୨୯ ଜୁନ ୨୦୨୦ କାହାଣୀ
🌻 *ଗପ ଟିଏ... 🌛ଜହ୍ନମାମୁଁ ପୃଷ୍ଠାରୁ* 🌻
💜 *ଆରୋଗ୍ୟ – ରହସ୍ୟ* 💜
ଗୁରୁନାଥ ଥଣ୍ଡା ଓ ସର୍ଦ୍ଦିଜ୍ୱରରେ ପୀଡିତ ହେଲେ । ତାଙ୍କ ଗଳା ଦରଜ ହୋଇ କଣ୍ଠସ୍ୱର ଭାରୀ ଶୁଭୁଥାଏ । ଆଖି, ନାକରୁ ପାଣିସବୁ ବୋହିପଡୁଥାଏ । ତା ସାଙ୍ଗକୁ ଅସହ୍ୟ ମୁଣ୍ଡବ୍ୟଥା । ଖାଇବା ପିଇବାକୁ ରୁଚୁ ନ ଥାଏ । ଶରୀରରେ ଜ୍ୱର ମଧ୍ୟ ରହୁଥାଏ ।
ଏହି ଅବସ୍ଥା ଆଉ ସହ୍ୟ କରି ନ ପାରିବାରୁ ସେ ତାଙ୍କ ପୁତ୍ରଙ୍କୁ ବୈଦ୍ୟଙ୍କ ନିକଟକୁ ଔଷଧ ପାଇଁ ପଠାଇଲେ । ବୈଦ୍ୟଙ୍କର କେତେପାନ ଔଷଧରେ ତାଙ୍କର ଜ୍ୱର ହଠାତ୍ କମିଗଲା । ମାତ୍ର ଅନ୍ୟ ସବୁ ଲକ୍ଷଣ ସେମିତି ରହିଥାଏ ।
ତେଣୁ ସଂନ୍ଧ୍ୟା ସମୟକୁ ନିଜେ ଗୁରୁନାଥ ବୈଦ୍ୟଙ୍କୁ ଭେଟିବାକୁ ଗଲେ । ଶରୀର ଦୁର୍ବଳ ଲାଗୁଥିବାରୁ ଦୁଇ ତିନି ଜାଗା ବସିଉଠି ସେ ବୈଦ୍ୟଙ୍କ ପାଖରେ ଯାଇ ପହଁଚିଲେ । ସେଥିରେ ପୁଣି କାଶ ଓ ଛିଙ୍କ ଲାଗି ରହିଥାଏ । ବାଟରେ ଯିଏବି ତାଙ୍କୁ ଦେଖୁଥାଏ, ସେ ସହାନୁଭୂତି ଜଣାଉଥାଏ ।
ବୈଦ୍ୟ ତାଙ୍କୁ ଦେଖୁ ଦେଖୁ କହିଲେ, “ଆରେ, ତୁମେ ନିଜେ ଚାଲିଆସିଲ । ତୁମ ପୁଅ ବେମାରୀର ସବୁ ଲକ୍ଷଣ ଠିକ୍ ଭାବରେ କହିଥିଲେ, ତୁମେ ଏତେ ବେଳକୁ ସୁସ୍ଥ ହୋଇସାରନ୍ତଣି ।” ତା’ପରେ ସେ ଏକ ନୂଆ ଔଷଧ ଦେଇ କହିଲେ, “ଏହାକୁ ସେବନ କରି ଏକ ସପ୍ତାହ ସମ୍ପୂର୍ଣ୍ଣ ବିଶ୍ରାମ ନେବ । ଉତ୍ତମ ଖାଦ୍ୟ ଖାଇବାର ବ୍ୟବସ୍ଥା କରିବ ।”
ସର୍ଦ୍ଦି, ଥଣ୍ଡା କମିଯିବା ବେଳକୁ, ଗୁରୁନାଥ ପାଦ ଖସିଯାଇ ପଡିଗଲେ । ଫଳରେ ତାଙ୍କ ଆଣ୍ଠୁ ପାଖରେ ଭୀଷଣ ଆଘାତ ଲାଗିଲା । ପତ୍ନୀ ଗରମ ପାଣି ସେକ ଦେଲେ । ବୈଦ୍ୟଙ୍କ ପାଖରୁ ମଲମ ଆଣି ଲେପନ କରାଗଲା । ଗ୍ରାମର ଜଣେ ଗୁଣିଆ ଆସି ଝଡାଫୁଙ୍କା କଲେ । ସେ ତିନିଦିନ ଧରି ପଲଙ୍କରୁ ଉଠିପାରିଲେ ପାହିଁ । ଏହି ଖବର ଗ୍ରାମର ଅନ୍ୟମାନେ ଜାଣିପାରି ତାଙ୍କୁ ଦେଖିବାକୁ ଆସିଲେ । ସାନ୍ତ୍ୱନା ଦେଲେ, ସହାନୁଭୂତି ମଧ୍ୟ ଜଣାଇଲେ ।
ଏହି ଘଟଣାର ପ୍ରାୟ ପନ୍ଦରଦିନ ପରେ ଗୁରୁନାଥଙ୍କ କାନରେ ଅସହ୍ୟ ବ୍ୟଥା ଆରମ୍ଭ ହେଲା । ତିନିଦିନ ଧରି ଏ ଯନ୍ତ୍ରଣା ଭୋଗିସାରିବା ପରେ, ପେଟ ଗୋଳମାଳ ହେଲା । ଛାତିରେ ଏପରି ବ୍ୟଥା ହେଲା ଯେ, ସତେ କି ହୃଦଘାତ ଘଟିଛି ମନେ ହେଲା । ଡାକ୍ତରୀ ପରୀକ୍ଷା ପରେ ସେହି ସନ୍ଦେହ ମନରୁ ଦୂର ହେଲା । ବାୟୁ ଜନିତ ଗୋଳମାଳ ହେତୁ ଏପରି ଘଟିଥିବା ଜାଣି ପରିବାର ଲୋକେ ଟିକେ ଆଶ୍ୱସ୍ତ ହେଲେ ।
ଏହିପରି ଗୁରୁନାଥ ବର୍ଷସାରା ବହୁବାର ରୋଗର ଶୀକାର ହେଲେ । ଗ୍ରାମର ସବୁଲୋକ ତାଙ୍କୁ ଆହା କଲେ । ଏହି ଖବର ତାଙ୍କ ମଧୁର ସମ୍ପର୍କୀୟ ଶଙ୍କରଙ୍କ ନିକଟରେ ପହଁଚିବାରୁ ସେ ତାଙ୍କୁ ଦେଖିବାପାଇଁ ଆସିଲେ । ଗୁରୁନାଥ ତାଙ୍କୁ ନିଜର ସମସ୍ତ ଦୁଃଖ ଜଣାଇ କହିଲେ, “ବୟସ ବଢିବା ସଙ୍ଗେ ସଙ୍ଗେ ମୁଁ ଶକ୍ତିହୀନବି ହୋଇପଡୁଛି । ତେଣୁ ମୁଁ ବିଭିନ୍ନ ବେମାରୀ କବଳରେ ପଡି ଯାହାଖାଲି ହନ୍ତସନ୍ତ ହେଉଛି ।”
“ତୁମର ଏହି ଧାରଣା ଅମୂଳକ । ତୁମକୁ ତ ମୋଟେ ପଚାଶ ବର୍ଷ ବୟସ । ମୋତେ ଦେଖିଲ, ଷାଠିଏ ବର୍ଷ ବୟସରେ ମୁଁ କେତେ ସୁସ୍ଥ, ଚଳଚଂଚଳ ରହିପାରିଛି । ଆରାମ୍ରେ ସବୁଆଡେ ଚଲାବୁଲା ବି କରିପାରୁଛି । ସ୍ୱାସ୍ଥ୍ୟ ପାଇଁ ସର୍ବଦା ଏତେ ଚିନ୍ତିତ ହେବା କଣ ବା ଆବଶ୍ୟକ?”
“କେତେ ସହଜରେ କହିଦେଉଛ, ଚିନ୍ତିତ ହେବା ଦରକାର ନାହିଁ । ହଁ, ମୋର ମନସ୍ତାପ ତୁମକୁ ବା କାହିଁକି ମାଲୁମ୍ ପଡିବ? ମୋତେ କିଛି ବୁଦ୍ଧିବାଟ ଦିଶୁନାହିଁ । କଣ କରିବି? କିପରି ଏହି ବାର ପ୍ରକାର ରୋଗ ଦାଉରୁ ମୁକ୍ତ ହେବି ।” ସେତେବେଳେ ଗୁରୁନାଥଙ୍କ କଥାରେ ନୀରସତା ଓ ଅସହାୟତା ଭରି ରହିଥିଲା ।
“ମୋ କହିବାର ଅର୍ଥ ଏହା ନୁହେଁ ଯେ, ତୁମେ ରୋଗକୁ ଖାତିର୍ କରିବ ନାହିଁ । ରୋଗ ପ୍ରତି ଅସାବଧାନ ହେବା ଖୁବ୍ ବିପଦଜନକ ଅଟେ । ଏହିପରି ଭୟଙ୍କର ରୋଗର ପ୍ରାଥମିକ ଅବସ୍ଥାରେ ଚିକିତ୍ସା ନ କରି ପରିଣାମ ସ୍ୱରୂପ ଅନେକ ଲୋକ ଅକାଳରେ ମୃତ୍ୟୁବରଣ କରନ୍ତି । ମୋର କଥାର ଉଦ୍ଧେଶ୍ୟ ହେଉଛି, ରୋଗର ଆରୋଗ୍ୟର ଆଧାର ଏକମାତ୍ର, ଔଷଧ ସେବନ ନୁହେଁ । ଜୀବନରେ ପ୍ରତିଦିନ କେତେଗୁଡିଏ ନୀରୋଗୀ ରହିବାର ନିୟମ ମଧ୍ୟ ପାଳନ କରିବା ଅତ୍ୟନ୍ତ ଜରୁରୀ ଅଟେ ।” ଶଙ୍କରଙ୍କର ଏପରି କଥା ଶୁଣି ସେହି ‘ଆରୋଗ୍ୟ-ସୂତ୍ର’ ମାନ ସମ୍ବନ୍ଧରେ ଗୁରୁନାଥ ଜାଣିବାପାଇଁ ଚାହିଁଲେ ।
“ମୁଁ ତ କେବେହେଲେବି ବାହାରେ ଭୋଜନ କରେନାହିଁ । ଘରେ ନିଜର ଆବଶ୍ୟକତା ଅନୁଯାୟୀ ଭୋଜନ ଗ୍ରହଣ କରେ । ଉଦର ଭର୍ତ୍ତି କରି ଖାଦ୍ୟ ଖାଏ ନାହିଁ । ପର୍ବପର୍ବାଣୀରେ, ଅଧିକ ବା ଅନିୟମିତ ଖାଦ୍ୟ ଗ୍ରହଣ କଲେ, ତା ପରଦିନ ଉପବାସ ପାଳନ କରେ । ପ୍ରତ୍ୟେକ ଦିନ କିଛି ପଥ ପାଦରେ ଚାଲି ଭ୍ରମଣ କରେ । ନିଜର ସବୁ କାମ ନିଜ ହାତରେ କରେ । ଯେଉଁ କାମ କରେ ଭାବିଚିନ୍ତି, ଧୀରସ୍ଥିର ଭାବରେ କରେ । କେବେ କୌଣସି କଥାରେ ବିଶେଷ ଚିନ୍ତିତ ବା ଉତ୍ତେଜିତ ହୁଏ ନାହିଁ । କର୍ମ କରି ସାରିବା ପରେ ଫଳାଫଳ ଭଗବାନଙ୍କ ଉପରେ ଛାଡିଦିଏ । ସମସ୍ତଙ୍କୁ ସ୍ୱଚ୍ଛ ମନରେ ବିଶ୍ୱାସ କରେ । ମୋ ଆଖପାଖରେ ଚଳୁଥିବା ମଣିଷଙ୍କୁ ମୁଁ ତ କେବେବି ସନ୍ଦେହ ଚକ୍ଷୁରେ ଦେଖେନାହିଁ । ଭଲକାମ କରୁଥିବା ବ୍ୟକ୍ତିଙ୍କୁ ପ୍ରଶଂସା କରେ । ମନ୍ଦ କାମ କରୁଥିବା ବ୍ୟକ୍ତିଙ୍କ ଠାରୁ ସଦା ସର୍ବଦା ଦୂରରେ ରହେ । ମୋ ଦୃଷ୍ଟିରେ ଏହା ସବୁ ଆରୋଗ୍ୟ-ସୂତ୍ର ଅଟେ ।” ଶଙ୍କର ଏହିଭଳି ଭାବେ ନିଜ ଚିନ୍ତାଧାରା ବ୍ୟକ୍ତ କଲେ । ଗୁରୁନାଥ ତାହା ଶୁଣି ସଙ୍ଗେ ସଙ୍ଗେ କହିଉଠିଲେ, “ତୁମେ ଯାହାସବୁ କହିଲ ମୁଁ ବି ତ ମଧ୍ୟ ସେସବୁ ନିୟମ ପାଳନ କରୁଛି । ତେବେ ବି କାହିଁକି ରୋଗ ମୋର ପିଛା ଛାଡୁନାହିଁ?”
ଶଙ୍କର ଅଳ୍ପହସି କହିଲେ, “ଆଚ୍ଛା, ତେବେ ତୁମେ ଖୁବ୍ ଚିନ୍ତା, ବିଚାର କରି ଭାବିଦେଖ, ମୁଁ ଯାହାସବୁ କହିଲି, ତାହା ତୁମେ କେତେ ମାତ୍ରାରେ ପାଳନ କରୁଛ ।”
ଗୁରୁନାଥ ଏହି ବିଷୟରେ ଗଭୀର ଭାବେ ଚିନ୍ତାକଲେ । ନିଜର ଦୋଷତ୍ରୁଟି ନିଜେ ବାଛି ପାରିବେ ନାହିଁ ସ୍ଥିର କରି ପତ୍ନୀଙ୍କୁ ଏ ବିଷୟରେ ସେ ପଚାରିଲେ । କିନ୍ତୁ ପତିଙ୍କର ଦୋଷଗୁଣ ବାହୁନିବା ସମୁଚିତ ହେବ ନାହିଁ ଭାବି ପତ୍ନୀ ଏ ବିଷୟରେ ନୀରବ ରହିଲେ । ତାପରେ ସେ ପୁତ୍ରଙ୍କୁ ପଚାରିଲେ । ପିତାଙ୍କ ସମ୍ମାନ ଦୃଷ୍ଟିରୁ ସେ ମଧ୍ୟ ନୀରବ ରହିଲେ । ନିଜ ଭୃତ୍ୟକୁ ଏ ବିଷୟରେ ମତାମତ ଦେବାପାଇଁ କହିବାରୁ, ବାକ୍ଚାତୁରୀରେ ସେ ମଧ୍ୟ ଏଡାଇଗଲା ।
ଗୁରୁନାଥ ଏହି କଥା ଶଙ୍କରଙ୍କୁ କହିବାରୁ ସେ କହିଲେ, “ସେମାନଙ୍କୁ ଏପରିକି ମୋତେ ଏହା ପଚାରିଲେ ତୁମେ ପ୍ରକୃତ ସତ୍ୟ କେବେବି ଜାଣିପାରିବ ନାହିଁ । କାରଣ ଆମେ ତୁମର ନିଜଲୋକ । ତୁମଠାରୁ ବୟସରେ ବଡ, ନୀରୋଗ ତଥା ସ୍ପଷ୍ଟବାଦୀ, ନିର୍ଭୀକ ଲୋକଙ୍କଠାରୁ ପରାମର୍ଶ ନିଅ ।”
ଗ୍ରାମର ଏପରି କୌଣସି ଲୋକଙ୍କ ସମ୍ବନ୍ଧରେ ତାଙ୍କର ଧାରଣା ନ ଥିଲା । ତେଣୁ ସେ ବୈଦ୍ୟଙ୍କ ପାଖକୁ ଯାଇ କହିଲେ, “ମହାଶୟ, ଆପଣ କହିପାରିବେ କି, ଆମ ଗ୍ରାମର ସବୁଠାରୁ ସୁସ୍ଥ ବ୍ୟକ୍ତି କିଏ?”
ବୈଦ୍ୟରାଜ ତତ୍କ୍ଷଣାତ୍ ବିନା ଦ୍ୱିଧାରେ କହିଲେ, “ଏହି ଗ୍ରାମରେ ଶତ୍ରୁଘ୍ନଙ୍କ ଠାରୁ ଅଧିକ ନୀରୋଗ ଓ ସୁସ୍ଥ ବ୍ୟକ୍ତି ଆଉ କେହିବି ନାହାଁନ୍ତି । କାହିଁକିନା ସେ କୌଣସି ଦିନବି ମୋ ପାଖକୁ ଔଷଧ ପାଇଁ ଆସିନାହାଁନ୍ତି ।”
ଶତ୍ରୁଘ୍ନ ହେଉଛନ୍ତି ଷାଠିଏ ବର୍ଷରୁ ଉଦ୍ଧ୍ୱର୍ ଆୟୁର ମଣିଷ । କିନ୍ତୁ ସେ ଦେଖିବାକୁ ବେଶ୍ ତାଗ୍ଡା । ସେ ଯେଉଁଆଡେ ଯିବେ, ପାଦରେ ଚାଲିକରି ହିଁ ଯିବେ । ଲୋକେ କହନ୍ତି ଯେ, ଅନ୍ୟ ରୋଗ ତ ଦୂରର କଥା, ସାଧାରଣ ଶର୍ବ୍ଦି, କାଶ ମଧ୍ୟ ତାଙ୍କୁ ହେବାର କେହି କେବେବି ଦେଖିନାହାଁନ୍ତି । ଗୁରୁନାଥ ତାଙ୍କୁ ସାକ୍ଷାତ କରିବା ପାଇଁ ଚାଲିଲେ ।
ଶତ୍ରୁଘ୍ନ ନିଜ ଗୃହ ସମ୍ମୁଖସ୍ଥ ଚଉତରା ଉପରେ ବସିଥିଲେ । ସେତେବେଳେ ତାଙ୍କ ନିକଟରେ ଗ୍ରାମର ଅନ୍ୟ କେତେଜଣ ମୁଖ୍ୟ ଲୋକ ବି ଥାଆନ୍ତି । ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ କହୁଥାନ୍ତି “ଆମ ଗୃହରେ ହେଉଥିବା ସଙ୍ଗୀତ ଆସରରେ ତୁମେ କାହିଁକି ଯୋଗ ଦେଲନାହିଁ । ଏଣୁ ଭାଉଜ ବହୁତ ମନଦୁଃଖ କଲେ ।”
“ନିଶ୍ଚୟ ଯାଇଥାନ୍ତି, କିନ୍ତୁ ସେଦିନ ମୋର ପ୍ରବଳ କାଶ ହେଉଥିଲା । ସଂଗୀତ ଆସରରେ ବାରମ୍ବାର କାଶିଥିଲେ, ସମସ୍ତଙ୍କ ସଂଗୀତ ରସ-ଆସ୍ୱାଦନରେ ବାଧା ସୃଷ୍ଟି ହୋଇଥାଆନ୍ତା । ତେଣୁ ମୁଁ ସେଠାକୁ ନ ଯିବାପାଇଁ ଉଚିତ୍ ମଣିଲି । କିଛି ତୁଳସୀ ପତ୍ର ଓ ମହୁ ସେବନ କରିବାରୁ କାଶ ଭଲ ହୋଇଗଲା ।” ସେହିପରି ଅନ୍ୟ ଜଣେ ଲୋକ ଅଭିଯୋଗ ଆଣିଲେ, ପାଖ ଗ୍ରାମରେ ଅନୁଷ୍ଠିତ ହେଉଥିବା ତାଙ୍କ ଭାଇଙ୍କ ବିଭାଘର ଉତ୍ସବରେ ଶତ୍ରୁଘ୍ନ ଯୋଗ ଦେଲେ ନାହିଁ । ଶତ୍ରୁଘ୍ନ କହିଲେ, “ପ୍ରବଳ ଥଣ୍ଡା ହେତୁ ମୋର ବାରମ୍ବାର ଛିଙ୍କ ଆସୁଥାଏ । ଶୁଭକାମରେ ଛିଙ୍କିବା ଏକ ଅଶୁଭ ଲକ୍ଷଣ ବୋଲି ଧରାଯାଏ । ଗୋଲମରିଚ, ଅଦା, ସିଝାଇ, ତାର ପାଣି ପିଇଦେଲି । ଏବେ ମୁଁ ଟିକେ ସୁସ୍ଥ ଅଛି ।”
ଶତ୍ରୁଘ୍ନ ଏହିପରି ବିଭିନ୍ନ ଲୋକଙ୍କ ସହିତ ଆଲୋଚନାରତ ଥାଆନ୍ତି । ତାଙ୍କର ଆଲୋଚନା ଶୁଣି ଗୁରୁନାଥ ଭାବିଲେ, ତାଙ୍କ ପରି ଶତ୍ରୁଘ୍ନ ମଧ୍ୟ ଅନେକ ପ୍ରକାରର ରୋଗର ଶୀକାର ହେଉଛନ୍ତି । ଖାଲି ପାର୍ଥକ୍ୟ ଏତିକି ଯେ, ଶତ୍ରୁଘ୍ନ ଗୃହ–ଚିକିତ୍ସା ପଦ୍ଧତିରେ ଆରୋଗ୍ୟ ଲାଭ କରୁଛନ୍ତି ଓ ସେ ବୈଦ୍ୟଙ୍କ ଔଷଧ ବ୍ୟବହାର କରୁଛନ୍ତି ।
ସେଠାରୁ ସମସ୍ତେ ପ୍ରସ୍ଥାନ କରିବା ପରେ, ଗୁରୁନାଥ ଶତ୍ରୁଘ୍ନଙ୍କୁ ପ୍ରଣାମ କରିଲେ ଓ କହିଲେ, “ମୁଁ ଆପଣଙ୍କ ସମ୍ବନ୍ଧରେ କିଛି କଥା ଜାଣିବାକୁ ଚାହୁଁଛି । ସତ କହିଲେ, ଆପଣ କଣ ପ୍ରକୃତରେ ଏତେ ସବୁ ରୋଗର ଶୀକାର ହୋଇଛନ୍ତି, ନା’ ଲୋକମାନଙ୍କର ମନ ରଖିବା ପାଇଁ ଏହିସବୁ ମିଥ୍ୟା କୈଫିୟତ୍ ଦେଲେ ।”
ଶତ୍ରୁଘ୍ନ କହିଲେ, “ଅବଶ୍ୟ ଦରକାର ପଡିଲେ, ମିଥ୍ୟା କୈଫିୟତ୍ ଦେବା କିଛି ଖରାପ କାମ ନୁହେଁ । କିନ୍ତୁ ତୁମେ ଯେଉଁ କହୁଛ–ମୋର ବେମାର ପଡିବା କଥା, ତାହା ମିଥ୍ୟା ଅଟେ । ମୁଁ କେବେ ବି ବେମାର ହୁଏ ନାହିଁ ।”
ଗୁରୁନାଥ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ “ଏବେ ଆପଣ ପରା ନିଜେ କହୁଥିଲେ, କାଶ, ସର୍ଦ୍ଦି, ଥଣ୍ଡା ଆଦି କେତେ ପ୍ରକାର ରୋଗରେ ପଡି ଥିଲେ । ଏଠାରେ ଉପସ୍ଥିତ ରହି ମୁଁ ନିଜେ ସବୁ ଶୁଣିଛି ।”
ଶତ୍ରୁଘ୍ନ କହିଲେ, “ଏହି ଶରୀର ଏକ ଯନ୍ତ୍ର ସ୍ୱରୂପ । ଏଥିରେ ଛୋଟ ଛୋଟ ଝମେଲା ରହିବାଟା ତ ନିହାତି ସ୍ୱାଭାବିକ । ତାକୁ ଆମେ ରୋଗ, ବେମାର ଆଖ୍ୟା ଦେଇ ବିବ୍ରତ ହେବାର କୌଣସି ଆବଶ୍ୟକତା ନାହିଁ । ରୋଗ, ବେମାର କହିଲେ, ଯେଉଁ ସବୁ ବଡଧରଣର ଅସୁସ୍ଥତା ଶରୀରର ହୃତପିଣ୍ଡ, ମସ୍ତିଷ୍କ ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ପ୍ରଭାବିତ କରେ । ତାହା ପ୍ରତି ଆମେ ସଚେତନା ରହିବା । କିନ୍ତୁ ସାଧାରଣ ଓ ସାମାନ୍ୟ ଅସୁସ୍ଥତାରେ ବ୍ୟତିବ୍ୟସ୍ତ ହୋଇ ମାନସିକ ସ୍ଥିରତା ହରେଇ ବସିଲେ, ତାହା ସ୍ୱାଭାବିକ ଜୀବନ ଯାପନରେ ବାଧା ସୃଷ୍ଟି କରିବ, ଏଣେ ନିଜକୁ ରୋଗୀ ରୂପରେ ଅନ୍ୟ ପାଖରେ ପରିଚିତ ହେବାକୁ ପଡିବ । ଆହାର, ବିଶ୍ରାମ ବ୍ୟାୟାମ ଓ ସୁସ୍ଥ ମାନସିକ ଚିନ୍ତାଧାରା ତତ୍ ସହିତ ଭଗବତ୍ ବିଶ୍ୱାସ, ମନରେ ଆତ୍ମପ୍ରତ୍ୟୟ ଭରିଦିଏ ଓ ଶରୀରକୁ ସର୍ବଦା କାର୍ଯ୍ୟକ୍ଷମ ରଖିଥାଏ । କୌଣସି ରୋଗ ବା ତାହା ସହିତ ସମ୍ବନ୍ଧୀୟ ଦୁଃଶ୍ଚିନ୍ତାକୁ ପାଖରେ ପଶିବାକୁ ଦିଏ ନାହିଁ । ଏହାହିଁ ଆରୋଗ୍ୟ–ରହସ୍ୟ ।”
ଗୁରୁନାଥ ତାଙ୍କର ଏହି କେଇପଦ କଥାର ଅସଲ ମର୍ମ ବୁଝିପାରି କହିଲେ, “ମୋର ସନ୍ଦେହ ଦୂର ହୋଇଛି । ଶରୀରର ସାମାନ୍ୟ ଅସୁବିଧାକୁ ବିରାଟ ରୂପ ଦେଇ, କ୍ଷୁଦ୍ର ସୋରିଷକୁ ପର୍ବତ ସମାନ ମନେକରି, ମୁଁ ନିଜକୁ ଜଣେ ଅସୁସ୍ଥ ବ୍ୟକ୍ତି ବୋଲି ମନେ କରୁଚି । ତାହାହିଁ ମୋର ରୋଗର ମୁଖ୍ୟ କାରଣ । ଆଉ ଆପଣଙ୍କର ଆରୋଗ୍ୟର ରହସ୍ୟ ହେଉଛି, ଶୁଦ୍ଧ ଜୀବନଯାପନ ପ୍ରଣାଳୀ, ସନ୍ତୁଳିତ ଆହର, ବିଶ୍ରାମ ଓ ମାନସିକ ନିରୁଦ୍ବେଗତା । ତାହା ଆପଣଙ୍କର ମନକୁ ସଦା ପ୍ରଫୁଲ୍ଲ ରଖି ମନରେ ଅଫୁରନ୍ତ ଉତ୍ସାହ ଭରିଦେଉଛି ।” ତାଙ୍କ କଥାରେ ଶତ୍ରୁଘ୍ନ ଅଳ୍ପହସି, ଭଗବାନଙ୍କ ଉଦ୍ଧେଶ୍ୟରେ ହାତ ଯୋଡିଲେ ।
ଗୁରୁନାଥ ଶଙ୍କରଙ୍କ ଆରୋଗ୍ୟ–ରହସ୍ୟ ସ୍ମରଣକୁ ଆଣି ଭାବିଲେ, ପ୍ରକୃତରେ ରୋଗ ଶରୀରରେ ନ ଥାଏ, ଥାଏ ମନରେ । ଗୁରୁନାଥ ଉତ୍ସାହ ସହକାରେ ଘରକୁ ଫେରିଲେ । ଏହାପରେ ସେ ଆଉ କେବେବି ଶର୍ଦ୍ଦି, ମୁଣ୍ଡବ୍ୟଥା, କାଶ, ଦାନ୍ତବ୍ୟଥା ଆଦିକୁ ନେଇ ବିବ୍ରତ ହୋଇ ତିଳକୁ ତାଳ କରନ୍ତି ନାହିଁ । କିମ୍ବା ସେହି ସମ୍ବନ୍ଧରେ ଅନ୍ୟମାନଙ୍କ ସହ ବିଶେଷ ଆଲୋଚନା କରନ୍ତି ନାହିଁ । ତେଣୁ ଲୋକଙ୍କ ମନରେ ଏହି ଧାରଣା ସୃଷ୍ଟି ହେଲା ଯେ, ଗୁରୁନାଥଙ୍କ ସ୍ୱାସ୍ଥ୍ୟ ଏବେ ବେଶ୍ ଭଲ ରହୁଛି ।🙏
Comments
Post a Comment