପାରିବ । ସେହି ବୃକ୍ଷର ଉଚ୍ଚତା ପ୍ରାୟ ଏକଶହ ହାତ ଏବଂ ତା’ର ପୁଷ୍ପ ବୃକ୍ଷର ଅଗ୍ରଭାଗରେ ଫୁଟିଥାଏ । ଏହାର ପାଦଦେଶରେ ରକ୍ତବୀର୍ଯ୍ୟ ସର୍ପମାନେ ବିଚରଣ କରୁଥାନ୍ତି । ସେମାନଙ୍କଠାରୁ ନିଜ ଜୀବନ ବଂଚେଇ ବୃକ୍ଷରୁ ଫୁଲ ଆଣିବା ଅତ୍ୟନ୍ତ ଅସାଧ୍ୟ କାର୍ଯ୍ୟ ଅଟେ ।”
ତାଙ୍କ କଥା ଶୁଣି ଶିବମଲ୍ଲ ବିନାଦ୍ୱିଧାରେ କହିଲେ, “ମହାରାଜ, ମୁଁ ଏହି ପୁଷ୍ପ ଆଣିବା ପାଇଁ ପ୍ରଯତ୍ନ କରିବି । ଏବେ ଆପଣ ମୋତେ କଲ୍ୟାଣ କରନ୍ତୁ ।”
ତହୁଁ ସେ ରାଜା ଶିବମଲ୍ଲଙ୍କୁ ଆଶୀର୍ବାଦ ଦେଇ କହିଲେ “ତୁମେ ସଫଳ ହୁଅ ।” ତା’ପରେ ଶିବମଲ୍ଲ ଅଶ୍ୱଶାଳାରୁ ଏକ ଉତ୍ତମ ଅଶ୍ୱ ନିର୍ବାଚନ କରି, ତା’ଉପରେ ବସି ପବନ ବେଗରେ ରକ୍ତପିପାସୀ ପର୍ବତ ଦିଗରେ ସେ ଆଗେଇ ଚାଲିଲେ ।
ଏହି ସମାଚାର ବିଜୟସେନ, ତାଙ୍କର ଗୁପ୍ତଚର ମାଧ୍ୟମରେ ଜାଣିବାକୁ ପାଇଲେ । ସେ ମଧ୍ୟ ସର୍ପଗନ୍ଧା ପୁଷ୍ପ ହାସଲ କରିବା ପାଇଁ ଅବିଳମ୍ବେ ବାହାରି ପଡିଲେ ।
ଶିବମଲ୍ଲ ଏକ ସପ୍ତାହ ଧରି ଯାତ୍ରା କଲେ । ରାତ୍ରକାଳରେ କୌଣସି ବୃକ୍ଷମୂଳରେ ସେ ସାମାନ୍ୟ ବିଶ୍ରାମ ନେଇ ଯଥାଶୀଘ୍ର ପହଁଚିବା ପାଇଁ ଚେଷ୍ଟା କରୁଥାନ୍ତି । ଶେଷରେ ସେ କୃଷ୍ଣ ଆଳୟ ନିକଟରେ ପହଁଚି, ସର୍ପଗନ୍ଧା ବୃକ୍ଷ ଦେଖିବାକୁ ପାଇଲେ ।
ଆକାଶଚୁମ୍ବୀ ସେହି ବୃକ୍ଷର ଚତୁର୍ଦିଗରେ ରକ୍ତବୀର୍ଯ୍ୟ ସାପମାନେ ବୁଲୁଥାନ୍ତି । ଶିବମଲ୍ଲ ଭାବିଲେ, ଏମାନଙ୍କୁ ଟପି ବୃକ୍ଷାରୋହଣ କରି ପୁଷ୍ପଟି ଆଣିବା ଅସମ୍ଭବ । ବୃକ୍ଷରେ ଗହଳିଆପତ୍ର ଥିଲେ ବି ସେଥିରେ ଖୁବ୍ କମ୍ ଶାଖା ଥାଏ, ଯାହା ଆରୋହଣ ପାଇଁ ଯମାରୁ ସହଜ ନୁହେଁ । ବୃକ୍ଷର ଅଗ୍ରଭାଗରେ କ୍ଷେତ୍ର ପରି ସର୍ପଗନ୍ଧା ପୁଷ୍ପଟି ଶୋଭା ପାଉଥାଏ ।
ଶିବମଲ୍ଲ ଅପଲକ ନୟନରେ ସେ ପୁଷ୍ପଟିକୁ ଦେଖିଲେ । ତା’ପରେ ପୁଷ୍ପଟିକୁ ଲକ୍ଷ୍ୟକରି ସେ ତୀର ଚଳାଇଲେ, ତାଙ୍କର ଅବ୍ୟର୍ଥ ଲକ୍ଷ୍ୟରେ ପୁଷ୍ପଟି ତୀରବିଦ୍ଧ ହୋଇ, ପବନରେ ଉଡିଆସି ତଳେ ପଡିଲା । ବିଷଧର ସର୍ପଗୁଡିକ ତତ୍କ୍ଷଣାତ୍ ସେ ପୁଷ୍ପଟିକୁ ଘେରିଗଲେ । ଶିବମଲ୍ଲ ସ୍ଥିର କରିପାରିଲେ ନାହିଁ ଯେ, ସେ ଏବେ କ’ଣ କରିବେ । ପୁଷ୍ପଟିକୁ ସେ ସେମିତି ଚାହିଁ ରହିଥାନ୍ତି ।
ଏହି ସମୟରେ, ସେ ଅଶ୍ୱ ଟାପୁର ଶବ୍ଦ ଶୁଣିବାକୁ ପାଇଲେ । ବିଜୟସେନ ଅଶ୍ୱାରୋହଣ କରି ସେଠାରେ ଆସି ପହଁଚିଲେ । ଅଶ୍ୱରୁ ଓହ୍ଲେଇବା ପୂର୍ବରୁ, ସର୍ପ ଘେରିରହିଥିବା ପୁଷ୍ପଟିକୁ ଦେଖି ସେ କହିଲେ, “ଓଃ ତାହେଲେ ତୁମେ ମୋ ପୂର୍ବରୁ ଆସି ଏହି ପୁଷ୍ପଟିକୁ ତଳକୁ ଖସାଇ ସାରିଛ ।”
“ମୁଁ ତ ଅନୁମାନ କରୁଥିଲି ଯେ ଆପଣ ନିଶ୍ଚୟ ଆସିବେ । ମହାରାଜ ଆପଣ ସେ ପୁଷ୍ପ ନିକଟକୁ ଯାଆନ୍ତୁ ନାହିଁ । ଏବେ ତାହା ବିପଦଜନକ ।” ଏପରି କହି ଶିବମଲ୍ଲ ଲମ୍ପ ପ୍ରଦାନ କରି ସର୍ପଗନ୍ଧା ପୁଷ୍ପକୁ ସ୍ପର୍ଶ କରିଛନ୍ତି କି ନାହିଁ, ରକ୍ତବୀର୍ଯ୍ୟ ସର୍ପ ତାଙ୍କ ହସ୍ତକୁ ଦଂଶନ କଲା । ଟଳମଳ ଅବସ୍ଥାରେ ଶିବମଲ୍ଲ ପୁଷ୍ପଟିକୁ ଧରି ବାହାରି ଆସି ବିଜୟସେନଙ୍କ ହାତକୁ ତାହା ବଢାଇ ଦେଇ କହିଲେ, “ମହାରାଜ, ରାଜକୁମାରୀଙ୍କୁ ଚିରଦିନ ଦୃଷ୍ଟିଶକ୍ତି ହରେଇବାର ଦୁର୍ଯୋଗରୁ ବଂଚାନ୍ତୁ । ତାଙ୍କୁ ବିବାହ କରି ସୁଖୀ ହୁଅନ୍ତୁ ।” ବିଷ ପ୍ରଭାବରେ ସେ ବେହୋଶ ହୋଇ ପଡିଗଲେ । କିନ୍ତୁ ଅଳ୍ପ ସମୟ ପରେ ଚେତା ଫେରି ଆସିବା ବେଳକୁ ସେ ଅନ୍ଧ ହୋଇସାରିଥିଲେ ।
ରାଜା ବିଜୟସେନ ଶିବମଲ୍ଲଙ୍କୁ ଆଲିଙ୍ଗନ କରି କୃତ୍ୟକୃତ୍ୟ ହୋଇ କହିଲେ, “ଶିବମଲ୍ଲ, ତୁମର ତ୍ୟାଗ ଅଦ୍ଭୁତ, ଅତୁଳନୀୟ । ତୁମକୁ ଭୁଲ୍ ବୁଝିଥିବାରୁ ମୋତେ କ୍ଷମା କର । ରାଜସଭାରେ କେବଳ ଆର୍ୟୁବେଦ ନୁହେଁ, ବିଭିନ୍ନ ପ୍ରକାରର ଔଷଧଶାସ୍ତ୍ରରେ ନିପୁଣ ବୈଦ୍ୟମାନେ ବି ଅଛନ୍ତି । ରକ୍ତବୀର୍ଜ୍ୟ ସର୍ପ ଦଂଶନର ଔଷଧ, ଏକମାତ୍ର ଉପାୟ ଏହି ପୁଷ୍ପ, ଏହା ଭାବି ତୁମେ ହତାଶ ହୁଅନାହିଁ । ମୁଁ ତୁମକୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇବି ।”
ବିଜୟସେନ, ଶିବମଲ୍ଲଙ୍କୁ ସଙ୍ଗରେ ଧରି ଅଶ୍ୱ ଝପଟାଇ ତୁରନ୍ତ ରାଜଧାନୀ ଫେରିଲେ ।
ବେତାଳ ରାଜା ବିକ୍ରମାର୍କଙ୍କୁ କାହାଣୀଟି ଶୁଣାଇସାରିବା ପରେ, ନିଜର ସନ୍ଦେହ ପ୍ରକାଶ କରି କହିଲା, “ରାଜନ୍, ଶିବମଲ୍ଲର ବ୍ୟବହାର ଅସଙ୍ଗତ ଓ ତ୍ରୁଟିପୂର୍ଣ୍ଣ, ଏହା ନିଃସନ୍ଦେହ ନୁହେଁ କି? ସେ ରାଜକୁମାରୀ ଅମୃତାଙ୍କର ମନ ଜିଣିବା ପାଇଁ ତାଙ୍କର ଅଙ୍ଗରକ୍ଷକ ଭାବେ କାର୍ଯ୍ୟ କରୁଥିଲା । ଯେତେବେଳେ ସେ ସେହି ଦୁଷ୍ପ୍ରାପ୍ୟ ପୁଷ୍ପଟି ହାସଲ କଲା, ସେ ଅମୃତାଙ୍କୁ ନିଜର ଧର୍ମପତ୍ନୀ କରିବାର ଅଭିଳାଷ ପୋଷଣ କରିବା ଯଥାର୍ଥ ଥିଲା । କାରଣ ଏହି ଅସାଧାରଣ ସଫଳତା ପାଇଁ ତାକୁ ନିଜର ଅମୂଲ୍ୟ ଦୃଷ୍ଟିଶକ୍ତି ହରେଇବା ପାଇଁ ପଡିଲା । କିନ୍ତୁ ମୁର୍ଖତାର ଚରମ ପରାକାଷ୍ଠା ଦେଖାଇ ସେ ଏହି ପୁଷ୍ପ ରାଜା ବିଜୟସେନଙ୍କୁ ଅର୍ପଣ କଲା । ବିଜୟସେନ ସେଠାରେ ପହଁଚିବା ପୂର୍ବରୁ ପୁଷ୍ପଟି ଆଣିବା ପାଇଁ ସେ କାହିଁକି ଚେଷ୍ଟା କଲା ନାହିଁ, ତାହା ମୁଁ ବୁଝିପାରୁନାହିଁ । ବିଜୟସେନଙ୍କୁ ପୁଷ୍ପ ଆଣିବା ପାଇଁ ବାରଣ କରିବା କ’ଣ ତା’ର ସଂକୀର୍ଣ୍ଣ ମାନସିକତାର ପରଚିୟ ଦେଉ ନାହିଁ କି? ପୁନଶ୍ଚ ଏପରି ବ୍ୟକ୍ତିକୁ ମହାତ୍ୟାଗୀ କହି ପ୍ରଶଂସା କରିବା କ’ଣ ବିଜୟସେନଙ୍କର ଅଜବ ବ୍ୟବହାର ନୁହେଁ?”
ବିଜୟସେନ ପ୍ରଥମରୁ ରାଜକୁମାରୀଙ୍କୁ ବାଧ୍ୟତାପୂର୍ବକ ବିବାହ କରିବାପାଇଁ ଚାହୁଁଥିଲେ । କିନ୍ତୁ ତାଙ୍କ ପତ୍ର ପଢିବାପରେ ନିଜର ମନୋଭାବ ପରିବର୍ତ୍ତନ କଲେ । ଏହି ବିଚାର-ପରିବର୍ତ୍ତନ କ’ଣ ଏକ ବିଚିତ୍ର ନିଷ୍ପତି ନୁହେଁ? ଏହା ଫଳରେ ରାଜକୁମାରୀଙ୍କର ତାଙ୍କ ପ୍ରତି ଶ୍ରଦ୍ଧା ଯେ ନିଶ୍ଚୟ କମିଯିବ । ଏକଥା କ’ଣ ସେ ବୁଝିପାରୁ ନ ଥିଲେ? ଯଦିବା ସେ ଏହା ଜାଣିଥିଲେ ତେବେ ନିଜେ ସର୍ପଗନ୍ଧା ପୁଷ୍ପ ଆଣିବା ପାଇଁ କାହିଁକି ଯାଇଥିଲେ? କ’ଣ ଶିବମଲ୍ଲଙ୍କ ପ୍ରତି ତାଙ୍କର ଅହେତୁକ ଈର୍ଷା କାରଣରୁ? ମୋର ଏହି ସନ୍ଦେହର ସମାଧାନ ଜାଣି ମଧ୍ୟ ଯଦି ତୁମେ ନୀରବ ରୁହ, ତେବେ ତୁମ ମସ୍ତକ ଶତଧା ବିଦୀର୍ଣ୍ଣ ହେବ ।”
ରାଜା ବିକ୍ରମାର୍କ ଅବିଳମ୍ବେ କହିଲେ, “ଶିବମଲ୍ଲ ରାଜକୁମାରୀଙ୍କୁ ବିବାହ କରିବା ଉଦ୍ଧେଶ୍ୟରେ ତାଙ୍କର ଅଙ୍ଗରକ୍ଷକ ସାଜିଥିଲେ, ଏହା ସମ୍ପୂର୍ଣ୍ଣ ରୂପେ ଭୁଲ୍ ଧାରଣା ଅଟେ । ସେହିପରି ଅମୃତା ମଧ୍ୟ ଶିବମଲ୍ଲ ପ୍ରତି ନିଜର ପ୍ରେମଭାବ ପ୍ରକାଶ କରିନାହାଁନ୍ତି । କେବଳ ଧନୁର୍ବିଦ୍ୟାରେ ବିଚକ୍ଷଣ ହାସଲ କରିଥିବା ଏହି ଯୁବକଙ୍କୁ ସେ ଖୁବ୍ ପ୍ରଶଂସା କରନ୍ତି । ରାଜକୁମାରୀ ଅମୃତା ଜଣେ ଆତ୍ମାଭିମାନୀ ଯୁବତୀ । ସେହି କାରଣରୁ ସେ ତାଙ୍କୁ ବିବାହ କରିବାର ଲାଳସା ପୋଷଣ କରିଥିବା ମହାରାଜା ବିଜୟସେନଙ୍କ ପତ୍ରର ଏପରି ଉତ୍ତର ଦେଇ ତାଙ୍କର ଆଖି ଖୋଲି ଦେଇଛନ୍ତି । ବିଜୟସେନ ଅମୃତାଙ୍କ ପାଇଁ ସର୍ପଗନ୍ଧା ପୁଷ୍ପ ହାସଲ କରିବା ପାଇଁ ଯାତ୍ରାରୁ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି, ତାଙ୍କ ମନରେ ଅମୃତାଙ୍କ ପ୍ରତି ଥିବା ଶ୍ରଦ୍ଧା, କାଣିଚାଏ ବି ଉଣା ହୋଇନାହିଁ ।
ପୁଷ୍ପଟିକୁ ବୃକ୍ଷରୁ ତଳକୁ ପକାଇ ସାରିବା ପରେ ଶିବମଲ୍ଲ ହୃଦୟଙ୍ଗମ କଲେ, ବୃକ୍ଷମୂଳର ସର୍ପଘେରରୁ ସେହି ପୁଷ୍ପଟି ଉଦ୍ଧାର କରିବା ସହଜସାଧ୍ୟ ନୁହେଁ । ଯଦି ସେ ସ୍ୱୟଂ ପୁଷ୍ପଟି ଆଣିବା ପାଇଁ ଯାଇ ଅନ୍ଧ ହୋଇଯାଆନ୍ତି, ତେବେ, କିଏ ନେଇ ତାହା ରାଜକୁମାରୀଙ୍କ ପାଖରେ ପହଁଚାଇବ? ଏହା ଉପଲବ୍ଧି କରି ସେ ବିଜୟସେନ ସେଠାରେ ପହଁଚିବା ପର୍ଯ୍ୟନ୍ତ ନୀରବରେ ଠିଆହୋଇ ରହିଥିଲେ । ନିଜର କର୍ତ୍ତବ୍ୟ ପୂରଣ ପାଇଁ ସେ ବିଜୟସେନଙ୍କୁ ପୁଷ୍ପ ଆଣିବା ପାଇଁ ରୋକିଲେ । ନିଜ କର୍ତ୍ତବ୍ୟପାଳନରେ ଦୃଢ ସଂକଳ୍ପ ଏହି ଯୁବକଙ୍କୁ ରାଜା ବିଜୟସେନ ମୁକ୍ତକଣ୍ଠରେ ପ୍ରଶଂସା କଲେ । ଏପରି ମହାନୁଭବ ଯୁବକଙ୍କୁ ଭୁଲ୍ ବୁଝିଥିବାରୁ ନିଜେ ପଶ୍ଚାତାପ କଲେ ଓ ସକଳ ପ୍ରକାରର ଚିକିତ୍ସା ଯୋଗାଇ ଦେବାପାଇଁ ସଙ୍ଗରେ ନେଇଗଲେ ।”
ଏହିପରି ରାଜାଙ୍କର ମୌନତା ଭଗ୍ନ କରିବାରେ ସଫଳ ହୋଇ ଶବ ସହ ଶବସ୍ଥିତ ବେତାଳ ବି ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେ ବୃକ୍ଷ ଡାଳରେ ଝୁଲି ପଡିଲା ।🙏
Comments
Post a Comment