୧ ଅଗଷ୍ଟ ୨୦୨୦ କାହାଣୀ
💐 *ଗପ ଟିଏ...🌙ଜହ୍ନମାମୁଁ ପୃଷ୍ଠାରୁ* 💐
💎 *କରଜ ଅସୁଲ* 💎
ସୀତାପୁର ଗ୍ରାମରେ ପ୍ରଶାନ୍ତ ଆସି ବସବାସ କଲେ । ସେ ଟଙ୍କା ସବୁ ମୋଟା ସୁଧରେ କରଜ ଦିଅନ୍ତି ଓ ସେଥିରେ ଚଳନ୍ତି । ବେଶ୍ କିଛିଦିନ ସେ ଆରାମ୍ରେ ଚଳିଲେ । ଘର ତ ନିଜର ତେଣୁ ଭଡା ଦେବାକୁ ପଡୁନାହିଁ । କରଜ ଦେଇଥିବା ଟଙ୍କାରୁ ବେଶ୍ ମୋଟା ସୁଧ ମିଳେ । ତେଣୁ ଚଳିବାରେ ତାଙ୍କର କୌଣସି ପ୍ରକାରର ଅସୁବିଧା ହୁଏ ନାହିଁ । ସେହି ଗ୍ରାମର ଅଧିକାଂଶ ଲୋକ ଦରିଦ୍ର । ଯାହା ରୋଜଗାର କରନ୍ତି ସେଥିରେ ପ୍ରତିଦିନର ଖର୍ଚ୍ଚକୁ ନିଅଂଟ । ହଠାତ୍ କାମଦାମରେ ଅସୁବିଧା ପଡିଲେ ତାହା ମଧ୍ୟ ବନ୍ଦ । ତେଣୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅସୁବିଧାରେ ପଡି ସମୟ ଅନୁସାରେ ସୁଧ ଦେଇ ପାରିଲେ ନାହିଁ । କିଛି ଦିନ ପରେ ସୁଧ ଦେବା କେହିକେହି ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦେଲେ, ମୂଳ ମଧ୍ୟ ଦେଇପାରୁ ନଥାନ୍ତି ତାଙ୍କ ମୁଣ୍ଡରେ ଚଡକ ପଡିଲା । ନୂଆ ଜାଗା, ଯଦି ଟଙ୍କା ଆଦୌ କେହି ନଦିଅନ୍ତି ତେବେ ସେ କ’ଣ ବା କରିବେ? ଏଇକଥା ଭାବି ସେ ତାଙ୍କର ପଡୋଶୀ ରାମକୁ ଏକଥା କହିଲେ । ରାମ ତାକୁ କହିଲେ, “ଭାଇ, ଆମେ ଏ ବିଷୟରେ କିଛିବି କହିପାରିବୁ ନାହିଁ । ତମେ ପାଖ ଗାଁ ଚନ୍ଦନପୁରକୁ ଯାଇ ସୁମେଧ ବୋଲି ଜଣେ ଯୁବକ ଅଛନ୍ତି, ତାଙ୍କୁ ନିଜର ଦୁଃଖ ଜଣାଅ ।”
ତା’ପରେ ପ୍ରଶାନ୍ତ ସୁମେଧଙ୍କୁ ଦେଖାକରି ତାଙ୍କୁ ସବୁ କଥା କହିଲେ । ସୁମେଧ ଚିନ୍ତା କରି କହିଲେ ଯେ ସେ ସପ୍ତାହକ ମଧ୍ୟରେ ସୀତାପୁର ଆସିବେ ।
ସପ୍ତାହକ ପରେ ସେ ଆସିଲେ ଓ ପ୍ରଶାନ୍ତଙ୍କ ଘରେ ରହିଲେ ପ୍ରଶାନ୍ତ କରଜ ନେଇଥିବା ଲୋକଙ୍କ ନାମ ଇତ୍ୟାଦି ଲେଖି ତାଙ୍କୁ ଦେଲେ । ସୁମେଧ ମଧ୍ୟ ସବୁ କିଛି ପ୍ରଶ୍ନ ପଚାରି ପ୍ରଶାନ୍ତଙ୍କଠାରୁ ଜାଣିନେଲେ ଯେ କରଜ ନେବାବାଲା ଦେବା ଅବସ୍ଥାରେ ଅଛନ୍ତି ନା ନାହିଁ, ବା ଇଚ୍ଛା କରି ଫାଙ୍କି ଦେଉଛନ୍ତି କିମ୍ବା ଏତେ ସୁଧ ଦେଇ ପାରୁ ନାହାଁନ୍ତି ଅଥବା ପ୍ରଶାନ୍ତ ଏହି ଗ୍ରାମରେ ନୂଆଲୋକ ବୋଲି ସେମାନେ ତାଙ୍କୁ ହଇରାଣ କରୁଛନ୍ତି । କାହିଁକିନା ତାଙ୍କଠାରୁ କରଜ ନେଉଥିବା ଅନେକ ଲୋକଙ୍କ ଆର୍ଥିକ ଅବସ୍ଥା ଏତେଟା ମଧ୍ୟ ଖରାପ ନୁହେଁ । ଅଳସୁଆମୀ କରି ପଇସା ସୁଝୁ ନାହାଁନ୍ତି । ସୁମେଧ ସବୁକିଛି ବୁଝିନେଲେ । ତା’ପରେ ଟଙ୍କା କେଉଁଠାରୁ କିପରି ପାଇବେ, ତାର ଏକ ସମ୍ପୂର୍ଣ୍ଣ ଯୋଜନା ସେ ପ୍ରସ୍ତୁତ କଲେ ।
ଦୁଇଦିନ ମଧ୍ୟରେ ସୁମେଧ ପ୍ରଶାନ୍ତଙ୍କୁ ନେଇ ସୁନ୍ଦରେଶ୍ୱରଙ୍କ ଘରକୁ ଗଲେ । ତାକୁ ବୁଝାଇ ଦେଲେ କ’ଣ କରିବାକୁ ହେବ ଏବଂ ନିଜେ ଫେରି ଆସିଲେ ।
ସୁନ୍ଦରେଶ୍ୱର ପ୍ରଶାନ୍ତଙ୍କୁ ଦେଖି କହିଲେ, “ହଁ ମୁଁ ତୁମ ପଇସା ଫେରାଇ ଦେବି । ମୋ ଉପରେ ବିଶ୍ୱାସ ରଖ ।” ପ୍ରଶାନ୍ତ କହିଲେ “ତୁମେ ଏକଥା ଗାଁବାଲାଙ୍କ ସମ୍ମୁଖରେ କୁହ, ତେବେ ମୁଁ ଏଠାରୁ ଚାଲିଯିବି ।”
ପ୍ରଶାନ୍ତଙ୍କୁ ଘର ଭିତରକୁ ଡାକି ସୁନ୍ଦରେଶ୍ୱର କହିଲେ, “ଦେଖ ଟଙ୍କା ଆସିବାମାତ୍ରେ ମୁଁ ଆଗେ ତୁମକୁ ଟଙ୍କା ଫେରାଇବି । ଜଣେ ଆଜି ଟଙ୍କା ଦେବା କଥା, ଏପର୍ଯ୍ୟନ୍ତ ଆସିନାହିଁ କ’ଣ କରାଯିବ ।” ଠିକ୍ ସେତିକିବେଳେ ଜଣେ ଲୋକ ଆସି ସୁନ୍ଦରେଶ୍ୱରଙ୍କୁ କହିଲା, “ମୁଁ ଶୁଣିଲି ଆପଣ ପ୍ରଶାନ୍ତଙ୍କଠାରୁ ଟଙ୍କା କରଜ କରିଛନ୍ତି ଏବଂ ତାଙ୍କୁ ଦେବାକୁ ହେବ । ସେଥିପାଇଁ ଟଙ୍କା ଯୋଗାଡ କରି ମୁଁ ଧରି ଆସିଛି । ତାଙ୍କୁ ଦେଇ ଦିଅନ୍ତୁ ।” ତାକୁ ଦେଖି ସୁନ୍ଦରେଶ୍ୱରଙ୍କ ମୁହଁ ହଠାତ୍ ଫିକା ପଡିଗଲା । ବାଧ୍ୟହୋଇ ସେ ଟଙ୍କା ଫେରାଇଲେ ।
ଅସଲ କଥା ହେଉଛି ସୁମେଧ ଖୋଜି ବାହାର କଲେ କାହା ସହିତ ସୁନ୍ଦରେଶ୍ୱର ବ୍ୟବସାୟ କରୁଛନ୍ତି । ତାକୁ ମିଛରେ କହିଲେ ସୁନ୍ଦରେଶ୍ୱରର ଟଙ୍କା ଏବେ ଦରକାର ପ୍ରଶାନ୍ତଙ୍କୁ ଫେରାଇବାକୁ । ଠିକ୍ ସେତିକିବେଳେ ପ୍ରଶାନ୍ତଙ୍କୁ ନେଇ ସେଠାରେ ଛାଡି ଆସିଲେ । ଟଙ୍କା ମିଳିଗଲା ।
ଦ୍ୱିତୀୟ ଲୋକ ଯିଏକି ପ୍ରଶାନ୍ତଙ୍କ ଠାରୁ ଟଙ୍କା ନେଇଥିଲା ସେ ହେଲା ଚନ୍ଦ୍ରସ୍ୱାମୀ । ତା’ବିଷୟରେ ସୁମେଧ ମଧ୍ୟ ସବୁ ଖବର ସଂଗ୍ରହ କଲେ । ସେ ରାମରାଜ ନାମକ ଜଣେ ଶେଠଙ୍କ ଘରେ କାମ କରେ । ତା’ପୁଅ ସହରରେ ପଢେ । ତାର ପଢାପରେ ତାକୁ କାମ ଦେବାକୁ ଶେଠଙ୍କୁ ସେ ଅନୁରୋଧ କରି କହେ । ସେଥିପାଇଁ ସେ ତାଙ୍କ କଥାମାନି ସେଠାରେ ପଡିଥାଏ ।
ପ୍ରଶାନ୍ତ, ସୁମେଧଙ୍କ ପ୍ରସ୍ତାବ ଅନୁସାରେ ସବୁକଥା ଯାଇ ରାମରାଜଙ୍କୁ କହିଲେ । ରାମରାଜ ତତ୍କ୍ଷଣାତ୍ ଚନ୍ଦ୍ରସ୍ୱାମୀଙ୍କୁ ଡାକି ବୁଝାଇ ଦେଲେ । ଏଥର ଚନ୍ଦ୍ରସ୍ୱାମୀ ବାଧ୍ୟହୋଇ ଟଙ୍କା ଫେରାଇ ଦେଲେ । ପ୍ରଶାନ୍ତ ସୁମେଧଙ୍କୁ ପ୍ରଶଂସା କରି କହିଲେ, “ଆପଣଙ୍କ ଦୟାରୁ ମୁଁ ମୋର ସୁଧମୂଳ ସବୁ ଟଙ୍କା ପାଇଲି, ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବା କଥା । କିନ୍ତୁ ଭବିଷ୍ୟତରେ ଯେପରି ଅସୁବିଧାରେ ନ ପଡେ ତାହାର କିଛି ବ୍ୟବସ୍ଥା କରନ୍ତୁ ।”
ସୁମେଧ କହିଲେ, “ଆପଣଙ୍କ ବ୍ୟବସାୟ ଯଦି ବିଶ୍ୱାସ ଉପରେ ଚାଲନ୍ତା ତେବେ ଆଉ କିଛି ବିଶେଷ ଅସୁବିଧା ହୁଅନ୍ତା ନାହିଁ । ଆପଣ ବେଶି ସୁଧ ଖାଇବାକୁ ଚାହିଁଲେ ଅସୁବିଧା ହେବ । ଅନ୍ୟର ଅସୁବିଧା ନ ଦେଖି ତା’ଉପରେ ଲାଭ ଉଠାଇ ବାକୁ ଚାହିଁଲେ କେବଳ ନିଜେ ଅସୁବିଧାରେ ପଡିବାଟାହିଁ ସାର ହେବ । ତେଣୁ ନିଜକୁ ବୁଝାନ୍ତୁ ଓ ସେହି ଅନୁସାରେ କାର୍ଯ୍ୟ କରନ୍ତୁ ।”
ପ୍ରଶାନ୍ତ କହିଲେ “ଏ ପର୍ଯ୍ୟନ୍ତ ତ ସବୁ ଠିକ୍ ହେଲା । ଆହୁରି ଜଣକ ପାଖରେ ଏବେ ମଧ୍ୟ ଟଙ୍କା ରହିଗଲା । ସେତକ କରାଇ ଦେଲେ ମୋର ଆହୁରି ସୁବିଧା ହୁଅନ୍ତା ।”
ସୁମେଧ କହିଲେ “ଆପଣ ଶଙ୍କର ଦାସ ବିଷୟରେ କହୁଛନ୍ତି ତ? ମୁଁ ତ ଆପଣଙ୍କୁ କହିଥିଲି । ସେକଥା ଏବେ ଭୁଲିଯାଆନ୍ତୁ; ସେ ସାନଭାଇ ସହିତ ମକଦ୍ଦମା କରିବାରେ ସବୁ ହରାଇ ବସିଛି ।”
ପ୍ରଶାନ୍ତ ପଚାରିଲେ “ତାହେଲେ କ’ଣ ମୂଳ ଓ ସୁଧ ସମସ୍ତ ଟଙ୍କା ଏମିତି ଛାଡିଦେବି?”
ସୁମେଧ କହିଲେ “ମୁଁ ଯେତିକି ପାରିଲି ଆପଣଙ୍କୁ ସାହାଯ୍ୟ କଲି । ଆପଣ ସେଥିପାଇଁ ମୋତେ କିଛି ତ ପାରିଶ୍ରମିକ ଦେବେ? ଭାବିନିଅନ୍ତୁ ସେଇ ଟଙ୍କାଟା ଶଙ୍କର ଦାସର କରଜ ଫେରି ପାଇଲେ । ମୁଁ ତ ଟଙ୍କା ନେବିନାହିଁ ।”
ସୁମେଧ ନିର୍ବିକାର ଥିଲେ । ପ୍ରଶାନ୍ତ ତାଙ୍କ କଥା ଶୁଣି ବହୁତ ପ୍ରଭାବିତ ହେଲେ ଓ ତାଙ୍କର ଜ୍ଞାନୋଦୟ ହେଲା । ସେ ସୁମେଧଙ୍କୁ ସମ୍ମାନ ଦେଖାଇ କହିଲେ, “ତମେ କେବଳ ବୁଦ୍ଧିମାନ ନୁହଁ, ହୃଦୟବାନ୍ ଓ ଉଦାର ମଧ୍ୟ । ମୁଁ ତୁମକୁ ଦେବାକୁ ଯାଉଥିବା ଟଙ୍କା ନିଶ୍ଚୟ ଶଙ୍କର ଦାସ ଖାତାରେ ଲେଖିବି । ତାଛଡା ମୁଁ ତୁମକୁ ଅନ୍ୟ ଏକ ପୁରସ୍କାର ଦେବି । ସେକଥା ମୋଝିଅକୁ ପଚାରିବା ପରେ ।” ପ୍ରକୃତରେ ସୁମେଧ ଥିଲେ ଯୁବକ ଓ ଅବିବାହିତ । ପ୍ରଶାନ୍ତ ଲକ୍ଷ୍ୟ କରି ଦେଖିଛନ୍ତି ସୁମତି, ସୁମେଧଙ୍କୁ ଦୂରରୁ ଲକ୍ଷ୍ୟ କରି ତାଙ୍କ କଥା ଶୁଣିବାକୁ ଆଗ୍ରହୀ ହୁଏ ଓ ତାଙ୍କ କାମ କରିଦେବାକୁ ତତ୍ପର ହୁଏ । ଏସବୁ ଦେଖି ପ୍ରଶାନ୍ତଙ୍କ ମନରେ ଦୁହିଁଙ୍କୁ ବିବାହ ଦେବାର ପ୍ରଶ୍ନ ଉଠିଥିଲା । କିନ୍ତୁ ହଠାତ୍ ଉପରେ ସେ କିଛି କହିବାକୁ ସଙ୍କୋଚ କରୁଥିଲେ ।
ପ୍ରଶାନ୍ତଙ୍କ ଝିଅ ସୁମତି ଭିତରେ ଥାଇ ସବୁ ଶୁଣୁଥିଲା ସେ ଲଜ୍ଜାରେ ଅନ୍ୟ ପଟକୁ ଚାଲିଗଲା । ଏତେଦିନ ସେଠାରେ ରହିବା ମଧ୍ୟରେ ସୁମତିର ଚାଲିଚଳଣ ଯେ ସୁମେଧଙ୍କର ପସନ୍ଦ ହୋଇଥିଲା ସେଥିରେ କୌଣସି ସନ୍ଦେହ ନାହିଁ । ଶେଷରେ ସେମାନଙ୍କର ବିବାହ ସମ୍ପନ୍ନ ହେଲା ।🙏
Comments
Post a Comment