୦୯ ଜୁନ ୨୦୨୦ କାହାଣୀ
🌼 *ଗପ ଟିଏ... 🌛ଜହ୍ନମାମୁଁ ପୃଷ୍ଠାରୁ* 🌼
⚛️ *କୁଶଳ ବୁଦ୍ଧି* ⚛️
ପ୍ରତ୍ୟେକ ମଣିଷର ସାଧାରଣ ଜୀବନ କଟାଇବା ପାଇଁ ଯଥେଷ୍ଟ ବୁଦ୍ଧି ଅଛି । କିନ୍ତୁ କୁଶଳ ବୁଦ୍ଧି ଅନ୍ୟ ଏକ ବିଭାଗ ଯାହାକି ଖୁବ୍ କମ୍ ବ୍ୟକ୍ତିଙ୍କର ଥାଏ । ଏହି କୁଶଳ ବୁଦ୍ଧି ସାହାଯ୍ୟରେ ମଣିଷ ଅଳ୍ପ ସମୟରେ, ଅଳ୍ପ ପରିଶ୍ରମରେ ଓ ଅନାୟାସରେ ଅନେକ କିଛି ହାସଲ କରିପାରେ । ସେହିପରି ଜଣେ ବ୍ୟକ୍ତି ହେଲେ ରାଜପୁର ଗ୍ରାମର ରାମପ୍ରସାଦ । ସେ ବିବେକ୍ବାନ୍, ସ୍ଥିରବୁଦ୍ଧି ସମ୍ପନ୍ନ ଓ ସଂସାରର ସମସ୍ୟା ସମାଧାନ କରିବାରେ ବିଚକ୍ଷଣ । ତେଣୁ ଗ୍ରାମରେ କାହାର କିଛି ସମସ୍ୟା ହେଲେ ସେମାନେ ତାଙ୍କ ପାଖକୁହିଁ ଆସନ୍ତି ।
ସେଇ ଗାଁରେ ଭୋଳା ନାମରେ ଜଣେ ଗରିବ ଚାଷୀ ଥାଏ । ଦିନେ ସେ ରାମପ୍ରସାଦଙ୍କ ପାଖକୁ ଆସି କହିଲା, “ମହାଶୟ, ଆମ ଘରଟି ଚଳିବାକୁ ଛୋଟ, ପରିବାରର ସଂଖ୍ୟା କ୍ରମେ ବଢୁଛି । ଶୋଇବା ରହିବା ପାଇଁ ବଖରାଏ ମାତ୍ର ଘର । ହାତରେ ପଇସା ନାହିଁ ଯେ ମୁଁ ନୂଆ ଘରଟିଏ କରିବି । ଏ କ୍ଷେତ୍ରରେ କ’ଣ କରାଯାଇ ପାରେ ଆପଣ ମୋତେ ବୁଦ୍ଧି ଦିଅନ୍ତୁ ।”
ରାମବାବୁ ପଚାରିଲେ, “ଭୋଳା, ତୁମ ଘରେ ତୁମେ ଛେଳି ଓ କୁକୁଡା ବି ରଖିଛ ନା?”
ଭୋଳା କହିଲା “ଆଜ୍ଞା, ବହୁତ ଅଛନ୍ତି, ବତକ, କୁକୁର, ବିଲେଇ, ଗାଈ ମଧ୍ୟ ଅଛନ୍ତି ।”
ରାମପ୍ରସାଦ କହିଲେ “ଦେଖ ଭୋଳା, ଆଜିଠାରୁ ଗୋଟିଏ ଛେଳି ଓ ତା’ର ଛୁଆଙ୍କୁ ତୁମ
ଶୋଇବା ଘରେ ନେଇ ବାନ୍ଧିବ । ଚାରିଦିନ ପରେ ମୋତେ ଆସି ଖବର ଦେବ ।”
ଭୋଳା ଖୁସି ହୋଇ ଘରକୁ ଯାଇ ସେଇଆ କଲା । ତଦ୍ୱାରା ଘର ଭିତରେ ଜାଗା ଆହୁରି କମ୍ ହୋଇଗଲା । ଚାରିଦିନ କଷ୍ଟ କରି ଚଳିଲା ପରେ ଯାଇ ରାମପ୍ରସାଦଙ୍କୁ ଦେଖା କରି ସେ ତା’ର କଷ୍ଟ କହିଲା । ରାମବାବୁ କହିଲେ, “ପ୍ରଥମେ ପ୍ରଥମେ କଷ୍ଟ ହେବ, ମାତ୍ର ପରେ ସବୁ କିଛି ଠିକ୍ ହୋଇଯିବ । ଏବେ ଆଉ ଦୁଇହଳ ଛେଳି ଘର ଭିତରେ ରଖିବ । ପାଂଚଦିନ ପରେ ଆସି ମୋତେ ଜଣାଇବ ।”
ପାଂଚଦିନ ପରେ ଭୋଳା ରାମପ୍ରସାଦଙ୍କୁ ପୁଣି ଦେଖା କରି କହିଲା, “ମହାଶୟ, ଆପଣଙ୍କ କଥା ଅନୁସାରେ ତ ମୁଁ ଚଳୁଛି ହେଲେ ଏବେ ଶୋଇବା ବଖରାଟିରେ ଆଉ ହଲ୍ଚଲ୍ ହେବାକୁ ବି ଜାଗା ନାହିଁ ।”
ରାମପ୍ରସାଦ ଅଳ୍ପ ଅଳ୍ପ ହସି କହିଲେ, “ଭୋଳା, ଏବେ ଆଜିଠାରୁ ଘରେ ଥିବା ଛେଳିମାନଙ୍କ ଭିତରୁ ଦୁଇଟିଙ୍କୁ ବାହାରେ ବାନ୍ଧିବ ଓ କାଲି ଆସି ମୋତେ କହିବ କ’ଣ ହେଲା ।”
ଦୁଇଦିନ ପରେ ଭୋଳା ଖୁସି ହୋଇ ଆସିବାର ଦେଖି ରାମପ୍ରସାଦ କହିଲେ, “ଭୋଳା, ଏବେ ତୁମ ଘର ଟିକିଏ ବଡ ଲାଗୁଛି ନା?”
ଭୋଳା କହିଲା “ଆଜ୍ଞା, ହଁ, ମଝିରେ ତ ନିଶ୍ୱାସ ମାରିବାକୁ ବଡ କଷ୍ଟ ହେଉଥିଲା । କିନ୍ତୁ ଏବେ ଟିକିଏ ଖୋଲା ଲାଗୁଛି ।”
ରାମପ୍ରସାଦ କହିଲେ “ତେବେ, ଆଜିଠାରୁ ଛୋଟ ଛୋଟ ଛେଳି ଓ ତାଙ୍କ ମା’କୁ ମଧ୍ୟ ବାହାରେ ବାନ୍ଧିବ । ଦୁଇଦିନ ପରେ ଆସି ମୋତେ ଖବର ଦେବ ବୁଝିଲ?”
ଦୁଇଦିନ ପରେ ଭୋଳାର ହସଖୁସିରେ ଭରା ଚେହେରା ଦେଖି ରାମପ୍ରସାଦ ତାକୁ ପଚାରିଲେ, “ଏବେ ତୁମ ଘରର ଅବସ୍ଥା କିପରି?”
“ବାବୁ ମହାଶୟ, ଆପଣ ମୋର ବହୁତ ଉପକାର କରିଛନ୍ତି । ଏବେ ମୋ ଘର ବହୁତ ଖୋଲା ଓ ବଡ ଲାଗୁଛି । ମୋ ଘରର ଲୋକମାନେ ମଧ୍ୟ ଖୁସି ।” ଭେଳା ଏତକ କହିଲା ଓ ତାଙ୍କୁ ନମସ୍କାର କରି ସେଠାରୁ ଚାଲିଗଲା ।
କିଛିଦିନ ଆଗରୁ କୈଳାସ ନାମକ ଏକ ବୁଦ୍ଧିମାନ୍ ଯୁବକ ରାମପ୍ରସାଦଙ୍କ ଘରେ କାମ କରିବାକୁ ରହିଥାଏ । ସେ ପ୍ରଥମରୁହିଁ ଭୋଳା ଓ ରାମପ୍ରସାଦଙ୍କ କଥାବାର୍ତ୍ତା ସବୁ ମନଦେଇ ଶୁଣୁଥାଏ କିନ୍ତୁ ସେ ବୁଝିପାରିଲା ନାହିଁ ଯେ ଛୋଟ ଘର କିପରି ବଡ ହୋଇଗଲା । ସେ ଆଶ୍ଚର୍ଯ୍ୟ ହୋଇ ରାମପ୍ରସାଦଙ୍କୁ ପଚାରିଲା, “ବାବୁ ଭୋଳାର ନୂଆ ଘର ତ ତିଆରି ହୋଇନାହିଁ । ଯେତିକି ଜାଗା ସେତିକି, ଆଉ କେବଳ କଥାବାର୍ତ୍ତାରେ ଆପଣ ତାକୁ କ’ଣ ଏମିତି ବୁଝାଇଲେ ଯେ ତା’ର ଛୋଟ ଘର ବଡ ହୋଇଗଲା ଓ ତା’ ସମସ୍ୟାର ମଧ୍ୟ ସମାଧାନ ହୋଇଗଲା?”
ରାମପ୍ରସାଦ କହିଲେ, “ଭୋଳା ଜଣେ ସାଧାରଣ ମଣିଷ, ତା’ର ବୁଦ୍ଧି ଅଛି ହେଲେ କୁଶଳ ବୁଦ୍ଧି ନାହିଁ । ସେ କହିଲା ବଡ ଘର ତିଆରି କରିପାରିବ ନାହିଁ । ଅଥଚ ସେଇ ଘରକୁ ନେଇ ସନ୍ତୁଷ୍ଟ ହେବ । ତେଣୁ ମୁଁ ତା’ର ମନୋବୃତି ବଦଳାଇବାକୁ ଚେଷ୍ଟାକଲି । ଅଧିକ ପଶୁ ଘର ଭିତରେ ରଖିବାରୁ ତାକୁ ତା’ ଘର ଖୁବ୍ ଛୋଟ ଲାଗିଲା । ସେତେବେଳେ ସମସ୍ତେ କଷ୍ଟେମଷ୍ଟେ ସେଇ ଘରେ ଚଳିଲେ । ଏଣୁ ନିଶ୍ୱାସ ବନ୍ଦ ହୋଇଗଲା ପରି ଲାଗିଲା । ପୁଣି ପଶୁମାନେ ବାହାରିଗଲାରୁ ତାକୁ ସେ ଘରଟି ଖୋଲା ଓ ବଡ ଲାଗିଲା । ସେତେବେଳେ ତା’ର ମନେହେଲା ଆଃ କି ଖୋଲା । ବାସ୍ ଏତିକିରେ ତା’ ମନୋବୃତି ବଦଳିଗଲା । କିନ୍ତୁ ବାହାରେ ଘର ଯାହା ଥିଲା ସେଇଆ ।🙏
Comments
Post a Comment