୩୦ ଜୁନ ୨୦୨୦ କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸

🥀 *ଅଣାଏ ପଇସା* 🥀

ରତନ ନାମକ ଜଣେ ଗରିବ କୃଷକ ଏକ ଗ୍ରାମରେ ରହୁଥିଲା । ମନରେ ତାହାର ପ୍ରବଳ ଇଚ୍ଛା ଥାଏ ଯେ, ସେ କିପରି ଅଧିକ ଉପାର୍ଜନ କରିପାରିବ ଓ ଅନ୍ୟ ସ୍ୱଚ୍ଛଳ କୃଷକମାନଙ୍କ ପରି ହାଟକୁ କୃଷିଜାତ ସାମଗ୍ରୀ ବିକ୍ରୟ କରିବାକୁ ନେବ । କିନ୍ତୁ ସେ ବିଚରାର ଏହି ଅଭିଳାଷ କେବେବି ପୂରଣ ହୋଇପାରୁ ନ ଥାଏ । ବହୁତ ପରିଶ୍ରମ କରି ସେ ଯେତିକି କମାଉଥାଏ, ତାହା ତାର ଭରଣପୋଷଣ ପାଇଁ ଯଥେଷ୍ଟ ହେଉଥାଏ ସିନା, ହେଲେ ତା’ମନର ସ୍ୱପ୍ନଟି ଆଦୌ ସାକାର ହେଉ ନ ଥାଏ ।

                ରତନ ଦିନେ ସ୍ଥିର କଲା ଯେ, କୌଣସି ଉପାୟରେ ହେଉନା କାହିଁକି, ସେ ନିଶ୍ଚୟ ହାଟକୁ ମାଲ୍ ନେଇ ବିକିବାକୁ ଯିବ । ତା ପାଖରେ ଅଳ୍ପ କିଛି କୋଳଥ ଥାଏ । ସେ ଚାହିଁଲେ ଗ୍ରାମରେ ମଧ୍ୟ ତାକୁ ବିକିପାରନ୍ତା । ହାଟକୁ ଗଲେ ଅଧିକ କିଛି ଲାଭ ମିଳିବ ନାହିଁ । ଆଉ ଏତିକି ମାଲ୍ ନେଇ ହାଟକୁ ଗଲେ ଗ୍ରାମର ଲୋକମାନେ ତାକୁ ଥଟ୍ଟା କରିବେ ।

                ତେଣୁ ସେ ଜଙ୍ଗଲକୁ ଯାଇ କିଛି ଡାଳପତ୍ର କାଟି ସେସବୁକୁ ବସ୍ତାରେ ଭରିଦେଲେ । ତା ଉପରେ ପତ୍ର ବିଛାଇ କୋଳଥ ଢାଳି ଏକ ପୁରାବସ୍ତା ବାନ୍ଧିଦେଲା । ତା ପରେ ହାଟକୁ ସେ ବାହାରି ପଡିଲା ।

                ସେହିପରି ଅନ୍ୟ ଜଣେ ଲୋକ ମଦନ ହାଟକୁ ଆସିଥାଏ । ତା ପାଖରେ ମଧ୍ୟ ଏକ ବସ୍ତା । ତା ବସ୍ତାରେ ସେ ତିନିଭାଗ କିଛି ଜଙ୍ଗଲୀ ଫଳ ଭରିଦେଇ ଉପରେ କିଛି ଆମ୍ବ ରଖିଦେଇଥାଏ ।

                ହାଟର ଗହଳି ଭିତରକୁ ପ୍ରବେଶ କରିବା ପାଇଁ ରତନ ଆଉ ସାହସ କରିପାରିଲା ନାହିଁ । ତେଣୁ ହାଟର ପ୍ରବେଶ ଦ୍ୱାର ପାଖରେ ଥିବା ଏକ ଗଛ ମୂଳରେ ନିଜର ବସ୍ତାଟିକୁ ଧରି ସେ ବସିପଡିଲା । ମଦନ ମଧ୍ୟ ତା ନିକଟରେ ଆସି ବସିଲା । ଦୁଇଜଣ କଥା ହେଉ ହେଉ ପଚାରି ବୁଝିଲେ, କିଏ କେଉଁ ମାଲ୍ ଆଣି ହାଟକୁ ଆସିଛି । ରତନ ନିଜ ବସ୍ତାରୁ କୋଳଥ କାଢି ଦେଖାଇ କହିଲା, “ଏହା ଖୁବ୍ ଭଲ କିସମର ମାଲ୍ ଅଟେ ।” ସେହିପରି ମଦନ ବି ତାର ଆମ୍ବ ବସ୍ତାରୁ କାଢି ଦେଖାଇଲା ଓ କହିଲା “ଏହି ଆମ୍ବର ସ୍ୱାଦ ମଧ୍ୟ ଖୁବ୍ ବଢିଆ ।”

                ମଦନ ପଚାରିଲା “ହାଟ ଏତେ ଗହଳି ରହିଛି ଯେ, ନା’ କେହି ଆମ ସହିତ କଥା ହେଉଛନ୍ତି ନା’ ଆମ ମାଲ୍ କିଣିବା ପାଇଁ କେହି ଆଗ୍ରହ ପ୍ରକାଶ କରୁଛନ୍ତି । ଆମେ ପରସ୍ପର ଭିତରେ ଜିନିଷ ଅଦଳବଦଳ କରିନେଲେ କିପରି ହୁଅନ୍ତା”

“କୋଳଥ ବଦଳରେ ଏହି କଂଚା ଆମ୍ବ?” ରତନ କୁଣ୍ଠିତ ହେଲା । ମଦନ କିନ୍ତୁ ନଛୋଡବନ୍ଧା । ତେଣୁ ସେ ମଦନ କହିଲା, “ତୁମର ଏହି କୋଳଥ ତୁଳନାରେ ମୋର ଏହି ଆମ୍ବ ବି କିଛି କମ୍ ନୁହେଁ । ତେବେ ଠିକ୍ ଅଛି, ତୁମେ ଅଦଳବଦଳ ପାଇଁ ରାଜି ହୋଇଗଲେ, ମୁଁ ତୁମକୁ ଅଧିକା ଗୋଟିଏ ଅଣା ପଇସା ଦେବି ।”

                ରତନ ଏଥର ରାଜି ହୋଇଗଲା । ମଦନ, ରତନର ବସ୍ତାଟି ଧରି ଯିବାପାଇଁ ବାହାରିଲା । କିନ୍ତୁ ରତନ ତା’ର ଅଣାକ ପଇସା ମାଗିବସିଲା ।

                “ହଁ, ହଁ ମୁଁ ନିଶ୍ଚୟ ଦେବି । କିନ୍ତୁ ଏବେ ତ ମୋ ପାଖରେ କାଣି କଉଡିଟିଏ ବି ନାହିଁ । ତୁମେ ବ୍ୟସ୍ତ ହୁଅନାହିଁ । ଏହିପାଖ ଗ୍ରାମରେ ମୋର ଘର ।” ଏତିକି କହି ମଦନ ତରତରରେ ସେ ସ୍ଥାନରୁ ଚାଲିଗଲା ।

                କିଛିଦିନ ପରେ ରତନ ତାର ଅଣାଏ ପଇସା ଆଦାୟ କରିବା ପାଇଁ, ମଦନର ଗ୍ରାମରେ ଯାଇ ପହଁଚିଲା । ମଦନ ସେହି ଗ୍ରାମର ସାହୁକାରଙ୍କ ଘରେ କାମକରୁଥାଏ । ସେ ରତନକୁ ଦେଖୁ ଦେଖୁ ଅଭିଯୋଗ କରି ଚିତ୍କାର କଲା, “ତୁମେ ମତେ ଠକି ଦେଲ, ମତେ କ୍ଷତିରେ ପକାଇଦେଲ ।” ରତନ ମଧ୍ୟ କହିଲା, “ତୁମେ କଣ କେଉଁ କମ୍ କି? ତୁମେ ବି ତ ମତେ ବେଶ୍ ଧୋକା ଦେଇଛ ।” ମଦନ କହିଲା, “ତେବେ ତ ଆମର ହିସାବ ତୁଟି ଗଲା ।” “ଏପରି କେମିତି ହେବ । ତୁମେ ମୋତେ ଅଣାଏ ପଇସା ଦେବ ବୋଲି କଥା ଦେଇଛ । ତାହା ତୁମକୁ ଦେବାକୁ ହିଁ ପଡିବ ।” ରତନ ଏହା କହି ଜିଦ୍ ଧରି ବସିଲା ।

                “ମୋ ପାଖରେ ଏବେ କିଛି ନାହିଁ । କିନ୍ତୁ ମୁଁ ତୁମକୁ ଏପରି ଏକ ଉପାୟ ବତାଇବି, ଯାହାଦ୍ୱାରାକି ଆମ ଦୁଇଜଣଙ୍କର ଲାଭ ହେବ । ଆମର ଏହି ସାହୁକାରଙ୍କ ଘର ପଛଭାଗରେ ଏକ ଗଭୀର ଖାତ ରହିଛି । ଦିନେ ମୁଁ ନିଜ ଆଖିରେ ଦେଖିଲି ଯେ, ସାହୁକାର ଏକ ନିଶୁଣୀ ପକାଇ ସେ ଖାତଭିତରକୁ ଗଲେ ଓ ପୁଣି ବାହାରକୁ ଆସିଲେ । ସେ ନିଶ୍ଚୟ ସେଠାରେ ତାଙ୍କ ଧନରତ୍ନ କିମ୍ବା ଟଙ୍କା ଲୁଚାଇ ରଖିଛନ୍ତି । ଆଜି ଅଧାରାତିରେ ଆମେ ଦୁହେଁ ସେହି ଖାତ ପାଖକୁ ଯିବା । ତା ଭିତରୁ ଟଙ୍କା, ସୁନା ଯାହା ମିଳିବ, ନିଜ ନିଜ ଭିତରେ ବାଂଟିନେବା । କଣ ତୁମେ ଏଥିରେ ରାଜି ତ?” ମଦନର ଏହି ପ୍ରସ୍ତାବରେ ରତନ ସଙ୍ଗେ ସଙ୍ଗେ ରାଜି ହୋଇଗଲା ।

                ରାତିରେ ରତନ ଓ ମଦନ ଏକ ବସ୍ତା ଓ ମୋଟା ଦଉଡି ଧରି ସେଠାରେ ଯାଇ ପହଁଚିଲେ । ରତନ ଉପରେ ଥାଇ ଦଉଡିଟି ଜୋର୍ରେ ଭିଡିଧରିଲା । ମଦନ ବସ୍ତାଟି ଧରି ଦଉଡି ସାହାଯ୍ୟରେ ସେ ଖାତ ଭିତରକୁ ପଶିଲା । ସେଠାରେ ସେ ବହୁତ ଖୋଜାଖୋଜି କରି ମଧ୍ୟ କିଛିବି ପାଇଲା ନାହିଁ ।

                ମନେ ମନେ ଭାବିଲା, “ରତନ ଖୁବ୍ ସିଆଣା ଅଟେ । ଯଦି ମୁଁ କହିବି ଯେ, ମୋତେ ଏଠାରେ କିଛିବି ମିଳିଲା ନାହିଁ, ତେବେ ସେ ନିଶ୍ଚୟ ଦଉଡି ଛାଡିଦେଇ ଚାଲିଯିବ ଓ ମୁଁ ଆଉ ଏ ଖାତରୁ ବାହାରିପାରିବି ନାହିଁ । ତେଣୁ ମନରେ ଏକ ଉପାୟ ଚିନ୍ତା କରିବା ପାଇଁ ପଡିବ ।” ସେ ବସ୍ତାଟିକୁ ଦଉଡିରେ ଖୁବ୍ ଜୋର୍ରେ ବାନ୍ଧିଦେଇ କହିଲା, “ଶୁଣ ଏଠାରେ ଯାହା ମିଳିଲା, ମୁଁ ସେସବୁକୁ ବସ୍ତାରେ ଭରିଦେଇଛି । ପ୍ରଥମେ ଏହାକୁ ଉପରକୁ ଉଠେଇନିଅ ଓ ତା ପରେ ଦଉଡି ପକେଇ ମତେ ଉପରକୁ ଉଠେଇ ନେବ ।” ମଦନ କଥାରେ ସମ୍ମତ ହୋଇ ରତନ ବସ୍ତା ଉପରକୁ ଟାଣି ଆଣିଲା ।

                “ଏହି ମଦନ ଆଦୌ ବିଶ୍ୱାସଯୋଗ୍ୟ ଲୋକ ନୁହେଁ । ତାକୁ କାହିଁକି ମୁଁ ଏହି ଧନରୁ ଭାଗ ଦେବି । ସେ ତା’ର ସେହି ଖାତରେ ସେମିତି ପଡିଥାଉ ।” ଏପରି ଚିନ୍ତାକରି ସେ ବସ୍ତାଟି ପିଠି ଉପରେ ପକାଇ, ତରତରରେ ନିଜ ଗ୍ରାମ ଅଭିମୁଖେ ଚାଲିଲା । ରତନକୁ ଜଣାନାହିଁ ଯେ, ବସ୍ତା ଭିତରେ ନିଜେ ମଦନ ରହିଛି ।

                କିଛି ଦୂର ଯିବା ପରେ, ଓଜନ ଲାଗିବାରୁ ସେ କାନ୍ଧରୁ ଓହ୍ଲାଇ ବସ୍ତାଟି ତଳେ ରଖିଲା । ତତ୍କ୍ଷଣାତ୍ ମଦନ ତା ଭିତରୁ ବାହାରି ଆସିଲା । ତାକୁ ଦେଖି ରତନ ଗାଳି କରି କହିଲା “ବିଶ୍ୱାସଘାତକ, ମତେ ପୁଣି ଧୋକା ଦେଲ?

                ମଦନ କହିଲା “ତୁମେ ବି ମୋଠାରୁ କୌଣସି ଗୁଣରେ କମ୍ ନୁହଁ । ତୁମେ ଚାହୁଁଥିଲ, ମୋତେ କିଛି ନ ଦେଇ ସବୁ ଧନ ମାରି ନେବା ପାଇଁ । ଏବେ ହିସାବ ତୁଟିଗଲା । ଚୁପ୍ଚାପ୍ ନିଜ ବାଟରେ ଚାଲିଯାଅ ।” “ମୁଁ କାହିଁକି ଚୁପ୍ ରହିବି! ତୁମକୁ ଏକଅଣା ପଇସା ଦେବାକୁହିଁ ପଡିବ ।”

                ମଦନ କହିଲା “ମୁଁ ତ ତୁମକୁ କହିଛି, ଯେତେବେଳେ ମୋ ପାଖରେ ଥିବ ମୁଁ ତୁମକୁ ପଇସା ଦେଇଦେବି ।” ତା ପରେ ସେ ଦୁହେଁ ନିଜ ନିଜ ଗ୍ରାମକୁ ଫେରିଲେ ।

 କିଛି ମାସ ପରେ ମଦନର ବିଭାଘର ହେଲା । ତାର ପତ୍ନୀ ସଙ୍ଗରେ ଅଳ୍ପ କିଛି ଧନ ନେଇ ଆସିଲେ । ସେ ଆଉ ମଜୁରୀ ନ କରି, ନିଜେ କିଛି ଜମି କିଣି ଚାଷବାସ ଆରମ୍ଭ କଲା ହାତରେ ଧନ ହେବାରୁ ଗ୍ରାମରେ ନିଜର ଛୋଟ ଘରଟିଏ ବି ତୋଳିଲା ।

ରତନର ଅବସ୍ଥା ପୂର୍ବପରି ଥାଏ । ଦିନେ ତାର ଅଚାନକ ମନେ ପଡିଲା, ତାର ଏକଅଣା ପଇସା ମଦନଠାରୁ ପାଇବାର ଅଛି । ତାହା ଆଦାୟ କରିବା ପାଇଁ ସେ ମଦନର ଗ୍ରାମକୁ ଚାଲିଲା ।

ରତନକୁ ଦେଖୁ ଦେଖୁ ମଦନ ଘର ଭିତରକୁ ଚାଲିଯାଇ ପତ୍ନୀକୁ କହିଲା, “ଶୁଣ, ଏହି ରତନ କରଜଆଦାୟ କରିବା ପାଇଁ ଆସୁଛି । ମୁଁ ମଲାଲୋକ ପରି ଶୋଇ ରହୁଛି । ତୁମେ ମୋ ପାଖରେ ବସି ବଡପାଟିରେ କାନ୍ଦିବା ଆରମ୍ଭ କର । ଏମିତି ସଂନ୍ଧ୍ୟା ବେଳ ଯାଏଁ କାନ୍ଦିବାର ଅଭିନୟ କରିପାରିଲେ, ମତେ ଆଉ ତାର କରଜ ଶୁଝିବାକୁ ପଡିବ ନାହିଁ ।” ମଦନର ପତ୍ନୀ ପତିଙ୍କ କଥା ପାଳନ କଲା । ରତନ ଘର ଭିତରକୁ ଆସି ସବୁ ଦେଖିଲା ।

“ଆହା! ଏ କ’ଣ ହେଲା? ମଦନ ମୋର ଅତି ପ୍ରିୟ ବନ୍ଧୁ । ତା’ର ଦାହ କ୍ରିୟା ସମ୍ପନ୍ନ କରାଇ ସାରିବା ପରେ ଯାଇ ମୁଁ ଏଠାରୁ ଯିବି ।” ଏପରି ଶୋକ କରି ରତନ ଶବ ଶ୍ମଶାନକୁ ନେଇଯିବା ପାଇଁ ଶବବାହକଙ୍କୁ ଡାକି ଆଣିଲା ।

ମଦନର ପତ୍ନୀ ଚାଲାଖି କରି କହିଲା, “ଯେ ପର୍ଯ୍ୟନ୍ତ ଆମର ସମ୍ପର୍କୀୟମାନେ ଆସି ନାହାଁନ୍ତି, ମୁଁ ଶବ ଘରୁ ବାହାରିବାକୁ ଦେବି ନାହିଁ ।”

ସୂର୍ଯ୍ୟାସ୍ତ ସମୟ ହେଲା । ରତନ କିନ୍ତୁ ସେଠାରୁ ହଟିଲା ନାହିଁ । ପାଖ ପଡୋଶୀ ଘରଲୋକମାନେ ଆସି କହିଲେ, “ଶବ ଏଠାରେ ପଡିରହିଥିବାରୁ ଆମ ମାନଙ୍କର ଖାଇବା, ରୋଷେଇ ସବୁ ବନ୍ଦ । ତେଣୁ ଶବ ଏଠାରୁ ନେଇ ଯାଇ କୌଣସି ଦେବାଳୟରେ ରଖିବାର ବ୍ୟବସ୍ଥା କର ।”

ସେମାନଙ୍କ କଥା ଅନୁସାରେ ଏକ ପରିତ୍ୟକ୍ତ ମନ୍ଦିର ପ୍ରାଙ୍ଗଣରେ ଶବ ରଖାଗଲା ।

ରାତି ଅଧ ସମୟକୁ, ମନ୍ଦିରର ବାହାରେ କିଛି ଲୋକଙ୍କର ପାଦଶବ୍ଦ ଶୁଭିଲା । ରତନ ସଙ୍ଗେ ସଙ୍ଗେ ମନ୍ଦିରର ଗର୍ଭଗୃହ ଭିତରେ ଲୁଚିଗଲା ଚାରି ଜଣ ଚୋର ମନ୍ଦିର ଭିତରକୁ ଆସିଲେ । ସେମାନଙ୍କର ସର୍ଦ୍ଦାର ଏକ ଗଣ୍ଠିଲି ଆଣିଥାଏ । ସେଥିରୁ ଅନେକ ଦାମୀସୁନା ଗହଣା, ଧନ ଆଦି ବାହାର କରି ସେମାନେ ଭାଗ ବାଂଟିଲେ । ସେଇ ସବୁ ଜିନିଷ ମଧ୍ୟରେ ଗୋଟିଏ ଛୁରା ଥାଏ । ଚୋରଙ୍କ ସର୍ଦ୍ଦାର ଅନ୍ୟ ତିନିଜଣଙ୍କୁ ପଚାରିଲା, “ଏଇଟା କିଏ ନେବ?” ତିନିହେଁ କହିଲେ ଏଇ ଛୁରୀ କିଛିକାମରେ ଲାଗିବ ନାହିଁ ।

“ନା, ନା, ଏଇ ଛୁରୀରେ ଖୁବ୍ ଧାର ଅଛି । ଦେଖ, ଏବେ ତୁମ ସମସ୍ତଙ୍କ ଆଗରେ ଏଇ ଶବଟାକୁ ମୁଁ କିପରି ଖଣ୍ଡ ଖଣ୍ଡ କରୁଛି ।” ଏହା କହି ଚୋର ସର୍ଦ୍ଦାର ମଦନ ପାଖକୁ ଆସିଲା ।

ମଦନ ତ ମିଛରେ ମୃତଲୋକର ଛଳନା କରି ଶୋଇଥାଏ । ଚୋର ସର୍ଦ୍ଦାରର ଛୁରୀର ଧାର ପରୀକ୍ଷା କଥା ଶୁଣି ସେ ଆଉ ସ୍ଥିରହୋଇ ରହିପାରିଲା ନାହିଁ । ମଦନ ସେହିକ୍ଷଣି ଭୟରେ ଚିତ୍କାର କରି ଉଠି ପଡିଲା । ସବୁ ଚୋର ‘ଭୁତ’ ‘ଭୁତ’ କହି ସେ ସ୍ଥାନ ଛାଡି ଦୌଡି ପଳାଇଲେ । ଏହା ଦେଖି ଲୁଚି ରହିଥିବା ରତନ ବାହାରକୁ ଆସିଲା ।

“ଦେଖ, ଆମର ଭାଗ୍ୟ କିପରି ଚମକୁଛି । ଚାଲ ଏହି ଧନ ଦୁହେଁ ବାଂଟିନେବା ।” ଏହାପରେ ମଦନ ଓ ରତନ ଚୋରଙ୍କ ମାଲ୍ ନିଜ ଭିତରେ ବାଂଟିନେଲେ ।

କିନ୍ତୁ ରତନ ଶେଷରେ କହିଲା, “ସେ ଯାହା ବି ହେଉ, ତୁମେ ମୋର ଅଣାଏ ତ ଦେଲ ନାହିଁ ।” ପୁଣି ସେ ଦୁଇଜଣ ଝଗଡା ଆରମ୍ଭ କଲେ ।

ଏହାଭିତରେ ଚୋରମାନେ ବେଶ୍ କିଛି ଦୂର ଦୌଡି ପଳାଇଯିବା ପରେ ଗୋଟିଏ ସ୍ଥାନରେ ରହିଲେ । ସର୍ଦ୍ଦାର ତାର ସାଥିମାନଙ୍କୁ କହିଲା, “ଆମେ ଆଜି ଭୟାତୁର ହୋଇ ସବୁ ଲୁଟିମାଲ୍ ଛାଡି ପଳାଇ ଆସିଲେ । ଆମ ଭିତରୁ କିଏ ଆଉ ଥରେ ସେଠାକୁ ଯାଇ ଘଟଣାଟା କଣ ବୁଝି ଆସିବ କି? ଏତେ ପରିଶ୍ରମର ଧନ ଆମର ହାତଛଡା ହେବାକୁ ଯାଉଛି । ପୁଣି ଆମ ମାନଙ୍କ ପରି ବଳଶାଳୀ ଲୋକ ଏତେ ଡରିବା କଣ ଠିକ୍ ହେବ ।” ଏପରି ଉତ୍ସାହିତ କରି ଚୋର ମାନଙ୍କୁ ପୁଣିଥରେ ସେଠିକୁ ଯିବା ପାଇଁ ସେ ଉସୁକାଇଲା । କିନ୍ତୁ ଧନର ଲୋଭ ଠାରୁ ଭୁତର ଭୟ ସେମାନଙ୍କ ମନରେ ଅଧିକା ଥିଲା ।

ତିନିଜଣ ଯାକ ଚୋର ମନାକରିଦେଲେ । ଶେଷରେ ସର୍ଦ୍ଦାର ନିଜେ ସେ ସ୍ଥାନକୁ ଗଲା । ମନରେ ଖୁବ୍ ସାହସ ବାନ୍ଧି ସେ ସେହି ମନ୍ଦିର ପାଖରେ ପହଁଚି, ଭିତରେ କଣ ଚାଲିଛି ତାହା ଜାଣିବାକୁ ଚାହିଁଲେ । ଭିତରେ ରତନ ଓ ମଦନର ଝଗଡା ଚାଲିଥାଏ, ସେହି ଅଣାଏ ପଇସା ପାଇଁ ।

ସେମାନଙ୍କ କଥା ଶୁଣି ଚୋରଙ୍କ ସର୍ଦ୍ଦାରର ଦେହ ଝାଳରେ ବୁଡିଗଲା । ସେ ଜୀବନ ବିକଳରେ ଚୋରଙ୍କ ପାଖକୁ ଧାଇଁ ଯାଇ କହିଲା, “ତୁମେ କଳ୍ପନା କରିପାରିବ ନାହିଁ, ସେଠାରେ କେତେ ଭୁତ ଅଛନ୍ତି । ଆମର ଏତେ ଧନକୁ ସବୁ ଭୁତ ନିଜ ନିଜ ଭିତରେ ବାଂଟିବାରୁ ଜଣକର ଭାଗ ଅଣାଏ ପଇସା ପଡିଲା । ସେଥିରେ ପୁଣି କେତେଜଣ ସେତିକି ପାଇ ନାହାଁନ୍ତି ବୋଲି ଝଗଡା କରୁଛନ୍ତି । ସତରେ ଆମ ଭାଗ୍ୟ ଭଲ ହେତୁ ସେମାନଙ୍କ କବଳରୁ ଖସି ଆସିଲେ । ଚାଲ ଏଠାରୁ ଶୀଘ୍ର ପଳାଇବା ।” ଏହାପରେ ସବୁ ଚୋର ସେ ସ୍ଥାନ ଛାଡି ପଳାଇଲେ ।

ଶେଷରେ ରତନ ଓ ମଦନ ମଧ୍ୟରେ ବୁଝାମଣା ହେଲା । ନିଜର ଅଣାଏ ପଇସା ବାବଦକୁ ରତନ ଚୋରମାନଙ୍କର ଛୁରୀଟି ନେଲା । ସେହି ଧନରେ ରତନ ଜମିବାଡି କିଣିଲା । ବିବାହ କରି ସୁଖରେ ରହିଲା । ହାଟରେ ଜିନିଷ ବିକିବା ପାଇଁ ତା’ର ଯେଉଁ ତୀବ୍ର ଅଭିଳାଷ ଥିଲା ତାହା ମଧ୍ୟ ପୂରଣ ହେଲା ।🙏

Comments

Popular posts from this blog

ପାଲି ଖେଳ