୨୮ ଜୁଲାଇ ୨୦୨୦ କାହାଣୀ
💚 *ଗପ ଟିଏ... 🌛ଜହ୍ନମାମୁଁ ପୃଷ୍ଠାରୁ* 💚
🍁 *ଘୃତଦାନ* 🍁
ମାଧବ ନାମରେ ଜଣେ ଘିଅ ବେପାରୀ କାଳୀଘାଟ ନାମକ ଏକ ଗ୍ରାମରେ ରହୁଥାଏ । ସେ ବହୁତ ଯତ୍ନର ସହିତ ଘିଅ ତିଆରି କରେ, ତେଣୁ ଏହା ଅନେକଦିନ ପର୍ଯ୍ୟନ୍ତ ଭଲ ହୋଇ ରହେ; ବିଶୁଦ୍ଧ ଘୃତ କାହାର ଆବଶ୍ୟକ ହେଲେ ସେ ମାଧବ ପାଖକୁହିଁ ଆସନ୍ତି । ତେଣୁ ତା’ର ବ୍ୟବସାୟ ବଡ ସୁରଖୁରୁରେ ଚାଲୁଥାଏ ।
ମାଧବ ସର୍ବଦା ସତର୍କ ଥାଏ ଯେପରି ତା’ର ଘିଅ ସର୍ବଦା ବିଶୁଦ୍ଧ ରହେ । ପାପକୁ ସେ ବହୁତ ଭୟ କରୁଥିଲା । ଭଗବାନ୍ଙ୍କ ପ୍ରତି ସର୍ବଦା ତା’ର ଭକ୍ତିଭାବ ଥିଲା । ତେଣୁ ସେ ସଚ୍ଚୋଟ ବ୍ୟବସାୟୀ ଭାବରେ ଖ୍ୟାତି ଅର୍ଜନ କରିଥିଲା; ଲୋକମାନଙ୍କର ତା’ଉପରେ ଅଗାଧ ବିଶ୍ୱାସ ଥିଲା । ତା’ର କେତେକ ବନ୍ଧୁ ତାକୁ ପ୍ରଲୋଭନରେ ପକାଇଥିଲେ । କିନ୍ତୁ ସେ ନିଜ ଆଦର୍ଶକୁ ଯଥେଷ୍ଟ ମୂଲ୍ୟ ଦେଉଥିଲା । ତେଣୁ ସେ ସୁଖୀ ଥିଲା ଓ ବେଳେ ବେଳେ ଘିଅ ଦାନ ମଧ୍ୟ କରୁଥିଲା । କାରଣ ସେ ଭାବୁଥିଲା ଯେଉଁ କାରଣରୁ ବା ଯେଉଁ ବସ୍ତୁ ହେଉ ପଛେ ଦାନ ଦେବା ବ୍ୟକ୍ତି ବଡ ଭାଗ୍ୟବାନ୍ ।
ସେଠାକାର ଜମିଦାରଙ୍କୁ ଥରେ କୌଣସି କାରଣରୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା । ଫଳରେ ତାଙ୍କର ମାନସିକ ଅଶାନ୍ତି ବଢିବାରେ ଲାଗିଲା । ତାଙ୍କ ପରିବାରର ଜ୍ୟୋତିଷ କହିଲେ କି ଗ୍ରହଶାନ୍ତି କରାଯିବ । ତା’ପରେ ସେ ଜମିଦାର ଯଜ୍ଞର ପ୍ରସ୍ତୁତି ପାଇଁ ଜୋର୍ସୋର୍ରେ ଲାଗିଗଲେ କିନ୍ତୁ ହୋମର ପୁରା ଭାର ପୁରୋହିତଙ୍କ ଉପରେ ଦିଆଗଲା ତାଙ୍କରି କାର୍ଯ୍ୟ ଉପରେ ଯଜ୍ଞର ସାଫଲ୍ୟ ନିର୍ଭର କରୁଛି । ପ୍ରଥମେ ପୁରୋହିତ ଘିଅ କଥା ଭାବିଲେ । ଗାଈଘିଅ ହେବା ଆବଶ୍ୟକ, ଆଉ ପୁଣି ତାହା ବିଶୁଦ୍ଧ ନିଶ୍ଚୟ ହୋଇଥିବ ।
ସେ ପୁରୋହିତ ତ ପୂର୍ବରୁ ମାଧବ ବିଷୟରେ ଶୁଣିଥିଲେ । ସେ ତାକୁ ଡାକି କହିଲେ, “ମାଧବ, ହାତରେ ବହୁତ କମ ସମୟ ଅଛି; ଯଜ୍ଞ ପାଇଁ ତୁମେ ଦଶଗରା ଘିଅ ଦେବ । ମୂଲ୍ୟ ବିଷୟରେ କିଛି ଭାବିବ ନାହିଁ । ଜମିଦାର ପୁଣ୍ୟବାନ୍ ଓ ନିର୍ଲୋଭୀ । ତେଣୁ ତୁମେ ଯେତେ ଟଙ୍କା ଦାବୀ କରିବ ସେ ସେତେ ଟଙ୍କା ଦେଇଦେବେ । କାରଣ ଯଜ୍ଞ ପାଇଁ ବିଶୁଦ୍ଧ ଘିଅ ଆବଶ୍ୟକ । ସେଥିପାଇଁ ତୁମର ଖ୍ୟାତି ମୁଁ ଆଗରୁ ଶୁଣିଛି ଏବଂ ସେଇ ବିଶ୍ୱାସରେ ତୁମକୁ ଏହି ଦାଇତ୍ତ୍ଵ ମୁଁ ଦେଲି ।”
ପୁରୋହିତଙ୍କଠାରୁ ସବୁକଥା ଶୁଣି ସେ ସେଥିରେ ରାଜି ହେଲା । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସେ ଦଶଗରା ଘିଅ ଯେମିତି ହେଲେ ଦେବ । ତେଣୁ ସେ ବହୁତ ପରିଶ୍ରମ କରି ଘିଅ ତିଆରି କରି, ଗରାମାନଙ୍କରେ ସେସବୁ ଭର୍ତ୍ତି କରୁଥାଏ ।
ଠିକ୍ ସେହି ସମୟରେ ଜମିଦାରଙ୍କର ଜଣେ ବନ୍ଧୁ କୌଣସି ଏକ ବିଷାକ୍ତ ବ୍ରଣରେ ପୀଡିତ ହେଲେ । ପୂର୍ବରୁ ସେ ମଧୁମେହ ରୋଗରେ ପୀଡିତ ଥିଲେ । ତେଣୁ ଏହି ବ୍ରଣସବୁ ଅଧିକ ବିଷାକ୍ତ ହୋଇଗଲା । ସେତେବେଳେ ବୈଦ୍ୟ ରୋଗୀଙ୍କର ଘନିଷ୍ଠ ଲୋକମାନଙ୍କୁ କହିଲେ, ଯେ କୌଣସି ପତ୍ରକୁ ଗାଈଦୁଧରେ ବୁଡାଇ, ପୁଣି ତାକୁ ଗରମ କରି ବ୍ରଣ ଉପରେ ଲଗାଇଲେ, ତାହା କ୍ରମେ ଉପଶମ ହେବ । ପୁଣି ମୁଁ କିଛି ଔଷଧ ଦେବି ତାକୁ ଘିଅ ସହିତ ମିଶାଇ ରୋଗୀକୁ ଖୁଆଇବ । କିନ୍ତୁ ଘିଅ ଯେପରି ବିଶୁଦ୍ଧ ହୋଇଥାଏ ।
ଗାଈର ଘିଅ ପାଇଁ ଜଣେ ବ୍ୟକ୍ତି ମାଧବ ପାଖକୁ ଧାଇଁଲେ । କାରଣ କେବଳ ତା’ ପାଖରେହିଁ ବିଶୁଦ୍ଧ ଘିଅ ମିଳିବ । ସେତେବେଳେ ଜମିଦାରଙ୍କ ଯଜ୍ଞ ଆଉ ମାତ୍ର ଦଶଦିନ ବାକି ଥାଏ । ମାଧବ ଇତିମଧ୍ୟରେ ଦଶଟି ଗରାରେ ଘିଅ ଭର୍ତ୍ତି କରି ରଖିସାରିଥାଏ । ଏବେ ଜମିଦାରଙ୍କ ବନ୍ଧୁଙ୍କର ଗାଈଘିଅରେ ଆବଶ୍ୟକତା ପଡିଲା । ଏବେ ପୁଣି ସେ ଆଉ କ’ଣ କରନ୍ତି? ନାହିଁ ବୋଲି କହିଲେ ହୁଏତ ଜମିଦାର ମଧ୍ୟ ରାଗିବେ । ଅଳ୍ପଟିକିଏ ହେଲେବି ତାହା ଚଳିବ ନାହିଁ ।
ଏ ବିଷୟରେ ମାଧବ ବହୁତ ଚିନ୍ତାକରି ଶେଷକୁ ଗୋଟିଏ ଘିଅଭର୍ତ୍ତି ଗରା ତାକୁ ଦେଇଦେଲା ଏବଂ ପୁଣି ଗୋଟିଏ ଗରା ପୂର୍ଣ୍ଣ କରିବା ପାଇଁ ଲାଗିପଡିଲା; କିନ୍ତୁ ତା’ର ଦୁର୍ଭାଗ୍ୟ ହେଉ ବା ଭଗବାନ୍ଙ୍କର ପରୀକ୍ଷା ହେଉ, ସେହି ଶେଷଗରାଟି ପୂର୍ଣ୍ଣ ହୋଇ ପାରିଲା ନାହିଁ । ସେ କିଂକର୍ତ୍ତବ୍ୟବିମୂଢ ହୋଇ ପୁରୋହିତଙ୍କୁ ଯାଇ ସମସ୍ତ ଘଟଣା କହିଲା ।
ପୁରୋହିତ ସବୁକଥା ଶୁଣିବା ପରେ ଅଳ୍ପ ହସି କହିଲେ, “ମାଧବ, ତୁମର ବିଶ୍ୱସ୍ତତା ଅତ୍ୟନ୍ତ ପ୍ରଶଂସନୀୟ । ତୁମ ସ୍ଥାନରେ ଆଉ କେହି ହୋଇଥିଲେ, ସେ ନିଶ୍ଚୟ ମଇଁଷି ଦୁଧରେ ଘିଅ ତିଆରି କରି ଗାଈର ଘିଅ ସହିତ ମିଶାଇ ଦେଇଥା’ନ୍ତା । ଭୂମି, ସୁନା, ତିଳ, ଶସ୍ୟ, ଲୁଣ, ଗୁଡ, ବସ୍ତ୍ର, ରୂପା ଓ ଗାଈ ଏସବୁ ହେଲା ନଅଟି ଦାନ । କୁହାଯାଏ କି ଘିଅକୁ ନେଇ ଦଶଟି ଦାନ, ତୁମେ ବ୍ୟବସାୟ କଲେ ମଧ୍ୟ ଦେବ କାର୍ଯ୍ୟ ପାଇଁ ଘିଅ ଦେଇ ପୁଣ୍ୟ ଅର୍ଜନ କରୁଛ । ମୁଁ ଏବେ ତୁମକୁ ଯଜ୍ଞ ବିଷୟରେ କିଛି କହିବି । ପ୍ରକୃତରେ ଏହି ଯଜ୍ଞ ପାଇଁ ନଅ ଗରା ଘିଅ ଦରକାର । ମୁଁ ଭାବିଲି କି ନବଗ୍ରହଙ୍କୁ ଶାନ୍ତି କରିବାକୁ ହେଲେ ବେଳେ ବେଳେ ଯଜ୍ଞରେ ଅଧିକ ଘିଅ ଲାଗିପାରେ । କେବଳ ସେଇଥିପାଇଁ ମୁଁ ଦଶଗରା ଘିଅ ମାଗିଥିଲି । ଏକଥା ତୁମେ ଆଉ କାହାକୁ ମଧ୍ୟ କହିବ ନାହିଁ । କିନ୍ତୁ ତୁମ ନିକଟରେ ଯେତିକି ଘିଅ ଅଛି ତାହା ଯଜ୍ଞ ପାଇଁ ପର୍ଯ୍ୟାପ୍ତ । ଦଶମଗରାର ଘିଅ ଯଦି ଜମିଦାରଙ୍କ ବନ୍ଧୁଙ୍କ ପାଇଁ ଆବଶ୍ୟକ ହେଲା, ବୁଝିବ ଯେ ରୋଗନିବାରଣ ସକାଶେ ଏହି କାମ ଦେବତାଙ୍କ ଇଚ୍ଛାରେ ହୋଇଛି ।”
ଏହାପରେ ମାଧବ ପୁରୋହିତଙ୍କୁ ପ୍ରଣାମ କରି ଘରକୁ ଫେରିଲା । ନବଗ୍ରହ ଶାନ୍ତି ଯଜ୍ଞ ମଧ୍ୟ ହୋଇଗଲା । ଯଜ୍ଞ ଫଳ ଯୋଗୁଁ ହେଉ ବା ଜମିଦାରଙ୍କ ଭାଗ୍ୟ ଫଳ ଯୋଗୁଁ ହେଉ ଜମିଦାରଙ୍କର ସମସ୍ତ ସମସ୍ୟା ସମାଧାନ ହୋଇଗଲା ।
ଯଜ୍ଞ ହେବାର ଦୁଇଦିନ ପରେ ଅନ୍ୟଗ୍ରାମରୁ ଜଣେ ଲୋକ ଗରା ଭର୍ତ୍ତିକରି ଘିଅ ନେଇ ଆସି ମାଧବକୁ ଦେଲା । ମାଧବ ସେହି ଘିଅର ସଦୁପଯୋଗ ବିଷୟରେ ବହୁତ ଚିନ୍ତା କଲା । ଶେଷକୁ ସେ ପୁରୋହିତଙ୍କ ପାଖକୁ ଯାଇ କହିଲା, “ମହାଶୟ, ମୋତେ ପୁଣି ସୁଯୋଗ ମିଳିଛି । ଆପଣହିଁ ଏହି ଘିଅକୁ ଦାନ ରୂପରେ ଗ୍ରହଣ କରନ୍ତୁ ।”
ଶ୍ରଦ୍ଧା ଓ ଭକ୍ତିର ସହିତ ମାଧବ ଅନୁରୋଧ କରିଥିବାରୁ ପୁରୋହିତ ଆଉ ନାହିଁ କରି ପାରିଲେନି । ସେ ମାଧବର ସେହି ଦାନକୁ ସ୍ୱୀକାର କଲେ ।
ମାଧବର ଏହି ଦାନ କଥା ସମସ୍ତେ ଜାଣିଲେ । ଶେଷକୁ ତାହା ଯାଇ ଜମିଦାରଙ୍କ କାନରେ ମଧ୍ୟ ପଡିଲା । ସେ ଦିନେ କୌତୁହଳବଶତଃ ଛୋଟ ସଭାଟିଏ ଡାକିଲେ ଓ ମାଧବ ଏବଂ ପୁରୋହିତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।
ପ୍ରଥମେ ଜମିଦାର କହିଲେ, “ପୁରୋହିତ ତ ନବଗ୍ରହ ଶାନ୍ତି ପାଇଁ ଯଜ୍ଞ କଲେ ଓ ଦଶଗରା ଘିଅ ମଗାଇଲେ । କିନ୍ତୁ ମାଧବ ନଅଟି ଘିଅଗରା ଦେଇଛି ଓ ପୁରୋହିତ ମଧ୍ୟ କିପରି ସେଇଥିରେ କାମ ଚଳାଇଲେ? ସେଇଟା ଠିକ୍ ଅଛି; କିନ୍ତୁ ମୋର ଟିକିଏ ସନ୍ଦେହ ହେଉଛି ଯେ ମାଧବ ଓ ପୁରୋହିତ ମିଳିମିଶି କିଛି ଗୋଟାଏ ଗୋଳମାଳ ନିଶ୍ଚୟ କରିଛନ୍ତି । କ’ଣ ମାଧବ? ମୋ କଥା ସତ?”
ଏକଥା ଶୁଣି ମାଧବ ହାତ ଯୋଡି ଜମିଦାରଙ୍କୁ କହିଲା, “ମୋର ବିଶ୍ୱାସ ଅଛି ଯେ କଷ୍ଟ ହେଲେ ଭଗବାନ ମଧ୍ୟ ଆସି ରକ୍ଷା କରିବେ । ପୁରୋହିତଙ୍କୁ ପଚାରି ମୁଁ ଦଶମ ଗରାଟି ଆପଣଙ୍କ ବନ୍ଧୁଙ୍କ ଔଷଧ ପାଇଁ ଦେଇଛି । ଏବେ ମୁଁ ଯେଉଁ ଗରାଟି ପୁରୋହିତଙ୍କୁ ଦାନ ଦେଇଛି ସେଇଟି ମୋର ଜଣେ ବନ୍ଧୁବାନ୍ଧବ ଦୂରରୁ ମୋ ପାଖକୁ ପଠାଇଥିଲେ । କାରଣ ଏହି ଘିଅ ମୁଁ ଅନ୍ୟ ଏକ ଗ୍ରାମବାସୀଙ୍କ ପାଖକୁ ପଠାଇଥିଲି । ତାଙ୍କର କାମ ପାଇଁ କିଛି ରଖି ଅତିରିକ୍ତ ଏକ ଗରା ଘିଅକୁ ସେମାନେ ମୋ ଘରକୁ ଫେରାଇ ପଠାଇଥିଲେ ଏବଂ ସେହି ଘିଅକୁ ମୁଁ ପୁରୋହିତଙ୍କୁ ଦାନ ଦେଲି ।” ଏହି କାର୍ଯ୍ୟ ମୋର ହୁଏତ ଭୁଲ୍ ହୋଇପାରେ, କିନ୍ତୁ ଏହା ପଛରେ ଆପଣଙ୍କୁ ଅସମ୍ମାନିତ କରିବା ମୋର କୌଶସି ଅଭିପ୍ରାୟ ନାହିଁ ।”
ମାଧବର କଥା ଶୁଣି ସଭାସ୍ଥ ବ୍ୟକ୍ତିଗଣ ବଡ ଖୁସି ହୋଇ କରତାଳି ଦେଲେ । ଜମିଦାର ମଧ୍ୟ ତାକୁ ବହୁତ ପ୍ରଶଂସା କଲେ ।🙏
Comments
Post a Comment