୧୬ ଜୁନ ୨୦୨୦ କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻

🙏 *ସାଷ୍ଟାଙ୍ଗ ପ୍ରଣିପାତ* 🙏

ବାଲିଆପାଳ ସମୁଦ୍ର କୂଳିଆ ଗାଁଟିଏ । ଥରେ ଭୟଙ୍କର ତୋଫାନ ଆସି ସେ ଗାଁର ପ୍ରାୟ ସବୁ ଘରଦ୍ୱାର ଉଜାଡି ଦେଲା । ଶ୍ୟାମ ନାମକ ଗରିବ ଚାଷୀଟିଏ ତା’ ଭଙ୍ଗାଘରକୁ ମରାମତି କରିବା ପାଇଁ ଚାହୁଁଥାଏ । ମାତ୍ର ତା’ ପାଖରେ ସେତେ ଧନ ନ ଥାଏ । ତେଣୁ ପାଖ ପଡୋଶୀକୁ ସେ ସାହାଯ୍ୟ ମାଗିଲା । ସେମାନେ, ଗାଁରେ ସୁଧନେଇ କରଜ ବ୍ୟବସାୟ କରୁଥିବା ବେପାରୀ ବିହାରୀଲାଲ ପାଖକୁ ଯିବାକୁ ପରାମର୍ଶ ଦେଲେ ।

ଶ୍ୟାମ, ବିହାରୀଲାଲଙ୍କୁ ହଜାରେ ଟଙ୍କା କରଜ ମାଗିଲା । ବିହାରୀଲାଲ୍ ତାକୁ ମୁଣ୍ଡରୁ ଗୋଡଯାଏଁ ନିରେଖି ଚାହିଁ କହିଲେ, “ତୁମେ ବାପା ଶ୍ୟାମଘନଟି, ମତେ ଚିହ୍ନିଛ କି ନାହିଁ?” ଏହି କଥା କହିବାବେଳେ ତାଙ୍କ ସ୍ୱରରେ ବ୍ୟଙ୍ଗ ଭରି ରହିଥିଲା ।

ଶ୍ୟାମ ଉତ୍ତର ଦେଲା “ସାରା ଗ୍ରାମରେ ଆପଣଙ୍କୁ ନ ଚିହ୍ନିଥିବା ଲୋକ କିଏ ଅଛି କହିଲେ?”  ବିହାରୀଲାଲ ବିରକ୍ତି ପ୍ରକାଶ କରି କହିଲେ “ମୁଁ ଭାବିଲି, ତୁମେ ମତେ ଚିହ୍ନି ନ ଥିବ । କାହିଁ କୋଉଦିନ ରାସ୍ତାରେ କି ପୋଖରୀଘାଟରେ, ସାମ୍ନାରେ ପଡିଗଲେ ବି ତ ନମସ୍କାର କରୁନାହଁ । ତୁମେ ଏକ ନମ୍ବର ଗର୍ବୀ ଲୋକ ।”

“ଆଜ୍ଞା, ଅଜାଣତରେ ମୋର ଭୁଲ୍ ହୋଇଯାଇଛି ।” ଏତିକି କହି ଶ୍ୟାମ ତୁରନ୍ତ ନମସ୍କାର କରି ପକେଇଲା ।

ବିହାରୀଲାଲ ଆଦେଶ ଦେଲେ “ଓଃ! ମତେ ନମସ୍କାର କରିବା ପାଇଁ, ତୁମ ପାଇଁ ଗୋଟାଏ ତୋଫାନର ଦରକାର ପଡିଲା । ଏପରି ନମସ୍କାର ମତେ ଗାଁସାରା ଲୋକ କରୁଛନ୍ତି । ତୁମର ଗର୍ବ ଭାଙ୍ଗିବା ପାଇଁ, ତୁମକୁ ମୋ ଗୋଡତଳେ ପଡି ମୋତେ ସାଷ୍ଟାଙ୍ଗ ପ୍ରଣାମ କରିବାକୁ ପଡିବ ।”

ଶ୍ୟାମ, ତାଙ୍କର ଇଚ୍ଛା ଯଥାଶୀଘ୍ର ପୂରଣ କଲା । ତା’ପରେ ସେ ହଜାରେ ଟଙ୍କା ଆଣି ସେଠାରୁ ବାହାରି ପଡିଲା । ଏ ସବୁ ଦୃଶ୍ୟ, ପାଖ ଗୋଟିଏ ଗଛମୂଳେ ଠିଆହୋଇ, ଅନ୍ୟ ଏକ ଗ୍ରାମବାସୀ ବରଜୁ ଲକ୍ଷ୍ୟ କରୁଥାଏ । ଶ୍ୟାମକୁ ଅଟକେଇ ସେ କହିଲା, “ଛି, ଛି, କରଜ ମିଳିବ ବୋଲି, ତୁମେ ଗୋଡତଳେ ପଡି ମୁଣ୍ଡିଆ ମାରିଲ?”

ତା’କଥାରେ ଶ୍ୟାମ ହସିଦେଇ କହିଲା “ବିହାରୀ ଲାଲ ଏଇ କରଜ ଅସୁଲ୍ ପାଇଁ, ମୋ ଗୋଡତଳେ ପଡି କେତେଥର ମୁଣ୍ଡିଆ ମାରୁଛି, ତମେ ଖାଲି ଲକ୍ଷ୍ୟ କରୁଥାଅ ।”🙏

Comments

Popular posts from this blog

୧୫ ଅଗଷ୍ଟ ୨୦୨୦ କାହାଣୀ

୦୭ ଅଗଷ୍ଟ ୨୦୨୦ କାହାଣୀ

ଅନୁଚିନ୍ତା