କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚

🌳 *ତ୍ୟାଗର ଫଳ* 🌳

ଆନନ୍ଦପୁରରେ କାନ୍ତିବର୍ମା ନାମକ ଜଣେ ମଧ୍ୟବିତ୍ତ ବ୍ୟକ୍ତି ରହୁଥିଲେ । ତାଙ୍କର ସନ୍ତାନ ସନ୍ତତି କେହି ନଥିବାରୁ ସେ ସର୍ବଦା ବିଷାଦଗ୍ରସ୍ତ ହୋଇ ରହୁଥାନ୍ତି । ଥରେ ସେହି ଗ୍ରାମକୁ ଜଣେ ସାଧୁ ଆସିଲେ ସେ ସର୍ବଦା ଭ୍ରମଣ କରୁଥା’ନ୍ତି । ନିୟମ ଅନୁସାରେ କୌଣସି ସ୍ଥାନରେ ତିନିଦିନରୁ ଅଧିକ ରହିବା କଥା ନୁହେଁ । ତାଙ୍କ ପାଖରୁ ପ୍ରସାଦ ଖାଇବା ପାଇଁ ଲୋକେ ଭିଡ କରୁଥା’ନ୍ତି । କାରଣ ତାଙ୍କର ଦିବ୍ୟଶକ୍ତି ଉପରେ ଲୋକଙ୍କର ଯଥେଷ୍ଟ ବିଶ୍ୱାସ ଥିଲା ।

କାନ୍ତିବର୍ମା ସେହି ସାଧୁଙ୍କୁ ଯାଇ ଦେଖାକଲେ । ନିଜର ସନ୍ତାନ ନହେବା କଥା ତାଙ୍କ ନିକଟରେ ସେ କହି ତାହାର ପ୍ରତିକାର ନିବେଦନ କଲେ । ସେତେବେଳେ ତାଙ୍କ ନିକଟରେ ଗୋଟିଏ ପାତ୍ରରେ କିଛି ଦୁଧ ଥିଲା । ସେଥିରୁ ଅଳ୍ପ ସେ ଗିନାଟିରେ ଢାଳି କାନ୍ତିବର୍ମାଙ୍କୁ ଦେଇ କହିଲେ, “ନିଅ ଏତକ ତୁମ ପତ୍ନୀଙ୍କୁ ପିଆଇ ଦେବ । ତାହେଲେ ଯାଇ ତୁମର ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ ।”

କାନ୍ତିବର୍ମା ସେତକ ନେଇ ଅତି ଆନନ୍ଦରେ ଯାଇ ପତ୍ନୀଙ୍କ ପାଖରେ ପହଁଚି ତାକୁ କହିଲା, “ନିଅ ଏଥିରୁ ଢୋକେ ପିଇଦିଅ ତ ।” କାନ୍ତିବର୍ମାର ସ୍ତ୍ରୀ କାଂଚନ ସେତକ ନେଇ ତା’ ପୂଜା ଘରେ ଠାକୁରଙ୍କୁ ଅର୍ପଣ କରି ଦୁଇଢୋକରେ ସେତକ ପିଇଦେଲା ।

କାଂଚନର ପେଟରେ ତା’ପିଲା ରହିଲା । ଠିକ୍ ସମୟରେ ଯାଆଁଳା ଝିଅ ଦୁଇଟି ଜନ୍ମ ହେଲେ ବର୍ଷକର ହୋଇଯିବା ପରେ, ସେମାନେ ଚାଲି ଶିଖିଲେ । ସେତେବେଳେ ଜଣା ପଡିଲା ଯେ ସେମାନଙ୍କର ଗୋଟିଏ ଲେଖା ଗୋଡ ଦୁର୍ବଳ, ତେଣୁ ସେମାନଙ୍କୁ ଚାଲିବାରେ ଭୀଷଣ କଷ୍ଠ ହେଉଛି ଅନେକ ଚେଷ୍ଟା, ଚିକିତ୍ସା କରି ମଧ୍ୟ ଫଳ କିଛି ହେଲା ନାହିଁ ।

କାନ୍ତିବର୍ମା ସେମାନଙ୍କ ଚିକିତ୍ସା ପାଇଁ ଟଙ୍କା ପାଣି ପରି ଖର୍ଚ୍ଚ କଲା । ଛୁଆଟି ମାନ ଦେଖିବାକୁ ବଡ ସୁନ୍ଦର ଓ କୌତୁକିଆ ହୋଇଥାନ୍ତି ହେଲେ, ପାଦ ଏପରି । ଲୋକଙ୍କର ନଜରର ଅନ୍ତରାଳରେ ସେମାନଙ୍କୁ ରଖା ହୋଇଥିଲା । ଯଦି ସେମାନେ ପୁଅପିଲା ହୋଇଥାନ୍ତେ ତେବେ ଏତେ ଚିନ୍ତା କରିବାର କିଛି ବି ନଥିଲା । କିନ୍ତୁ ବିଚାରୀ ଝିଅପିଲା ତ? ତଥାପି ମଧ୍ୟ କାନ୍ତିବର୍ମା ତାଙ୍କ ଝିଅମାନଙ୍କର ଭଲ ଭାବରେ ଯତ୍ନ ନେଉଥା’ନ୍ତି ।

ବାରବର୍ଷ ପରେ ସେହି ସାଧୁ ପୁଣି ସେହି ଗାଁକୁ ଆସିଲେ । କାନ୍ତିବର୍ମା ସେହି ସାଧୁଙ୍କ ଦର୍ଶନ କରି କହିଲେ, “ସାଧୁବାବା, ଆପଣଙ୍କ କୃପାରୁ ମୋର ଦୁଇଟି ଝିଅ ହୋଇଛନ୍ତି । କିନ୍ତୁ ସେମାନଙ୍କ ଭବିଷ୍ୟତ କଥା ଭାବି ମୋତେ ଭାରି ଭୟ ଲାଗୁଛି । କାରଣ ସେମାନେ ଭଲ କରି ଚାଲି ପାରୁ ନାହାଁନ୍ତି । ଆପଣ ଯଦି ଟିକେ କୃପା କରନ୍ତେ ତେବେ ସେମାନଙ୍କର ଏହି କଷ୍ଟ ଅବିଳମ୍ବେ ଦୂର ହୋଇଯାଇ ପାରନ୍ତା ।”

ତା’ର ଏଭଳି କଥା ଶୁଣି ସାଧୁ କିଛି ସମୟ ପର୍ଯ୍ୟନ୍ତ ଆଖି ବନ୍ଦ କରି ଚିନ୍ତା କଲେ । ତା’ପରେ ସେ କହିଲେ, “ମୁଁ ଯେପରି ଖାଇବାକୁ କହିଥିଲି ତୁମ ସ୍ତ୍ରୀ ସେପରି ଖାଇ ନାହାଁନ୍ତି । କେବଳ ସେଇଥିପାଇଁ ଆଜି ଏହି ସମସ୍ୟା ସୃଷ୍ଟି ହୋଇଛି । ମୋ ପାଖରେ ଏହି କଦଳୀ ବ୍ୟତୀତ ଅନ୍ୟ କିଛି ନାହିଁ ।” ଏତିକି କହି ସେ କଦଳୀଟି ଛଡାଇ ନିଜେ ଖଣ୍ଡେ ଖାଇଲେ ଓ ଅନ୍ୟଖଣ୍ଡଟି କାନ୍ତିବର୍ମାଙ୍କୁ ଦେଇ ସାଧୁ କହିଲେ, “ଏଖଣ୍ଡ ତୁମର ଯେପରି ଇଚ୍ଛା ଯାହାକୁ ହେଲେ ଜଣକୁ ଦେଇ ଦିଅ ।” ଆଉ କିଛି କହିବାକୁ ନଦେଇ ସାଧୁ ତାଙ୍କୁ ଘରକୁ ପଠାଇ ଦେଲେ ।

କାନ୍ତିବର୍ମା ତାଙ୍କ ଝିଅ ଦୁହିଁଙ୍କ ମଧ୍ୟରୁ କାହାକୁ ଦେବେ କିଛି ଠିକ୍ କରି ପାରିଲେ ନାହିଁ । କଦଳୀ ଖଣ୍ଡଟି ଧରି ଘର ଆଡେ ସେ ଚାଲିଲେ । ସେ ଭାବିଚାଲିଥାନ୍ତି, “ଯଦି ଜଣକୁ କଦଳୀ ଦେବି, ତେବେ ତା’ର ପାଦ ତ ନିଶ୍ଚୟ ଭଲ ହୋଇଯିବ, ଆଉ ଅନ୍ୟଟିର ଅବସ୍ଥା କ’ଣ ହେବ । ତା’ର ଦୁଃଖ ଦେଖି ମୁଁ ବା କିପରି ସହିବି?”

ଏହିପରି ଭାବି ଭାବି ଯାଉ ଯାଉ ଦୂରରୁ କାହାର କ୍ରନ୍ଦନ ଧ୍ୱନି ସେ ଶୁଣିବାକୁ ପାଇଲେ । ସେ ଦେଖିଲେ ଅନତିଦୂରରେ କୂଅ ପାଖରେ ଝିଅଟିଏ ବସି କାନ୍ଦୁଛି ଜଣେ ଯୁବକ ତାକୁ ସାନ୍ତ୍ୱନା ଦେଉଛି । କାନ୍ତିବର୍ମାଙ୍କୁ ଦେଖି ସେ ଯୁବକଟି କହିଲା, “ମହାଶୟ, ଆପଣ ହେଲେ ତାକୁ କିଛି ବୁଝାଇ କୁହନ୍ତୁ । କୂଅ ଭିତରକୁ ଡେଇଁ ସେ ମରିବାକୁ ଯାଉଛି । କାନ୍ତିବର୍ମା ପଚାରିଲେ “କାହିଁକି, କଥା କ’ଣ?” ତା’ପରେ ସେ ଯୁବକଟି କହିଲା, “ଏହି ସ୍ତ୍ରୀଲୋକଟି ତା’ ପିଲାଟିଦିନରୁ ସେ ପକ୍ଷାଘାତ ରୋଗ ଭୋଗୁଛି । ତା’ର ହାତ ଚଳେ ନାହିଁ । ଏଣୁ କେହି ମଧ୍ୟ ତାକୁ ବିବାହ କଲେ ନାହିଁ । ମୁଁ ତା’ର କଷ୍ଟ ଦେଖି ତାକୁ ବିବାହ କଲି । ମୁଁ ତ ଆଉ ଧନୀଲୋକ ନୁହେଁ । ପରିଶ୍ରମ କରି କୌଣସିମତେ ମୁଁ ମୋ ପେଟ ପୋଷେ । ଯେତିକି ସମ୍ଭବ ମୁଁ ତାର ସେବା ଶୁଶ୍ରୁଷା କରେ । ମାତ୍ର ଏବେ କିଛିଦିନ ହେବ ସେ ଭାବୁଛି କି ତାହାରି ଯୋଗୁଁ ମୋତେ ବହୁତ କଷ୍ଟ ସହିବାକୁ ପଡୁଛି । ତେଣୁ ସେ ଯଦି ଆତ୍ମହତ୍ୟା କରିଦେବ ମୁଁ ହୁଏତ ଅନ୍ୟ କେଉଁଠି ବିବାହ କରି ସୁଖରେ ରହିବି ।

ମୁଁ ଜାଣିଶୁଣି ତାକୁ ବିବାହ କରିଛି । ଯଦି ସେ ଏପରି ଭାବରେ ମରିବ, ତେବେ ମୁଁ କିପରି ଜୀବିତ ରହିବି?”

କାନ୍ତିବର୍ମା ସବୁ ଶୁଣି ସାରି ସାଧୁଦତ ପ୍ରସାଦ କଦଳୀ ଖଣ୍ଡଟି ତାକୁହିଁ ଦେଇଦେଲେ । ସେ ଝିଅଟିକୁ ସେ କହିଲେ, “ଏହି କଦଳୀଟି ଖାଇଦିଅ, ଅପେକ୍ଷା କର । ପରେ ମୁଁ ତୁମକୁ ସବୁ କଥା ବୁଝାଇ ଦେବି ।”

ସେ କଦଳୀଟି ଖାଇବା ମାତ୍ରେ ତା’ ମଧ୍ୟରେ ଅଦ୍ଭୁତ ପରିବର୍ତ୍ତନ ଦେଖା ଦେଲା । ସେ ଉଠି ଠିଆ ହେଲା ଓ ହାତଯୋଡି କାନ୍ତିବର୍ମାଙ୍କୁ ପ୍ରଣାମ କଲା । ଏସବୁ ଘଟଣା ଦେଖି ତା’ର ସ୍ୱାମୀ ଯୁବକଟିର ତ ଆନନ୍ଦ କହିଲେ ନ ସରେ ।”

“ତୁମର କଷ୍ଟ ତ ଏବେ ସମ୍ପୂର୍ଣ୍ଣ ରୂପେ ଦୂର ହୋଇ ଯାଇଛି, ଏବେ ତୁମେ ଦୁହେଁ ଘରକୁ ଯାଇ ଖୁସିରେ ରୁହ; ଝିଅ ମନେରଖ ଆଉ କେବେବି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବୁ ନାହିଁ । ଯାହା ବିପଦ ଆସିଲେ ଭଗବାନଙ୍କୁ ଡାକିବୁ, ସେ ନିଶ୍ଚୟ କିଛି ଗୋଟେ ହେଲେ ବ୍ୟବସ୍ଥା ଅବଶ୍ୟ କରି ଦେବେ ।” ଏତିକି କହି କାନ୍ତିବର୍ମା ନିଜ ରାସ୍ତାରେ ଗଲେ । ବାଟରେ ଯାଉ ଯାଉ ସେ ଭାବୁଥାନ୍ତି ଯେ ତାଙ୍କ ନିଜର ସମସ୍ୟା ଦୂର ନହେଲେ ବି କେବଳ ତାଙ୍କରି ଯୋଗୁଁ ଆଜି ଗୋଟିଏ ପରିବାର ତ କମ୍ସେକମ୍ ଉଦ୍ଧାର ପାଇଗଲା । ନିଜର ଗୋଟିଏ ଝିଅକୁ ସେ କିପରି ବା ଭଲ କରିଥାନ୍ତେ । ଅନ୍ୟଟିର ଅବସ୍ଥା କ’ଣ ଯେ ହୁଅନ୍ତା? ସାରା ଜୀବନ ସିଏ କଷ୍ଟ ପାଆନ୍ତା ଓ ତାକୁ ଦେଖି ସେ ନିଜେ ମଧ୍ୟ ଢେର୍ କଷ୍ଟ ପାଆନ୍ତେ । ସେଥିରୁ ତ ଅନ୍ତତଃ ସେ ଏବେ ତ୍ରାହି ପାଇଲେ । ସେହି ସନ୍ତୋଷରେ ସେ ଭଗବାନଙ୍କୁ ମନେ ମନେ ଅଶେଷ ଅଶେଷ କୃତଜ୍ଞତା ଜଣାଇ ଘରକୁ ଫେରିଲେ । ଦେଖିଲେ ଦୁଇଝିଅ ଦୌଡି ଦୌଡି ତାଙ୍କ ପାଖକୁ ଆସୁଛନ୍ତି । ସେମାନଙ୍କର ପାଦ ପୁରାପୁରି ଭଲ ହୋଇଯାଇଛି । ସେହି ଅଲୌକିକ ଘଟଣା ଦେଖି ସେ ଖୁବ୍ ଆନନ୍ଦରେ ବିଭୋର ହୋଇଗଲେ । ଭଗବାନଙ୍କର ଲୀଳା ସ୍ମରଣ କରି ସେ ତାଙ୍କ ପାଖରେ ଅନେକ ଅନେକ କୃତଜ୍ଞତା ଜଣାଇଲେ । ନିଜ ସ୍ୱାର୍ଥ ପାଇଁ କଦଳୀଟି ନରଖି ଅନ୍ୟର କଷ୍ଟ ଦୂର କରିବାକୁ ସେ ସେଇଟି ତ୍ୟାଗ କରିଥିବାରୁ ଭଗବାନ ମଧ୍ୟ ତାଙ୍କୁ କୃପା କରିଛନ୍ତି । ସେ ଆଶ୍ଚର୍ଯ୍ୟ ହେଲେ, କିନ୍ତୁ ସେତେବେଳର ତାଙ୍କର ଆନନ୍ଦ ବର୍ଣ୍ଣନାତୀତ ଥିଲା ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।🙏

Comments

Popular posts from this blog

ପାଲି ଖେଳ