କାହାଣୀ
🌸 *ଗପ ଟିଏ... 🌛ଜହ୍ନମାମୁଁ ପୃଷ୍ଠାରୁ* 🌸
😀 *ହାସ୍ୟରସ* 😀
ପ୍ରଫୁଲ୍ଲ ଜଣେ ଧନୀ ବ୍ୟକ୍ତି । କିନ୍ତୁ ସେ ଅନ୍ୟମାନଙ୍କ ହସ ଖୁସି ମୋଟେ ସହିପାରେ ନାହିଁ । ସମସ୍ତିଙ୍କୁ ବିଭିନ୍ନ ଉପାୟରେ କଷ୍ଟ ଦେବାରେ ତାର ଖୁସି; ତାହା ତାର ଗୋଟିଏ ବଦଭ୍ୟାସ । ତା’ର ସେହି ବଦଭ୍ୟାସ ଦେଖି ତାର ସ୍ତ୍ରୀ ଉର୍ମିଳା ବଡ ଦୁଃଖିତ ହୁଏ । ଏକଥା ଉର୍ମିଳାର ଭାଇ ଭୂଷଣ ଶୁଣିଲା । ସେ ଭିଣୋଇକୁ ଉଚିତ୍ ଶିକ୍ଷା ଦେବ ବୋଲି ମନେ ମନେ ଠିକ୍ କଲା । ଥରେ ସେ ପ୍ରଫୁଲ୍ଲର ଘରକୁ କିଛିଦିନ ପାଇଁ ଆସିଲା । ପ୍ରଫୁଲ୍ଲ ତାକୁ ଖୁବ୍ ଆଦର ଅଭ୍ୟର୍ଥନା କଲା । ଗଳ୍ପ କରୁ କରୁ ପ୍ରଫୁଲ୍ଲ ଭୂଷଣକୁ କହୁଥାଏ ସେ କିପରି ଅନ୍ୟମାନଙ୍କୁ ହଇରାଣ କରେ ।
ପ୍ରଫୁଲ୍ଲର ସବୁକଥା ଶୁଣିବା ପରେ ଭୂଷଣ କହିଲା, “ତୁମେ ଯେଉଁ କଥା ସବୁ କହିଗଲ, ସେସବୁ ଶୁଣି ମୋତେ ତ କାହିଁ ଯମା ହସ ମାଡୁ ନାହିଁ । ବରଂ କୁହ ଦୁଃଖ ଲାଗୁଛି । ମାତ୍ର ମୁଁ ଏକଥା ବୁଝିପାରୁନାହିଁ ଯେ ଅନ୍ୟର କଷ୍ଟରେ ତୁମେ କାହିଁକି ବା ହସୁଛ?”
ପ୍ରଫୁଲ୍ଲ କହିଲା “ହାସ୍ୟରସ ଏକ ରସ ଓ ଏକ କଳା । ଏହା ସମସ୍ତେ ବୁଝିପାରିବେ ନାହିଁ । କାଲି ସଭାକୁ ଆସ ଦେଖିବ ଏବେ ଯେଉଁ କଥା ସବୁ ତୁମକୁ କହିଲି ସଭାସଦ୍ମାନେ କିପରି ସେହିକଥା ଶୁଣି ହସି ହସି ଗଡିବେ ।”
ପରଦିନ ପ୍ରକୃତରେ ସଭାସଦ୍ମାନେ ସେହିକଥାକୁ ନେଇ ବହେ ହସିଲେ । ଭୂଷଣ ସଭାସଦ୍ଙ୍କ ସ୍ୱଭାବ ଦେଖି ଭାରି ଆଶ୍ଚର୍ଯ୍ୟ ହେଲା । ଘରକୁ ଫେରି ସେ ଉର୍ମିଳାକୁ ଏହାର କାରଣ ପଚାରିଲା । ସେ କହିଲା, “ହସିବେ ନାହିଁ ତ ଆଉ କ’ଣ କରିବେ? ଯିଏ ନ ହସିବ ତାକୁ ଚାବୁକରେ ପିଟା ହେବ । ଅର୍ଥାତ୍ ନହସିବାର ଦଣ୍ଡ ଭୋଗିବାକୁ ପଡିବ ।”
ଭୂଷଣ ଆଶ୍ଚର୍ଯ୍ୟ ହୋଇ ପଚାରିଲା “ତୋ ସ୍ୱାମୀ କ’ଣ ମହାରାଜ? ଚାବୁକରେ ମାରିବାରୁ ସଭାସଦ୍ ଚୁପ୍ ଚାପ୍ ସବୁ ସହିଯା’ନ୍ତି?”
ଉର୍ମିଳା କହିଲା “ସେହି ସଭାସଦ୍ମାନେ ଗରିବ । ଗାଳି ଶୁଣିବାରୁ ଓ ସହିବାରୁ ଇଏ ତାଙ୍କୁ ଧନ ଦିଅନ୍ତି । ସେ ଯାହା କହିବେ ସେକଥା ସମସ୍ତିଙ୍କୁ ଶୁଣିବାକୁହିଁ ପଡିବ । ଯିଏ ଏହି କଥାରେ ସମ୍ମତ କେବଳ ସେହିଁ ସଭା ମଧ୍ୟରେ ପ୍ରବେଶ କରିପାରିବ । ନହେଲେ ନାହିଁ । ଏ ସବୁକିଛି ସେହି ଧନର ମହିମା ।”
ଏସବୁ ଖବର ସଂଗ୍ରହ କରିବା ପରେ ଭୂଷଣ ପ୍ରଫୁଲ୍ଲକୁ କହିଲା, “ମନେହେଉଛି ହାସ୍ୟରସ କ’ଣ ତାହା ତୁମକୁ ଆଦୌ ଜଣା ନାହିଁ । ତୁମ ପରି ବ୍ୟକ୍ତି ସହିତ ରହିବା ଯୋଗୁଁ ତୁମର ସ୍ତ୍ରୀ ଓ ତୁମର ଚାକରବାକର ସର୍ବଦା ଦୁଃଖରେ ଅଛନ୍ତି, ଏହା ତୁମେ ଜାଣ ତ?”
ପ୍ରଫୁଲ୍ଲ କହିଲା “ସେମାନଙ୍କ କଥା ଛାଡ । ତାଙ୍କ ଚେହେରା ତ ସେଇପରି । ସେମାନଙ୍କ ମୁହଁରୁହିଁ ଦୁଃଖର ଭାବ ଝରୁଛି । ତୁମେ ନିଜେ ତ ସଭାକୁ ଆସି ଦେଖିଲ ମୋର ହାସ୍ୟରସକୁ ସେମାନେ କିପରି ବୁଝୁଛନ୍ତି? ମୋ କଥା ଶୁଣିବା ମାତ୍ରେହିଁ ସେମାନେ ହସିହସି ବେଦମ ହେଉଛନ୍ତି ।”
ଭୂଷଣ କହିଲା “ହାସ୍ୟରସ ଧନ ଦେଇ ହୁଏ ନାହିଁ । ହାସ୍ୟ ଅର୍ଥ ଯାହା ଶୁଣି ଶୁଣି ମଣିଷ ନିଜର ସମସ୍ତ ଦୁଃଖ ଭୁଲିଯାଇ ହସିପକାଏ ।” ଏକଥା ଶୁଣିବା ମାତ୍ରେ ପ୍ରଫୁଲ୍ଲର ମୁହଁ ସେହିକ୍ଷଣି ଫିକା ପଡିଗଲା । ସେ କହିଲା, “ତେବେ ତୁମେ ଅସଲ କଥା ଜାଣିପାରିଛ? ଆଚ୍ଛା କ’ଣ ତୁମେ ଧନ ଦେଇ କାହାକୁ ହସାଇ ପାରିବ?”
ଭୂଷଣ କହିଲା “ମୁଁ ନିଜେ ହସି ପାରିବି, ହେଲେ କାହାକୁ ହସାଇ ପାରିବି ନାହିଁ । କାହିଁକିନା ଏହି ହସାଇବା ହେଉଛି ଏକ ବଡ କଳା । ଆମ ଗ୍ରାମରେ ଚତୁର ନାମକ ଜଣେ ବ୍ୟକ୍ତି ଅଛି । ସେ କଥା କହିଲେ, ହସି ହସି ଆଖିରୁ ଆନନ୍ଦାଶ୍ରୁ ବୋହିଯାଏ ।”
ପ୍ରଫୁଲ୍ଲ କହିଲା, “ତେବେ ତମେ ତାକୁ ଥରେ ଏଠାକୁ ଡାକ ନା?” ଭୂଷଣଠାରୁ ଖବର ପାଇ ଚତୁର ପରଦିନ ଆସି ସେହି ଗ୍ରାମରେ ପହଁଚିଲା । ପ୍ରଫୁଲ୍ଲ ଚତୁରକୁ କହିଲା, “ଭୂଷଣ କହିବା ଅନୁସାରେ ତୁମକୁ ଏଠାକୁ ଡକା ହୋଇଛି । ତୁମେ କୁଆଡେ ସମସ୍ତିଙ୍କୁ ହସାଇ ପାର । ତୁମର ପରୀକ୍ଷା ନେବାକୁ ମୁଁ ତୁମକୁ ଏଠାକୁ ଡାକିଛି । ଅବଶ୍ୟ ସେ ପରୀକ୍ଷା ଟିକିଏ କଷ୍ଟକର; ପାରିବତ?”
ତାଙ୍କର ଏଭଳି କଥାରେ ଚତୁର ହସି ପକାଇଲା ଓ ହସିଚାଲିଲା । ପ୍ରଫୁଲ୍ଲ ଏଥିରେ ଚିଡିଯାଇ କହିଲା, “ଏଥିରେ ଏତେ ହସିବାର କ’ଣ ଅଛି?”
ଚତୁର କହିଲା “ମୋତେ ଭୂଷଣବାବୁ କହିଥିଲେ କି ଆପଣଙ୍କର ପ୍ରତ୍ୟେକ କଥାରେ ହାସ୍ୟରୋଳ ଉଠେ । ତେଣୁ ମୁଁ ହସିପକାଇଲି ।”
ପ୍ରଫୁଲ୍ଲ ପଚାରିଲା, “ହସକଥା ହୋଇଥିବ ଭାବି ହସିପକାଇଲ? ହାସ୍ୟ କ’ଣ ତୁମେ କିଛି ବୁଝିବା ପୂର୍ବରୁ ଆସେ? ଏ କିପ୍ରକାର କଥା?”
ଚତୁର କହିଲା “ବୁଝିକରି ହସିଛି । ମୋର ଯିଏ ପରୀକ୍ଷା ନେବ, ତା’ର ତ ପୁଣି ସେଥିପାଇଁ ଶକ୍ତି ଥିବା ଉଚିତ୍ ତ! ସେଥିପାଇଁ ହସିଲି ।”
ତା’ କଥା ଶୁଣି ସେଠାରେ ଯେତେ ଲୋକ ଥିଲେ ସମସ୍ତେ ହସିଲେ । ସେମାନଙ୍କ ହସ ଦେଖି ପ୍ରଫୁଲ୍ଲ ଚିଡିଯାଇ କହିଲା, “ଅର୍ଥହୀନ କଥାରେ ହସିବ ତ ଚାବୁକ୍ରେ ପିଟା ହେବ । ତେଣୁ ସାବଧାନ ।”
ଏକଥା ଶୁଣି ଭୂଷଣ କହିଲା, “ପ୍ରଫୁଲ୍ଲ ବାବୁ, ସଭାଡାକନ୍ତୁ, ଆଉ କହିଦିଅନ୍ତୁ ଯେ ଯିଏ ଚତୁର କଥାରେ ନହସିବ ସେ ପୁରସ୍କାର ପାଇବ, ଯିଏ ହସିବ ସେ ଚାବୁକ୍ ମାଡ ପାଇବ । ମୁଁ ନିଶ୍ଚିତ ଭାବରେ କହିପାରେ ଯେ ଚତୁର ସମସ୍ତଙ୍କୁ ହସାଇପାରିବ ।”
ପ୍ରଫୁଲ୍ଲ ଭୂଷଣ କଥାରେ ସମ୍ମତ ହେଲା । ସେତେବେଳେ ଚତୁର କହିଲା, “ମହାଶୟ, ମୋର ଗୋଟିଏ ବିନତି ଅଛି । ହସାଇବା ପାଇଁ ମୁଁ ଯାହା କିଛିବି କହିପାରେ । କିନ୍ତୁ ଆପଣ ସେତେବେଳେ ମୁହଁ ମୋଟେ ଖୋଲିବେ ନାହିଁ । ଏହି ସର୍ତ୍ତ ରହିଲା ।” ଏହାପରେ ପ୍ରଫୁଲ୍ଲ ତା’ର ସର୍ତ୍ତ ମାନିନେଲେ ।
ପରଦିନ ସଭାର ଆୟୋଜନ ହେଲା । ଏସବୁ କଥା ଲୋକମାନେ ଶୁଣିନେଲେ । ତେଣୁ ସେମାନେ ସବୁ ବହୁସଂଖ୍ୟାରେ ଆସିଲେ । ପ୍ରଥମେ ସଭାରେ ଠିଆ ହୋଇ ଚତୁର କହିଲା, “ମହାଶୟଗଣ, ଭଗବାନ୍ ହସାଇବାର ଶକ୍ତି କେବଳ ମୋତେ ଦେଇଛନ୍ତି । କୁହାଯାଏ ଯେ ହସିବା ଆନନ୍ଦରୁ ଆସେ । ଆହୁରି ପୁଣି ଏକଥା ମଧ୍ୟ କୁହାଯାଏ କି ଆନନ୍ଦ ହେଉଛି ଅଧା ଶକ୍ତି । ପୁଣି କୁହାଯାଏ ଯେ ଏହି ହାସ୍ୟ ଦ୍ୱାରା ନାନା ବାଧାବିଘ୍ନ ମଧ୍ୟ ଦେଖାଦିଏ । ଆପଣମାନଙ୍କୁ ମୁଁ ହସାଇବା ଦ୍ୱାରା ଦୁଇ ପ୍ରକାରର ଅନିଷ୍ଟ ହେବ । ଆପଣମାନେ ହସିଲେ ଯେଉଁ ପୁରସ୍କାର ମିଳୁଥିଲା ତାହା ଆଉ ମିଳିବ ନାହିଁ । ଦ୍ୱିତୀୟରେ ଆପଣମାନେ ଚାବୁକ୍ ମାଡ ମଧ୍ୟ ଖାଇବେ । ଅର୍ଥାତ୍ ମୋର ଆପଣମାନଙ୍କୁ ହସାଇବା ମାନେ ଆପଣମାନଙ୍କୁ କନ୍ଦାଇବା । ହସିବା ଯୋଗୁଁ କାନ୍ଦିବା ମୋର ପସନ୍ଦ ନୁହେଁ । ତେଣୁ ଏତେଗୁଡିଏ ଲୋକଙ୍କୁ କନ୍ଦାଇବା ପରିବର୍ତ୍ତେ ବରଂ ମୁଁ ନିଜେ ଏକଲା କାନ୍ଦିପକାଏ । ଆପଣମାନଙ୍କୁ ମୁଁ ହସାଇ ପାରିଲି ନାହିଁ, କାରଣ ଯେତେସବୁ ଚାବୁକ୍ ମାଡ ଆପଣମାନଙ୍କ ଉପରେ ପଡିବ ବରଂ ମୋ ଉପରେ ସେତକ ପଡୁ । ଏଥର ଆପଣଙ୍କ ମଧ୍ୟରୁ କେହି ଜଣେ ଆଗକୁ ଆସି ଗଣନ୍ତୁ ଆଜିର ଏହି ସଭାମଧ୍ୟରେ କେତେଜଣ ଅଛନ୍ତି ।”
ପ୍ରଫୁଲ୍ଲ କେବେବି ଭାବି ନଥିଲା କି ଚତୁର ଏଭଳି ଭାବରେ କଥା କହିବ । ସୁତରାଂ ସେ ଆଶ୍ଚର୍ଯ୍ୟ ହୋଇଗଲା । ସେହି ସଭାରେ ତ ନିହାତିକମ୍ରେ ତିନିଶହ ଲୋକ ହେବେ । ତାଙ୍କର ଏଭଳି କଥା ଶୁଣି ସେମାନଙ୍କ ମଧ୍ୟରୁ କେତେ ଲୋକ ହସୁଛନ୍ତି ତ ଆଉ ପୁଣି କେତେକ ଚାବୁକ୍ ଡରରେ ଚୁପ୍ ହୋଇ ବସିଛନ୍ତି । ପ୍ରଫୁଲ୍ଲ ବୁଝିପାରିଲା ନାହିଁ ଯେ ଚତୁର ଏପରି କାହିଁକି କଲା?
ଇତି ମଧ୍ୟରେ ସଭାରେ ସବୁ ଫୁସ୍ ଫାସ୍ କଥାବାର୍ତ୍ତା ଚାଲୁଥାଏ ଓ ତା’ପରେ ବଡ ପାଟିରେ କଥାବାର୍ତ୍ତା ଚାଲିଲା ଓ ହଠାତ୍ ସମସ୍ତେ ବହୁତ ସମୟ ପର୍ଯ୍ୟନ୍ତ ହୋ ହୋ ହୋଇ ହସିଲେ ।
ସେତେବେଳେ ଚତୁର ଆଶ୍ଚର୍ଯ୍ୟ ହୋଇ ସମସ୍ତିଙ୍କୁ ଚାହିଁ କହିଲା, “ସଭାସଦ୍ଗଣ, ମୁଁ ତ ଏପର୍ଯ୍ୟନ୍ତ ହାସ୍ୟୋକ୍ତି ଆରମ୍ଭ କରି ନାହିଁ । ଅଥଚ ଆପଣମାନେ ହସିପକାଇଲେ । ମୁଁ ଜାଣିପାରେ କି ଆପଣମାନେ କାହିଁକି ହସିଲେ?”
ତା’ପରେ ଜଣେ ବ୍ୟକ୍ତି ଠିଆ ହୋଇ ପଡି କହିଲେ, “ଆମେ ହସିଲେ ପ୍ରତ୍ୟେକେ ଗୋଟିଏ କରି ଚାବୁକ୍ ପାହାର ଖାଇବୁ । ସେତକ ଦଣ୍ଡ ଆମେ ଭୋଗି ପାରିବୁ । କିନ୍ତୁ ଆପଣଙ୍କ ପରି ଜଣେ ଭଦ୍ରବ୍ୟକ୍ତି ଆମ ପାଇଁ ଏତେଗୁଡିଏ ଚାବୁକ୍ ପ୍ରହାର ପାଇବେ, ସେପରି ଦଣ୍ଡ ଆମେ କଦାପି ଦେଖି ପାରିବୁ ନାହିଁ । ସେଥିପାଇଁ ଆମେ ହସିପକାଇଲୁ ଯେ ଆପଣଙ୍କୁ ପ୍ରହାରରୁ ବଂଚାଇବାରେହିଁ ଆମର ଆନନ୍ଦ ।”
ଏକଥା ଶୁଣି ପ୍ରଫୁଲ୍ଲର ମୁହଁ ହଠାତ୍ ଫିକା ପଡିଗଲା । ଚତୁର ସଙ୍ଗେ ସଙ୍ଗେ କହିଲା, “ମାନବତା ସହିତ ଧନକୁ କିପରି ତୁଳନା କରିହେବ? ସେତେବେଳେ ମଣିଷ ଦଣ୍ଡକୁ ଖାତିର୍ କରେ ନାହିଁ । ସେଥିପାଇଁହିଁ ମୁଁ ଏସବୁ କଥା କହିଥିଲି । ମୁଁ ମାନୁଛି ଯେ ପ୍ରଫୁଲ୍ଲ ଭିତରେ ବି ବହୁତ ମାନବତା ଅଛି । ଏବଂ ସେ ମୋତେ ଦଣ୍ଡ ଦେବେ ନାହିଁ । କିନ୍ତୁ ଆପଣମାନଙ୍କୁ ଦଣ୍ଡ ଦେବେ । ତେଣୁ ସଙ୍କୋଚ ନକରି ମୁଁ ଏବେ ମୋ ହାସ୍ୟୋକ୍ତି ଆରମ୍ଭ କରିବି ।”
ପ୍ରଫୁଲ୍ଲ ମଝିରେ ଚିତ୍କାର କରି କିଛି କହିବାକୁ ଯାଉଥିଲା ଯେ ସମସ୍ତିଙ୍କୁ ନ ହସାଇବାରୁ ଚତୁର ନିଶ୍ଚୟ ଦଣ୍ଡ ପାଇବ । କିନ୍ତୁ ଭୂଷଣ ତାକୁ ଚେତେଇ ଦେଇ କହିଲା, “ଆଗରୁ ସର୍ତ୍ତ ଅଛି ତୁମେ ବିଲ୍କୁଲ୍ କଥା କହିବ ନାହିଁ । କିନ୍ତୁ ସମସ୍ତେ ତ ହସି ସାରିଲେଣି ।”
ତାଙ୍କ କଥାରେ ପ୍ରଫୁଲ୍ଲ ଚୁପ୍ ରହିଲେ । ତା’ପରେ ଚତୁର ପ୍ରଫୁଲ୍ଲର କାହାଣୀକୁ ହାସ୍ୟ ପଦ୍ଧତିରେ ଶୁଣାଇବାକୁ ଯାଇ କହିଲା, “ଶ୍ରୀପ୍ରଫୁଲ୍ଲଙ୍କ ସମ୍ମୁଖରେ ଯାହା କୁହାଯାଏ ସେ ସେଇଟା ବିଶ୍ୱାସ କରନ୍ତି । ଦିନେ ସ୍ୱୟଂ ଭଗବାନ୍ ପ୍ରତ୍ୟକ୍ଷ ହୋଇ ତାଙ୍କୁ ବର ଯାଚିଲେ । ସେ କହିଲେ, “ସମସ୍ତେ ମୋ ସକାଶେ ଯାହା ଭାବୁଛନ୍ତି ମୋର ସେଇଆ ହେଉ ।” ତା’ପରେ ସେ ବିଚରା ରାସ୍ତା ଉପରେ ପଡି ରହିଥା’ନ୍ତି, ଲୁଗା କଂଟାରେ ଫାଟିଗଲା ଗଳା । ଗ୍ରାମର କୁକୁର ତାଙ୍କୁ ତଡୁଥାଏ । ଚାକର ମାନେ ତାଙ୍କୁ କାମ କରାଉଥାନ୍ତି । ଏମିତି ପ୍ରକାରେ ପ୍ରଫୁଲ୍ଲର କଷ୍ଟ କହିବା ବେଳେ ଲୋକମାନେ ହସି ହସି ବେଦମ୍ ହେଲେ ।
ପ୍ରଫୁଲ୍ଲ ନିଜେ ହାରିଗଲେ ବୋଲି ସ୍ୱୀକାର କରି କହିଲେ, “ହାସ୍ୟରସର ଲକ୍ଷ୍ୟ ସମସ୍ତେ ଖୁସି ହେବେ । କିନ୍ତୁ ମୁଁ ତ ଦୁଃଖୀ ହେଲି ।”
ଚତୁର କହିଲା “ବକ୍ରବୁଦ୍ଧି ଚିଡିଲେ ବି ସେଥିରେ ହାସ୍ୟରସ ଥାଏ । ଏହି ହାସ୍ୟ ଖରାପ ଲୋକଙ୍କୁ ଚିଡାଏ ଓ ଭଲ ଲୋକଙ୍କୁ ଆନନ୍ଦ ଦିଏ । ସେପରି ଆନନ୍ଦ ପାଇବାକୁ ହେଲେ ନିଜର କୁପ୍ରବୃତ୍ତିକୁ ପରିବର୍ତ୍ତିତ କରିବାକୁ ହୁଏ ।”
ଏକଥା ଶୁଣି ଲୋକମାନେ ବହୁତ ଖୁସି ହେଲେ । ପ୍ରଫୁଲ୍ଲ କେତେ ଯେ ନୀଚ ଓ ମାନବତାବିହୀନ ଲୋକ ଏହିସତ୍ୟ ସେଦିନ ପ୍ରଫୁଲ୍ଲ ନିଜେ ଉପଲବ୍ଧି କଲେ । ସେ ମଧ୍ୟ ଆହୁରି ବୁଝିପାରିଲେ ଯେ ହାସ୍ୟ ଏକ ବିଶିଷ୍ଟ କଳା । ଧନଲୋଭ ବା ଦଣ୍ଡର ଭୟରେ ତାହା କେବେବି ମଧ୍ୟ ବଶୀଭୂତ ହୁଏ ନାହିଁ । ଏହି ଘଟଣା ପରେ ସେ ନିଜର ସ୍ୱଭାବ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲେ, ଚତୁରକୁ ସତ୍କାର କଲେ ଓ ଭୂଷଣକୁ ସେ ମଧ୍ୟ ଅନେକ ଅନେକ କୃତଜ୍ଞତା ଜଣାଇଲେ ।🙏
Comments
Post a Comment