୨୬ ଅଗଷ୍ଟ ୨୦୨୦ କାହାଣୀ

🌼 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌼

💮 *ରାଜାଙ୍କ ପରୀକ୍ଷା* 💮

ଥରେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ସେହି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜନ୍, ଅର୍ଦ୍ଧରାତ୍ରି ସମୟରେ ତୁମେ ଏ ଶ୍ମଶାନ ଭୂମିରେ ଯେଉଁ କଷ୍ଟକର କାର୍ଯ୍ୟ କରୁଛ ତାହା ଦେଖି ମୋତେ ଭାରି ଆଶ୍ଚର୍ଯ୍ୟ ଲାଗୁଛି । ମନେ ହେଉଛି କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ସାଫଲ୍ୟ ପାଇବା ଆଶାରେ ତମେ ଏପରି କାମ କରୁଛ । କୁହାଯାଏ ଯେ ରାଜାମାନେ ଚଂଚଳ ସ୍ୱଭାବର ବ୍ୟକ୍ତି ଏବଂ ଏହା ନିଶ୍ଚିତ ରୂପେ ସତ୍ୟ । ତେଣୁ ତୁମେ ଏ କାମରେ ଯେ ସାଫଲ୍ୟ ପ୍ରାପ୍ତ କରିବ ସେ ବିଷୟରେ ମୋର ଆଦୌ ବିଶ୍ୱାସ ନାହିଁ । ଉଦାହରଣ ସ୍ୱରୂପ ମୁଁ ତୁମକୁ ଚନ୍ଦ୍ରଦେବ ରାଜାଙ୍କ କଥା ଶୁଣାଇବି । ମନଦେଇ ମୋକଥା ଶୁଣ । ଶୁଣିଲେ ତୁମ ଶ୍ରମଭାର ଲାଘବ ମନେ ହେବ ।

ଏହାପରେ ସେ ବେତାଳ ଗପିଲା: ଚନ୍ଦ୍ରଦେବ ଦକ୍ଷିଣପୁରୀ ରାଜ୍ୟର ରାଜା ଥିଲେ । ତାଙ୍କର କୌଣସି ପୁତ୍ର ସନ୍ତାନ ନଥିଲେ । ଲକ୍ଷ୍ମୀପ୍ରିୟା ନାମରେ ଯାହା ଖାଲି ଏକମାତ୍ର କନ୍ୟା ଥିଲେ । ସେ ଦେଖିବାକୁ ଅତି ସୁନ୍ଦର ଓ ବହୁତ ଚତୁର ମଧ୍ୟ ଥିଲେ । ତାଙ୍କ ମଧୁର କଣ୍ଠ ପାଇଁ ମଧ୍ୟ ସେ ଅଦ୍ୱିତୀୟ ଥିଲେ । ସୁଭାଷ ଓ ବୀରବାହୁ ନାମକ ଦୁଇଜଣ ସମ୍ପର୍କୀୟ ଯୁବକ ସେ ରାଜାଙ୍କ ନିକଟରେ ରହୁଥା’ନ୍ତି । ସେ ଯୁବକଦ୍ୱୟ ଦେଖିବାକୁ ଉଭୟ ସୁନ୍ଦର ଓ ବୁଦ୍ଧିମାନ୍ ମଧ୍ୟ । ଦୁହେଁ ରାଜାଙ୍କୁ ଖୁବ୍ ସମ୍ମାନ କରନ୍ତି । ଉଭୟଙ୍କ ଉପସ୍ଥିତି ଯୋଗୁଁ ରାଜମହଲର ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାରେ ଚଳୁଥାଏ ।

ଦିନେ ରାଣୀ ରାଜାଙ୍କୁ କହିଲେ, “ଆମ ଝିଅଟି ତ କ୍ରମେ ବଡ ହୋଇଗଲାଣି । ଏବେ ତା’ର ବିବାହ କରାଇବା କଥା । ମୋ ମତରେ ସୁଭାଷ ଆଉ ବୀରବାହୁଙ୍କ ମଧ୍ୟରୁ ଜଣକୁ କାହାକୁ ଆମେ ଆମର ଜାମାତା ଭାବରେ ବାଛିବା । ଦୁହେଁ ସୁନ୍ଦର ଓ ବୁଦ୍ଧିମାନ ।”

ରାଜା ରାଣୀଙ୍କୁ ପଚାରିଲେ, “ଦୁହିଁଙ୍କ ଭିତରୁ ତୁମେ କାହାକୁ ପସନ୍ଦ କରୁଛ?”

ତହୁଁ ରାଣୀ କହିଲେ, “ଦୁହେଁ ତ ଯୋଗ୍ୟ, ଓ ଗୁଣବାନ୍ ହେଲେ ମଧ୍ୟ ବୀରବାହୁକୁ ମୁଁ ଅଧିକ ପସନ୍ଦ କରେ କାହିଁକିନା ସେ ସୁଭାଷ ଠାରୁ ଅଧିକ ସୁନ୍ଦର ଓ ତାହାର କିଛି ବିଶେଷ ଗୁଣ ଅଛି । କିନ୍ତୁ ମୁଁ ଆପଣଙ୍କ ପସନ୍ଦକୁ ଅଧିକ ସମ୍ମାନ ଦେବି । ଏବେ କୁହନ୍ତୁ ଆପଣଙ୍କ ଇଚ୍ଛା କ’ଣ?”

ତା’ପରେ ସେ ରାଜା ଅଳ୍ପ ହସି କହିଲେ, “ଦେଖ, ମୋତେ ତ ସୁଭାଷ ଅଧିକ ଭଲ ଲାଗୁଛି । ସ୍ୱଭାବରେ ଯଦି କିଛି ଦୋଷଦୁର୍ଗୁଣ ଥାଏ ତେବେ ବାହ୍ୟ ସୌନ୍ଦର୍ଯ୍ୟ ଦେଖି ବିବାହ ହେବା ଠିକ୍ କଥା ନୁହେଁ । ବରଂ ଗୁଣ ଭଲ ଥିଲେ ସମସ୍ତେ ଆଦର କରିବେ । ଆମେ ଯାହା କରିବା ଚିନ୍ତାକରି, ବିଚାର କରି କରିବା । ମୁଁ ଭାବୁଛି ଆମେ ସେଥିପାଇଁ ଏକ ପରୀକ୍ଷା କରିବା ।”

ପରଦିନ ରାଜା ସେ ଦୁଇଜଣଙ୍କୁ ଡାକି କହିଲେ, “ଆମ ରାଜ୍ୟର ସୀମାନ୍ତରେ ଥିବା ଗ୍ରାମ ଧାନ୍ୟକୁଟ ସମ୍ପର୍କରେ ତୁମେମାନେ ତ ସବୁ ଶୁଣିଛ । ସେଠାରୁ ଆମର କର ଠିକ୍ ସମୟରେ ଆଦାୟ ହୋଇ ପାରୁନାହିଁ । ଦେଖ ବୀରବାହୁ, ଧାନ୍ୟକୁଟର ଉତ୍ତର ପଟରୁ କର ଆଦାୟ କରିବାର ଦାଇତ୍ତ୍ଵ ତୁମର । ଆଉ ସୁଭାଷ ଦକ୍ଷିଣ ପଟରୁ କର ଆଦାୟ କରିବ । ସେଠାକାର ପରିସ୍ଥିତି ଦେଖି, ବିଚାର କରି, କର୍ମଚାରୀମାନଙ୍କ ସହିତ କଥାବାର୍ତ୍ତା କରି, ଯାହା କିଛି କରିବ । କର ଆଦାୟ ଶେଷ କରି ତୁମେ ଦୁହେଁ ତୁରନ୍ତ ରାଜଧାନୀକୁ ଲେଉଟି ଆସିବ ।”

ଦୁଇଜଣ ଧାନ୍ୟକୁଟ ଯାତ୍ରା କରିବା ପୂର୍ବରୁ ରାଜା ପୁଣି ସେମାନଙ୍କୁ ଡାକି କହିଲେ, “ଧାନ୍ୟକୁଟରେ ଥିବା ଆମ ମହଲରେ ତୁମେ ଦୁହେଁ ରହିବ । ଫେରିବା ବେଳେ ଏକାଠି ହୋଇ ଫେରିବ, ତୁମ ଦୁହିଁଙ୍କ ସହିତ ମୁଁ କୌଣସି ଅଙ୍ଗରକ୍ଷକ ସିପାହୀ ପଠାଉ ନାହିଁ । କାରଣ ମୁଁ ଜାଣିବାକୁ ଚାହେଁ ଯେ ନିଜେ ନିଜର ରକ୍ଷା କରିବା ସଙ୍ଗେ ସଙ୍ଗେ ରାଜଖଜଣା ମଧ୍ୟ ରକ୍ଷା କରିପାରିବାର କ୍ଷମତା ତୁମ ଦୁହିଁଙ୍କର ଅଛି ନା ନାହିଁ । ବହୁତ ସତର୍କତାର ସହିତ ସମସ୍ତ କାର୍ଯ୍ୟ କରିବ ।”

ତା’ପରେ ସେ ଦୁହେଁ ଧାନ୍ୟକୁଟ ଗଲେ । ସେମାନେ ଯିବା ପରେ ରାଜା ମନ୍ତ୍ରୀପୁତ୍ର କୃପାଳକୁ ଡାକି କହିଲେ ଯେ ସେ ଯେପରି ଛଦ୍ମବେଶରେ ସେମାନଙ୍କ ସହିତ ଯିବେ ଓ ସେମାନଙ୍କ କାର୍ଯ୍ୟକ୍ରମ ଉପରେ ନଜର ରଖିବେ; କେଉଁଠି କିଛି ବିପଦ ପଡିଲେ ସେମାନଙ୍କୁ ଇଏ ସାହାଯ୍ୟ ମଧ୍ୟ କରିବେ ।

ଧାନ୍ୟକୁଟର ରାଜକର୍ମଚାରୀମାନେ ଏମାନଙ୍କୁ ହାର୍ଦ୍ଧିକ ସମ୍ବର୍ଦ୍ଧନା ଦେଲେ । ଯେତେ କର ସବୁ ଆଦାୟ ହୋଇଥିଲା ତାହା କର୍ମଚାରୀମାନେ ଏ ଦୁଇଜଣଙ୍କୁ ଦେଇ ଦେଲେ । ଯାହା କିଛି ଆଦାୟ ହୋଇ ନଥିଲା, ଖବର ଦିଆଯିବା ମାତ୍ରେ ସେସବୁ ମଧ୍ୟ ଆଦାୟ ହୋଇଗଲା । ଦୁଇ ସପ୍ତାହ ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେଲା । ଦୁହେଁ ପରଦିନ ରାଜଧାନୀ ଫେରି ଯିବାକୁ ମନସ୍ଥ କଲେ । କିନ୍ତୁ ସେହିଦିନ ରାତିରେ କିଏ ଜଣେ ଅଚିହ୍ନା ଲୋକ ଛୁରୀ ଦେଖାଇ ବୀରବାହୁଙ୍କଠାରୁ ସବୁ ଧନତକ ନେଇନେଲା । ବୀରବାହୁ ପ୍ରାଣ ଭୟରେ ତା’ର କୌଣସି ବିରୋଧ କଲେନାହିଁ । ଚୋର ବାହାରକୁ ଆସି ବାହାର ପଟରୁ କବାଟରେ ଶିକୁଳି ଲଗାଇ ଦେଇ ଚାଲିଗଲା ।

ପରେ ବୀରବାହୁଙ୍କ ଚିତ୍କାର ଶୁଣି ପ୍ରହରୀମାନେ ଆସି କବାଟ ଖୋଲିଲେ । ସୁଭାଷ ମଧ୍ୟ ସେଠାକୁ ଆସିଲେ । କିଛି ସମୟ ପରେ ବୀରବାହୁ ପ୍ରକୃତିସ୍ଥ ହେଲେ ଓ ସମସ୍ତ ଘଟଣା କହିଲେ ।

ଏସବୁ ଶୁଣି ପ୍ରହରୀମାନେ ଚମକି ପଡି କହିଲେ, “କି ଆଶ୍ଚର୍ଯ୍ୟ କଥା । ଏଠାରେ ଚୋରୀ ତ କାହିଁ କେବେବି ହୋଇନାହିଁ । ଏହା ପ୍ରଥମ ଥର ପାଇଁ ଶୁଣା ହେଲା । ଆମ ସମସ୍ତିଙ୍କ ଆଖିରେ ଧୂଳି ଦେବା ତ ସହଜ ନୁହେଁ । ଏହାର ଅର୍ଥ ସେ ଚୋର ନିଶ୍ଚୟ ଅତ୍ୟନ୍ତ ବୁଦ୍ଧିମାନ । ଆମେ ତ ପ୍ରବେଶ ପଥରେ ପହରା ଦେଉଥିଲୁ, ତାହେଲେ ଚୋର କିପରି ଓ କେଉଁବାଟ ଦେଇ ଭିତରକୁ ଆସିଲା? ସେ ଯେ କେହି ହେଉନା କାହିଁକି ଆମେ କିନ୍ତୁ ନିଶ୍ଚୟ ତାକୁ ଖୋଜିକି ବାହାର କରିବୁ । ସେଥିଲାଗି ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁ ନାହିଁ ।”

ପରଦିନ ସେ ଦୁହେଁ ରାଜଧାନୀକୁ ଫେରି ଆସିଲେ । ସେଠାରେ ପହଁଚି ସୁଭାଷ ସଙ୍ଗେ ସଙ୍ଗେ ନିଜ ଭାଗ କର ସବୁ ରାଜାଙ୍କ ହାତରେ ଦେଲେ । କିନ୍ତୁ ବୀରବାହୁ ରାଜାଙ୍କୁ ଲୁହଭରା ଆଖିରେ ନୀରବରେ ଖାଲି ଯାହା ଚାହିଁ ରହିଲେ ।

ରାଜା କହିଲେ “ତମେ ଏପରି କାହିଁକି ହେଉଛ ବୀରବାହୁ? ମୁଁ ତୁମ ସ୍ଥାନରେ ଥିଲେ ମଧ୍ୟ ସେଇଆ କରିଥା’ନ୍ତି । କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ପ୍ରହରୀମାନେ ଥିବା ସତ୍ତ୍ୱେ ମଧ୍ୟ ସେ ଚୋର କିପରି ଭିତରକୁ ପ୍ରବେଶ କଲା? ତୁମେ ଏଥିଲାଗି ଆଦୌ ଚିନ୍ତା କରନାହିଁ । ତୁମେ ନିଜେ ଭଲ ଅଛ ସେଇଥିରେ ତ ମୋର ସନ୍ତୋଷ ।”

ନିଜ ଦାଇତ୍ତ୍ଵ ଭଲ ଭାବରେ ତୁଲାଇ ଥିବାରୁ ସୁଭାଷ ଖୁସି ଥା’ନ୍ତି । କିଛି ସମୟ ପରେ କୃପାଳ ରାଜାଙ୍କୁ ଦେଖାକରି, ଥଳୀଟିଏ ତାଙ୍କୁ ଦେଇ କହିଲେ, “ମହାରାଜ, ଏହାହିଁ ବୀରବାହୁଙ୍କର ସେହି ଚୋରୀ ହୋଇଥିବା ଧନ ।”

ତା’କଥା ଶୁଣି ସେ ରାଜା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏସବୁ କିପରି କଥା କୃପାଳ? ତୁମେ କାହିଁକି ବୀରବାହୁର ଧନ ଚୋରୀକଲ?”

ତା’ପରେ ସେ କୃପାଳ କହିଲେ “ଏ କାମ ମୁଁ କରିନାହିଁ ମହାରାଜ; କାରଣ ସେପରି କିଛି ଆଦେଶ ଆପଣ ମୋତେ ଦେଇହିଁ ନଥିଲେ । ତେବେ ଅନ୍ଧାରରେ ଯେତେବେଳେ ସେ ଚୋର ଜଣକ ପଳାଇ ଯିବାର ଚେଷ୍ଟା କଲା ସେତେବେଳେ ମୁଁ ତା’ ହାତରୁ ଥଳୀଟି ଛଡାଇ ଆଣିଲି ।”

ରାଜା କହିଲେ “ଘଟଣା ଯଦି ଏପରି ଥିଲା, ତେବେ ତମେ ଥଳୀ ରଖି ଚୋରକୁ କାହିଁକି ଛାଡିଦେଲ? ମନେହୁଏ ସେ ଚୋରଟି ବହୁତ ବୁଦ୍ଧିମାନ, ନହେଲେ ପ୍ରହରୀମାନଙ୍କ ଆଖିରେ ଧୂଳି ଦେଇ ସେ କିପରି ଆମ ମହଲ ଭିତରେ ପ୍ରବେଶ କଲା? ତମେ ଯଦି ସେ ଚୋରକୁ ଧରିପାରିଥା’ନ୍ତ ତ ଭାରି ଭଲ ହୋଇଥାନ୍ତା ।”

କୃପାଳ କହିଲେ “ମୁଁ ଇଚ୍ଛା କରି ସେପରି କରିଛି । ମୁଁ ଚାହିଁଥିଲେ ତାକୁ ଧରି ପାରିଥା’ନ୍ତି, କିନ୍ତୁ ମୁହଁରେ ମୂଖା ପିନ୍ଧିଥିଲେ ମଧ୍ୟ ମୁଁ ତାକୁ ଠିକ୍ ଚିହ୍ନି ପକାଇଥିଲି; ତେଣୁ ମୁଁ କେବଳ ଧନର ଥଳୀଟି ତା’ ହାତରୁ ନେଇ ଆସିଲି । ମୁଁ ସେତେବେଳେ ଏପରି ଏକ ଲଜ୍ଜାକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲି ଯେ ଚୋରକୁ ଧରିବାକୁ ମୋର ଆଉ ଇଚ୍ଛା ହେଲା ନାହିଁ । ସେ ମହଲ ଭିତରେହିଁ ରହୁଥିଲା ।”

                ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ, “କ’ଣ କହିଲ? ସେ ରାଜମହଲ ଭିତରେହିଁ ଥିଲା?”

                କୃପାଳ କହିଲେ “ଆଜ୍ଞା ମହାରାଜ, ତାର ଘର ବୀରବାହୁଙ୍କ ଘର ପାଖରେହିଁ ଥିଲା ।”

                ରାଜା କିଛି ସମୟ କ’ଣ ଭାବିଲେ ଓ ତା’ପରେ ସେ କହିଲେ, “ତମେ ଯଦି ଚୋରକୁ ଧରିଥା’ନ୍ତ ତେବେ ବହୁତ ଭଲ ହୋଇଥା’ନ୍ତା । ଏବେ ମଧ୍ୟ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ତୁମେ ସେହି ସମୟରେ ଚୋରକୁ କାହିଁକି ଧରିଲ ନାହିଁ । ଏମିତି କ’ଣ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ତୁମେ ହୋଇଥିଲ? ଚୋର ଯେତେଟା ସାହସ କରିଥିଲା ତାହା ସାଧାରଣ ମାମୁଲି କଥା ନୁହେଁ ।”

                କୃପାଳ କହିଲେ “ମହାରାଜ, ଆହୁରି ଗୋଟିଏ କଥା । ସେ ଏଠାକୁ ନିଶ୍ଚୟ ଆସିବ । ତେଣୁ ମୁଁ ଭାବିଲି ଆପଣ ଚାହିଁବେ ତ ନିଜେ ତାକୁ ବନ୍ଦୀ କରିପାରିବେ । ମୁଁ ଛଦ୍ମବେଶରେ ଥିଲି ତ, ତେଣୁ ସେ ମୋତେ ଚିହ୍ନି ପାରିନାହିଁ ।”

                ସେହିଦିନ ରାତିରେ ରାଜା ଓ ରାଣୀ କଥାବାର୍ତ୍ତା ହେଉଥିଲେ; ରାଜା କହିଲେ, “ଏ ରାଜ୍ୟର ଉତ୍ତରାଧିକାରୀ କିଏ ହେବ ତାହା ମୁଁ ସ୍ଥିର କରି ସାରିଛି । ଏବେ ତମେ ଯଦି ମୋ କଥାରେ ମତ ଦେବ ତ କାମ ଯଥାଶୀଘ୍ର ସମ୍ପନ୍ନ ହୋଇପାରିବ ।”

ରାଣୀ ପଚାରିଲେ “ପରୀକ୍ଷାରେ ବୀରବାହୁ ହାରିଗଲା ବୋଲି ଆପଣ ସୁଭାଷକୁ ଜାମାତା କରିବାକୁ ସ୍ଥିର କରିଛନ୍ତି ତ?”

ରାଜା କହିଲେ “ଆଦୌ ନୁହେଁ । ମୁଁ କୃପାଳକୁ ଆମର ଜାମାତା କରିବାକୁ ସ୍ଥିର କରିଛି; ସେ ନିଜର ଦାଇତ୍ତ୍ଵ କ’ଣ ତାହା ଭଲ ଭାବରେ ଜାଣେ ଓ ନିଜେ ମଧ୍ୟ ସେ ବହୁତ ବୁଦ୍ଧିମାନ୍ । ଆବଶ୍ୟକ ଅନୁସାରେ ସେ କଥା କୁହେ । ସେ ନିର୍ଲୋଭୀ ଓ ଉଦାର ସ୍ୱଭାବର । ଏପରି ଗୁଣବାନ୍ ଯୁବକ ଏପର୍ଯ୍ୟନ୍ତ ମୁଁ କେଉଁଠି ହେଲେବି ଦେଖି ନଥିଲି ।”

ତାଙ୍କ କଥାରେ ରାଣୀ ଅଳ୍ପ ହସି କହିଲେ, “ମୁଁ ତ ଏକଥା କେବେବି ଭାବି ନଥିଲି । କିନ୍ତୁ ଏବେ ମୁଁ ଆପଣଙ୍କ କଥାରେ ସହମତ । ମୋର କାହିଁ ମନେ ହେଉଛି ଯେ ଲକ୍ଷ୍ମିପ୍ରିୟା ମଧ୍ୟ ତାକୁ ପସନ୍ଦ କରେ ।”

ତା’ପରେ ଲକ୍ଷ୍ମୀପ୍ରିୟା ଓ କୃପାଳଙ୍କର ବିବାହ ବଡ ଧୁମ୍ଧାମ୍ରେ ସମ୍ପନ୍ନ କରାଗଲା ।

ବେତାଳ ଏହି ପର୍ଯ୍ୟନ୍ତ କଥା ଶୁଣାଇ ବିକ୍ରମଙ୍କୁ ପ୍ରଶ୍ନକଲା; “ରାଜନ୍, କୃପାଳ ଯେଉଁ କାମ କଲେ, ତାହା ତ ଯେ କୌଣସି ରାଜକର୍ମଚାରୀ ମଧ୍ୟ କରିପାରିଥା’ନ୍ତା । ତେବେ ତା’ କଥାରେ ଏପରି କ’ଣ ବିଷେଷତା ଥିଲା ଯେ ରାଜା ଶେଷରେ ତାକୁହିଁ ନିଜର ଜାମାତା ଭାବରେ ପସନ୍ଦ କଲେ? ହଁ, ଏକଥା ସତ ଯେ ସେ ନିଜର ଦାଇତ୍ତ୍ଵ ବିଷୟରେ ଯଥେଷ୍ଟ ସଚେତନ ଓ ସେ ଧୈର୍ଯ୍ୟବାନ ମଧ୍ୟ । କିନ୍ତୁ ସେ ଉଦାର ଓ ଲୋଭୀ ନୁହେଁ ସେକଥା କିପରି ତା’ ବିଷୟରେ କୁହାଯିବ? କୃପାଳ ବିଷୟରେ ରାଜା ଯେଉଁ ପଦକ୍ଷେପ ନେଲେ ତାହା ଆଉ ସେ ରାଜାଙ୍କର ଚଂଚଳତାର ପରିଚୟ ଦେଉନାହିଁ କି? ଏହା ଛଡା କ’ଣ ଆଉ କିଛି କାରଣ ଅଛି? ମୋର ଏହି ସବୁ ପ୍ରଶ୍ନର ଉତ୍ତର ଜାଣିକି ମଧ୍ୟ ତୁମେ ଯଦି ନୀରବ ରହିବ, ତେବେ ତୁମର ଶୀର ସ୍କନ୍ଧଚ୍ୟୁତ ହେବ ।”

ଏକଥା ଶୁଣି ରାଜା ବିକ୍ରମ ତୁରନ୍ତ ଉତ୍ତର ଦେଇ କହିଲେ, “ବୀରବାହୁଙ୍କ ଧନଥଳୀ ସୁଭାଷ ଚୋରାଇଥିଲେ; କାରଣ ତଦ୍ୱାରା ସେ ନିଜକୁ ଅଧିକ ଯୋଗ୍ୟ ଓ ବୀରବାହୁଙ୍କୁ ଅଯୋଗ୍ୟ ପ୍ରମାଣ କରିବାକୁ ଚାହୁଁଥିଲେ । କିନ୍ତୁ ତଦ୍ୱାରା ଜଣାଗଲା ଯେ ସେ ଦୁହେଁହିଁ ଅଯୋଗ୍ୟ । କାରଣ କୃପାଳ ଏସବୁ ଘଟଣା ନିଜ ଆଖିରେ ଦେଖିଛନ୍ତି । ଜଣେ ଚୋର ପାଖରୁ ନିଜକୁ ରକ୍ଷା କରିପାରୁ ନଥିବା ଅଯୋଗ୍ୟ ଓ ଭୟାଳୁ ହେଲେ ବୀରବାହୁ; ଆଉ ସୁଭାଷ ନିଜର ଅସଲ୍ ଇଚ୍ଛା ଚରିତାର୍ଥ କରିବାକୁ ଚୋରୀ କରିବା ପରି ଏକ ନୀଚ କାମ ମଧ୍ୟ କରିବାକୁ ଟିକିଏ ହେଲେ ମଧ୍ୟ ପଶ୍ଚାତ୍ପଦ ହେଲେ ନାହିଁ । କିନ୍ତୁ କୃପାଳଙ୍କର ଉଭୟ ଧୈର୍ଯ୍ୟ ଓ ସାହସ ଥିଲା । ନିଜ ଦାଇତ୍ତ୍ଵ ସେ ଭଲଭାବରେ ସମ୍ପନ୍ନ କରିଛନ୍ତି । ଧାନ୍ୟକୁଟରେ ସେ ସୁଭାଷର ଚୋରୀ ବିଷୟରେ କିଛି କହି ନାହାଁନ୍ତି, କାରଣ କହିଦେଲେ ରାଜପରିବାରର ବଦନାମ ହେବ । ତେଣୁ ଏକଥା କେବଳ ସେ ରାଜାଙ୍କୁହିଁ କହିଲେ । ସେ ଭାବିଲେ ଯେ ସୁଭାଷଙ୍କୁ ଦଣ୍ଡ ମିଳିବ ତ ରାଜାଙ୍କ ହାତରେ ମିଳୁ । କାରଣ ସମସ୍ୟା ରାଜପରିବାରର । ତାଙ୍କର ଯେତିକି କରିବା କଥା ସେ ସେତିକି କରିବେ । ସମସ୍ତ କାରଣରୁହିଁ ରାଜା କୃପାଳଙ୍କ ଉପରେ ବହୁତ ଖୁସି ହୋଇଥିଲେ । ଏଠାରେ ରାଜାଙ୍କର ଚଂଚଳତାର କୌଣସି ପ୍ରଶ୍ନହିଁ ଉଠୁ ନାହିଁ । କୌଣସି ମଣିଷ ନିଜ ଅଧିକାରର ସୀମାରେଖାର ବାହାରକୁ ଯିବା ଆଦୌ ଉଚିତ୍ ନୁହେଁ । ସେପରି କଲେ ନାନା ପ୍ରକାର ଖରାପ ପରିଣାମର ସମ୍ମୁଖୀନ ହେବାକୁ ହେବ । ସୁଭାଷ ହାତରୁ ଧନ ଥଳୀ ଛଡାଇ ନେବାବେଳେ କୃପାଳ ଛଦ୍ମବେଶରେ ଥିଲେ । ତେଣୁ କେହିବି ତାଙ୍କୁ ଚିହ୍ନି ପାରି ନଥିଲେ । ଚାହିଁଲେ ମଧ୍ୟ ସେ ସବୁ ଧନ ନିଜେ ରଖି ପାରିଥାନ୍ତେ । କିନ୍ତୁ ସେପରି ନ କରିବାରୁ ସେ ରାଜାଙ୍କର ଅତିପ୍ରିୟ ବିଶ୍ୱାସଭାଜନ ହୋଇପାରିଲେ । ତାହେଲେ ଏଠାରେ ସେ ରାଜାଙ୍କର ଚଂଚଳତା ରହିଲା କେଉଁଠି? ଏହା ତ କୌଣସି ପ୍ରକାରେ ହେଲେ ଚଂଚଳତାର ପ୍ରମାଣ ଦେଉନାହିଁ । ସେପରି ଆରୋପ କରିବା ଏକ ଭୁଲ୍ କଥା ।” ଏତିକି କହି ବିକ୍ରମ ଚୁପ୍ ହେବା ମାତ୍ରେ ରାଜାଙ୍କର ମୌନଭଙ୍ଗ ହେବା ଯୋଗୁଁ ଶବ ସହିତ ବେତାଳ ପୁଣି ଉଡି ଯାଇ ଗଛରେ ଝୁଲି ପଡିଲା ।🙏
ନରେଶ

Comments

Popular posts from this blog

ପାଲି ଖେଳ