୦୨ ଜୁନ ୨୦୨୦ କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷

🌳 *ଚିକିତ୍ସା ରହସ୍ୟ* 🌳

ପ୍ରାୟ ପଚାଶ ବର୍ଷ ତଳର ଗୋଟିଏ କଥା । ମଙ୍ଗଳପୁର ଗାଁରେ ଜଣେ ଜମିଦାର ଥିଲେ । ତାଙ୍କ ନାମ ବିଷ୍ଣୁ ଗୁପ୍ତ ଥିଲା । ତାଙ୍କ ଜମିଦାରି ସେପରି ବିଶେଷ ବଡ ନଥିଲା, ତେବେ ଜମିଦାରି ସାଙ୍ଗକୁ ତାଙ୍କର କିଛି ବ୍ୟବସାୟ ମଧ୍ୟ ଥିଲା ।

                ମଙ୍ଗଳପୁର ଗାଁରେ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ବିଷ୍ଣୁ ଗୁପ୍ତଙ୍କର ଦେହ ପା ଖରାପ ହେଲେ ସେ ଦେଖୁଥିଲେ । ବୈଦ୍ୟଙ୍କର ପରଲୋକ ହୋଇଯିବାରୁ ବିଷ୍ଣୁ ଗୁପ୍ତ ବହୁତ ଦୁଃଖିତ ହେଲେ ।

                ଏହାପରେ ଥରେ ବିଷ୍ଣୁ ଗୁପ୍ତଙ୍କୁ ଜ୍ୱର ହେଲା । ଅଳ୍ପ ଦୂରରେ ଥିବା ଶ୍ୟାମଗଡ ଗାଁର ବୈଦ୍ୟ ଜୟରାମଙ୍କୁ ଡକା ହେଲା । ଜୟରାମ ଆନନ୍ଦରେ ଆସି ବିଷ୍ଣୁ ଗୁପ୍ତଙ୍କୁ ଦେଖିଲେ । କାରଣ ଏଡେ ବିଶିଷ୍ଟ ବ୍ୟକ୍ତିଙ୍କୁ ଚିକିତ୍ସା କରିବାର ସୁଯୋଗ ତାଙ୍କୁ ପୂର୍ବରୁ କେବେବି ମିଳି ନଥିଲା । ସେ ଆସି ଔଷଧ ଦେଲେ ଓ ସବୁଦିନ ଆସିଲେ । ତିନି ଚାରିଦିନରେ ଗୁପ୍ତ ପୁରାପୁରି ସୁସ୍ଥ ହୋଇଗଲେ । ସେ ବୈଦ୍ୟଙ୍କୁ ଶହେଟଙ୍କା ଧରାଇ ଦେଲେ ।

                ବାସ୍ତବିକ ବିଷ୍ଣୁଗୁପ୍ତଙ୍କର ବିଶେଷ କିଛି ହୋଇ ନଥିଲା । ସାମାନ୍ୟ ଜ୍ୱର । ହୁଏତ ସେ ବିନା ଚିକିତ୍ସାରେହିଁ ଆପଣାଛାଏଁ ଭଲ ହେବାକୁ ପସନ୍ଦ କରିଥାନ୍ତେ । କିନ୍ତୁ ତାଙ୍କୁ କୌଣସି ଜରୁରୀ କାମରେ ସହରକୁ ଯିବାକୁ ପଡୁଥିବାରୁ ସେ ଔଷଧ ଖାଇ ଶୀଘ୍ର ଆରୋଗ୍ୟ ହେବାକୁ ଚାହୁଁଥିଲେ । ବୈଦ୍ୟଙ୍କ ଔଷଧ ଭଲ କାମ କରିବାରୁ ସେ ଖୁସି ହେଲେ । ଏତେଗୁଡିଏ ଟଙ୍କା ଦେବାର ତାହାହିଁ ମୁଖ୍ୟ କାରଣ । ତେବେ ଅନ୍ୟ କାରଣ ବି ଥିଲା । ଗୁପ୍ତ ଜାଣିଥିଲେ ଯେ ବୈଦ୍ୟ ଅଭାବୀ ଲୋକ ।

                ବୈଦ୍ୟ ଅବାକ୍ ହୋଇଗଲେ । କାରଣ ଏଭଳି ସାଧାରଣ ରୋଗର ଚିକିତ୍ସା ପାଇଁ ତାଙ୍କୁ କେହି ପାଂଚ ଦଶଟଙ୍କାରୁ ବେଶି ଦେଉ ନଥିଲେ । ସେ ଗୁପ୍ତଙ୍କୁ କି ଭାଷାରେ ଧନ୍ୟବାଦ ଦେବେ ବୁଝିପାରିଲେ ନାହିଁ । ଆନନ୍ଦରେ ଗଦ୍ ଗଦ୍ ହୋଇ ସେଠାରୁ ସେ ଚାଲିଗଲେ ।

                ଏହାର ଠିକ୍ ଦୁଇଦିନ ପରେ ସେ ହଠାତ୍ ଗୁପ୍ତଙ୍କ ଘରେ ଆସି ପହଁଚିଗଲେ । ଗୁପ୍ତ ପଚାରିଲେ, “କ’ଣ ବୈଦ୍ୟ ମହାଶୟ । ଆମ ଗାଁ ରାସ୍ତା ଦେଇ ଆଉ କୁଆଡେ ଯାଉଥିଲେ କି?”

                ବୈଦ୍ୟ କହିଲେ “ନା, ଖାସ୍ ଆପଣଙ୍କ ସହ କଥା ଅଛି ବୋଲି ଆସିଛି ।”

                “ବେଶ୍, ବେଶ୍ । ତେବେ କୁହନ୍ତୁ ।” ଏତିକି କହି ଗୁପ୍ତ ବୈଦ୍ୟଙ୍କୁ ବସିବାକୁ ଚୌକି ଦେଖାଇ ଦେଲେ ।

                ବୈଦ୍ୟ କଣ୍ଠସ୍ୱର ଧୀର କରି କହିଲେ, “ଗୋପନ କଥା ।”

ଗୁପ୍ତ ଆଶ୍ଚର୍ଯ୍ୟ ହୋଇ ବୈଦ୍ୟକୁ ଗୋଟିଏ ଭିତର କୋଠରୀକୁ ନେଇଗଲେ । ବୈଦ୍ୟ ଥରେ ଯୋରେ ନିଶ୍ୱାସ ନେଇ କହିଲେ, “ମହାଶୟ, ଆପଣଙ୍କୁ ଚିକିତ୍ସା କଲାବେଳେ ମୁଁ ହଠାତ୍ କେତୋଟି ଉପସର୍ଗ ଦେଖିଲି । ସେଥିରୁ ବୁଝିଲି ଆପଣଙ୍କ ଭିତରେ ଗୋଟିଏ ଭୀଷଣ ବେମାରି ଦେଖା ଦେଇଛି । ତାହାର ଚିକିତ୍ସା ନ ହେଲେ…”

ଗୁପ୍ତ ପଚାରିଲେ “ନହେଲେ?”

ବୈଦ୍ୟ ସଙ୍କୋଚ ଛାଡି କହିଲେ “ଆପଣ ଛଅମାସ ପରେ ଇହଧାମ ପରିତ୍ୟାଗ କରିବେ ।”

ଗୁପ୍ତ ପଚାରିଲେ “ଯଦି ସେ ରୋଗର ଚିକିତ୍ସା ଅଛି, ତେବେ ଚିକିତ୍ସା କିଆଁ ନ ହେବ?”

“କଥା କ’ଣ କି, ସେ ଚିକିତ୍ସା ଟିକିଏ ବ୍ୟୟସାପେକ୍ଷ । ଅର୍ଥାତ୍ ମୋତେ ବହୁତ ମୂଲ୍ୟବାନ ଔଷଧ ତିଆରି କରିବାକୁ ପଡିବ । ସୁନା ଭସ୍ମ ସେ ଔଷଧରେ ପଡିବ । ହଜାର ହଜାର ଟଙ୍କା ଖର୍ଚ୍ଚ ହେବ ।”

ଗୁପ୍ତ ପ୍ରଶ୍ନକଲେ “କେତେ ହଜାର?”

ବୈଦ୍ୟ ଉତ୍ତର ଦେଲେ “ସମୁଦାୟ ପ୍ରାୟ ବାର ହଜାର ପଡିବ ।”

ତହୁଁ ଗୁପ୍ତ ମୁଣ୍ଡ ହଲାଇ କହିଲେ, “ବୈଦ୍ୟଜୀ, ମୋତେ ବଅସ ଆସି ସତୁରି ହେଲାଣି । ମୁଁ ଜୀବନରେ ଯାହା କରିବାର କରିଛି । ଏଣିକି ମୋ ପୁଅ ଜମିଦାରି ତଥା ବେପାର କଥା ବୁଝୁଛି । ମୁଁ ଭଗବତ୍ ଚିନ୍ତାରେ କିମ୍ବା ପୋଥି ପୁରାଣ ପଢି ସମୟ ବିତାଉଛି । ମୋର ଆଉ ଦୀର୍ଘ ଜୀବନ କ’ଣ ଦରକାର? ଭଗବାନ ଯଦି ଚାହିଁବେ, ତେବେ ମୁଁ ପରଲୋକଗମନ କିଆଁ ନ କରିବି? ନା ବୈଦ୍ୟଜୀ, ମୁଁ ବାର ହଜାର ଟଙ୍କା ଦେଇ ପାରିବି ନାହିଁ ।”

ବୈଦ୍ୟ ଗମ୍ଭୀର ହୋଇ କହିଲେ, “ଆପଣ ମୋ କଥାରେ ଗୁରୁତ୍ୱ ଦେଉ ନାହାଁନ୍ତି । ମୁଁ ଠିକ୍ କହୁଛି । ଚିକିତ୍ସା ନହେଲେ ଛଅ ମାସରେ ଆପଣ ଯିବେ । ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ ହେବା ଦରକାର ।”

ଗୁପ୍ତ କହିଲେ “ବୈଦ୍ୟ ମହାଶୟ! ମୋର ଚିକିତ୍ସା ଦରକାର ନାହିଁ, ଦୁନିଆରେ କେତେଜଣ ଏପରି ଦୁର୍ମୂଲ୍ୟ ଚିକିତ୍ସାର ଆଶ୍ରୟ ନେଇ ପାରିବେ?”

ବୈଦ୍ୟ କହିଲେ, “କିନ୍ତୁ ଚିକିତ୍ସା ନହେଲେ ଆପଣଙ୍କ ବଂଚିବାର ଆଶା ଆଉ ନାହିଁ ଯେ!”

ଗୁପ୍ତ କହିଲେ “କହିଲି ପରା, ମୋର ବଂଚିବାରେ ଆଉ ମୋଟେ ଆଗ୍ରହ ନାହିଁ! ତେବେ ଆପଣ ଯଦି ଚାହାଁନ୍ତି, ତ ଚିକିତ୍ସା କରି ପାରନ୍ତି । ମୁଁ କିନ୍ତୁ ଠିକ୍ ବର୍ଷକ ପରେ ଟଙ୍କା ଦେବି । କାହିଁକିନା ବର୍ତ୍ତମାନ ମୋ ପାଖରେ ଆଉ ଟଙ୍କା ନାହିଁ ।”

ବୈଦ୍ୟ ପଚାରିଲେ “ବର୍ଷକ ପରେ ଆପଣ କେଉଁଠାରୁ ବାର ହଜାର ପାଇବେ?”

ଗୁପ୍ତ ହସି ହସି ପଚାରିଲେ “ଆପଣଙ୍କ ଭଳି ଜଣେ ସାଧାରଣ ବୈଦ୍ୟ ଯଦି ଛଅ ମାସରେ ବାରହଜାର ଟଙ୍କା ଆୟ କରି ପାରିବେ ବୋଲି ଭାବିଲେ, ତାହେଲେ ମୋ ଭଳି ଜଣେ ଜଣାଶୁଣା ଜମିଦାର ଓ ବ୍ୟବସାୟୀ ବର୍ଷକରେ ବାରହଜାର ଯୋଗାଡ କରିପାରିବ ନାହିଁ କାହିଁକି?”

ବୈଦ୍ୟ ଅପ୍ରତିଭ ହୋଇ ଟିକିଏ ଚିନ୍ତା କରି କହିଲେ, “ଆଚ୍ଛା, ତେବେ ତାହାହିଁ ହେଉ । ମୁଁ ଆଗାମୀ କାଲିଠୁଁ ଚିକିତ୍ସା ଆରମ୍ଭ କରୁଛି ।”

ପରଦିନ ବୈଦ୍ୟ ଔଷଧ ଧରି ଆସି ସେଠାରେ ପହଁଚିଲେ । ଗୁପ୍ତ ତାଙ୍କୁ ଧନ୍ୟବାଦ ଦେଲେ । ପ୍ରତି ସପ୍ତାହରେ ବୈଦ୍ୟ କିଛି କିଛି ଔଷଧ ନେଇ ଆସୁଥାନ୍ତି ଓ ତାହା କିପରି ସେବନ କରିବାକୁ ହେବ, ତାହା ମଧ୍ୟ କହି ଦେଉଥାନ୍ତି ।

ଦିନେ ବୈଦ୍ୟ ଗୁପ୍ତଙ୍କୁ ପଚାରିଲେ “ଆଜ୍ଞା, ବର୍ତ୍ତମାନ ଆପଣ କିପରି ଅଛନ୍ତି?”

ଗୁପ୍ତ କହିଲେ “ଭଲ ଅଛି । ମୋର ରୋଗ ତ ମୋତେ କିଛି ଯନ୍ତ୍ରଣା ଦେଉ ନଥିଲା, ଆପଣ ବିଚକ୍ଷଣ ବୈଦ୍ୟ ବୋଲି ଲୁଚି ରହିଥିବା ରୋଗ ଧରି ପାରିଲେ । ଚିକିତ୍ସାରେ ସେ ରୋଗ କେତେ ମାତ୍ରାରେ ଭଲ ହେଉଛି, ସେକଥା ସିନା ଆପଣ ବୁଝିପାରିବେ! ମୁଁ ତ ରୋଗଟି ଅନୁଭବ କରୁନଥିଲି, କେତେଦୂର ତାହା ଭଲ ହେଲା କି ନହେଲା, ସେକଥା ମୁଁ କିପରି ବୁଝିବି?”

ବୈଦ୍ୟ କ’ଣ ଗୋଟେ କହିବେ କହିବେ ବୋଲି କିଛି କହିପାରିଲେ ନାହିଁ । ଅନେକ ସମୟ ସେଠାରେ ବସିରହି ସେ ଚାଲିଗଲେ । ସେହିପରି ଆହୁରି କେତେଥର ମଧ୍ୟ ହେଲା ।

ମାସକ ପରେ ବୈଦ୍ୟ କହିଲେ, “ଆଜ୍ଞା, ବର୍ଷେ ତ ବହୁତ ଡେରି ଅଛି । କୌଣସି ମତେ ବର୍ତ୍ତମାନ ମୋତେ ଆଠ ହଜାର ଟଙ୍କା ଦିଅନ୍ତୁ ।”

ଗୁପ୍ତ ପଚାରିଲେ “ବୈଦ୍ୟଜୀ, ମୁଁ କ’ଣ ଦେବାର ଥିଲେ ଦିଅନ୍ତି ନାହିଁ? ମୁଁ ଦେଇ ପାରିବି ନାହିଁ । କିନ୍ତୁ ଆପଣଙ୍କର କ’ଣ ଏପରି ବିଶେଷ ଦରକାର?”

ବୈଦ୍ୟ କହିଲେ “ମୋ ଝିଅକୁ ମୁଁ ଯଥେଷ୍ଟ ଯୌତୁକ ଦେଇପାରି ନଥିଲି ବୋଲି ସେ ଆଜୀବନ ଗଞ୍ଜଣା ସହୁଛି । ତା’ ଆଖିର ଲୁହ ମୁଁ ଆଜି ପର୍ଯ୍ୟନ୍ତ ସହି ଆସିଛି, କିନ୍ତୁ ବର୍ତ୍ତମାନ ତା’ ଝିଅର ବାହାଘର ବଅସ ହେଲାଣି । ବରପକ୍ଷ ଆଠ ହଜାର ଟଙ୍କା ଯୌତୁକ ଚାହାଁନ୍ତି । ବାହାଘର ଖର୍ଚ୍ଚ ତୁଲାଇବା ଭଳି ଅର୍ଥ ମୋର ଅଛି । କିନ୍ତୁ ଯୌତୁକ ଖର୍ଚ୍ଚ ନାହିଁ ।”

ଗୁପ୍ତ ତ ବୈଦ୍ୟଙ୍କ ନାତୁଣୀକୁ ଭଲଭାବେ ଜାଣିଥିଲେ । କାରଣ ସେ ଗୁପ୍ତଙ୍କ ଗାଁରେ ବୈଦ୍ୟଙ୍କର ଜଣେ ବନ୍ଧୁଙ୍କ ଘରେ ରହି ଚାଟଶାଳୀରେ ପଢୁଥିଲା । ସେ ଝିଅଟିର ସ୍ୱଭାବ ଅତ୍ୟନ୍ତ ଭଲ ।

ଗୁପ୍ତ କହିଲେ, “ବୈଦ୍ୟଜୀ, ଯୌତୁକ ପ୍ରଥାକୁ ମୁଁ ଘୃଣା କରେ । ମୋର ଟଙ୍କା ଥିଲେ ବି ସେଥିରେ ଖର୍ଚ୍ଚ କରିବା ନିମନ୍ତେ ମୁଁ ଆପଣଙ୍କୁ ଦେଇ ନଥାନ୍ତି ।”

ବୈଦ୍ୟ ପଚାରିଲେ “କିନ୍ତୁ ମୁଁ ଏବେ କ’ଣ କରିବି? ମୋ ନାତୁଣୀର ବାହାଘର…”

ଗୁପ୍ତ କହିଲେ “ଶୁଣନ୍ତୁ । ଆପଣ ମୋ ସିରସ୍ତାରେ ଥିବା ସୁଧୀରକୁ ତ ଜାଣନ୍ତି?”

ବୈଦ୍ୟ କହିଲେ “ହଁ ଆଜ୍ଞା । ଆପଣଙ୍କ ଦେହ ଖରାପ ହେବା ବେଳେ ମୋତେ ତ ସେ ଡାକିବାକୁ ଯାଇଥିଲେ ।”

ଗୁପ୍ତ କହିଲେ “ବେଶ୍ । ସେ ଅତି ସତ୍ ସ୍ୱଭାବର ଯୁବକ । ଆପଣ ତାକୁ ଜୁଆଇଁ କରନ୍ତୁ । ମୁଁ ବ୍ୟବସ୍ଥା କରିଦେବି । ସୁଧୀର ଆମ ଘରେ ମଣିଷ ହୋଇଛି । ସେ ମଧ୍ୟ ମୋହରି ଭଳି ଯୌତୁକକୁ ଘୃଣା କରୁଥିବ ବୋଲି ମୋର ବିଶ୍ୱାସ ।”

ଏକଥା ଶୁଣି ବୈଦ୍ୟଙ୍କ ଆନନ୍ଦ କହିଲେ ନ ସରେ । ଯଥା ସମୟରେ ବାହାଘର ହୋଇଗଲା ।

ଏଣେ ଗୁପ୍ତଙ୍କ ଚିକିତ୍ସା ଚାଲିଥାଏ । ଛଅମାସ ପୁରା ହେବାକୁ ମାସେ ଅଛି, ବୈଦ୍ୟ ଦିନେ ଆସି କହିଲେ, “ମହାଶୟ, ମୋତେ ଚାରିହଜାର ଟଙ୍କା ଦିଅନ୍ତୁ ।”

ଗୁପ୍ତ ପଚାରିଲେ “କାହିଁକି?”

“ମୋ ପୁଅ ସହରରେ ଯେଉଁ ପ୍ରତିଷ୍ଠାନରେ ଚାକିରୀ କରୁଥିଲା, ସେ ପ୍ରତିଷ୍ଠାନ ଏବେ ପାଂଚ ଛଅମାସ ହେବ ବନ୍ଦ ହୋଇଯାଇଛି । ତଦ୍ୱାରା ଏତେଦିନ ହେଲା ସେ ଘରେ ବସି ରହିଛି । ତାକୁ ଗୋଟାଏ ବେପାର କରାଇଦେବି । ତେଣୁ ଚାରିହଜାର ଟଙ୍କା ମୂଳଧନ ଲୋଡା ।”

ଜମିଦାର ଭାବି କହିଲେ, “ଶୁଣନ୍ତୁ । ମୁଁ ଚାହେଁ ସୁଧୀର ନିଜ ଗୋଡରେ ଠିଆ ହେଉ । ସେ ଧାନ ବେପାର କରିବ । ମୁଁ ସବୁ ଠିକ୍ କରିଦେଇଛି । ମୂଳଧନ ତା’ର  । କିନ୍ତୁ ସେଥିଲାଗି ଆଉ ଜଣେ ଅଂଶୀଦାର ଦରକାର । ସେ ଅଂଶୀଦାର ମୂଳଧନ ଖଟାଇବ ନାହିଁ, ଖାଲି କାମରେ ସହଯୋଗ ଦେବ । ଆପଣଙ୍କ ପୁଅ ସେହି ଭଳି ଅଂଶୀଦାର ହେଉ ଓ ସୁଧୀର ସହ ବେପାର କରୁ ।”

ବୈଦ୍ୟ ଏହି ପ୍ରସ୍ତାବରେ ଭାରି ଖୁସି ହେଲେ । କାରଣ ବିଷ୍ଣୁ ଗୁପ୍ତଙ୍କ ତତ୍ତ୍ୱାବଧାନରେ ତାଙ୍କ ପୁଅ ବେପାର କରିବ, ଏହାଠୁଁ ବଳି ନିରାପଦ କଥା ଆଉ କ’ଣ ବା ହୋଇପାରେ?

ଗୁପ୍ତ ତାଙ୍କୁ କହୁଥାନ୍ତି, “ବୈଦ୍ୟ ମହାଶୟ, ଆପଣ ମନଦେଇ ଲୋକଙ୍କ ଚିକିତ୍ସା କରନ୍ତୁ । ଆପଣଙ୍କ ଯଶ ଖ୍ୟାତି ବଢୁ । ସେଥିରେ ଆପଣଙ୍କର ଆୟ ବି ଖୁବ୍ ଭଲ ହେବ । କିନ୍ତୁ ଆପଣଙ୍କ ଆୟ ଅପେକ୍ଷା ବଡ ହେଲା ଲୋକଙ୍କର ଉପକାର । ଯଦି ଆପଣଙ୍କ ନିଷ୍ଠାର ଅଭାବ ଯୋଗୁଁ ରୋଗୀର ଅନିଷ୍ଟ ହେବ, ତେବେ ବିଧି ଆପଣଙ୍କୁ କୌଣସି ମତେ କ୍ଷମା କରିବ ନାହିଁ ।”

ବୈଦ୍ୟ ଏକଥା ଶୁଣି ନିଷ୍ଠାପର ଭାବରେ ଚିକିତ୍ସା କରିବେ ବୋଲି ପ୍ରତିଶୃତି ଦେଉଥାନ୍ତି ।

ଏହା ଭିତରେ ପ୍ରଚାର ହୋଇ ଯାଇଥିଲା କି ବୈଦ୍ୟ ଗୁପ୍ତଙ୍କ ବିଶେଷ ବିଶ୍ୱାସଭାଜନ ବ୍ୟକ୍ତି । ତାଙ୍କ ଚିକିତ୍ସା ବ୍ୟବସାୟ ବହୁତ ବଢି ଯାଇଥିଲା । ଯାହାଙ୍କୁ ଗୁପ୍ତଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତି ଏତେ ବିଶ୍ୱାସ କରନ୍ତି, ସେ ଅତି ନିର୍ଭର ଯୋଗ୍ୟ ବୈଦ୍ୟ ହୋଇଥିବେ ନିଶ୍ଚୟ- ଏହାହିଁ ହେଲା ଲୋକଙ୍କ ଧାରଣା । ସେ ବହୁତ ଅଧିକ ଆୟ କରିବାକୁ ଲାଗିଲେ ।

ଦିନେ ଗୁପ୍ତ ବୈଦ୍ୟଙ୍କୁ ଏକାନ୍ତରେ କହିଲେ, “ବୈଦ୍ୟଜୀ, ଆପଣଙ୍କୁ ଗୋଟିଏ କଥା କହିବାର ଅଛି । କିନ୍ତୁ ଆପଣ ମୋତେ ଆଉ ଭୁଲ୍ ବୁଝିବେ ନାହିଁ ତ?”

ବୈଦ୍ୟ କହିଲେ “ନା, ନା, ଆପଣଙ୍କ ଭଳି ଶୁଭେଚ୍ଛୁ ମୋର ଆଉ କେହି ନାହାଁନ୍ତି । ଆପଣ ଯାହା କହିଲେ ବି ମୁଁ ଆପଣଙ୍କୁ ମୋଟେ ଭୁଲ୍ ବୁଝିବି ନାହିଁ । ଆପଣ ଏଥର ନିଶ୍ଚିନ୍ତ ଭାବରେ ମୋତେ ଯାହା କହିବାର ଅଛି କୁହନ୍ତୁ ।”

ଗୁପ୍ତ କହିଲେ “ବେଶ୍ । ତାହେଲେ ଶୁଣନ୍ତୁ । ମୋ କଥା ଭିନ୍ନ । ମୁଁ ବୃଦ୍ଧ । ଭଗବାନଙ୍କ କୃପାରୁ ମୋର ତାଙ୍କ ଉପରେ ବିଶ୍ୱାସ ଅଛି । ଅର୍ଥାତ୍ ମୁଁ ବିଶ୍ୱାସ କରେ ଯେ ଜୀବନ ମୃତ୍ୟୁ ତାଙ୍କ ହାତର କଥା । ତେଣୁ ଆପଣ ମୋର ମୃତ୍ୟୁ ବିଷୟରେ ଭବିଷ୍ୟତବାଣୀ କଲେ ମଧ୍ୟ ମୁଁ ସେଥିରେ ଆଦୌ ବିଚଳିତ ହୋଇ ନାହିଁ । କିନ୍ତୁ ମୋର ଅନୁରୋଧ ହେଲା, ଅନ୍ୟ କୌଣସି ରୋଗୀକୁ ସେଭଳି କଥା କହିବା ପୂର୍ବରୁ ଆପଣ ବହୁତ ଚିନ୍ତା କରି କହିବେ । ସେ ରୋଗୀ ଆପଣଙ୍କ ଭବିଷ୍ୟତବାଣୀ କିପରି ଭାବରେ ଗ୍ରହଣ କରିବ, ସେକଥା ବିଚାର କରିବେ । ଏପରି ହୋଇପାରେ ଯେ, ଆପଣଙ୍କ ଭବିଷ୍ୟତବାଣୀ ଯୋଗୁଁ ରୋଗୀ ଭୟଭୀତ ହେବ ଓ ସେଥିରେ ତା’ର ମୃତ୍ୟୁ ନିକଟରେ ହେବ । ମୁଁ କିଛି ଅନ୍ୟାୟ କଥା କହୁନାହିଁ ତ? ଆପଣ କିଛି ଖରାପ ଭାବୁ ନାହାଁନ୍ତି ତ?”

ବୈଦ୍ୟ କହିଲେ “ନା, ନା, ଯମା ନୁହେଁ । ଆପଣ ଯାହା କହିଲେ, ତାହା ପୁରାପୁରି ସତ କଥା । ମୁଁ ଆପଣଙ୍କୁ ସେକଥା କହିବା ପରେ ବହୁତ ଅନୁତାପ କରିଛି । ଆଉ କାହାକୁ ସେପରି କହିବାର ତ ପ୍ରଶ୍ନହିଁ ଉଠୁ ନାହିଁ ।”

ଗୁପ୍ତ ପୁଣି କହିଲେ “ବେଶ୍, ଭଲ କଥା । ଖୁସି ହେଲି । ମୋତେ ସେପରି କହି ଆପଣ ଅବଶ୍ୟ ସେମିତି କିଛି ଅନ୍ୟାୟ କରି ନାହାଁନ୍ତି । ମୁଁ ତ ଆପଣଙ୍କ ଚିକିତ୍ସାରେ ଭଲ ଅଛି । ମନେହୁଏ, ମୃତ୍ୟୁ କବଳରୁ ବଂଚିଯିବି ।”

                ବୈଦ୍ୟ କହିଲେ, “ଭଗବାନ ଆପଣଙ୍କୁ ଦୀର୍ଘଜୀବନ ଦେବେ । ଏହା ମୋର ପ୍ରାର୍ଥନା ।”

                କ୍ରମେ ଚାହୁଁ ଚାହୁଁ ଏକ ବର୍ଷ ବିତିଗଲା । ଦିନେ ଗୁପ୍ତ ବୈଦ୍ୟଙ୍କୁ ଡାକି କହିଲେ, “ବୈଦ୍ୟଜୀ, ଆପଣଙ୍କୁ ମୋର ବାରହଜାର ଟଙ୍କା ଦେବାର କଥା । କିନ୍ତୁ…”

                “ସେକଥା ଥାଉ । ଆଉ ଦିନେ ସେ ବିଷୟରେ ଆଲୋଚନା କରିବା ।” ଏହା କହି ବୈଦ୍ୟ ଗୁପ୍ତଙ୍କୁ ସେକଥା କହିବାକୁ ଆଉ ଦେଲେ ନାହିଁ । କେଇଦିନ ପରେ ଗୁପ୍ତ ପୁଣି ସେକଥା ଉଠାଇବାରୁ ବୈଦ୍ୟ ପୁଣି କୌଣସି ମତେ ସେକଥା ଏଡାଇଗଲେ । ଏହାପରେ ମଧ୍ୟ କେତେଥର ଏପରି ହେଲା । କିନ୍ତୁ ଦିନେ ଗୁପ୍ତ ତାଙ୍କୁ ପାଖରେ ବସାଇ କହିଲେ, “ଶୁଣନ୍ତୁ । କଥାଟା ଏଇଠି ଛିଡିଯାଉ । ନହେଲେ ମୋ ମନରେ ଗ୍ଳାନି ସେମିତି ରହିଥିବ । ମୁଁ କାହିଁକି ଋଣୀ ହୋଇ ରହିଥିବି । ଶୁଣନ୍ତୁ, ଆମର ସର୍ତ୍ତ ଅନୁସାରେ ମୁଁ ଆପଣଙ୍କୁ ବାରହଜାର ଟଙ୍କା ଦେବା କଥା । ତାହା ଆପଣଙ୍କର ମନେ ଅଛିଟି? ଆଜି ବସନ୍ତୁ । ସେ ବିଷୟରେ ଗୋଟାଏ କିଛି ବ୍ୟବସ୍ଥା କରିବା । ରୋଗଛଡା ବି ତ ମୁଁ ବୟସ ଯୋଗୁଁ ପୁଣି ଯେ କୌଣସି ସମୟରେ ମରିଯାଇ ପାରେ! ମୋ ଆତ୍ମା ଶାନ୍ତିରେ ରହିପାରିବ କି? ଆପଣଙ୍କ ପ୍ରାପ୍ୟ ବିଷୟରେ ସେ ସର୍ବଦା ଚିନ୍ତା କରୁଥିବ । ନୁହେଁ କି?”

                ବୈଦ୍ୟ ତାଙ୍କ ହାତ ଧରି ପକାଇ କହିଲେ, “ମହାଶୟ, ଆପଣଙ୍କ ପାଖରେ କିପରି ଭାବରେ କ୍ଷମା ପ୍ରାର୍ଥନା କରିବି, ତାହା ମୁଁ ଜାଣିପାରୁ ନାହିଁ । ଆପଣ ତ ମୋର ସବୁ ସମସ୍ୟାର ସମାଧାନ କରି ଦେଇଛନ୍ତି । କେବଳ ଆପଣଙ୍କ ଯୋଗୁଁ ମୋ ଚିକିତ୍ସାର ପ୍ରସାର ବି ହୋଇଛି । କିନ୍ତୁ ମୁଁ ମିଥ୍ୟାବାଦୀ । ଆପଣଙ୍କୁ ଶୋଷଣ କରିବାକୁ ଚାହୁଁଥିଲି । ଆପଣ ସରଳ ଲୋକ ବୋଲି…” ବୈଦ୍ୟ ଆଉ କଥା କହି ନପାରି ଶେଷକୁ କାନ୍ଦି ପକାଇଲେ ।

                ଗୁପ୍ତ କହିଲେ “ବୈଦ୍ୟଜୀ, ଆପଣ ମୋତେ ଯେତେ ସରଳ ଭାବୁଛନ୍ତି, ମୁଁ ସେତେ ସରଳ ନୁହେଁ । ମୁଁ ମୂଳରୁ ଜାଣିଥିଲି, ଆପଣ ଅଭାବରେ ପଡି ମୋଠୁଁ ବାରହଜାର ଟଙ୍କା ଆଦାୟ କରିବାକୁ ଚାହାଁନ୍ତି । ସ୍ୱର୍ଣ୍ଣଭଷ୍ମ ଇତ୍ୟାଦି ଦ୍ୱାରା ଔଷଧ ପ୍ରସ୍ତୁତ କରିବା ପାଇଁ ଯେଉଁ ହଜାର ହଜାର ଟଙ୍କା ଦରକାର, ତାହା ଆପଣ କେଉଁଠୁ ପାଆନ୍ତେ ଯେ ଆପଣଙ୍କ ଔଷଧରେ ମୁଁ ବିଶ୍ୱାସ କରନ୍ତି?”

                “ଆପଣ କ’ଣ ତେବେ…”

                ଗୁପ୍ତ ହସିଲେ ଓ ଆଲ୍ମିରା ଖୋଲିଦେଲେ । ବୈଦ୍ୟ ଦେଇଥିବା ସବୁ ଔଷଧ ତହିଁରେ ସେମିତି ରହିଥିଲା ।

                ଗୁପ୍ତ କହିଲେ “ବୈଦ୍ୟଜୀ! ଯାହା ହେବାର ତ ହେଲାଣି । ଆପଣ ଯେ ଆଜି ମୋଠି ସତ୍ୟ ପ୍ରକାଶ କରିବା ପାଇଁ ପ୍ରସ୍ତୁତ ଥିଲେ, ତାହାହିଁ ମୋର ସବୁଠାରୁ ବଡ ପୁରସ୍କାର ।”

                ବୈଦ୍ୟ ଆଖି ପୋଛି କହିଲେ “ମୁଁ ଆଉ ଆପଣଙ୍କ ଚିକିତ୍ସା କ’ଣ ବା କରିବି ଆପଣହିଁ ମୋର ଚିକିତ୍ସା କରିଛନ୍ତି!”🙏

Comments

Popular posts from this blog

ପାଲି ଖେଳ