୧୧ ଜୁନ ୨୦୨୦ କାହାଣୀ
🌺 *ଗପ ଟିଏ...🌙ଜହ୍ନମାମୁଁ ପୃଷ୍ଠାରୁ* 🌺
🎈 *ବୁଦ୍ଧି ଓ ବିବେକ* 🎈
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସହିତ ଅସରାଏ ଲେଖାଏଁ ଝିପିଝିପି ବର୍ଷା ବି ହୋଇଯାଉଥାଏ । ଗଛଲତା ଗହନରୁ ସାଏଁ ସାଏଁ ଶବ୍ଦ ସବୁ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ ।
କିନ୍ତୁ ରାଜା ବିକ୍ରମାର୍କ ଏଥିରେ ତିଳେ ହେଲେ ବି ମଧ୍ୟ ବିଚଳିତ ବୋଧ ନହୋଇ ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଏବଂ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ଯେତେବେଳେ ତାକୁ ସେ ନିଜ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କଲେ, ଶବସ୍ଥିତ ବେତାଳ କହିଲା, “ରାଜା! ଏ ଦୁର୍ଯ୍ୟୋଗପୂର୍ଣ୍ଣ ରାତିରେ ପ୍ରାସାଦର ସୁଖ ସମ୍ଭୋଗଠାରୁ ଦୂରେଇ ଆସି ତମେ ଶ୍ମଶାନରେ ବିଚରଣ କରିବାର ମାନେ କ’ଣ ହୋଇପାରେ? ତୁମେ କ’ଣ ନିଜ ପ୍ରେରଣାରେ ଏହା କରୁଛ ନା ଏହା ପଛରେ କୌଣସି ଅଲୌକିକ ଶକ୍ତିର ପ୍ରେରଣା ରହିଛି? ଅଲୌକିକ ଶକ୍ତି ସମ୍ପର୍କରେ ତମର ଧାରଣ କ’ଣ ତା’ ତ ମୁଁ ଜାଣେନା, କିନ୍ତୁ ଅନେକ ସମୟରେ ସେସବୁ କେବଳ କଳ୍ପନାମାତ୍ର । ମୋର ଏହି କଥାଟିର ସାରମର୍ମ ବୁଝାଇଦେବା ନିମନ୍ତେ ମୁଁ ଗୋଟାଏ ଦୃଷ୍ଟାନ୍ତ ଦେଉଛି । ମନ ଦେଇ ତାହା ଶୁଣ । ଶୁଣିଲେ ତୁମ ଶ୍ରମଭାର ଲାଘବ ମନେ ହେବ ।”
ଏହାପରେ ସେ ବେତାଳ ଗପିଲା : ଅନେକ ଦିନ ତଳର କଥା । ବୈତରଣୀ କୂଳରେ ଛୋଟ ରାଜ୍ୟଟିଏ ଥିଲା । ରାଜକୁମାର ବିଶ୍ୱଦତ, ସେନାପତି ପୁତ୍ର ଅଭିଜିତ, ପୁରୋହିତ ପୁତ୍ର ଶଶିଧର ଏବଂ ମନ୍ତ୍ରୀକନ୍ୟା ମାଧୁରୀ ପିଲାବେଳଠୁଁ ଏକା ସାଙ୍ଗରେ ଖେଳାଧୂଳା କରୁଥାନ୍ତି । ସମୟ କ୍ରମେ ରାଜକୁମାର ବିଶ୍ୱଦତ ଓ ଅଭିଜତ୍ ଗୁରୁକୂଳରେ ଯାଇ ବିଦ୍ୟାଧ୍ୟୟନ କଲେ ।
ଅଧ୍ୟୟନ ଶେଷ ହୁଅନ୍ତେ ଦୁଇ ତରୁଣ ରାଜଧାନୀକୁ ଲେଉଟି ଆସିଲେ । ରାଜକୁମାର ତେଣିକି କିଛି କିଛି ସମୟଦେଇ ଶାସନକାର୍ଯ୍ୟ ଶିଖିବାକୁ ଲାଗିଲେ । ସେ ସ୍ୱଭାବରେ ନମ୍ର ଥିଲେ; ଆଚାର ବ୍ୟବହାରରେ ଭଦ୍ର ଥିଲେ । ରାଜ୍ୟର ଅମାତ୍ୟମାନେ ଓ ସାଧାରଣଲୋକେ ସେଥିସକାଶେ ତାଙ୍କୁ ଯଥେଷ୍ଟ ସ୍ନେହ ଶ୍ରଦ୍ଧା କରୁଥିଲେ ସତ, କିନ୍ତୁ ଅଭିଜିତ ଓ ଶଶିଧର ତାଙ୍କୁ ଭାରି ଈର୍ଷ୍ୟା କରୁଥିଲେ । ସେମାନଙ୍କର ଏହି ଈର୍ଷ୍ୟାର କାରଣ ହେଉଛି ମନ୍ତ୍ରୀ କନ୍ୟା ମାଧୁରୀ । କାହିଁକିନା ସେ ତିନିଜଣ ଯାକ ଯୁବକ ମାଧୁରୀକୁ ବିଭା ହେବାକୁ ଚାହୁଁଥିଲେ । କିନ୍ତୁ ଶଶିଧର ବ୍ରାହ୍ମଣ ହୋଇଥିବାରୁ ମାଧୁରୀଙ୍କୁ ତ ସେ କେବେବି ବିଭା ହୋଇ ପାରିବେ ନାହିଁ ବୋଲି ଜାଣିଥିଲେ । ଅଭିଜିତ ଡରୁଥିଲେ କି ମାଧୁରୀ ରାଜପୁତ୍ରଙ୍କୁ ଛାଡି ତାଙ୍କୁ ବିଭା ହେବାକୁ କେବେବି ମଙ୍ଗିବେ ନାହିଁ ।
କିନ୍ତୁ ବିଶ୍ୱଦତ ସେମାନଙ୍କ ମନକଥା ଜାଣୁ ନଥିଲେ । ତେବେ ମାଧୁରୀ ତାଙ୍କୁ ଭଲ ପାଆନ୍ତି ବୋଲି ତାଙ୍କ ଧାରଣାଥାଏ ।
ରାଜପ୍ରାସାଦ ଆଗରେ, ଖୋଲା ପଡିଆରେ ସବୁଦିନ ନାନା ପ୍ରତିଯୋଗିତା, ଖେଳ କସରତ୍ ହେଉଥାଏ । ବିଶ୍ୱଦତ ସେଥିରେ ମଧ୍ୟେ ମଧ୍ୟେ ଭାଗବି ନେଉଥାନ୍ତି । ଦିନେ ଶଶିଧର ଦୌଡରେ ବିଶ୍ୱଦତଙ୍କୁ ହରାଇ ଦେଲା । ସେଥିରେ ବିଶ୍ୱଦତଙ୍କ ମନରେ ତିଳେ ହେଲେ ମାତ୍ର ଦୁଃଖ ନ ଥିଲା । ସେ ବରଂ ଶଶିଧରଙ୍କୁ ବାହା ବା ଦେଲେ । କିନ୍ତୁ ପରଦିନ ବିଶ୍ୱଦତ ଉଦ୍ୟାନ ଭିତରେ ମାଧୁରୀଙ୍କ ସହ ଗପସପ କରୁଛନ୍ତି, ଶଶିଧର ସେଠାକୁ ଆସି ବିନା କାରଣରେ ତାଙ୍କୁ ଅପମାନ ଜନକ କଥା କହିଲା । ରାଜକୁମାର ନିରବ ରହିଲେ ।
କିଛି ସମୟପରେ ଶଶିଧରକୁ ସାପ କାମୁଡିଦେଲା । ଅବଶ୍ୟ ତା’ ବାପା, ରାଜପୁରୋହିତ, ତେଣୁ ସେ ତାକୁ ମନ୍ତ୍ର ତନ୍ତ୍ର ଦ୍ୱାରା ସୁସ୍ଥ କରିଦେଲେ ।
କେଇଦିନ ପରେ ଦିନେ ରାଜକୁମାର ବିଶ୍ୱଦତ, ଅଭିଜିତ୍ ଓ ମାଧୁରୀ ଉଦ୍ୟାନରେ ବୁଲୁଛନ୍ତି, ସେମାନେ ଗୋଟାଏ ଅପୂର୍ବ ଦୃଶ୍ୟ ଦେଖିଲେ । ଆମ୍ବଗଛର ଗୋଟାଏ ଶୀର୍ଷ ଡାଳରେ ଆମ୍ବଟିଏ ପାଚିଛି । ସେଇଟା ଆମ୍ବ ଫଳିବାର ସମୟ ନୁହେଁ । ତେଣୁ ତିନିହେଁ ବିସ୍ମିତ ହେଲେ ।
ମାଧୁରୀ ସେ ଫଳଟି ପାଇବାକୁ ମନ ବଳାଇଲେ । ଏକଥା ଶୁଣି ଅଭିଜିତ୍ ସଙ୍ଗେ ସଙ୍ଗେ ଗଛ ଚଢିଲା । କିନ୍ତୁ ଗରୁକୂଳରେ ରାଜକୁମାର ଗୋପନୀୟ ପରକାୟା ପ୍ରବେଶ ବିଦ୍ୟା ଶିଖିଥିଲେ । ସେ ଦେଖିଲେ ଗୋଟାଏ ଶୁଆ ପକ୍ଷୀ ମରିପଡିଛି । ତେଣୁ ସେ ତତ୍କ୍ଷଣାତ୍ ମଲା ଶୁଆ ଭିତରେ ପ୍ରବେଶ କରି ଉଡିଯାଇ ସେହି ଫଳଟି ଆଣିଲେ । ଶୁଆଟି ଫଳ ଥୋଇ ଦେଇ ପୁଣି ମରିଗଲା । ରାଜକୁମାର ଫଳଟି ମାଧୁରୀଙ୍କୁ ସମର୍ପି ଦେଲେ ।
ଏସବୁ ଘଟଣା ଦେଖି ଅଭିଜିତ୍ ରାଗରେ ନିଆଁ ହୋଇଗଲା । “ଶୁଆ ଫଳ ତୋଳିନେଲା । ତମେ ଏଡେ ବୀର ଯେ ସେ ଶୁଆକୁ ମାରି ଫଳଟି ମାଧୁରୀକୁ ଦେଲ । ତମକୁ ଟିକେ ଲଜ୍ଜା ନାହିଁ?”
ସେ ଏମିତି କହିବା ବେଳେ ଅତ୍ୟନ୍ତ ଉତ୍ତେଜିତ ହୋଇଥିବାରୁ ସେ ହଠାତ୍ ଗୋଡ ଖସି ତଳେ ପଡିଗଲା ଓ ଆହତ ବି ହେଲା ।
ରାଜକୁମାର ତାକୁ ତୋଳି ଅନ୍ୟମାନଙ୍କୁ ଡାକି, ତା’ ଘରକୁ ତାକୁ ପଠାଇଦେଲେ । କିନ୍ତୁ ତାଙ୍କର ଧାରଣା ହେଲା ଯେ ତାଙ୍କୁ କୌଣସି ଅଦୃଶ୍ୟ ଶକ୍ତି ସଦା ସର୍ବଦା ସାହାଯ୍ୟ କରୁଛି । ଯିଏ ଯେତେବେଳେ ତାଙ୍କ ବିରୁଦ୍ଧରେ କିଛି କହୁଛି, ସେ ଅଦୃଶ୍ୟ ଶକ୍ତି ତାକୁ ହଇରାଣରେ ପକାଉଛି । ପୁରୋହିତପୁତ୍ର ଶଶିଧରକୁ ସାପ କାମୁଡିବା, ଅଭଜିତ୍ ଗଛରୁ ଖସିପଡିବା ଇତ୍ୟାଦି ତାଙ୍କ ଧାରଣାକୁ ଦୃଢ କଲା ।
ଏଣେ ରାଜପୁତ୍ର ମାଧୁରୀ ସହ ବୁଲାବୁଲି ଗପସପ କରୁଥିବା କଥା ରାଜା ଶୁଣିଲେ । ସେ ଦିନେ ରାଜପୁତ୍ରଙ୍କୁ ଡାକି କହିଲେ, “ପୁଅ! ଯୁବରାଜ ଭାବରେ ତମର ଅଭିଷେକ ହେବାର ସମୟ ହେଲାଣି । ଭାବୁଛି, ସେହି ଏକାସମୟରେ ତମ ବିବାହ ହୋଇଗଲେ ବି ଉତ୍ତମ ହୁଅନ୍ତା । ଏଥିରେ ତମର ମତ କ’ଣ?”
ତହୁଁ ବିଶ୍ୱଦତ ଉତ୍ତର ଦେଲେ “ଯାହା ଆପଣଙ୍କ ଇଚ୍ଛା!”
ରାଜା ପଚାରିଲେ “ତିନି ଚାରିଗୋଟି ରାଜପରିବାରରୁ ତୁମଲାଗି ବିବାହ ପ୍ରସ୍ତାବ ଆସିଛି । ଆମେ କାହାକୁ ସମ୍ମତି ଦେବା?”
ଏଥର କିନ୍ତୁ ରାଜପୁତ୍ର ଆପଣଙ୍କ ଇଚ୍ଛା ବୋଲି ଆଉ ନ କହି ଆପଣା ମୁଣ୍ଡ ତଳକୁ କରି ରହିଲେ ।
ରାଜା ପଚାରିଲେ, “କାହିଁକି ଚୁପ୍ ରହିଲ? ତମର ଯଦି ମାଧୁରୀକୁ ବିଭା ହେବାକୁ ମନ, ତେବେ କୁହ । ଆମେ ମହାମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବୁ ।”
ବିଶ୍ୱଦତ ହସି ମୁଣ୍ଡ ହଲାଇଲେ । ରାଜା ବି ହସି ଦେଇ କହିଲେ, “ତାହେଲେ ଠିକ୍ ଅଛି । ତମେ ଏଥର ଯାଇ ପାର ।”
ଏଣେ ବିଶ୍ୱଦତଙ୍କ ଖୁସି କହିଲେ ନସରେ । ସେ ସଙ୍ଗେ ସଙ୍ଗେ ଜଣେ ଦାସୀ ଦ୍ୱାରା ମାଧୁରୀଙ୍କ ପାଖକୁ ଏହି ଖବର ଦେଲେ କି ସେ ଯେପରି ସଂନ୍ଧ୍ୟାବେଳେ ତାଙ୍କ ସହ ନୌକାବିହାର ପାଇଁ ଆସନ୍ତି । ନୌକାରେ ବସି ସେ ମାଧୁରୀଙ୍କୁ ସବୁ କହିବେ ବୋଲି ସ୍ଥିର କରିଥିଲେ ।
ସଂନ୍ଧ୍ୟାବେଳେ ସେ ନଈକୁଳରେ ପହଁଚିବା ବେଳକୁ ଦେଖିଲେ ମାଧୁରୀଙ୍କ ପଛେ ପଛେ ଅଭିଜତ୍ ବି ଆସୁଛି । ସେ ତାକୁ କିପରି ବା ପ୍ରତ୍ୟାଖ୍ୟାନ କରନ୍ତେ? ଏଣୁ ସେ ତିନିହେଁ ନୌକାରୋହଣ କଲେ ।
ନୌକାରେ ବସି ବିଶ୍ୱଦତ ତାଙ୍କ ସହ ମାଧୁରୀର ବିବାହ ପାଇଁ ରାଜା ସମ୍ମତି ଦେଇଥିବାର କଥା କହିଲେ । ହେଲେ ସବୁକଥା ଶୁଣି ମାଧୁରୀ କିଛି ନକହି ଚୁପ୍ଚାପ୍ ପୂର୍ବବତ୍ ବସି ରହିଲେ । କିନ୍ତୁ ଅଭିଜତ୍ ହଠାତ୍ ଉତ୍ତେଜିତ ହୋଇ କହିଲା, “ତମେ ଜଣେ ରାଜପୁତ୍ର । ଯୁବରାଜ ହେବାକୁ ଯାଉଛ । ଭବିଷ୍ୟତରେ ପୁଣି ରାଜା ବି ହେବ । ତେଣୁ ତୁମର ଯାହା ମନ ତାହା କରିପାର । କିନ୍ତୁ ଏହା ଘୋର ଅନ୍ୟାୟ । ତମେ ତ ଜାଣ ମୁଁ ମାଧୁରୀକୁ ଭଲ ପାଏ । ତମର ସତ୍ ସାହସ ଥିଲେ ତମେ ମୋ ସହ ଦ୍ୱନ୍ଦ୍ୱ ଯୁଦ୍ଧ କରି ପାରିଲେ ମୋତେ ପରାସ୍ତ କରି ମାଧୁରୀର ପାଣିଗ୍ରହଣ କରନ୍ତ । କିନ୍ତୁ ଜନ୍ମଗତ ଅଧିକାର ବଳରେ ତାକୁ ମୋଠାରୁ ଛଡାଇ ନେବାରେ ବାହାଦୁରୀ କ’ଣ?”
ବିଶ୍ୱଦତ ଯେତେବେଳେ କହିଲେ କି ଅଭିଜିତ୍ ମାଧୁରୀକୁ ଭଲପାଉଥିବା ବିଷୟରେ ସେ କିଛିବି ଜାଣିନଥିଲେ, ସେତେବେଳେ ଅଭିଜିତ୍ ଆହୁରି ରାଗିଯାଇ ନିଜ ତରବାରୀ ବାହାର କଲା । ରାଜକୁମାର ତା’ ହାତ ଧରିପକାଇ ତାକୁ ସେଥିରେ ବାଧା ଦେଲେ । ଧ୍ୱସ୍ତା ଧ୍ୱସ୍ତିରେ ନୌକାଟି ଓଲଟି ପଡିଲା । ଫଳରେ ସେ ତିନିହେଁ ନଈରେ ପଡିଲେ । ମାଧୁରୀଙ୍କୁ ତ ଭଲ ସନ୍ତରଣ ଆସୁଥାଏ । ତେଣୁ ସେ ଯାଇ ତୀରରେ ପହଁଚିଗଲେ । ରାଜକୁମାର ବିଶ୍ୱଦତ ଓଲଟିଭାସୁଥିବା ନୌକା ଉପରେ ଭରା ଦେବାକୁ ଗଲାବେଳେ ତାହା ପୁଣି ଓଲଟିଯିବାରୁ ତାଙ୍କ ମୁଣ୍ଡରେ ସେହି ନୌକାର ମଙ୍ଗ ବାଜିଲା ଓ ସେ ନିଜ ଚେତା ହରାଇଲେ ।
ଚେତା ଫେରିବା ବେଳକୁ ସେ ଦେଖିଲେ, ଅଭିଜିତ୍ ତାଙ୍କ ପେଟ ଚାପି ସେ ପିଇପକାଇଥିବା ପାଣି ସବୁ ବାହାର କରିଦେଉଛି । ତାଙ୍କ ଚେତା ଫେରିବାର ଦେଖି ସେ ତୁରନ୍ତ ସେଠାରୁ ଉଠି ଚାଲିଗଲା ।
“ମାଧୁରୀ ଠିଆ ହୋଇଥିଲେ । ସେ କହିଲେ, “ତମେ ଏଡେ ସୁକୁମାର? ମଙ୍ଗ ବାଜି ଯିବାରୁ ଚେତା ହରାଇଲ? ଅଭିଜିତ୍ର କାହିଁକି କିଛି ହେଲା ନାହିଁ ଜାଣ? ସେ କହେ, ତାକୁ ସର୍ବଦା କୌଣସି ଅଦୃଶ୍ୟ ଶକ୍ତି ସାହାଯ୍ୟ କରୁଛି । ଯିଏ ତା’ ବିରୁଦ୍ଧରେ ଯାଏ, ସେ ନିଶ୍ଚୟ ବିପଦରେ ପଡେ ।”
ଏହାକହି ମାଧୁରୀ ସେଠାରୁ ଚାଲିଗଲା ।
ରାଜକୁମାର କିଛି ସମୟ ବସି ନଅରକୁ ଆସିଲେ ଓ ରାଜାଙ୍କୁ ଦେଖାକରି କହିଲେ, “ମହାରାଜ! ଆପଣ ଏତେଶୀଘ୍ର ମୋତେ ଯୁବରାଜ ଭାବରେ ଅଭିଷିକ୍ତ ନକରି ଆଉ କିଛି ଦିନ ଅପେକ୍ଷା କରନ୍ତୁ । ଆଉ ଗୋଟାଏ ଅନୁରୋଧ, ମାଧୁରୀ ସହ ମୋ ବିବାହ ପ୍ରସ୍ତାବ ମହାମନ୍ତ୍ରୀଙ୍କୁ ଦିଅନ୍ତୁ ନାହିଁ । ତୃତୀୟ ନିବେଦନ, ମୋତେ ଆଉ କିଛିଦିନ ପାଇଁ ଦେଶ ପର୍ଯ୍ୟଟନରେ ଯିବା ନିମନ୍ତେ ଅନୁମତି ଦିଅନ୍ତୁ ।”
ଏଥିରେ ରାଜା ସମ୍ମତି ଦେଲେ । ତା’ପରେ ସେ ରାଜକୁମାର ଦେଶ ଭ୍ରମଣରେ ବାହାରିଗଲେ ।
ବେତାଳ ତା’ କାହାଣୀଟି ଏହିଠାରେ ଶେଷ କରି ନିଜ କଣ୍ଠସ୍ୱର ତୀବ୍ର କରି, ପ୍ରଶ୍ନ କଲା, “ରାଜା! ବିଶ୍ୱଦତ କାହିଁକି ବିବାହ ପ୍ରସ୍ତାବରେ ଅଗ୍ରସର ହେବାକୁ ପିତାଙ୍କୁ ବାରଣ କଲା? ସେ ପୁଣି କାହିଁକି ବା ଦେଶ ଭ୍ରମଣରେ ବାହାରିଗଲା? ଅଭିଜିତ୍କୁ କୌଣସି ଅଦୃଶ୍ୟ ଶକ୍ତି ସହାୟତା କରୁଛି, କ’ଣ ସେହି ଭୟରେ? ପାରିଲେ ମୋ ପ୍ରଶ୍ନର ଉତ୍ତରଦିଅ । ଆଉ ଯଦି ଉତ୍ତର ଦେବାର ଶକ୍ତି ଥାଇ ମଧ୍ୟ ତୁମେ ନିରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମାର୍କ ମୁହୂର୍ତ୍ତେ ମଧ୍ୟ କାଳ ବିଳମ୍ବ ନକରି ଯଥାଶୀଘ୍ର ଉତ୍ତର ଦେଲେ, “ରାଜକୁମାର ବିଶ୍ୱଦତଙ୍କର ଧାରଣା ଥିଲା, କେବଳ ତାଙ୍କୁହିଁ କୌଣସି ଅଦୃଶ୍ୟ ଶକ୍ତି ସହାୟତା କରୁଛି । ତାଙ୍କୁ ଡରାଇବା ନିମନ୍ତେ ଅଭିଜିତ୍ ତରବାରୀ ବାହାର କରିବା ଫଳରେ ନୌକା ଓଲଟିଗଲା ଏବଂ ତାଙ୍କୁ ସାହାଯ୍ୟ କରୁଥିବା ଅଦୃଶ୍ୟ ଶକ୍ତି ଦ୍ୱାରା ଅଭିଜିତ୍ ହୁଏତ ଡୁବିଥିବ, ତାଙ୍କର ଏହିଭଳି ଧାରଣା ହୋଇଥିଲା । କିନ୍ତୁ ସେ ଦେଖିଲେ ଅଭିଜିତ୍ର କିଛି ହେଲେ ମଧ୍ୟ ହୋଇନାହିଁ । ଅଦୃଶ୍ୟ ଶକ୍ତି ତାଙ୍କ ସହାୟତା କରୁଥିବା ଧାରଣା ଏବେ ତାଙ୍କ ମନରୁ ଦୂର ହେଲା । ଅଦୃଶ୍ୟ ଶକ୍ତିର ସେ ଧରଣର ସହାୟତା ଉପରେ ସେ ଯେତେବେଳେ ନିଜେ ଆସ୍ଥା ହରାଇଲେ, ସେଭଳି କୌଣସି ଶକ୍ତି ଯେ ଅଭିଜିତ୍କୁ ସାହାଯ୍ୟ କରୁଛି ବୋଲି ସେ ବା କାହିଁକି ବିଶ୍ୱାସ କରନ୍ତେ? ତେଣୁ ଏଠାରେ ତାଙ୍କର ଅଭିଜିତ୍କୁ ଡରିବାର କୌଣସି ପ୍ରଶ୍ନହିଁ ଉଠୁ ନାହିଁ । କଥା ହେଲା, ସେ ବୁଝିପାରିଲେ ମାଧୁରୀ ନିଜେ ତାଙ୍କ ପ୍ରତି ବିଶେଷ ଅନୁରକ୍ତ ନୁହେଁ । ଅଭଜିତ୍ ନୌକାରେ ତାଙ୍କ ପ୍ରତି କଟୁଭାଷା ପ୍ରୟୋଗ କଲାବେଳେ ମାଧୁରୀ ଥରେ ହେଲେ ବି କହିଲା ନାହିଁ ଯେ ସେ ନିଜେ ବିଶ୍ୱଦତଙ୍କୁ ବିବାହ କରିବାକୁ ଚାହେଁ! ବରଂ ଯିଏ ଅଭିଜିତ୍ ବିରୁଦ୍ଧରେ ଯିବ, ଅଦୃଶ୍ୟ ଶକ୍ତି ତା’ର ଅନିଷ୍ଟ କରିବ, ଏକଥା କହି ମାଧୁରୀ ହୁଏତ ତାଙ୍କୁ ଡରାଇବାକୁ ଚେଷ୍ଟା କରୁଥିଲା । ଏଭଳି ପରିସ୍ଥିତିରେ ବିବେକୀ ବିଶ୍ୱଦତ ମାଧୁରୀକୁ ବିବାହ କରିବାର ପ୍ରଶ୍ନହିଁ ଉଠୁ ନଥିଲା । କିନ୍ତୁ ସେ ଅତ୍ୟନ୍ତ ଭଦ୍ର ହୋଇଥିବାରୁ କିଛିଦିନ ପାଇଁ ରାଜ୍ୟ ଛାଡି ଚାଲିଯିବାକୁ ମନସ୍ଥ କଲେ । ଏହା ଭିତରେ ମାଧୂରୀ ସୁରୁଖୁରୁରେ ଅଭିଜିତ୍କୁ ବିବାହ କରିପାରିବେ ।”
ରାଜାଙ୍କ ଉତ୍ତର ପ୍ରଦାନ ଶେଷ ହେବା ମାତ୍ରେ ଶବସହ ଶବସ୍ଥିତ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେ ବୃକ୍ଷ ଡାଳରେ ଝୁଲି ପଡିଲା ।🙏
Comments
Post a Comment