୨୧ ଜୁନ ୨୦୨୦ କାହାଣୀ
🌻 *ଗପ ଟିଏ... 🌛ଜହ୍ନମାମୁଁ ପୃଷ୍ଠାରୁ* 🌻
✳️ *ସନ୍ଦେହ ନିବାରଣ* ✳️
ସୌଶିଲ୍ୟ ଦେଶର ରାଜା ସର୍ବୋତମ ଜଣେ ଉତ୍ତମ ଶାସନକର୍ତ୍ତା ଥିଲେ । କିନ୍ତୁ କଳା ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା । ବିଭିନ୍ନ କଳା ଓ କଳାକାରଙ୍କୁ ସେ ତାଙ୍କ ଦରବାରରେ ସ୍ଥାନ ଦେଉଥିଲେ ଓ ସେମାନଙ୍କୁ ସେ ନାନା ଭାବରେ ପୁରସ୍କୃତ ମଧ୍ୟ କରୁଥିଲେ ।
ଦିନେ ରାଜା ତାଙ୍କର ପାଟରାଣୀ ନିର୍ମଳାଦେବୀଙ୍କ ସହିତ ବଗିଚାରେ ବୁଲୁଥିଲେ, ସେତେବେଳେ ଦରବାରର କବି ସଞ୍ଜୟ ସେଠାକୁ ଆସିଲେ । ରାଜାଙ୍କର ଏକ ଇଚ୍ଛା ଥିଲା ଯେ “ସର୍ବକଳା ସମ୍ମିଳନୀ” ନାମକ ଏକ ଉତ୍ସବ କରାହେବ । ସେଥିରେ ଅଂଶଗ୍ରହଣ କରିଥିବା କଳାକାରମାନେ ପୁରସ୍କୃତ ହେବେ । ସଞ୍ଜୟ ସେହି ବିଷୟରେ ଆଲୋଚନା କରିବାକୁ ଆସିଥିଲେ ।
ସେମାନଙ୍କ ଆଲୋଚନା ଶୁଣିବା ପରେ ରାଣୀ କହିଲେ, “ମୋର କାହିଁ ମନେହୁଏ ଯେ, ଏତେ ବଡ ସମ୍ମିଳନୀ କରିବା ଦ୍ୱାରା ଆପଣ ପ୍ରଜାଙ୍କ ଧନର ଦୁରୁପଯୋଗ କରୁଛନ୍ତି । ସେହି ପଇସା ସେମାନେ ବ୍ୟବସାୟ ବା ଚାଷ କରି ଅର୍ଜନ କରିଛନ୍ତି । କର ରୂପେ ଆପଣ ତାହା ସେମାନଙ୍କ ଠାରୁ ଆଦାୟ କରିଛନ୍ତି, ମୁଁ ଭାବୁଛି ସେମାନଙ୍କ ଦାରିଦ୍ର୍ୟମୋଚନ ଦିଗରେ ଯଦି ଅଧିକ କାମ କରନ୍ତେ ତ ଉତ୍ତମ ହୁଅନ୍ତା ।”
ଏକଥା ଶୁଣି ସଞ୍ଜୟର ମୁହଁ ହଠାତ୍ ଫିକା ପଡିଗଲା । ରାଜାଙ୍କୁ ଲାଗିଲା ଯେପରି ତାହାରହିଁ ଶିରଛେଦ କରାଗଲା । ଯେତେ ଶୀଘ୍ର ସମ୍ଭବ ସଞ୍ଜୟ ସେଠାରୁ ଚାଲିଗଲେ ।
ରାଜା ରାଣୀଙ୍କୁ କହିଲେ, “ଦେବୀ, ଭଗବାନ୍ଙ୍କ କୃପାରୁ ଆମ ରାଜ୍ୟର ପ୍ରଜାମାନଙ୍କର କୌଣସି ବି ଅଭାବ ନାହିଁ ।”
ତା’ପରେ ରାଜା କଳା ଉପରେ ଏକ ଦୀର୍ଘ ବକୃତା ଦେଲେ । ରାଣୀ କହିଲେ, “ପ୍ରଥମତଃ ମଣିଷର ଦରକାର ଘର, ଖାଦ୍ୟବସ୍ତ୍ର ।”
ରାଜା କହିଲେ, “ହଁ, ତୁମେ ଠିକ୍ କହିଛ । ମଣିଷକୁ ବଂଚିବା ପାଇଁ ଆହାର, ଗୃହ ଓ ବସ୍ତ୍ର ଦରକାର । କିନ୍ତୁ ସେଥିରେ କ’ଣ ମନୁଷ୍ୟ କେବେବି ସନ୍ତୁଷ୍ଟ ହୋଇ ରହିପାରେ?”
ସେତେବେଳେ ସେଠାରେ ବିଦୂଷକ ଆସି ପହଁଚିଲେ । ତାଙ୍କୁ ଏ ଦୁଇଜଣ ନିଜନିଜର କଥା ଶୁଣାଇଲେ ଓ ପଚାରିଲେ ପ୍ରକୃତରେ ସତ୍ୟ ଅସତ୍ୟ ବିଷୟରେ ତାଙ୍କର ମତ କ’ଣ?
ବିଦୂଷକ ଅନେକ ସମୟ ଭାବିବା ପରେ ପାଖରେ ଥିବା ପ୍ରହରୀକୁ ଡାକି ଏକଥା କହିବାରୁ, ସେ କହିଲା, “ଖାଦ୍ୟ ହେଉଛି ମନୁଷ୍ୟ ଜୀବନର ମୁଖ୍ୟ ବିଷୟ । ତା’ପରେ ଯାଇ ଆଉ ଯାହା ।”
ବିଦୂଷକ ପଚାରିଲେ “ସେପରି କୁହ ନାହିଁ । କେବଳ ଖାଇବା ଖାଇ ମଣିଷ କ’ଣ କେବେବି ବଂଚି ରହି ପାରିବ?”
“କାହିଁକି ନୁହଁ? ନିଶ୍ଚୟ ରହି ପାରିବ ।” ସେତେବେଳେ ବିଦୂଷକ ରାଣୀକୁ ଚାହିଁ କହିଲେ, “ମହାରାଣୀ, ମୋତେ ପନ୍ଦର ଦିନ ସମୟ ଦିଅନ୍ତୁ, ମୁଁ ଏହି ପ୍ରହରୀ ଦ୍ୱାରା ଆପଣଙ୍କ ସନ୍ଦେହମୋଚନ କରାଇବି ।”
ପ୍ରହରୀ କହିଲା “ଆରେ ବାବୁ, ମୋତେ ଭଲକରି ଖାଇବାକୁ ମିଳିଲେ ମୁଁ ତ ବେଶ୍ ସୁଖରେ ରହିବି । ତମେ ମୋତେ ପରୀକ୍ଷା କରିବ ଯଦି କର, କିନ୍ତୁ ମୋତେ ଯଥେଷ୍ଟ ପରିମାଣରେ ସୁଖାଦ୍ୟ ଦେଇ ପରୀକ୍ଷା କର । ସେଥିରେ କମ୍ କଲେ ଆଦୌ ଚଳିବ ନାହିଁ ।”
ବିଦୂଷକ ହସି ହସି କହିଲେ, “ବେଶ୍ । ତେବେ ତୁମରି ସର୍ତ୍ତ ଅନୁସାରେ ପରୀକ୍ଷା କରାଯିବ ।”
ବିଦୂଷକ ତା’ପରେ ସେ ପ୍ରହରୀକୁ ନେଇ କାରାଗାରରେ ବନ୍ଦ କରି ରଖିଲେ । ଖାଦ୍ୟ କିନ୍ତୁ ଠିକ୍ ସମୟରେ ଯଥେଷ୍ଟ ଦେଉଥିଲେ । ଠିକ୍ ତା’ ସାତଦିନ ପରେ ବିଦୂଷକ ତାକୁ ରାଜାଙ୍କ ପାଖକୁ ଆଣି ପଚାରିଲେ, “ସପ୍ତାହଟି କିପରି କଟିଲା?”
ପ୍ରହରୀ କହିଲା “ମହାରାଜ, ମୁଁ ସେଠାରେ ବଡ କଷ୍ଟରେ ଥିଲି । କେବଳ ମୁକ୍ତିପାଇବା ଆଶାରେହିଁ ମୁଁ ଯାହା ବଂଚିଥିଲି । ନହେଲେ ନାଇ ତ ମୁଁ ଆତ୍ମହତ୍ୟା କରିଥାନ୍ତି ।”
ବିଦୂଷକ ମହାରାଣୀଙ୍କୁ କହିଲେ, “ଶୁଣିଲେ ତ? ମନୁଷ୍ୟର ଜୀବନଧାରଣ ପାଇଁ ଖାଦ୍ୟ ତ ନିହାତି ଆବଶ୍ୟକ । କିନ୍ତୁ କେବଳ ଆହାର ଯୋଗୁଁ ଜଣେ କଦାପି ମଧ୍ୟ ସୁଖରେ ନିଜ ଜୀବନ ବିତାଇ ପାରିବ ନାହିଁ । ସୁଖମୟ ତଥା ତୃପ୍ତିମୟ ଜୀବନ ପାଇଁ ଆନନ୍ଦ, ଆହ୍ୱାନ, ଆବେଗ ପ୍ରଭୃତି ଏମିତି ଅନେକ କିଛି ଏକାନ୍ତ ଆବଶ୍ୟକ । ଫୁଲଟିଏ ଦେଖିଲେ ଆପଣଙ୍କ ଆଖି ଆନନ୍ଦିତ ହେଉଛି । ସୁନ୍ଦର ଗୀତଟିଏ ଶୁଣିଲେ କାନ ଆନନ୍ଦିତ ହେଉଛି । ସେହିପରି ଆପଣଙ୍କର ସମସ୍ତ ଇନ୍ଦ୍ରିୟକୁ ତୃପ୍ତ କରିବା ପାଇଁ କେତେ କଥା ଅଗଣିତ ଭାବରେ ରହିଛି । ଏ ପ୍ରହରୀକୁ ତ ସମୟ ଅନୁସାରେ ଯଥେଷ୍ଟ ଖାଦ୍ୟ ଦିଆଯାଉଥିଲା । କିନ୍ତୁ ସେ କାହିଁକି ମୁକ୍ତି ଚାହିଁଲା? ଏଇଥିରୁ ଏବେ ଆପଣ ସବୁକିଛି ଠିକ୍ ଠିକ୍ ବୁଝିପାରୁଥିବେ ବୋଲି ମୋର ଆଶା ଓ ବିଶ୍ୱାସ ।”
ଏବେ ସେ ରାଜା ଖୁସି । ରାଣୀ ମଧ୍ୟ ସେକଥା ମାନିନେଲେ । ରାଜା କହିଲେ, “ଭଲ ହେଲା, ଏଥର ତୁମର ସନ୍ଦେହ ମୋଚନ ହେଲା । କିନ୍ତୁ କେବଳ ସେଇଥିପାଇଁ ବିଚାରା ପ୍ରହରୀକୁ ଦୀର୍ଘ ଏକ ସପ୍ତାହ ଧରି କାରାଗାରରେ ରହିବାକୁ ହେଲା!” ରାଜାଙ୍କ ଏଭଳି କଥା ଶୁଣି ତାଙ୍କ ରାଣୀ ସଙ୍ଗେ ସଙ୍ଗେ ସେ ପ୍ରହରୀକୁ ବହୁତ ଧନ ଦେଲେ ।🙏
Comments
Post a Comment