୨୮ ଜୁନ ୨୦୨୦ କାହାଣୀ

💐 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 💐

🍁 *କ୍ଷତିରୁ ଲାଭ* 🍁

ଶେଖର ଓ ଶୋଭାଙ୍କର ବିବାହ ସମ୍ପନ୍ନ ହୋଇଗଲା । କିନ୍ତୁ ପତିପତ୍ନୀଙ୍କ ମଧ୍ୟରେ ଗୋଟିଏ ବିଷୟରେ ମନ ଅମେଳ ରହୁଥିଲା । ଶେଖର ଗ୍ରାମରେ ରହିବାକୁ ପସନ୍ଦ କରୁଥିବା ବେଳେ, ଶୋଭା ସହରାଭିମୁଖୀ ଥିଲେ । ପାଠପଢା ସରିବା ପରେ ଶେଖର ଚାକିରୀଟିଏ ସନ୍ଧାନରେ ଥିଲେ । ଅକସ୍ମାତ ପିତାଙ୍କ ଦେହାନ୍ତ ଘଟିବାରୁ ପାରିବାରିକ ଦାୟିତ୍ୱ ସମ୍ଭାଳିବା ପାଇଁ ତାଙ୍କୁ ଗ୍ରାମରେ ରହିବା ପାଇଁ ପଡିଲା । ତା’ ମୁଣ୍ଡ ଉପରେ ଗୋଟିଏ ଭଉଣୀର ବିବାହ ଭାର ବି ଥିଲା । ତେଣୁ ସେ ଆଉ ଚାକିରୀ ପଛରେ ନ ଧାଇଁ ଗ୍ରାମରେ ଜମିବାଡି ଦେଖାଶୁଣା କରି ସରଳ ଜୀବନଯାପନ କରୁଥିଲେ ।

                କିନ୍ତୁ ପତ୍ନୀ ଶୋଭାଙ୍କୁ ଗ୍ରାମୀଣ ପରିବେଶ ଆଦୌ ଭଲ ଲାଗୁ ନ ଥାଏ । ବିବାହ ଚାରିମାସ ନ ପୁରୁଣୁ ସେ ଏହି ମନ୍ତବ୍ୟ ଦେବାକୁ ଆରମ୍ଭ କଲେ, “ଏହା ଘର କି କୈଦୀଖାନା, ଏଠାରେ ପବନ ନାହିଁ, ଆଲୋକ ନାହିଁ, ଚାରିଆଡେ ମଶା, ମାଛି, ଅସରପା, ମୂଷା ରଣଭଣ । ସଂନ୍ଧ୍ୟାରେ ଘରୁ ବାହାରି ବୁଲିଯିବା ପରି ଜାଗାଟିଏ ବି ଏଠି ନାହିଁ । ଏଠି ଆଉ ଛଅଟା ମାସ ରହିଗଲେ ତ ମୁଁ ପୁରାପୁରି ପାଗଳୀ ହୋଇଯିବି ।”

                ଏସବୁ ଶୁଣି ଶେଖର ବୁଝାନ୍ତି, “ଏହି ଘରେ ମୁଁ ପଚିଶ ବର୍ଷ ହେଲା ରହିଆସୁଛି । ସହରରେ ଚଳି ଆସିଥିବାରୁ, ପ୍ରଥମେ ପ୍ରଥମେ ତୁମକୁ ଏପରି ଅସୁବିଧା ଲାଗୁଛି । ଧୀରେ ଧୀରେ ସବୁ ସୁଧୁରି ଯିବ ।”

                କିନ୍ତୁ ଦିନକୁ ଦିନ ଶୋଭାଙ୍କର ଅସନ୍ତୋଷ ବଢିଚାଲିଲା । ସେ ତାଙ୍କର ପିତାଙ୍କ ଘରକୁ ଯାଇଥିବା ସମୟରେ ନିଜର ଦୁଃଖ ପିତାଙ୍କ ଆଗରେ ପ୍ରକାଶ କରି କହିଲେ, “ଯେପରି ହେଉ, ଆପଣଙ୍କ ଜୋଇଁଙ୍କ ପାଇଁ ଏକ ଚାକିରୀ ସହରରେ ଯୋଗାଡ କରିଦିଅନ୍ତୁ । ସେହି ଦରିଦ୍ର ଗ୍ରାମରେ ଆଉ ଅଧିକଦିନ ରହିବା ମୋ ପକ୍ଷରେ ଅସମ୍ଭବ ।” କନ୍ୟାର ଆଖିର ଲୁହ ଓ ଅଭିଯୋଗ ଦେଖି ପିତା ତାଙ୍କର ଜଣେ ବନ୍ଧୁଙ୍କ ମାଧ୍ୟମରେ ଏକ ଚାକିରୀ ବୁଝିଦେଲେ । ସହର ପାଖାପାଖି ଏକ ବଡ ଗ୍ରାମରେ ଶେଖରଙ୍କୁ କାମ କରିବା ପାଇଁ ପଡିବ ।

                ଏହି ସମାଚାର ଆଣି ଶୋଭା ପତିଗୃହକୁ ଫେରିଆସିଲେ । ଶେଖରଙ୍କୁ ରାତ୍ରିଭୋଜନ ପରଷି ଦେଉଥିବା ସମୟରେ ଶୋଭା କହିଲେ, “ଏବେ ଜିନିଷପତ୍ର ବନ୍ଧାବନ୍ଧି ଆରମ୍ଭ କର । ଦୁଇଦିନ ମଧ୍ୟରେ ଆମେ ଏ ଗ୍ରାମରୁ ମୁକ୍ତ ହୋଇଯିବା । ମୋର ପିତା ତୁମକୁ ଏହି ମାଟି, ଝାଳ ଆଉ ଦୁର୍ଭାଗ୍ୟର ଜୀବନରୁ ଉଦ୍ଧାର କରିଦେଇଛନ୍ତି ।” ଚାକିରୀ ବୁଝାହୋଇଥିବା ବିଷୟ ଶୋଭା ଏପରି ଢଙ୍ଗରେ ଉପସ୍ଥାପନ କଲେ ସତେ କି ତାଙ୍କ ପିତା ଏକ ଅସମ୍ଭବକୁ ସମ୍ଭବ କରି ଦେଇଛନ୍ତି ।

                କିଛି କ୍ଷଣ ଚିନ୍ତା କରିବା ଉତାରେ ଶେଖର କହିଲେ, “କୁହନ୍ତି, ଭଗବାନ୍ ଯାହା କରନ୍ତି, ତାହା ପ୍ରାଣୀର ମଙ୍ଗଳ ପାଇଁ । ସହରକୁ ଗଲେ ମାଙ୍କୁ ଭଲ ଚିକିତ୍ସା ସୁଯୋଗ ମିଳିପାରିବ । ବଡ ଗ୍ରାମକୁ ଗଲେ ଭଉଣୀ ପାଇଁ ପ୍ରସ୍ତାବ ମଧ୍ୟ ଯୋଗାଡ ହୋଇଯାଇପାରେ । କିନ୍ତୁ ଜମିବାଡି କାହା ଦାୟିତ୍ୱରେ ଦେଇ ଆମେ ସେଠାକୁ ଯିବା?”

ଶେଖରଙ୍କ ଏଭଳି କଥା ଶୁଣି ଶୋଭା ହଠାତ୍ ଥଣ୍ଡା ପଡିଗଲେ । କିନ୍ତୁ ପୁଣି ଜୋଶ୍କୁ ଆସି ସେ କହିଲେ, “ବାଃ ବାଃ ତୁମ ମୁଣ୍ଡରେ ଯେଉଁ ବୁଦ୍ଧି । ଜମିବାଡି କାହାକୁ ଦେଇଗଲେ ଆମକୁ ବା କେମିତି ଆମଦାନୀ ମିଳିବ । ତୁମର ମା, ଭଉଣୀ ଏଇଠି ଗ୍ରାମରେ ରହି ଜମିବାଡି ବୁଝାବୁଝି କରିବେ । ଭଉଣୀର ପୁଣି ବିଭାଘର ପାଇଁ ଧନସଂଚୟ କରିବାକୁ ପଡିବ କି ନାହିଁ?” ଶେଖର ଅନନ୍ୟୋପାୟ ହୋଇ ଶୋଭାଙ୍କୁ ସଙ୍ଗରେ ଧରି ସହର ବାହାରିପଡିଲେ । ସହର ସନ୍ନିକଟସ୍ଥ ସେହି ଗ୍ରାମ ଶୋଭାଙ୍କର ଖୁବ୍ ପସନ୍ଦ ହେଲା । ଥରେ ଗଣେଶ ଚତୁର୍ଥୀରେ ଶେଖର ଗ୍ରାମକୁ ଯାଇଥିବା ସମୟରେ ଭଉଣୀ କହିଲା, “ଦଶହରା ପର୍ବ ସମୟରେ ଆମେ ତୁମ ପାଖକୁ ଯାଇ, ଦୀପାବଳୀ ପର୍ଯ୍ୟନ୍ତ ରହିବୁ । ସହର ଦେଖିବା ପାଇଁ ମୋର ବହୁତ ଆଗ୍ରହ ରହିଛି ।”

                ଶୋଭା ଚାହୁଁ ନ ଥିଲେ । ଶାଶୁ ବା ନଣନ୍ଦ କେହି ତାଙ୍କ ପାଖକୁ ଆସନ୍ତୁ ବା କିଛିଦିନ ରହନ୍ତୁ । ତେଣୁ ଦଶହରା ପର୍ବ ପୂର୍ବରୁ ସେ ଅସୁସ୍ଥତାର ଛଳନା କଲେ । ବିଚରା ଶେଖରଙ୍କୁ ଗ୍ରାମକୁ ଏହି ଖବର ପଠାଇବା ପାଇଁ ପଡିଲା ଯେ, ସେମାନେ ଦୀପାବଳୀ ସମୟକୁ ସହରକୁ ଆସନ୍ତୁ । ଦୀପାବଳୀ ପାଖେଇ ଆସିବାରୁ ଶୋଭା କହିଲେ, “ଦଶହରା ବେଳେ ମୁଁ ରେଶମୀ ଶାଢୀ କିଣିଥିବାରୁ, ଏବେ ଆଉ ଶାଢୀ ନ କିଣି ସୁନାଚୁଡି ଚାରିପଟ କିଣିବି ବୋଲି ସ୍ଥିର କରିଛି ।”

                ଶେଖର ହସି ହସି କହିଲେ, “ମା ଓ ଭଉଣୀ ପ୍ରଥମ କରି ସହର ଆସିବେ । ସେମାନଙ୍କ ପାଇଁ ଶାଢୀ କିଣିଦେବାପରେ ତୁମ ପାଇଁ ଚୁଡି କଥା ଭାବିବା ।” ମାତ୍ର ଶୋଭା ଜିଦ୍ କରି କହିଲେ “ଏବେ ଏତେ ଖର୍ଚ୍ଚ କରିବା କଣ ଆବଶ୍ୟକ? ଭଉଣୀର ବିବାହ ସମୟରେ କିଣିଲେ କଣ ଚଳିବନି? ମୁଁ ଭାବୁଥିଲି ତୁମ ପାଖରେ ଯଥେଷ୍ଟ ଅର୍ଥନାହିଁ । ତେଣୁ ମାତ୍ର ଚାରିପଟ ଚୁଡି କିଣିବା କଥା କହିଲି । କିନ୍ତୁ ଏବେ ମୁଁ ସୁନାହାର କିଣିବା ପାଇଁ ଚାହୁଁଛି ।”

                ଶେଖର ତାଙ୍କୁ ବୁଝେଇବା ପାଇଁ ଅନେକ ଚେଷ୍ଟା କରି ମଧ୍ୟ ଶେଷରେ ବିଫଳ ହେଲେ । ସେହିଦିନ ସଂନ୍ଧ୍ୟାରେ ସେମାନେ ସହରକୁ ଆସିଲେ । ଗହଣା ଦୋକାନରେ ବିଭିନ୍ନ କିସମର ଗହଣା ଭିତରୁ ଏକ ମୋତି ଖଚିତ ସୁନାହାର ଶୋଭାଙ୍କର ପସନ୍ଦ ହେଲା । ସେ ଦୋକାନରେ ତ ଗ୍ରାହକଙ୍କ ଭିଡ ଜମିଥାଏ । ଶୋଭା ହାରଟିକୁ ଦେଖାଇ ତା’ ଦାମ୍ ପଚାରିଲେ । ଓଜନ କରି ସେ ସେଇଟିର ଦାମ୍ ସାତହଜାର ଟଙ୍କା, କହିଲେ ।

                ଏତେ ଅଧିକ ଦାମ୍ ହୋଇଥିଲେ ମଧ୍ୟ ଶୋଭାଙ୍କର ସେଇ ହାରଟିକୁ ନେବା ପାଇଁ ଏକାଜିଦ୍ । ଶେଖର ରାଜିହେବାରୁ ଦୋକାନର କର୍ମଚାରୀ ମାଲିକଙ୍କୁ ବଡ ପାଟିରେ ‘ସାତହଜାର’ ଟଙ୍କା କରି ହାରଟିକୁ ଏକ ଡିବା ମଧ୍ୟରେ ରଖି ଶୋଭାଙ୍କୁ ହାତକୁ ତାହା ବଢାଇଦେଲେ ।

                ହାରର ଓଜନ ଓ ଦାମ୍ ସମ୍ଭବତଃ ମାଲିକ୍ ଠିକ୍ ରୂପେ ଶୁଣିପାରିଲେ ନାହିଁ । ତେଣୁ ତାହାକୁ ତିନିହଜାର ଟଙ୍କା ହିସାବ କରି ରସିଦ୍ ଦେଲେ । ଶେଖର ଏହି ତ୍ରୁଟିକୁ ସୁଧାରିବା ପାଇଁ ଚେଷ୍ଟା କରିବାରୁ ପତ୍ନୀ ଶୋଭା ତାଙ୍କୁ ବାରଣ କରି ନିମ୍ନ ସ୍ୱରରେ କହିଲେ, “ତୁମେ ଆଉ ପାଗଳ ହୋଇଯାଇ ନାହଁ ତ? ଦୀପାବଳୀ ସମୟରେ ଘରକୁ ଆସୁଥିବା ଲକ୍ଷ୍ମୀକୁ ଫେରେଇଦେଉଛ! ତିନିହଜାର ଟଙ୍କା ଦେଇ ଏଠାରୁ ଶୀଘ୍ର ବାହାରି ଆସ । ବାକୀ ଚାରିହଜାର ଟଙ୍କାରେ ମୁଁ ଚୁଡି କିଣିନେବି ।”

                ଶେଖର ବାହାରକୁ ଆସି କହିଲେ, “ବଳକା ଟଙ୍କାରେ ମା’ ଓ ଭଉଣୀଙ୍କ ପାଇଁ ଶାଢୀ କିଣି ନେବା ।”

                “କଣ କହିଲ” ଶାଢୀ କିଣିବ? ମୁଁ ଯଦି ତୁମକୁ କହି ନ ଥାନ୍ତି ତେବେ ସେ ଚାରିହଜାର ଟଙ୍କା ତୁମେ ପରା ଦୋକାନୀକୁ ଯାଚି କରି ଦେଇଆସିଥାନ୍ତ । ତେଣୁ ସେହି ଟଙ୍କା ଉପରେ ତୁମର ଆଉ କୌଣସି ଅଧିକାର ନାହିଁ ।” ଶୋଭାଙ୍କର ଏହି ଅଜବ ଯୁକ୍ତି ସମ୍ମୁଖରେ ଶେଖର ଆଉ ପାଟି ଫିଟେଇ ପାରିଲେ ନାହିଁ ।

                ଘରେ ପହଁଚି, ହାରଟିକୁ ମନପୁରେଇ ଦେଖିବାକୁ ଗଲାବେଳେ ଶୋଭା ଦେଖିଲେ ତାର ଅଙ୍କୁଶଟି ଭାଙ୍ଗିଯାଇଛି । ପରଦିନ ନିକଟବର୍ତ୍ତୀ ସୁନାରୀ ଦୋକାନକୁ ନେବାରୁ ସେ କହିଲେ, “ମୋର କାହିଁ ମନେ ହେଉଛି ଯେ ଏହା ଏକ ନକଲିହାର । କିଣିଥିବା ଦୋକାନକୁ ନେଇ ସେଠାରେ ସଜାଡି ନିଅ ।”

                ଏଭଳି କଥା ଶୁଣି ଶୋଭାଙ୍କର ମଥା ଯେମିତି ଅଚାନକ ଘୁରିଗଲା ।  ସହରର ଗହଣା ଦୋକାନରେ ଦିନ ଦି ପହରରେ ତାଙ୍କୁ ଶେଷରେ ଠକି ହେବା ପାଇଁ ପଡିଲା । ସେହିଦିନ ସଂନ୍ଧ୍ୟା ସମୟରେ ପତିପତ୍ନୀ ଗହଣା ଦୋକାନରେ ପହଁଚି, ନକଲି ହାରଟି ଦେଖାଇ କ୍ରୋଧରେ ଚିତ୍କାର କଲେ, “ଏପରି ଠକାମୀ ପାଇଁ ଆମେ ତୁମକୁ ଉପଯୁକ୍ତ ଦଣ୍ଡ ଦିଆଇବୁ ।”

ଦୋକାନୀ ହାରଟିକୁ ଓଜନ କରି କହିଲେ, “ଏହି ହାରର ଦାମ୍, ଏହାର ଓଜନ ଅନୁପାତରେ ସାତହଜାର ଟଙ୍କା ଅଟେ । ଆପଣ ତିନିହଜାର ଟଙ୍କା ହାରଟି ପାଖରେ ରଖି ଏହି ନକଲି ହାର ଆଣି ଆମକୁ ଦେଖାଇ ବଦ୍ନାମ କରୁଛନ୍ତି । ଆମେ ଆପଣଙ୍କ ଧୋକାବାଜୀର ଉପଯୁକ୍ତ ବ୍ୟବସ୍ଥା କରିଦେଉଛୁ ।”

ପତିପତ୍ନୀ ଏବେ ଠିକ୍ ବୁଝିପାରିଲେ ଯେ, କେଉଁ ଉଦ୍ଧେଶ୍ୟରେ ହାରର ଓଜନ ଓ ଦାମ୍କୁ କମ୍ ଲେଖି ରସିଦ୍ ଦେଇ ଦୋକାନୀ ଟଙ୍କା ରଖିଥିଲେ । କିନ୍ତୁ ଏବେ ଆଉ କିଛି ଉପାୟ ସେମାନଙ୍କ ପାଖରେ ନ ଥିଲା । ଏହାପରେ ଚୁପ୍ ଚାପ୍ ସେମାନେ ଘରକୁ ଫେରିଲେ । ଶୋଭାଙ୍କର ମୁହଁ ଦୁଃଖ ଓ ଅପମାନରେ କଳାକାଠ ପଡିଯାଇଥିଲା, ଓ ସେ ମନଇଚ୍ଛା ସେହି ଦୋକାନୀକୁ ବକୁଥିଲେ ।

ଶେଖର ସ୍ମିତ ହସି କହିଲେ, “ଦେଖ, ଶୋଭା, ପ୍ରକୃତରେ ସବୁ ଭୁଲ୍ ଆମର । ତୁମେ ତ ପ୍ରଥମେ ଗହଣା ଦୋକାନୀକୁ ଧୋକା ଦେବା ପାଇଁ ଚାହିଁଲ । ଏବେ ପୁଣି ସେ ଦୋକାନୀକୁ ତା’ର ନୀଚକର୍ମ ପାଇଁ ଗାଳି କରୁଛ । ହେଲେ, ତୁମର ଶାଶୁ ଓ ନଣନ୍ଦ ପ୍ରତି କିପରି ଘୃଣାସ୍ପଦ ଆଚରଣ, ତାହା କେବେ ଥରେ ଭାବିଛ କି, ଦୋକାନୀ ପ୍ରତି ତୁମର ମନରେ ଯେଉଁ ଧାରଣା ସୃଷ୍ଟି ହୋଇଛି ମୋ ମନରେ ମଧ୍ୟ ତୁମପ୍ରତି ଠିକ୍ ସେପରି ଧାରଣା ରହିଛି । କିନ୍ତୁ ପତିପତ୍ନୀ ଭାବରେ ସଂସାର ଚଳେଇବା ପାଇଁ ସବୁ ସହ୍ୟ କରିନେବାକୁ ପଡୁଛି ।”

ଶେଖରଙ୍କ କଥା ଶୋଭାଙ୍କ ଆଖି ଖୋଲି ଦେଲା । ଏହାପରେ ସେ ଆପଣାର ଦୋଷ ସ୍ୱୀକାର କରିନେଲେ ଓ ଭବିଷ୍ୟତରେ ଏପରି ଆଚରଣ କେବେବି କରିବେ ନାହିଁ ବୋଲି ବଦ୍ଧ ପରିକର ହେଲେ । ଏହି ପରିବର୍ତ୍ତନ ଶେଖରଙ୍କ ମନରେ ଏତେ ଆନନ୍ଦ ଭରିଦେଲା ଯେ, ଗହଣା ଦୋକାନୀ ଠକି ନେଇଥିବା ତିନି ହଜାର ଟଙ୍କା ତା ତୁଳନାରେ ତାଙ୍କୁ ତୁଚ୍ଛ ମନେହେଲା । ଶୋଭାଙ୍କର ସ୍ୱଭାବ ଓ ଆଚରଣ ସୁଧାରିବା କ୍ଷେତ୍ରରେ ଏହି କ୍ଷତି ଏକ ଉତ୍ତମ ଲାଭରେ ରୂପାନ୍ତରିତ ହେଲା ।🙏

Comments

Popular posts from this blog

ପାଲି ଖେଳ