୧୪ ଅଗଷ୍ଟ ୨୦୨୦ କାହାଣୀ
_*💖ଗପ ଟିଏ...🌙ଜହ୍ନ ମାମୁଁ ପୃଷ୍ଠାରୁ 💖*_
_*💥 ଦସ୍ୟୁ ରାଜକୁମାର 💥*_
*ସେନାପତି ବୀରସିଂହ ସୁମେଧ ରାଜ୍ୟ ମାଡି ବସିଛି । ପ୍ରଜାବତ୍ସଳ ରାଜା ଶାନ୍ତିଦେବଙ୍କର କ’ଣ ହେଲା, ସେକଥା କେହି ବି ଜାଣନ୍ତି ନାହିଁ । ବସନ୍ତ ନାମକ ଜଣେ ଯୁବକ ରାଜାଙ୍କ ପାଖରେ ସେ ପ୍ରଶ୍ନ ଉଠାଇବା ମାତ୍ରେ ସେ ବନ୍ଦୀ ହେଲା । ବୃଦ୍ଧ ମନ୍ତ୍ରୀ ବୀରସିଂହକୁ ରାଜା ବୋଲି ସ୍ୱୀକାର କରିବାକୁ ଅନିଚ୍ଛୁକ ହେବାରୁ ବୀରସିଂହ ତାକୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କଲା, କିନ୍ତୁ ଜଣେ ରହସ୍ୟମୟ ବ୍ୟକ୍ତି ପହଁଚିଯାଇ ମନ୍ତ୍ରୀଙ୍କୁ ରକ୍ଷା କଲେ । ତା’ପରେ…*
*କଟୁଆଳ ଅଣନିଃଶ୍ୱାସୀ ହୋଇ ବୀରସିଂହ ଆଗରେ ପହଁଚି କହିଲା “ମହାରାଜ! ଗୋଟାଏ ଅଦ୍ଭୁତ ଘଟଣା ଘଟିଗଲା ।”*
*ସେତେବେଳେ ତ ପ୍ରଭାତ । ସତ ରାଜା ଶାନ୍ତିଦେବଙ୍କ ଠାଣି ଅନୁକରଣ କରି ବୀରସିଂହ ରାଜପ୍ରସାଦ-ସଂଲଗ୍ନ ଉଦ୍ୟାନରେ ପଦଚାରଣ କରୁଥାଏ । ଅବଶ୍ୟ ସେ ଯେ ଶାନ୍ତିଦେବଙ୍କ ଭଳି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲା, ସେକଥା କହି ହେବନାହିଁ । କାରଣ ଶାନ୍ତିଦେବଙ୍କ ମନ ତ ସର୍ବଦା ନିର୍ମଳ ଥାଏ । ତେଣୁ ସେ ପ୍ରାକୃତିକ ଦୃଶ୍ୟ ଦେଖି ମୁଗ୍ଧ ହେଉଥାନ୍ତି । ମାତ୍ର ବୀରସିଂହ ମନରେ ସଦା ସର୍ବଦା ଭୟ ଭରି ରହିଥାଏ । ପ୍ରକୃତିକୁ ଟିକେ ଭଲ ପାଇବା ତ ଦୂରର କଥା, ନିଜ ସ୍ୱାର୍ଥ ଛଡା ସେ ଆଉ କେବେବି କୌଣସି କଥାକୁ ଭଲ ପାଉ ନଥିଲା । ତେଣେ ଅନେକ ପ୍ରଶ୍ନ ତାକୁ ସଦା ସର୍ବଦା ବିଚଳିତ କରୁଥାଏ । ଯଥା ରାଜା ଶାନ୍ତିଦେବ ମରିଛନ୍ତି ନା ତା’ କବଳରୁ ଖସିଯାଇ ଏଯାଏଁ ବଂଚି ରହିଛନ୍ତି? ରାଜ୍ୟର କେତେ ଲୋକ ତା’ର ଶତ୍ରୁ? ସେମାନେ ସମସ୍ତେ ତା’ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି କି? ଏସବୁ ପ୍ରଶ୍ନର ଉତ୍ତର ତାକୁ ଜଣା ନଥିଲା ।*
*କିଛି ଗୁରୁତର ସମସ୍ୟା ନ ଉପୁଜିଲେ ଏତେ ସକାଳେ ତ କେହି ଆସି ତା ଶାନ୍ତିରେ ବ୍ୟାଘାତ ଘଟାଇବା କଥା ନୁହେଁ । ତେଣୁ କଟୁଆଳକୁ ଦେଖି ଓ ତା’ ଭୂମିକା ଶୁଣି ସେ ଆତଙ୍କ ଅନୁଭବ କଲା ।*
*ତା’ପରେ ସେ ନିର୍ଦ୍ଧେଶ ଦେଲା “କ’ଣ ହୋଇଛି ଶୀଘ୍ର କହିପକାଅ!” ସେ ଏତିକି କହି ପଦଚାରଣ ବନ୍ଦ କରି କଟମଟ ଭାବରେ କଟୁଆଳ ଆଡେ ଅନାଇ ରହିଲା ।*
*ରାଜାଙ୍କୁ କିଛି କହିବା ପୂର୍ବରୁ ସେ କଟୁଆଳ ଥରେ ଚାରିଆଡୁ ନିଜ ଆଖି ବୁଲାଇ ଆଣିଲା । ଦେଖିଲା ନା, ତା’ କଥା ଶୁଣିବା ନିମନ୍ତେ ବୀରସିଂହ ଛଡା ସେ ଆଖପାଖରେ ଆଉ କେହି ବି ନଥିଲେ । ଏହାପରେ ସେ ଥରେ ଲମ୍ବା ନିଃଶ୍ୱାସ ନେଇ କହିଲା, “ମଣିମା! ସେ ମନ୍ତ୍ରୀଙ୍କୁ ବଧ କରିବା ନିମନ୍ତେ ଆମେ ତିନିଜଣ ଓସ୍ତାଦ୍ ଘାତକ ନିଯୁକ୍ତ କରିଥିଲୁ । କିନ୍ତୁ ସେ ମନ୍ତ୍ରୀ ହଠାତ୍ କେଉଁଆଡେ ପଳାଇଗଲେ!”*
*ଏପରି କଥା ଶୁଣି ବୀରସିଂହ ଉତ୍ତେଜିତ କଣ୍ଠରେ ପ୍ରଶ୍ନ କଲା “ପଳାଇଗଲେ? କ’ଣ ସେ ତିନିଜଣ ଘାତକ ତାଙ୍କ ପଥ ଓଗାଳିବା ସତ୍ତ୍ୱେ ମଧ୍ୟ? ବାଃ, ତମେ ଘାତକ ପଠାଇଥିଲ ନା ତିନୋଟି ମେଣ୍ଢା ପଠାଇଥିଲ କେଜାଣି? ସେମାନେ ଏବେ କି କୈଫିୟତ୍ ଦେଉଛନ୍ତି?”*
*ରାଜାଙ୍କ କ୍ରୋଧ ଦେଖି କଟୁଆଳ ବାରମ୍ବାର ଛେପ ଢୋକି ଦୁଇ ଚାରିଥର କଥା ହୁଡି ତା’ପରେ ଜଣାଇଲା କି କୈଫିୟତ୍ ଦେବା ନିମନ୍ତେ ଘାତକମାନେ ବି ଆଉ ନାହାଁନ୍ତି!*
*“ଓଃ, ତାହେଲେ ତମେ ମେଣ୍ଢା ବି ପଠାଇ ନଥିଲ, ବରଂ ତିନୋଟି ଠେକୁଆ ପଠାଇଥିଲ! ଯେଉଁ ବୁଢା ମନ୍ତ୍ରୀ ତା’ ଜୀବନ କାଳରେ କେବେବି ଲାଠି ବା ତରବାରୀ ଧରିନାହିଁ, ସେ ପୁଣି ତିନିଜଣ ଓସ୍ତାଦ୍ ଘାତକଙ୍କୁ ହତ୍ୟାକରି ଖସି ଚାଲିଗଲା! ” ଏକଥା କହିବା ବେଳେ ବୀରସିଂହର ଆଖିରୁ ସତେ ଯେପରି ନିଆଁ ହୁଳା ବାହାରୁଥାଏ!*
*ଏସବୁ ଦେଖି ସେ କଟୁଆଳ କହିଲା “ମହାରାଜ! ମୁଁ ବି ଏଥିରୁ କାହିଁ କିଛି ବି ବୁଝି ପାରୁନାହିଁ । ତିନି ଘାତକ ମରି ପଡିଥିବାର ଦେଖାଗଲା । ବୃଦ୍ଧ ମନ୍ତ୍ରୀ ଯେ ସେମାନଙ୍କର ଏଭଳି ଦଶା କରିଥିବେ, ଏକଥା ମୋର କାହିଁ ବିଶ୍ୱାସ ହେଉନାହିଁ । ତେଣୁ ମୋ ମତରେ ନିଶ୍ଚୟ ଆଉ କେହି ଏ କାମ କରିଛି ।”*
*ଏହା ଶୁଣି ବୀରସିଂହ ଚିନ୍ତିତ ଭାବରେ ପ୍ରଶ୍ନ କଲା “ସେହି ବ୍ୟକ୍ତି ଜଣକ କିଏ ହୋଇପାରେ?”*
*ତହୁଁ ସେ କଟୁଆଳ କହିଲା “ଜାଣେନା, ମହାରାଜ! ଏହାର ରହସ୍ୟ ଉଦ୍ଘାଟନ କରିବା ନିମନ୍ତେ ମୁଁ ଆମର ବରିଷ୍ଠ ଗୁପ୍ତଚରମାନଙ୍କୁ ନିର୍ଦ୍ଧେଶ ଦେଇଛି ।”*
*ଏହି ଘଟଣା ବିଷୟରେ ଜାଣିବା ପରେ ବୀରସିଂହ ମୁହଁରେ ବିରକ୍ତି ଓ ଆତଙ୍କ ଆହୁରି ଅଧିକ ସ୍ପଷ୍ଟ ହୋଇ ଉଠିଲା । ସେ କିଛି ସମୟ ଚୁପ୍ଚାପ୍ ଛିଡାହୋଇ ରହି ତା’ପରେ କହିଲା, “ପ୍ରଥମରୁ ଏଭଳି ବିପଦକୁ ସମୂଳେ ଉତ୍ପାଟନ ନକଲେ ପରେ ତାହା ଭୟାବହ ହୋଇ ଦେଖାଦେବ । ଗୋଟାଏ ଭିତ୍ତିରି ଷଡଯନ୍ତ୍ର ଯେ ଚାଲିଛି, ଏଥିରେ ତ ମୋର କୌଣସି ସନ୍ଦେହ ନାହିଁ । ସେହି ଷଡଯନ୍ତ୍ରକାରୀମାନେ ଅଧିକ ବଳଶାଳୀ ହେବା ପୂର୍ବରୁ ହିଁ ମୋତେ ସେମାନଙ୍କୁ ଖତମ୍ କରିଦେବାକୁ ହେବ । ସେଥିପାଇଁ ଯଦି ଆମକୁ କିଛି କଠୋର ପଦକ୍ଷେପ ନେବାକୁ ହୁଏ, ତେବେ ତାହା ମଧ୍ୟ ନେବାକୁ ହେବ । ରାଜା ଶାନ୍ତିଦେବଙ୍କର କ’ଣ ହେଲା ବୋଲି ଯେଉଁ ଯୁବକ ପ୍ରଶ୍ନ କରୁଥିଲା, ସେ କୁଆଡେ ଗଲା? ସେ ବୋଧେ ନିଶ୍ଚୟ ଏହି ଷଡଯନ୍ତ୍ରକାରୀମାନଙ୍କ ଭିତରୁ ଜଣେ ହୋଇଥିବ ।”*
*କଟୁଆଳ କହିଲା “ଛାମୁ! ସେ ଟୋକାର ନାମ ବସନ୍ତ । ଆମେ ତାକୁ ଯତ୍ପରୋନାସ୍ତି ଜେରା କରି ସାରିଲୁଣି । ହେଲେ ସେ ତ କାହିଁ ଷଡଯନ୍ତ୍ରକାରୀ ବୋଲି ମନେ ହେଉନାହିଁ । କିନ୍ତୁ ସେ ଟୋକାର ଭାରି ସାହସ । ରାଜଗାଦୀ ଉପରେ ଆପଣଙ୍କର ଅଧିକାର କାହୁଁ ଆସିଲା, ସେ ବାରମ୍ବାର ସେ ପ୍ରଶ୍ନ ଉଠାଉଛି ।”*
*ବୀରସିଂହ କହିଲା “ତମମାନଙ୍କର ବୁଦ୍ଧି ନାହିଁ । ଜଣେ ଟୋକା ଏଭଳି ପ୍ରଶ୍ନ କରିବା କେବେବି ମଧ୍ୟ ସମ୍ଭବପର ନୁହେଁ । ତା’ପଛରେ ନିଶ୍ଚୟ ଦଳେ ଲୋକଙ୍କ ସମର୍ଥନ ରହିଛି । ସେ ଟୋକାକୁ ମାରଧର କର । ତାହେଲେ ଯାଇ ସେ ମାନିଯିବ ।”*
*କଟୁଆଳ ଜଣାଇଲା “ଛାମୁ! ଆମେ କ’ଣ ସେସବୁ କଥା ଆଉ ବାକି ରଖିଛୁ? ତାକୁ କେତେ ପ୍ରକାରେ ଯନ୍ତ୍ରଣା ଦିଆହେଲାଣି । କିନ୍ତୁ ସବୁ ବୃଥା ।”*
*ବୀରସିଂହ ନିର୍ଦ୍ଧେଶ ଦେଲା “ତେବେ ତାକୁ ମୃତ୍ୟୁଦଣ୍ଡ ଦିଅ । ସହର ଭିତର ଦେଇ ତାକୁ ମୃତ୍ୟୁଭୂମିକୁ ନେଇଯାଅ । ଏଥିରୁ ଲୋକେ ଜାଣନ୍ତୁ ଯେ, ଆମ୍ଭ ବିରୁଦ୍ଧରେ କିଛି କହିବା ଭଳି ଔଦ୍ଧତ୍ୟ ଯିଏ ବି ଦେଖାଏ, ତା’ର କ’ଣ ଯେ ଦଶା ହୁଏ । ସମସ୍ତଙ୍କ ଆଗରେ ତାକୁ ଫାସିରେ ଲଟକାଅ । ଏପରି କରିବା ଦ୍ୱାରା ତା’ ଦଳର ଲୋକଙ୍କ ଭିତରେ ସେ ଦୃଶ୍ୟ ଭୟର ସଂଚାର କରିବ ।”*
*ଏହାପରେ ସେ କଟୁଆଳ “ଯେ ଆଜ୍ଞା” କହି ସେଠାରୁ ବିଦାୟ ନେଲା । ବସନ୍ତର ଫାସି ହେବା କଥା ଡେଙ୍ଗୁରା ପିଟି ଜନସାଧାରଣଙ୍କୁ ଜଣାଇ ଦିଆଗଲା । ସେଥିପାଇଁ ଫାସି ମଂଚ ବି ପରିସ୍କାର ପରିଚ୍ଛନ୍ନ କରାଗଲା ।*
*ସେଦିନ ଉପରଓଳି ସେ ସହର ଉପରେ ଘନ କୁହୁଡି ଘୋଟି ଆସିଥାଏ । ବସନ୍ତକୁ ଫାସି ମଂଚ ଆଡେ ଚଲାଇ ଚଲାଇ ନିଆଗଲା । ଏଣେ ସେ କଟୁଆଳ ମନରେ କିନ୍ତୁ ବିଶେଷ ସୁଖ ନଥାଏ । କାରଣ ସେ ବଢିଆ ନୂଆ ପୋଷାକ ପିନ୍ଧି ଶୋଭାଯାତ୍ରା ଆଗରେ ଯାଉଥାଏ । ଅଥଚ କୁହୁଡି ଯୋଗୁଁ ଲୋକେ ତା’କୁ ଭଲ ଭାବରେ ମୋଟେ ଦେଖିପାରୁ ନଥାନ୍ତି । ବୀରସିଂହ ଓ ବୀରସିଂହ ଦ୍ୱାରା ନିଯୁକ୍ତ ନୂଆ ସେନାପତି କପାଳସିଂହକୁ ଛାଡିଦେଲେ କଟୁଆଳ ଚଢୁଥିବା ଘୋଡା ଭଳି ଚମତ୍କାର ଘୋଡା ଆଉ କାହାରି ବି ନଥିଲା । ବସନ୍ତର ଭାଗ୍ୟ ବା ଲୋକେ ସେ ଫାସି ପାଇବା ଯୋଗୁଁ କେତେଦୂର ଭୟଭୀତ ହେଉଛନ୍ତି, ସେକଥା ପ୍ରତି ତା’ର ବିଶେଷ ଦୃଷ୍ଟି ନଥିଲା । ବରଂ ତାକୁ ଲୋକେ କେତେଦୂର ତାରିଫ୍ କରୁଛନ୍ତି ସିଏ ତ ସେଇଆ ହିଁ ଜାଣିବାକୁ ବ୍ୟଗ୍ର ଥାଏ ।*
*“ବାଟ ଛାଡ! ହଟିଯାଅ! ସାବଧାନ!” କଟୁଆଳ ମଧ୍ୟେ ମଧ୍ୟେ ଏହିଭଳି ରଡି କରୁଥାଏ । ଲୋକେ ଯେ ସେମାନଙ୍କ ବାଟ ଅବରୋଧ କରୁଥିଲେ, ତାହା ନୁହେଁ । ଖାଲି ନିଜ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ସେ ଏଭଳି ପାଟି କରୁଥାଏ ।*
*ଦୁଇଜଣ ସିପାହୀ ବସନ୍ତକୁ ଦୁଇକଡରୁ ଧରି କଟୁଆଳର ଘୋଡା ପଛେ ପଛେ ଚାଲିଥାନ୍ତି । ସେମାନଙ୍କ ପଛରେ ଆହୁରି ଦୁଇଜଣ ସିପାହୀ ମଧ୍ୟ ଚାଲିଥାନ୍ତି । ଏତିକି ସତର୍କତାର ବି କୌଣସି ଆବଶ୍ୟକତା ନଥିଲା । କାହିଁକିନା ବସନ୍ତ ତ ଅବାଧ୍ୟ ହେବାର କୌଣସି ସୂଚନା ହିଁ ନଥିଲା । ତା’ଛଡା ତା’ର ତ ଦୁଇ ହାତ ଶକ୍ତ ଦୌଡିରେ ବନ୍ଧା ହୋଇଥିଲା ।*
*କିନ୍ତୁ ହଠାତ୍ ଗୋଟାଏ ଅପ୍ରତ୍ୟାଶିତ ଘଟଣା ଘଟିଲା । କଟୁଆଳ ଥରେ “ବାଟ ଛାଡ” ବୋଲି କହିବା ବେଳକୁ କେହି ଜଣେ ତାକୁ ଘୋଡା ଉପରୁ ଭିଡି ଆଣିଲା । ତା’ପରେ ସେ ତଳେ ଚିତ୍ପଟାଙ୍ଗ ହୋଇ ପଡିଲା । କେହି ଜଣେ ବିଜୁଳି ବେଗରେ ଖଣ୍ଡା ବୁଲାଇ ବସନ୍ତର ବନ୍ଧନ କାଟିଦେଲା ।*
*ସେ ଆକସ୍ମିକ ଆଗନ୍ତୁକ ବସନ୍ତକୁ କହିଲେ “ଆସ । ଚଟାପଟ ମୋ ଘୋଡା ଉପରେ ମୋ ପଛରେ ବସିଯାଅ!” ବସନ୍ତ ବୁଲିପଡି ଅନାଇ ଦେଖିଲା ବେଳକୁ ମୁହଁ ଉପରେ ଲୁଗା ଢାଙ୍କିଥିବା ଜଣେ ଲୋକ କଟୁଆଳର ଘୋଡାକୁ ଅକ୍ତିଆର କରି ନେଇଛନ୍ତି । ସେ ଘୋଡାକୁ ଟିକିଏ ଆଉଁସି ଦେଇ ତା’ ଉପରକୁ ଉଠିଗଲେ । ବସନ୍ତ ପଛେ ପଛେ ଉଠି ପଡିଲା । ଏହାପରେ ସେ ରହସ୍ୟମୟ ଆଗନ୍ତୁକ ଘୋଡା ଛୁଟାଇ ଦେଲେ ।*
*ସିପାହୀମାନେ ସ୍ତବ୍ଧ ହୋଇ ଚାହିଁଥାନ୍ତି । ଯେତେବେଳେ କଟୁଆଳର ଆର୍ତ୍ତନାଦ ସେମାନଙ୍କ କାନରେ ପଡିଲା, ସେତେବେଳକୁ ଯାଇ ସେମାନେ ବୁଝିଲେ ଯେ କିଛି କରିବା ଉଚିତ୍ । ଏହିପରି ଭାବି ସେମାନେ ତାକୁ ଧରାଧରି କରି ଉଠାଇ ବସାଇଲେ ।*
*କଟୁଆଳ ପଚାରିଲା “ମୋତେ ମୋ ଘୋଡା ଉପରୁ କିଏ ଘୋଷାରି ଆଣିଲା? ମୋ ଘୋଡା କାହିଁ?”*
*ଜଣେ ସିପାହୀ ଜଣାଇଲା “ଘୋଡା? ଘୋଡା ତ ନାହିଁ ଆଜ୍ଞା ।”*
*କଟୁଆଳ ପ୍ରଶ୍ନକଲା “ନାହିଁ?”*
*ସିପାହୀ ଉତ୍ତର ଦେଲା “ନାହିଁ ଆଜ୍ଞା । ବନ୍ଦୀ ବି ନାହିଁ ଆଜ୍ଞା!”*
*କଟୁଆଳ ବିକଳ ଭାବରେ କହିଲା “ନାହିଁ ତ? ତା’ହେଲେ ଜାଣ ଯେ ମୁଁ ବି ନାହିଁ ବୋଲି! ମୋର କାଳ ହୋଇଗଲା ।” ତା’ ଦେହରେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ସେ ଆଉ ଅଧିକ କିଛି ବି କହିପାରିଲା ନାହିଁ ।*
*ଏଣେ ସେ ରହସ୍ୟମୟ ଆଗନ୍ତୁକ ଜଣକ ବଣ ଭିତରକୁ ଯାଇ ଘୋଡାରୁ ଓହ୍ଲାଇଲେ । ଆଗରେ ଗୋଟିଏ ଗୁମ୍ଫା । ବସନ୍ତକୁ ସେ ଧରି ଓହ୍ଲାଇ ଆଣିଲେ ।*
*ବସନ୍ତ କୃତଜ୍ଞ କଣ୍ଠରେ ତାଙ୍କୁ କହିଲା “ଆପଣ ମୋତେ ସେଠାରୁ ନେଇ ଆସି ନଥିଲେ ଏତେବେଳକୁ ମୁଁ ମରି ସାରନ୍ତିଣି ।”*
*ସେ ରହସ୍ୟମୟ ଆଗନ୍ତୁକ କହିଲେ “ତାହା ତ ଠିକ୍ । ହେଲେ ତମର ଅପରାଧ କ’ଣ?”*
*ତା’ପରେ ବସନ୍ତ କହିଲା, “ମୁଁ ରାଜା ଶାନ୍ତିଦେବଙ୍କର କ’ଣ ହେଲା, ସେତକ ଜାଣିବାକୁ ଚାହିଁଥିଲି । ସେନାପତି ବୀରସିଂହ କିପରି ରାତାରାତି ସିଂହାସନ ପାଇଗଲେ? ମୋ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସେମାନେ ମୋତେ ବନ୍ଦୀ କଲେ । ଗତ ରାତିରେ କୁଆଡେ ତିନିଜଣ ପ୍ରହରୀଙ୍କୁ କେହି ଜଣେ ହତ୍ୟା କରିଛି । ବୀରସିଂହର ଧାରଣା ତା’ ବିରୁଦ୍ଧରେ ଗୋଟାଏ ଚକ୍ରାନ୍ତ ଚାଲିଛି ଓ ମୁଁ ସେ ଚକ୍ରାନ୍ତ ସହ ସଂଶ୍ଲିଷ୍ଟ । ସେଥିପାଇଁ ସେମାନେ ମୋତେ ବଧ କରି ଅନ୍ୟମାନଙ୍କୁ ଚେତାବନୀ ଦେବାର ସିଦ୍ଧାନ୍ତ ନେଇଥିଲେ ।”*
*ଆଗନ୍ତୁକ ପଚାରିଲେ “କିନ୍ତୁ ତମେ ରାଜା ଶାନ୍ତିଦେବଙ୍କ ପାଇଁ କାହିଁକି ଏଡେ ଚିନ୍ତିତ?”*
*ତହୁଁ ବସନ୍ତ ଉତ୍ତର ଦେଲା “କାରଣ ଲୋକଙ୍କ ମତରେ ତାଙ୍କଠୁଁ ଉତ୍ତମ ରାଜା କେବେ ବି ରାଜୁତି କରି ନଥିଲେ । ସେ କୁଆଡେ ସମସ୍ତଙ୍କ ପ୍ରତି ସଦୟ ଥିଲେ । ଏସବୁ ପାଇଁ ଲୋକେ ତାଙ୍କୁ ପିତା ବୋଲି ମଧ୍ୟ ଜ୍ଞାନ କରୁଥିଲେ । ବୀରସିଂହ ତ ନିଷ୍ଠୁର ପ୍ରକୃତିର ବ୍ୟକ୍ତି ବୋଲି ସମସ୍ତେ ଜାଣନ୍ତି । ସିଂହାସନ ପାଇବା ମାତ୍ରେ ସେ ଦୁର୍ଦ୍ଦାନ୍ତ ଭଳି ବ୍ୟବହାର କରୁଛି ।”*
*ବସନ୍ତର କଥା ଶୁଣି ସେ ଆଗନ୍ତୁକ କହିଲେ “ବେଶ୍ । ତାହେଲେ ଆମେ ସେ ଦୁର୍ଦ୍ଦାନ୍ତ ଓ ନିଷ୍ଠୁର ବୀରସିଂହ ବିରୁଦ୍ଧରେ କାମ କରିବା । କିନ୍ତୁ ଜଣେ ଦୁଇଜଣ ବିଶେଷ କିଛି ବି କରିପାରିବେ ନାହିଁ । ତେଣୁ ଆମକୁ ସେ ବୀରସିଂହ ବିରୁଦ୍ଧରେ ଗୋଟାଏ ସଂଗଠନ କରିବାକୁ ହେବ ।”*
*ବସନ୍ତ ପଚାରିଲା “ସେ ତିନିଜଣ ପ୍ରହରୀଙ୍କୁ କ’ଣ ଆପଣ ହତ୍ୟା କରିଛନ୍ତି?”*
*“ହଁ । ସେମାନେ ପ୍ରହରୀ ଚାକିରୀରେ ଥାଇ ପାରନ୍ତି, କିନ୍ତୁ ସେତେବେଳେ ସେମାନେ ଘାତକ ଭାବରେ ଜଣେ ନିରୀହ ଲୋକଙ୍କୁ ହତ୍ୟା କରିବାକୁ ଯାଉଥିଲେ । ସେ ଲୋକ ଆଉ କେହି ନୁହେଁ, ସେ ହେଲେ ରାଜା ଶାନ୍ତିଦେବଙ୍କର ବୃଦ୍ଧ ମନ୍ତ୍ରୀ । ସେ ଘାତକମାନଙ୍କୁ ମାରିବା ମୋର ପ୍ରକୃତ ଉଦ୍ଧେଶ୍ୟ ନଥିଲା । ବରଂ ମୋର ମୁଖ୍ୟ ଉଦ୍ଧେଶ୍ୟ ମନ୍ତ୍ରୀଙ୍କୁ ବଂଚାଇବା ଥିଲା । କିନ୍ତୁ ଘାତକମାନଙ୍କୁ ମାରି ନଥିଲେ ମନ୍ତ୍ରୀଙ୍କୁ କଦାପି ମଧ୍ୟ ବଂଚାଇ ହୋଇ ନଥାନ୍ତା । ଅଯଥା ରକ୍ତପାତର ପକ୍ଷପାତୀ ମୁଁ ବି ନୁହେଁ । ବିନା ରକ୍ତପାତରେ ତମକୁ ରକ୍ଷା କରାଯାଇ ପାରିଲା, ଏଥିପାଇଁ ମୁଁ ଆନନ୍ଦିତ । ଆମକୁ ସାହସର ସହ କାମ କରିବାକୁ ହେବ, କିନ୍ତୁ ସାହସ ସହ ସାବଧାନତା ମଧ୍ୟ ଆବଶ୍ୟକ । ଆମେ ଗୋଟାଏ ମହତ୍ ଉଦ୍ଧେଶ୍ୟ ନେଇ କାମ କରୁଛୁ । ଏକଥା ଭୁଲିଗଲେ ତ ଆଉ ଚଳିବ ନାହିଁ । ଶୁଣ । ତମେ ଏବେ ଆଉ କାଳ ବିଳମ୍ବ ନ କରି ଏ ବଣ ପଥରେ ଅମୃତପୁର ଚାଲିଯାଅ । ଅମୃତପୁର ସହରର ପଶ୍ଚିମ ପ୍ରାନ୍ତରେ ଗୋଟିଏ କାଳୀ ମନ୍ଦିର ଅଛି । ଆମେ ସେହିଠାରେ ହିଁ ପରସ୍ପର ଭେଟିବା ।”*
*ଏହା କହି ସେ ରହସ୍ୟମୟ ବ୍ୟକ୍ତି ଗୁମ୍ଫା ଭିତରୁ କିଛି ଫଳମୂଳଆଣି ବସନ୍ତକୁ ଦେଲେ ।*
_*ସମାପ୍ତ*_
Comments
Post a Comment