୨୦ ଅଗଷ୍ଟ ୨୦୨୦ କାହାଣୀ

🌺 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌺 

🍁 *ନ୍ୟାୟ ନିର୍ଣ୍ଣୟ* 🍁

ପୂର୍ବକାଳର କଥା । କାଶ୍ମୀରର ରାଜା ସୁକେତନ ଥିଲେ; ଶ୍ରୀନଗର ସେହି ରାଜ୍ୟର ରାଜଧାନୀ ଥିଲା । ସେହି ରାଜ୍ୟର ଅନ୍ୟ ଏକ ନଗରୀରେ ଜଣେ ନ୍ୟାୟାଧିକାରୀ ଥିଲେ । ସେ ନ୍ୟାୟ ନିର୍ଣ୍ଣୟ କରିବାରେ ଖୁବ୍ ଦକ୍ଷ ଥିଲେ । ଅଳ୍ପ ସମୟ ମଧ୍ୟରେ ତାଙ୍କର ସୁଖ୍ୟାତି ଚାରି ଆଡେ ବ୍ୟାପିଗଲା । ଦେଶବିଦେଶରେ ମଧ୍ୟ ସମସ୍ତେ ତାଙ୍କର ନ୍ୟାୟ ନିର୍ଣ୍ଣୟ ବିଷୟରେ ପ୍ରଶଂସାରେ ଶତମୁଖ । ଦିନେ ରାଜା ଭାବିଲେ କି ଥରେ ଯାଇ ଏହାର ସତ୍ୟତା ବୁଝି ଆସିବେ ।

                ରାଜା ଜଣେ ସାଧାରଣ ନାଗରିକର ପୋଷାକ ପିନ୍ଧି ସେହି ନଗରକୁ ଗଲେ । ସେଠାରେ ପହଁଚି ସେ ନଗରର ଦ୍ୱାର ଟପି ଭିତରକୁ ପଶିଲେ । ସେତେବେଳେ ଜଣେ ଭିଖାରୀ ତାଙ୍କ ପାଖକୁ ଆସି କିଛି ପଇସା ମାଗିଲା । ରାଜା ଘୋଡା ଉପରେ ଥାଇ ତା’ ହାତରେ କିଛି ରେଜା ପଇସା ଦେଇ ଆଗେଇବାକୁ ଲାଗିଲେ । କିନ୍ତୁ ଭିଖାରୀଟି କୌଣସିମତେ ରାଜାଙ୍କୁ ଛାଡିଲା ନାହିଁ । ପୁଣି କହିଲା, “ଭିକ ଦିଅ”

                ରାଜା ପଚାରିଲେ “ଭିଖ ତ ଦେଲି; ପୁଣି କ’ଣ?”

                ଭିଖାରୀ କହିଲା “ମହାଶୟ, ଆଜି ହାଟପାଳି । ମୁଁ ଜନ୍ମରୁ ଛୋଟା, କଷ୍ଟ କରି ଚାଲେ; ହାଟ ପର୍ଯ୍ୟନ୍ତ ଯିବା ମୋପକ୍ଷେ ବଡ କଷ୍ଟ । ମୋତେ ଟିକିଏ ଘୋଡାରେ ବସାଇ ନେଇ ଯାଆନ୍ତେ ନାହିଁ?”

“ଠିକ୍ ଅଛି । ଚଢି ବସ ।” ଏହା କହି ରାଜା ତାକୁ ଘୋଡାରେ ବସାଇ ଚାଲିଲେ । କିଛି ସମୟ ପରେ ହାଟ ପଡିଲା । ରାଜା କହିଲେ, “ଏହି ତ ହାଟ । ଏବେ ଓହ୍ଲାଅ ।”

ଭିଖାରୀ କହିଲା, “ପ୍ରଥମେ ତୁମେ ଓହ୍ଲାଇ ପଡ ।” ରାଜା ଭାବିଲେ, “ଛୋଟା ମଣିଷଟା ନିଜେ ଓହ୍ଲାଇ ପାରୁନାହିଁ ବୋଲି ମୋତେ ଆଗ ଓହ୍ଲାଇବାକୁ କହିଲା,” ଘୋଡାରୁ ଓହ୍ଲାଇ ରାଜା କହିଲେ, “ମୋ ହାତ ଧରି ଓହ୍ଲାଇ ପଡ ।”

ଭିଖାରୀ କହିଲା, “ମୋତେ ଓହ୍ଲାଇବା ପାଇଁ କହିବାକୁ ତମେ କିଏ? ତୁମ ଉପରେ ଦୟାକରି ମୁଁ ତୁମକୁ ଘୋଡାରେ ବସାଇଲି କ’ଣ ସେଥିପାଇଁ?”

ରାଜା କହିଲେ “ଘୋଡାଟି ମୋର । ମୋ ଘୋଡାରେ ଚଢିବାକୁ ଦେବା ପରେ ଇଏ କି ପ୍ରକାର କଥା? ପାଗଳାମୀ ଛାଡି ଓହ୍ଲାଇ ପଡ ।”

ଭିଖାରୀ ମଧ୍ୟ ଦୃଢ ସ୍ୱରରେ କହିଲା, “ଘୋଡା ତ ମୋର, ତୁମ କଥାରେ ମୁଁ କାହିଁକି ଓହ୍ଲାଇବି? ସେ ପ୍ରଶ୍ନ ଏବେ ଉଠୁଛି କାହିଁକି?”

ରାଜା ପଚାରିଲେ “ଏପରି ଦିନ ଦ୍ୱିପହରରେ ସମସ୍ତିଙ୍କ ସମ୍ମୁଖରେ ଏଭଳି ଅନ୍ୟାୟ ହେବାର ତ ମୁଁ କେବେ କେଉଁଠି ହେଲେ ବି ଦେଖି ନାହିଁ; ତୁମେ କ’ଣ ଜାଣ ନାହିଁ କି ଏହି ନଗରୀରେ ଜଣେ ବଡ ନ୍ୟାୟାଧିକାରୀ ଅଛନ୍ତି?”

ଭିଖାରୀ କହିଲା, “ଯେତେ ବଡ ନ୍ୟାୟାଧିକାରୀ ହେଲେ ମଧ୍ୟ, ସେ କହିବେ ଯେ ଛୋଟା ଲଙ୍ଗଡା ଲୋକରହିଁ ଏହି ଘୋଡାଟା; ତୁମ ପରି ଜଣେ ବଳିଷ୍ଠ ଲୋକର ଘୋଡା ବା କ’ଣ ଦରକାର?”

ରାଜା କହିଲେ “ତେବେ ଚାଲ ବିଚାରାଳୟକୁ । ନ୍ୟାୟାଧିକାରୀଙ୍କର ନିର୍ଣ୍ଣୟ କ’ଣ ଦେଖିବା ।”

ରାଜା ମଧ୍ୟ ଜାଣିବାକୁ ଚାହୁଁଥିଲେ କି ଏହି ଘଟଣାକୁ ନେଇ ନ୍ୟାୟାଧିକାରୀ କିପ୍ରକାରର ରାୟ ଦେବେ । ଏହାପରେ ରାଜା ଓ ସେ ଭିଖାରୀ ନ୍ୟାୟାଳୟକୁ ଗଲେ । ସେତେବେଳେ ସେଠାରେ ଅନ୍ୟ ଏକ ଅଭିଯୋଗ ଉପରେ ବିଚାର ଚାଲିଥାଏ । ସେଠାରେ ଜଣେ ଗୁମାସ୍ତା ଓ ଜଣେ ଚାଷୀଙ୍କ ମଧ୍ୟରେ କଳହ ଚାଲିଥାଏ । ଜଣେ ଘୁଙ୍ଗା ସ୍ତ୍ରୀ ଲୋକକୁ ଦୁହେଁ ନିଜର ସ୍ତ୍ରୀ ବୋଲି କହୁଥାନ୍ତି । ଦୁହେଁ ଭଗବାନଙ୍କ ଦ୍ୱାହି ଦେଇ ସେହି ଏକହିଁ କଥା କହୁଥା’ନ୍ତି ।

ନ୍ୟାୟାଧିକାରୀ କହିଲେ, “ସ୍ତ୍ରୀଲୋକଟିକୁ ଆମ ଘରେ ମୋ ସ୍ତ୍ରୀ ପାଖରେ ଯାଇ ଛାଡିଦିଅ, କାଲିକି ଯାହା ହେବ ।”

ତା’ପରେ ଜଣେ କଂସେଇ ଓ ଜଣେ ତେଲିଙ୍କ ମଧ୍ୟରେ ବିବାଦ ଲାଗି ସେମାନେ ଆସିଥା’ନ୍ତି । ତେଲି କହିଲା, “ମହାଶୟ, ଏହି ଲୋକଟି ମୋ ପାଖକୁ ଆସି କହିଲା, “ମୋର କିଛି ରେଜା ଆବଶ୍ୟକ ଥିଲା, ଯଦି ମୋହରଟିଏ ଭଙ୍ଗାଇ ଦେଇ ପାରିବ ତେବେ ତେଲ କିଣିବି । ମୁଁ ମୋର ସବୁ ରେଜା ବାହାର କରି ଗଣୁଛି, ଆଉ ଲୋକଟା ମୋହାତରୁ ସବୁ ପଇସା ନେଇ ଯାଇ କହୁଛି ସେ ପଇସା ତା’ର । ଏବେ ଆପଣ ଯାହା ବିଚାର କରିବେ ।”

                ନ୍ୟାୟାଧିକାରୀ କହିଲେ, “ଏହି ପଇସାତକ ମୋ ପାଖରେ ରଖି ଘରକୁ ଯାଅ, କାଲି ଯାହା ବିଚାର ହେବ ।”

                ଏବେ ଏମାନଙ୍କର ଅଭିଯୋଗ ପରେ ଘୋଡା କଥା ପଡିଲା । ରାଜା କହିଲେ, “ମହାଶୟ, ମୁଁ ଶ୍ରୀନଗରରେ ରହେ । ହାଟରୁ କିଛି କିଣିବା ପାଇଁ ଘୋଡାରେ ଚଢି ଆସିଥିଲି । ନଗର ଦ୍ୱାର ପାଖରେ ଏହି ଛୋଟା ଭିଖାରୀ ଆସି ମୋତେ ଭିଖ ମାଗିଲା । ମୁଁ ତାକୁ ପଇସା ଦେବା ପରେ ସେ ମୋତେ ପୁଣି ଅନୁରୋଧ କଲା କି ମୁଁ ଯେପରି ତାକୁ ଘୋଡାରେ ବସାଇ ନେଇ ହାଟ ପାଖରେ ଛାଡି ଦିଏ । ହାଟ ପାଖରେ ପହଁଚି ଇଏତ ଘୋଡାରୁ ଓହ୍ଲାଇବାକୁ ପୁରା ନାରାଜ । ଓହ୍ଲାଇବାକୁ କହିବାରୁ ଇଏ କହୁଛି ଯେ ଏହି ଘୋଡାଟି ତା’ରି ଘୋଡା ।”

ଭିଖାରୀ କହିଲା, “ମହାଶୟ, ମୁଁ ତ ଛୋଟା ଲୋକ; ତେଣୁ ଯୁଆଡେ ଯାଏ ଘୋଡା ଚଢି ଯାଏ । ମୁଁ ହାଟ କରିବାକୁ ଘୋଡାରେ ଚଢି ଆସୁଛି, ଏହି ଲୋକଟି କହିଲେ ଯେ ସେ ବାଟ ଚାଲି ଚାଲି ଥକି ଗଲେଣି, ଯଦି ଟିକିଏ ହାଟ ପର୍ଯ୍ୟନ୍ତ ଘୋଡାରେ ବସାଇ ନିଏ ତ ଭଲ । ମୁଁ ଏହାଙ୍କ ଉପରେ ଦୟାକରି ହାଟ ପର୍ଯ୍ୟନ୍ତ ବସାଇ ଆଣିବା ପରେ ସେ କହୁଛନ୍ତି କି ଘୋଡାଟି ତାଙ୍କର । ଇଏ କେଉଁ ପ୍ରକାର କଥା? ଆପଣ ନିଜେ ବିଚାର କରନ୍ତୁ ।”

                ନ୍ୟାୟାଧିକାରୀ ଅଳ୍ପ ଭାବି କହିଲେ, “ଘୋଡାଟିକୁ ମୋ ପାଖରେ ଛାଡି ତୁମେ ଦୁହେଁ ଯାଅ, କାଲି ଆସିବ ।”

                ପରଦିନ ବିଚାରାଳୟରେ ବିଚାର କରାଗଲା । ଅନେକ ଦର୍ଶକ ମଧ୍ୟ ଥା’ନ୍ତି । ନ୍ୟାୟାଧିକାରୀ ଗୁମାସ୍ତାଙ୍କୁ ଡାକି କହିଲେ, “ଏହି ସ୍ତ୍ରୀ ଆପଣଙ୍କର ପତ୍ନୀ, ଆପଣ ଏଥର ତାଙ୍କୁ ଖୁସିରେ ନେଇଯା’ନ୍ତୁ ।

ଏହି ଚାଷୀଟା ମିଥ୍ୟା କହୁଛି । କଟୁଆଳ ଏହାକୁ ଦଶଥର ପ୍ରହାର କରି ଛାଡିଦିଅ ।”

                ତା’ପରେ ସେ କଂସାଇକୁ ଡାକି କହିଲେ, “ଏହି ପଇସା ତୁମର, ତୁମେ ନେଇଯାଅ । କଟୁଆଳ ଏହି ମିଥ୍ୟାବାଦୀକୁ ତିରିଶ ପାହାର ବେତ ମାଡ ଦିଅ ।”

                ତା’ପରେ ସେ ରାଜା ଓ ଲଙ୍ଗଡା ଭିଖାରୀକୁ ଡାକି କହିଲେ, “ମୁଁ ତ ଗତ କାଲିର ଘୋଡାଟିକୁ ଅନ୍ୟ କୋଡିଏଟି ଘୋଡା ସହିତ ବାନ୍ଧି ଦେଇଛି । ତୁମେ ନିଜ ଘୋଡା ଚିହ୍ନି ପାରିବ?”

                ରାଜା କହିଲେ, “ନିଶ୍ଚୟ । ମୁଁ ମୋ ଘୋଡାକୁ ଚିହ୍ନିପାରିବି ।”

                ନ୍ୟାୟାଧିକାରୀ ରାଜାଙ୍କୁ କହିଲେ, “ପ୍ରଥମେ ତୁମେ ମୋ ସହିତ ଆସ ।” ଏହା କହି ତାଙ୍କୁ ସେ ନିଜ ସାଥିରେ ନେଇ ଭିତରକୁ ଗଲେ । କୋଡିଏଟି ଘୋଡାଙ୍କ ମଧ୍ୟରେ ନିଜ ଘୋଡାକୁ ରାଜା ଫଟ୍କିନି ଚିହ୍ନି ଦେଲେ । ନ୍ୟାୟାଧିକାରୀ କହିଲେ “ଏଥର ତୁମେ ବାହାରକୁ ଯାଇ ଲଙ୍ଗଡାକୁ ଏଠାକୁ ପଠାଅ, ଲଙ୍ଗଡା ଆସି ରାଜାଙ୍କ ଘୋଡାକୁ ମଧ୍ୟ ଚିହ୍ନି ଦେଲା ।

                ତା’ପରେ ସେ ନ୍ୟାୟାଧିକାରୀ ବିଚାରାଳୟକୁ ଆସି ରାଜାଙ୍କୁ କହିଲେ, “ଏହି ଘୋଡାଟି ତୁମରି । ଏହାକୁ ତୁମେ ଏବେ ନିଜ ସାଥିରେ ନେଇଯାଅ । କଟୁଆଳ ମିଥ୍ୟା କଥା କହିଥିବାରୁ ଏହି ଲୋକକୁ ପଚାଶ ପାହାର ଦଣ୍ଡ ଦିଅ ।”

                ସେଦିନ ପାଇଁ ସବୁ ବିଚାର ଶେଷ ହେବା ପରେ ରାଜା ସେଇଠି ଠିଆ ହୋଇଥା’ନ୍ତି । ତେଣୁ ନ୍ୟାୟାଧିକାରୀ କହିଲେ, “ଏତେ ପର୍ଯ୍ୟନ୍ତ କାହିଁକି ଠିଆ ହୋଇ ରହିଛ? ମୋର ନ୍ୟାୟ ତୁମକୁ କ’ଣ ଭଲ ଲାଗୁ ନାହିଁ କି? ନା କିଛି କହିବାର ଅଛି?”

                ତା’ପରେ ସେ ରାଜା କହିଲେ “ଆପଣଙ୍କ ବିଚାର ଅତି ଚମତ୍କାର । ମୁଁ ଜାଣିଲି ଯେ ଆପଣ ମୋ କ୍ଷେତ୍ରରେ ଠିକ୍ ବିଚାର କରିଛନ୍ତି । କିନ୍ତୁ ଅନ୍ୟମାନଙ୍କର କ’ଣ ବିଚାର ହେଲା ଓ କିପରି ହେଲା ମୁଁ ସେକଥା ଜାଣିବାକୁ ଚାହେଁ । ମୁଁ କଳ୍ପନା କରିପାରୁ ନାହିଁ କି କିପରି ଏତେ ସଠିକ୍ ବିଚାର ସମ୍ଭବ ହେଲା?”

                ନ୍ୟାୟାଧିକାରୀ ବୁଝାଇ କହିଲେ “ଏସବୁ ଏତେ କିଛି କଷ୍ଟକର କାର୍ଯ୍ୟ ନୁହେଁ । ପ୍ରଥମେ ସ୍ତ୍ରୀଟିର କଥା ଆଲୋଚନା ହେଉ । ଗତକାଲି ରାତ୍ରିରେ ମୁଁ ତାକୁ ମୋ ଘରକୁ ନେଇଗଲି । ସେଠାରେ ତାକୁ କହିଲି ମୋ କଲମ ଧୋଇ ସେଥିରେ ସ୍ୟାହି ଭରି ଆଣ । ସେ ଅତି ସହଜରେ ସେ କାମ କରିଦେଲା । ଅର୍ଥାତ୍ ସେପରି କରିବାରେ ତା’ର ବହୁପୂର୍ବରୁ ଅଭ୍ୟାସ ଅଛି । ଚାଷୀର ସ୍ତ୍ରୀ ହୋଇଥିଲେ ତ ଏହି କାମକୁ ଏତେ ସହଜରେ ସେ କଦାପି ମଧ୍ୟ କରି ପାରି ନଥା’ନ୍ତା । ତେଣୁ ସେ ଗୁମାସ୍ତାର ସ୍ତ୍ରୀ ।”

                ରାଜା କହିଲେ, “ହଁ, ଏ କ୍ଷେତ୍ରରେ ଆପଣ ସତ କହିଲେ; କିନ୍ତୁ କଂସେଇ ଓ ତେଲି ମଧ୍ୟରେ ହୋଇଥିବା କଳହ ପାଇଁ କି ଭାବରେ ବିଚାର କଲେ?

                ନ୍ୟାୟାଧିକାରୀ କହିଲେ “ଇଏ ତ ଆହୁରି ସହଜ । ତେଲିର ଥଳୀ ତେଲ ଚିକିଟାରେ ଭରାଥାଏ ଓ ସେଥିରେ ପଇସା ରଖିଲେ ମଧ୍ୟ ସେ ପଇସାରେ ତେଲ ଲାଗେ । ମୁଁ ରେଜା ପଇସା ଗୁଡିକ ପାଣିରେ ପକାଇ ଦେଖିଲି ତେଲ ଆଦୌ ନଥିଲା ।”

                ରାଜା ପଚାରିଲେ “ଆଚ୍ଛା ଘୋଡା ମୋର ବୋଲି ଆପଣ କିପରି ଜାଣିଲେ?”

                ନ୍ୟାୟାଧିକାରୀ କହିଲେ “ଚିହ୍ନିବା ଦ୍ୱାରା । ମୁଁ ତ ପ୍ରଥମରୁହିଁ ଜାଣିଥିଲି ଯେ ସେ ଘୋଡାକୁ ତୁମେ ଦୁହେଁଯାକ ଚିହ୍ନି ଦେଇ ପାରିବ ।”

                ତାଙ୍କର ଏଭଳି କଥାରେ ସେ ରାଜା ଭୀଷଣ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ତେବେ ଆପଣ କିପରି ଜାଣିଲେ ଯେ ଏ ଘୋଡାଟି ମୋର ବୋଲି?”

ଏକଥା ଶୁଣି ନ୍ୟାୟାଧିକାରୀ କହିଲେ “ମୁଁ ଜାଣିବାକୁ ଚାହୁଁ ନଥିଲି ଯେ ତୁମ ଦୁହିଁଙ୍କ ମଧ୍ୟରୁ କିଏ ଘୋଡାକୁ ଚିହ୍ନି ଦେବ । ମୁଁ ଜାଣିବାକୁ ଚାହୁଁଥିଲି କି ଘୋଡା କାହାକୁ ଚିହ୍ନିବ । ଘୋଡା ତୁମକୁହିଁ ଚିହ୍ନିଦେଲା । ସେଇଥିପାଇଁ ମୁଁ ଜାଣିଗଲି ଯେ ଘୋଡାଟି ତୁମରି ।”

ସେ ନ୍ୟାୟାଧିକାରୀଙ୍କର ବୁଦ୍ଧିବିଚାର ରାଜାଙ୍କୁ ଖୁବ୍ ଭଲ ଲାଗିଲା । ସେ ଶ୍ରୀନଗରକୁ ଫେରି ସେହି ନ୍ୟାୟାଧିକାରୀଙ୍କୁ ଡକାଇ ଏକ ଛୋଟ ଜମିଦାରୀ ତାଙ୍କୁ ଖୁସିରେ ଉପହାର ସ୍ୱରୂପ ଦେଲେ । ସେଠାରେ ମହାରାଜାଙ୍କୁ ଚିହ୍ନିବା ପରେ ସେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହେଲେ ଓ ଲଜ୍ଜିତ ହେଲେ ଯେ ସେ ସ୍ୱୟଂ ମହାରାଜାଙ୍କର ବିଚାର କରିଛନ୍ତି ।🙏
ନରେଶ

Comments

Popular posts from this blog

ପାଲି ଖେଳ