୦୮ ଅଗଷ୍ଟ ୨୦୨୦ କାହାଣୀ
🌷 *ଗପ ଟିଏ...🌙ଜହ୍ନମାମୁଁ ପୃଷ୍ଠାରୁ* 🌷
🎈 *ମଣିଷ ସ୍ୱଭାବ* 🎈
ଗୋବର୍ଦ୍ଧନ ପୁରରେ ଗୋପାଳ ନାମକ ଜଣେ ବ୍ୟକ୍ତି ଥା’ନ୍ତି । ସେ ତାଙ୍କ ପିଲାଟିଦିନରୁ ଅତି ସରଳ ଭଦ୍ର ଓ ଉପକାରୀ ଥିଲେ । ସେ କାହାକୁ ଉତ୍ସାହ ଦିଅନ୍ତି ତ, କାହାକୁ ସେବା କରନ୍ତି, କିମ୍ବା ଧନ ସାହାଯ୍ୟ ଦିଅନ୍ତି । ତେଣୁ ସାରା ଗ୍ରାମରେ ତାଙ୍କୁ ସମସ୍ତେ ଦେବତା ବୋଲି ପୂଜା କରନ୍ତି ।
ଯାହାର ଯାହା ଦରକାର ସେ ଗୋପାଳଙ୍କ ପାଖକୁ ଧାଇଁଲା । ସେମାନେ ପୁଣି କହନ୍ତି, “ତୁମ ଭରସାରେ ତ ଆମେ ଏଠାକୁ ଆସିଛୁ । ତୁମେ ‘ନା’ କରିଦେଲେ, ଘରକୁ ଫେରିଯିବୁ । ଆଉ କାହା ପାଖକୁ ଯିବୁ?”
ଆଉ କେତେକ ଲୋକ ତାଙ୍କଠାରୁ ସବୁ ପ୍ରକାର ସାହାଯ୍ୟ ନେବା ପରେ, ତାଙ୍କ ପଛରେ ବହୁ ପ୍ରକାର ସମାଲୋଚନା କରନ୍ତି, ଇର୍ଷ୍ୟାରେ ଜଳିଯା’ନ୍ତି । କେହିକେହି ଏପରି କହନ୍ତି, “ଏହି ଗୋପାଳ ପାଖରେ ବହୁତ ପଇସା ଅଛି । ନିଜ ପାଇଁ ଖର୍ଚ୍ଚ ନକରି ନାମ, ପ୍ରତିଷ୍ଟା ବଢାଇବା ପାଇଁ ଅଳ୍ପ କିଛି କାହାକୁ ଦେଉଛି । ସେ ଯଦି ବେଶି ଧନ ଦିଅନ୍ତା ତେବେ ଗରିବ ହୋଇ ଯାନ୍ତା ନାହିଁ, ଅଥଚ ଆହୁରି ବହୁତ ଲୋକ ସାହାଯ୍ୟ ପାଇ ପାରନ୍ତେ ।”
ଏତେ କିଛି କରିବା ପରେ ଏପରି କଥା ଶୁଣି ସେ ବଡ ଦୁଃଖୀ ହେଲେ । ଦିନେ ସେ ତାଙ୍କ ସ୍ତ୍ରୀଙ୍କୁ କହିଲେ, “ଦେଖ, ମୁଁ ଏତେ ସବୁ କରିବା ପରେ କି ପ୍ରକାର ଫଳ ମୋତେ ମିଳୁଛି । ମୁଁ ସେମାନଙ୍କୁ ସାହଯ୍ୟ କରୁଛି, ତଥାପି ସେମାନେ ସନ୍ତୁଷ୍ଟ ନୁହଁନ୍ତି । ଯାହାକୁ ନ କରୁଛି ସେ ରାଗୁଛି । ମୁଁ ଏପରି ପରିସ୍ଥିତିରେ ପହଁଚିଲିଣି କି ଭବିଷ୍ୟତରେ ମୁଁ ଆଉ କାହାକୁ କୌଣସି ପ୍ରକାରରେ ମଧ୍ୟ ସାହଯ୍ୟ କରିପାରିବି ନାହିଁ ।”
ଗୋପାଳଙ୍କ କଥା ଶୁଣି ତାଙ୍କ ସ୍ତ୍ରୀ ହସି ହସି କହିଲେ, “ବିଚ୍ଛାକୁ ତମେ ସାହାଯ୍ୟ କଲେ, ସେ ତୁମକୁ କାମୁଡିବ ସେଇଟା ତ ତା’ର ସ୍ୱଭାବ । ଗଛକୁ ପଥର ମାରିଲେ ସେ ତମକୁ ଫଳ ଦେବ ସେଇଟା ତା’ର ସ୍ୱଭାବ । ତୁମର ମଧ୍ୟ ସ୍ୱଭାବ ହେଲା କିଏ ଦୁଃଖ କଷ୍ଟରେ ପଡିଥିଲେ ତାକୁ ସାହାଯ୍ୟ କରିବ । ପ୍ରକୃତରେ ତୁମର ମାନସିକ ଶାନ୍ତି ଆବଶ୍ୟକ । ତେଣୁ ତୁମ ପାଇଁ ସବୁଠାରୁ ଭଲ କାମ ହେଲା, କିଛି ଦିନ ବାହାରେ ତୀର୍ଥ କରି ବୁଲି ଆସ ।”
କିନ୍ତୁ ଗୋପାଳ ଉଦାସ ସ୍ୱରରେ କହିଲେ, “ଭଲ ସ୍ୱଭାବ ବା ଭଲ କାର୍ଯ୍ୟ ଉପରେ ମୋର ବିଶ୍ୱାସ ଥିଲା, ଭଗବାନଙ୍କୁ କାହିଁକି ମୁଁ ତା’ଭିତରକୁ ଟାଣିବି? ତୀର୍ଥଯାତ୍ରା କରି କିଛି ଲାଭ ହେବନାହିଁ ।”
ଗୋପାଳଙ୍କ ସ୍ତ୍ରୀ ସୁଜାତା କହିଲେ “ତୁମେ ଭଗବାନ୍ଙ୍କୁ ସମସ୍ତ କାର୍ଯ୍ୟ ମଧ୍ୟକୁ ନ ଆଣି ବଡ ଭୁଲ୍ କରିଛ; ସେପରି ହେଲେ ଶାନ୍ତି ଅବଶ୍ୟ ତୁମକୁ ମିଳିଥା’ନ୍ତା ।”
କିନ୍ତୁ ଏ କଥାରେ ଗୋପାଳ ଆଦୌ ସହମତ ନଥିଲେ । ସେ କହିଲେ, “ମୋ ମତରେ ଜଣେ ଜୀବନ୍ତ ମଣିଷ, ମନ୍ଦିରର ଶିଳା ମୂର୍ତ୍ତି ଅପେକ୍ଷା ଅଧିକ ମହାନ୍ ।”
ସୁଜାତା କହିଲେ, “ତେବେ ତ ଏହି ଜୀବନ୍ତ ମଣିଷମାନେହିଁ ତୁମପାଇଁ ସମସ୍ତେ ଭଗବାନଙ୍କ ଠାରୁ ଅଧିକ । ମୁଁ ଶୁଣିଛି ଶ୍ରୀନିବାସପୁରକୁ ଆତ୍ମାନନ୍ଦ ନାମକ ଜଣେ ମହାତ୍ମା ଆସିଛନ୍ତି ତାଙ୍କୁ ଭଗବାନଙ୍କ ଅବତାର ବୋଲି କହୁଛନ୍ତି । ତୁମ ଦାଦାପୁଅ ଭାଇ ଶ୍ରୀପାଳ ତ ତାଙ୍କର ଅନନ୍ୟ ଭକ୍ତ ହୋଇ ଯାଇଛି । ସେ ମଧ୍ୟ ତୁମପରି ଦିନେ ଘୋର ନାସ୍ତିକ ଥିଲେ ।” ଆତ୍ମାନନ୍ଦ ତ ଜଣେ ମଣିଷ, ସାଧନା କରି ସିଦ୍ଧି ପାଇଛନ୍ତି ଓ ଶ୍ରୀପାଳଙ୍କୁ ତ ସେ ପୁରା ଈଶ୍ୱର ବିଶ୍ୱାସୀ କରାଇ ଦେଇଛନ୍ତି । ସେଇଠାକୁ ଚାଲ ଯିବା । କିଛିଟା ଆଲୋଚନା କରି ଦେଖ ଶାନ୍ତି ମିଳିବ ।
ସୁଜାତାଙ୍କ କଥା ଶୁଣି ଗୋପାଳଙ୍କ ମନରେ ଏପରି ଭାବନା ଆସିଲା ଯେ ଯଦି ଯୋଗୀ ଆତ୍ମାନନ୍ଦ ଶ୍ରୀପାଳ ପରି ନାସ୍ତିକ ମନରେ ଭକ୍ତିଭାବ ଜାଗ୍ରତ କରାଇ ପାରିଲେ, ତେବେ ତ ସେ ନିଶ୍ଚୟ ଜଣେ ବଡ ଯୋଗୀ । ପ୍ରକୃତରେ ଶ୍ରୀପାଳ କେବଳ ନାସ୍ତିକ ନଥିଲା ସେ ଅସାମାଜିକ କାର୍ଯ୍ୟକଳାପ କରିବାରେ ମଧ୍ୟ ବେଶ୍ ଧୁରନ୍ଧର ଥିଲା । ସେ ଯଦି ଭକ୍ତ ହୋଇ ପାରିଲା, ତେବେ ମୁଁ ମଧ୍ୟ ସେଠାକୁ ଯିବି ଓ ଶାନ୍ତି ପାଇବି ।”
ଏସବୁ ଭାବି ପରେ ସେ ସୁଜାତାଙ୍କୁ ଡାକି କହିଲେ, “ଚାଲ ଶ୍ରୀନିବାସପୁର ଯିବା ଓ ଶ୍ରୀପାଳ ଘରେ କିଛି ଦିନ ରହି ଆସିବା ।” ତା’ପରେ ସେମାନେ ଶ୍ରୀପାଳ ଘରେ ପହଁଚି ଦେଖିଲେ ବଡ ଆଡମ୍ବର ସହକାରେ ପୂଜା ଚାଲିଛି । ଲୋକମାନେ ଚାଲିଯିବା ପରେ ଦୁଇଭାଇ ପରସ୍ପରକୁ ବଡ ସ୍ନେହରେ ଆଲିଙ୍ଗନ କଲେ । ଶ୍ରୀପାଳ କହିଲା, “ଭାଇ, ଏ ଅଂଚଳରେ ତୁମେ ଏକମାତ୍ର ବ୍ୟକ୍ତି ଯାହାକୁ କି ମୁଁ ଶ୍ରଦ୍ଧା ଓ ସମ୍ମାନ କରେ । ମୋତେ ସର୍ବଦା ଲୋକମାନେ ସମାଲୋଚନା କରୁଥାନ୍ତି ଓ ଟିଟିକାରୀ କରୁଥାନ୍ତି । କିନ୍ତୁ ଏବେ ସ୍ୱାମୀ ଆତ୍ମାନନ୍ଦଙ୍କ କୃପାରୁ ମୁଁ ସବୁ ପାଇ ପାରିଛି ।”
ଶ୍ରୀପାଳର କଥା ଶୁଣି ଗୋପାଳ କହିଲେ, “ଗ୍ରାମରେ ଯିଏ ତୋତେ ଗାଳି ଦେଉଥିଲେ, ସେସବୁ ସେମାନେ ସ୍ନେହବଶରେ କରୁଥିଲେ; କାରଣ ସେମାନଙ୍କର ଭୟ ଥିଲା ତୁ କୌଣସି ଅସତ୍ ସଙ୍ଗ ଯୋଗୁଁ ଯେପରି ନଷ୍ଟ ହୋଇ ନ ଯାଉ ।”
ଗୋପାଳଙ୍କର ଏ କଥା ଶ୍ରୀପାଳକୁ ମୋଟେ ଭଲ ଲାଗିଲା ନାହିଁ । ସେ କହିଲା, “ସତ୍ୟ ହେଉଛି ମୋ ପରି କେହି ନାହିଁ । ଆମ ଗ୍ରାମର ବୀରବାହୁର ପୁଅକୁ ଦରବାରରେ କାର୍ଯ୍ୟ ମିଳିଥିଲା । ତା ପୂର୍ବରୁ ତା ବିଷୟରେ ଜାଣିବାକୁ ରାଜାଙ୍କ ଲୋକେ ମୋ ପାଖକୁ ଆସିଲେ । ଆଗରୁ ବୀରବାହୁ ଥରେ ମୋତେ ଅପମାନ କରିଥିଲା । ସେ କଥା ମୁଁ କ’ଣ କେବେବି ଭୁଲି ପାରିବି? କଂଟା ପରି ତାହା ମୋ ଦେହରେ ଫୋଡି ହେଉଥିଲା । ମୁଁ ରାଜାଙ୍କ ଲୋକଙ୍କୁ ସିଧା କହିଦେଲି ଯେ ସେପରି ଲୋକକୁ ଚାକିରୀ ଦେବାକଥା ନୁହେଁ । ମୁଁ ଏ ଗ୍ରାମର ମୁଖିଆ ତ ସେଥିପାଇଁ ।” ଏତିକି କହି ସେ ନିଜର କୃତି ପାଇଁ ଅଟ୍ଟହାସ୍ୟ କଲା ।
ଶ୍ରୀପାଳର ଏପରି ସ୍ୱୀକାରୋକ୍ତି ଶୁଣି ଗୋପାଳ ଚମକି କହିଲେ, “କିନ୍ତୁ ଏବେ ତ ତୁ ଭଗବାନ୍ଙ୍କ ଭକ୍ତ ହୋଇଛୁ । ମୁଁ ଭାବିଥିଲି କି ତୁ ରାଗଦ୍ୱେଷର ଉଦ୍ଧ୍ୱର୍କୁ ଚାଲି ଗଲୁଣି । ଏପରି ପୁରୁଣା କଥା ମନରେ ରଖି ପ୍ରତିଶୋଧ ନେବା କିଛି ଭଲ କଥା ନୁହେଁ ।”
ମାତ୍ର ଶ୍ରୀପାଳ, ଗୋପାଳଙ୍କ କଥାକୁ କୌଣସି ଗୁରୁତ୍ୱ ନଦେଇ କହି ଚାଲିଲା, “ଆମ ଗାଁର ଶଙ୍କରର ଝିଅ ପାଇଁ ଭଲ ପ୍ରସ୍ତାବଟିଏ ଆସିଥିଲା । ସେ ଆମ ଗାଁର ବୋଲି ବରପଟ ମୋତେ ସବୁକିଛି ପଚାରିଲେ । କିଛି ଦିନ ଆଗରୁ କିଏ ଜଣେ ମୋ ଝିଅକୁ ଓ ଶଙ୍କରର ଝିଅକୁ ତୁଳନା କରି କହିଲା ଯେ ଶଙ୍କରର ଝିଅ ସୁନ୍ଦରୀ ଓ ଗୁଣବତୀ, ତେଣୁ ତା’ର ବିବାହ ପ୍ରଥମେ ହେବା ଦରକାର । ସେ କଥା ମୋ ଭିତରେ କଂଟା ପରି ପଶିଥିଲା । ମୋ ଝିଅ ପାଇଁ ଯେତେ ପ୍ରସ୍ତାବ ସବୁ କରାଗଲା କୌଣସିଟା ହେଲେବି ସଫଳ ହେଲା ନାହିଁ । ତେଣୁ ଶଙ୍କରର ଝିଅ ବାହା ହେବ ସେ କଥା ମୁଁ କିପରି ସହିବି? ମୁଁ ଯେପରି ହେଉ ଯାହା ତାହା କହି ବିବାହ ଭାଙ୍ଗିଦେଲି । ସ୍ୱାମୀ ଆତ୍ମାନନ୍ଦଜୀଙ୍କ କୃପାରୁ ସେହି ଘଟଣାର ଦିନକ ପରେ ମୋ ଝିଅ ପାଇଁ ଭଲ ପ୍ରସ୍ତାବଟିଏ ଆସିଲା ଓ ତା’ର ବିବାହ ଠିକ୍ ହୋଇଗଲା ।”
ଶ୍ରୀପାଳର କଥା ଶୁଣି ଗୋପାଳ ଚକିତ ହୋଇ କହିଲେ, “ଶ୍ରୀପାଳ ଏପରି ଭାବରେ ଏକ ନିରୀହ ଝିଅର ବିବାହ ଭାଙ୍ଗି ଦେବା କ’ଣ ଭଲ କଥା?”
ତା’ପରେ ଶ୍ରୀପାଳ କହିଲା “ସେସବୁ ସ୍ୱାମିଜୀଙ୍କ ଲୀଳା । ଶଙ୍କରର ଝିଅ ବାହା ହୋଇ ପାରିଲା ନାହିଁ ସେଇଟା ତାର ଦୁର୍ଭାଗ୍ୟ । ଏଥିରେ ମୋର କ’ଣ ଦୋଷ?”
ଗୋପାଳଙ୍କ ପାଇଁ ଏସବୁ ଅସହ୍ୟ ହେବାରୁ, ସେ କହିଲେ, “ତୋର ସ୍ୱାମିଜୀ ତୋର ଭଲ କରିବାକୁ ଯାଇ ଅନ୍ୟର କ୍ଷତି କରିବେ । ସିଏ କି ପ୍ରକାରର ଅବତାର? ଶଙ୍କର ବା ତୋ ପାଖରେ କି ଦୋଷ କରିଥିଲା?”
ଶ୍ରୀପାଳ କହିଲା “ସେସବୁ ମୁଁ ଜାଣେ ନାହିଁ । ଏତିକି ଜାଣେ ଯେ ମୁଁ ଓ ମୋର ପରିବାର ସୁଖ ଶାନ୍ତିରେ ରହିବେ । ମୋର କାମ ହୋଇଗଲେ ସେ ମୋର ଭଗବାନ୍ ଓ ମୁଁ ତାଙ୍କର ଭକ୍ତ । ଅନ୍ୟର ଯଦି ଭଲ ହେବ ତେବେ ସେ ମୋର ଭଗବାନ୍ ବା କିପରି ହେବେ?”
ଶ୍ରୀପାଳର କଥା ଶୁଣି ଗୋପାଳଙ୍କୁ ସେତେବେଳେ ଏମିତି ଲାଗିଲା ଯେପରି ସେ କଂଟାଶେଯ ଉପରେ ବସିଛନ୍ତି । ସେ ଯେତେଶୀଘ୍ର ପାରନ୍ତି ସ୍ତ୍ରୀଙ୍କୁ ନେଇ ପରଦିନ ନିଜଗ୍ରାମକୁ ପଳାଇ ଆସିଲେ । କିନ୍ତୁ ଫେରିବା ବାଟରେ ତାଙ୍କ ସ୍ତ୍ରୀ କଥା କହୁ କହୁ ଗୋପାଳଙ୍କୁ ପଚାରି ବୁଝିଲେ ଯେ ସେ ଗ୍ରାମକୁ ନ ଯାଇ ଆତ୍ମାନନ୍ଦଜୀଙ୍କ ପାଖକୁ ଯାଉଛନ୍ତି । ଆଶ୍ଚର୍ଯ୍ୟ କଥା ତ? ସ୍ତ୍ରୀ ପଚାରିଲେ “ଇଏ ପୁଣି କି କଥା? ଯେଉଁ ଆତ୍ମାନନ୍ଦଙ୍କ ପ୍ରଭାବରୁ ଶ୍ରୀପାଳର ଅଧିକ ଗର୍ବ ହୋଇଛି, ଦୁଷ୍ଟବୁଦ୍ଧି ଅଧିକ ହୋଇଛି, ତାଙ୍କୁ ଦେଖିବାକୁ ତୁମର ଏତେ କୌତୁହଳ କାହିଁକି?”
ତହୁଁ ଗୋପାଳ ଅଳ୍ପ ହସି କହିଲେ, “ମୋର ପାଷାଣ୍ଡ, ମୂର୍ଖ ଭାଇ ମଧ୍ୟରେ ଯିଏ ଭଗବାନଙ୍କ ପ୍ରତି ବିଶ୍ୱାସ ଜନ୍ମାଇ ପାରିଛି, ସେଇଟା ବଡ କଥା । କ୍ରମେ ସେ ତା’ଭିତରେ ପରିବର୍ତ୍ତନ ଅଣାଇ ପାରିବେ । ଈଶ୍ୱର ଭକ୍ତି ଦ୍ୱାରା ଖରାପ ପ୍ରକୃତି ସବୁ ଜଳି ପୋଡି ପାଉଁଶ ହୋଇଯିବ । ମୋର ଆଶା ଅଛି ଶ୍ରୀପାଳର ନିଶ୍ଚୟ ପରିବର୍ତ୍ତନ ହେବ । ମୋ ମନରେ ସେଥିପାଇଁ କୌତୁହଳ ହେଉଛି ତାଙ୍କୁ ଥରେ ଦେଖିବି ।” ସ୍ୱାମୀଙ୍କ କଥା ଶୁଣି ସୁଜାତା ଖୁସି ହେଲେ । ମନେ ମନେ ଭାବିଲେ ନିଆଁର ତାତିରେ ଅଣ୍ଡାସିଝି ଟାଣ ହୁଏ, କିନ୍ତୁ ଘିଅ ତରଳି ଯାଏ । ତେଣୁ ଆତ୍ମାନନ୍ଦଙ୍କ ଯୋଗୁଁ ଶ୍ରୀପାଳର ଯାହା ହେଉନା କାହିଁକି ତାଙ୍କ ସ୍ୱାମୀ ଗୋପାଳଙ୍କର ଯେ ସହଜ, ଭକ୍ତିଶୀଳ ସ୍ୱଭାବ କ୍ରମେ ଭଲତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ । ଏହି କଥାକୁ ନେଇ ସୁଜାତା ମନେ ମନେ ଖୁବ୍ ଆନନ୍ଦିତା ହେଲେ ।🙏
ନରେଶ
Comments
Post a Comment