୧୩ ଅଗଷ୍ଟ ୨୦୨୦ କାହାଣୀ
*ଗପଟିଏ...🌙ଜହ୍ନମାମୁଁ ପୃଷ୍ଠା ରୁ*
🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥
*☀️ରାକ୍ଷସର ଦାନ☀️*
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ବି ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ହେ ରାଜନ୍, ମୁଁ ତୁମକୁ ବୁଝାଇ ବୁଝାଇ ଥକି ଗଲିଣି, ହେଲେ ତମେ ତ କାହିଁ ମୋଟେ ଥକି ଯାଉ ନାହଁ । ମନେ ହେଉଛି ଯଦି ଭଗବାନ୍ ମଧ୍ୟ ତୁମ ସମ୍ମୁଖରେ ପ୍ରତ୍ୟକ୍ଷ ହୋଇଯିବେ, ତେବେବି ତୁମେ ତାଙ୍କୁ କୌଣସି ବର ମାଗିବ ନାହିଁ । ନିଜ ଲକ୍ଷ୍ୟପ୍ରାପ୍ତି ପାଇଁ ଲାଗି ରହିବ । କିନ୍ତୁ ଆଉ କେତେଦିନ ପର୍ଯ୍ୟନ୍ତ ଏପରି ଚାଲିବ? କେବେ ମଧ୍ୟ ତୁମେ ନିଜ ଲକ୍ଷ୍ୟ ପ୍ରାପ୍ତି କରିବାରେ ସଫଳ ହୋଇ ନାହିଁ? ନାନାପ୍ରକାର କଷ୍ଟ ସହୁଛ, ଅଥଚ ଜିଦି ଛାଡୁ ନାହଁ । ମଣିଷ ଫଳ ପାଇଁ ପରିଶ୍ରମ କରେ । ଯଦି ସେଥିରେ ସେ ସଫଳ ନହୁଏ, ତେବେ ତାକୁ ଛାଡି ସେ ଅନ୍ୟରାସ୍ତା ଧରେ । ଆଉ ତୁମେ? ମୋ କଥା ଆଦୌ ଶୁଣୁ ନାହଁ ।” କିନ୍ତୁ ରାଜା ସବୁ ଶୁଣି ଚୁପ୍ଚାପ୍ ଶ୍ମଶାନ ଆଡକୁ ଚାଲିଥାନ୍ତି ।
ବେତାଳ ପୁଣି କହିଲା, “ଚାରିଆଡେ ଘନଘୋର ଅନ୍ଧକାର । ମୋର ତୁମ ଉପରେ ଦୟା ଆସୁଛି, ପୁଣି ରାଗ ବି’ । ମଣିଷ ନିଜ ସ୍ୱାର୍ଥ ପାଇଁ ଲକ୍ଷ୍ୟସିଦ୍ଧ ନକରିପାରିଲେ, ବ୍ୟର୍ଥ, ଦୁଃଖ ଓ ହତାଶାରେ ତା’ର ମନ ପୂର୍ଣ୍ଣ ହୁଏ । ଆତ୍ମଶକ୍ତି କ୍ଷୀଣ ହୁଏ, ଧୈର୍ଯ୍ୟ ଲୁପ୍ତ ହୁଏ, ତେଣୁ ସେ ସେହିଠାରେହିଁ ଅଟକି ଯାଏ । କିନ୍ତୁ ନିଃସ୍ୱାର୍ଥପର ବ୍ୟକ୍ତି, କାହାକୁ ଦେଇଥିବା ବଚନ ସିଦ୍ଧ କରିବା ପାଇଁ କିମ୍ବା ସମାଜର କଲ୍ୟାଣ ପାଇଁ ଯେଉଁ କାର୍ଯ୍ୟ ବା ଦାଇତ୍ତ୍ଵ ନିଜେ ନେଇଥାଏ, ସେଥିପାଇଁ ସେ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ହୁଏ । ଅନ୍ୟ କେତେକ ଜିଦ୍ଖୋର୍ ଅଛନ୍ତି, କେଉଁକାମ ଲାଭଦାୟକ ବା କେଉଁକାମ ସମାଜ ପାଇଁ ଫଳପ୍ରଦ ତାହା ସେମାନେ ଆଦୌ ଜାଣିପାରନ୍ତି ନାହିଁ । ମୋର ଆଶଙ୍କା ହେଉଛି, ତୁମେ ମଧ୍ୟ ଠିକ୍ ସେହିପରି ଏତେ କଷ୍ଟ ସହି ଯେଉଁ ଲକ୍ଷ୍ୟସିଦ୍ଧି କରିବ, ହୁଏତ କେଉଁ ଅପାତ୍ରରେ ଦେଇଦେବ । ଏପରି ଅପାତ୍ରଦାନ ଯିଏ କଲେ ମଧ୍ୟ ପାପ ହୁଏ । ଏହି ସମ୍ପର୍କରେ ରକ୍ତତର୍ପଣ ନାମକ ରାକ୍ଷସ ବିଷୟରେ ଗୋଟିଏ ଗଳ୍ପ କହିବି; ସେ କିପରି ଏକ ଅଲୌକିକ ମଣି ଅପାତ୍ରରେ ଦାନ କରି ବଡ ପାପ କରିଥିଲା । ମନ ଦେଇ ତାହା ଶୁଣ, ଶ୍ରମଭାର ଲାଘବ ହେବ ।” ବେତାଳ ଗପିଲା –
ଦଣ୍ଡକାରଣ୍ୟରେ ରକ୍ତତର୍ପଣ ନାମକ ଏକ ରାକ୍ଷସ ଥିଲା । ସେହି ଜଙ୍ଗଲର ଏକ ପଟରେ ହେମଗିରି ଓ ଅନ୍ୟପଟରେ ସିଂହପୁରୀ ରାଜ୍ୟ । ତେଣୁ ଅନେକ ଯାତ୍ରୀ ଓ ପଥଚାରୀ ଜଙ୍ଗଲ ରାସ୍ତା ଦେଇ ଯାତାୟତ କରୁଥିଲେ । ରାକ୍ଷସର ସମ୍ମୁଖରେ ଯିଏ ପଡିଲା ଜାଣିବ ତା’ର ପ୍ରାଣ ଗଲା । ସେ ତାକୁ ସିଧା ଗିଳିପକାଉଥିଲା ।
ଥରେ ଚନ୍ଦ୍ରକାନ୍ତା ନାମକ ଏକ ଗନ୍ଧର୍ବକନ୍ୟା ପୃଥିବୀର ସୌନ୍ଦର୍ଯ୍ୟ ଦେଖିବାକୁ ସେହିଠାରେ ଆସି ପହଁଚିଲା । ସେ ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ ଓ ଦୟାଳୁ ସ୍ୱଭାବର । ସେ ଯେତେବେଳେ ସେହି ବଣରେ ବୁଲୁଥିଲା, ସେତେବେଳେ ତା’ ବେକର ହାରରୁ ମଣିଟିଏ ଗଳି ପଡିଗଲା । ସେ ସେବିଷୟ କିଛି ନଭାବି, ଅଳ୍ପ ସମୟ ପରେ ଗନ୍ଧର୍ବଲୋକକୁ ଫେରିଗଲା ।
ରକ୍ତତର୍ପଣ ଯାତ୍ରୀମାନଙ୍କୁ ଖୋଜୁ ଖୋଜୁ ସେହି ମଣିଟି ପାଇଲା । ସେଇଟି ଦେଖିବାକୁ ଅତି ଚମତ୍କାର ଥିଲା । ରାକ୍ଷସ ସେଇଟିକୁ ଉଠାଇ ନିଜ ବେକରେ ପକାଇଲା । ମଣିଟିକି ବେକରେ ପକାଇବା ମାତ୍ରେ ରାକ୍ଷସର ଚେତନାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଲା । ତା’ର କ୍ରୁର ହୃଦୟ, ଦୟା ଓ କରୁଣାରେ ପୂର୍ଣ୍ଣ ହେଲା ।
ଦିନେ ସେ ନିଜର ପରିବର୍ତ୍ତନ ବିଷୟରେ ଆଶ୍ଚର୍ଯ୍ୟ ହୋଇ ଭାବୁଥାଏ । ଗୋଟିଏ ଗଛ ମୂଳେ ବସିଥାଏ । ଠିକ୍ ସେହି ସମୟରେ ଜଣେ ସିଦ୍ଧ ମୁନି ସେହି ବାଟଦେଇ ଯାଉଥିଲେ । ତାକୁ ଦେଖି ସେ ତା’ର ମନର ଅବସ୍ଥା ସବୁ ଜାଣି ପାରିଲେ । ତା’ପରେ ସେ ତା’ପାଖକୁ ଯାଇ କହିଲେ, “ବତ୍ସ, ତୁମେ ନିଜର ପରିବର୍ତ୍ତନରେ ଆଶ୍ଚର୍ଯ୍ୟ ହେଉଛ, ନୁହେଁ । ସେସବୁ ଏହି ମଣିର ପ୍ରଭାବ । ଏହା ଚନ୍ଦ୍ରକାନ୍ତା ନାମକ ଦୟାଶୀଳା ଗନ୍ଧର୍ବକନ୍ୟାର ମଣି । ଏହି ମଣିରେ ଏପରି ଶକ୍ତି ଅଛି ଯଦ୍ୱାରା ମନର ଇଚ୍ଛା ପୂର୍ଣ୍ଣ ହୋଇ ପାରିବ । ତେଣୁ ତୁମେ ଏହାଦ୍ୱାରା ମଣିଷ ରୂପ ଧାରଣ କରିପାରିବ ଓ ଅନ୍ୟକୁ ସାହାଯ୍ୟ ମଧ୍ୟ କରିପାରିବ ।” ଏତିକି କହି ସେ ତାଙ୍କ ବାଟରେ ଚାଲିଗଲେ ।
ମୁନି ସେଠାରୁ ଚାଲିଯିବା ପରେ ମଣିର ଶକ୍ତି ପରୀକ୍ଷା କରିବାକୁ ଯାଇ ସେ ମଣିଷ ହୋଇଗଲା ଓ ସେହିଦିନଠାରୁ, ସେହି ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀମାନଙ୍କୁ ସେ ନାନା ପ୍ରକାରରେ ସାହାଯ୍ୟ କଲା । ଯାତ୍ରୀମାନଙ୍କୁ ଲୁଟି ନେଉଥିବା ଡାକୁମାନଙ୍କୁ ପିଟିପିଟି ସେ ସେହି ଜଙ୍ଗଲରୁ ବାହାର କରିଦେଲା । ଯାତ୍ରୀଙ୍କର ସୁବିଧା ହେବ ବୋଲି କଂଟାଝଟା କାଟି ସୁନ୍ଦର ରାସ୍ତା କରିଦେଲା । ସ୍ଥାନେସ୍ଥାନେ କୂଅ ଖୋଳାଇଲା । ଏମିତି ଏକ ଜୀବନକୁ ସେ ବଡ ସୁନ୍ଦର ଭାବରେ ବିତାଇଲା ।
କିନ୍ତୁ ସବୁଦିନେ ଆନନ୍ଦ ନଥାଏ । ଯେତେବେଳେ ତାକୁ ସିଦ୍ଧମୁନି ମଣିର ମହତ୍ତ୍ୱ ବିଷୟ ବୁଝାଇଥିଲେ, ସେତେବେଳେ ସିଂହପୁରୀର ଆଦିତ୍ୟ ନାମକ ଗୁପ୍ତଚର ଗଛ ଉପରେ ବସି ସବୁ ଶୁଣି ନେଇଥିଲା । ସିଂହପୁରୀର ରାଜା ବିକ୍ରମଭୂପତି ନିଜ ମନରେ ଆଶାପୋଷଣ କରିଥା’ନ୍ତି କି ଦିନେ ନା ଦିନେ ସେ ସମ୍ରାଟ ହେବେ । ସେଥିଯୋଗୁଁ ଦିନେ ହଠାତ୍ ସେ ହେମଗିରି ଉପରେ ଚଢାଉ କରି ସେ ରାଜ୍ୟକୁ ଅକ୍ତିଆର କରିନେବାକୁ ଯୋଜନା କଲେ ।
ହେମଗିରିର ରାଜା ବଡ ଧାର୍ମିକ ଲୋକ ଥିଲେ । ତାଙ୍କର ଶାସନକାଳ ମଧ୍ୟରେ ଦେଶ ସୁସମ୍ପନ୍ନ ଥିଲା । ପ୍ରଜାମାନଙ୍କର କୌଣସି ପ୍ରକାରର ଅସୁବିଧା ନଥିଲା । ଅତି ଆନନ୍ଦ ଓ ସୁଖରେ ସେମାନେ ଜୀବନ ବିତାଉଥା’ନ୍ତି । ବିକ୍ରମଭୂପତିଙ୍କର ଯୁଦ୍ଧ ଯୋଜନା ବିଷୟ ଅବଗତ ହୋଇ ବିଜୟାଦିତ୍ୟ ବ୍ୟସ୍ତ ହୋଇ ପଡିଲେ । କାରଣ ଅର୍ଥବଳ ଓ ସୈନ୍ୟବଳ ଦୃଷ୍ଟିରୁ ହେମଗିରି ସିଂହପୁରୀଠାରୁ ଦୁର୍ବଳ ଥିଲା । ବିଜୟାଦିତ୍ୟ ସନ୍ଧି କରିବା ପାଇଁ ପ୍ରସ୍ତାବ ପଠାଇଲେ, କିନ୍ତୁ ବିକ୍ରମଭୂପତି ସେ କଥା ମୋଟେ ଶୁଣିଲେ ନାହିଁ । ଏବେ ତ ଯୁଦ୍ଧ ଅନିର୍ବାଯ୍ୟ ।
ସିଂହପୁରୀର ଗୁପ୍ତଚର ଆଦିତ୍ୟ ରାଜଧାନୀରେ ଆସି ପହଁଚିଲା ଓ ରାଜାଙ୍କୁ ସେ ସବୁକିଛି କହିଲା । ସେ ରାଜାଙ୍କୁ ଆହୁରି ମଧ୍ୟ ମନ୍ତ୍ରଣା ଦେଲା ଯେ ରାକ୍ଷସଠାରୁ କୌଣସିମତେ ସେ ମଣିଟି ଆଣି ପାରିଲେ ଅନ୍ୟସବୁ ପଡୋଶୀ ରାଜ୍ୟମାନଙ୍କୁ ମଧ୍ୟ ଅକ୍ତିଆରକୁ ଅଣାଯାଇ ପାରିବ ।
ଏକଥା ଶୁଣି ରାଜା ଭାବିଲେ ଯେ ସତେ ଯେପରି ସେ ସମ୍ରାଟ ହୋଇ ସାରିଲେଣି; ଏବଂ ଅନ୍ୟ ରାଜାମାନେ ତାଙ୍କ ସହ ଶତ୍ରୁତା କରିବାକୁ ସାହସ ମଧ୍ୟ କରିବେ ନାହିଁ । ରକ୍ତତର୍ପଣର ସହାୟତା ପାଇବା ପାଇଁ ସେ ରଥ ଚଢି ଜଙ୍ଗଲକୁ ଗଲେ ।
ଠିକ୍ ସେହି ସମୟରେ ହେମଗିରି ରାଜା ବିଜୟାଦିତ୍ୟ ଛଦ୍ମବେଶରେ ନଗରରେ ବୁଲୁଥିଲେ । ସେ ଜାଣିବାକୁ ଚାହୁଁଥିଲେ କି ତାଙ୍କର ପ୍ରଜାମାନେ ଯୁଦ୍ଧ ବିଷୟରେ କ’ଣ ଚିନ୍ତା କରୁଛନ୍ତି । ଏମିତି ବୁଲୁବୁଲୁ ସେ ଦେଖିଲେ ଏକ ବୃକ୍ଷ ଛାୟାରେ ତେଜସ୍ୱୀ ମୁନି ଧର୍ମବେଦ ବସିଛନ୍ତି । ରାଜା ତାଙ୍କ ପାଖକୁ ଯାଇ ହାତ ଯୋଡି ଠିଆ ହୋଇ ରହିଲେ । ମୁନି ତାଙ୍କ ଆଡକୁ ଚାହିଁ କହିଲେ, “ରାଜନ୍, ତୁମ ମନର ଦୁଃଖ ମୁଁ ଠିକ୍ ବୁଝି ପାରୁଛି । ଯୁଦ୍ଧରେ ସିଂହପୁରୀର ରାଜାଙ୍କ ସମ୍ମୁଖୀନ ହେବାକୁ ହେଲେ ଗୋଟିଏ ଉପାୟ ଅଛି । ତମେ ଏବେହିଁ ଦଣ୍ଡକାରଣ୍ୟକୁ ଯାଅ । ସେଠାରେ ରକ୍ତତର୍ପଣ ନାମରେ ଜଣେ ରାକ୍ଷସ ଅଛି । ସେ ଗୋଟିଏ ମଣିର ପ୍ରଭାବରୁ ମନୁଷ୍ୟ ହୋଇଯାଇଛି । ବିପଦରେ ପଡିଥିବା ଲୋକକୁ ସେ ସାହାଯ୍ୟ କରେ । ତା’ ବେକରେ ପଡିଥିବା ମଣିକୁ ଦେଖିଲେହିଁ ତୁମେ ତାକୁ ଠିକ୍ ଚିହ୍ନି ପାରିବ । ତୁମେ ତାକୁ ସବୁ କୁହ ଓ ସେହି ପ୍ରଭାବଶାଳୀ ମଣିକୁ ପାଇବାକୁ ଚେଷ୍ଟା କର ।”
ବିଜୟାଦିତ୍ୟ ସାଧୁଙ୍କ କଥା ଶୁଣି ତତ୍କ୍ଷଣାତ୍ ଘୋଡାରେ ବସି ରକ୍ତତର୍ପଣ ପାଖକୁ ଚାଲିଲେ । କିନ୍ତୁ ତାଙ୍କ ପୂର୍ବରୁ ରାଜା ବିକ୍ରମଭୂପତି ରାକ୍ଷସ ସହିତ ଦେଖା କରିଥିଲେ । ସେ ତାକୁ କହିଲେ, “ରାକ୍ଷସୋତମ, ମୁଁ ଆପଣଙ୍କ ବିଷୟରେ ସବୁକଥା ଶୁଣିଛି । ମୁଁ ସିଂହପୁରୀର ରାଜା ବିକ୍ରମଭୂପତି । ମୋ ରାଜ୍ୟର ଆଖପାଖ ରାଜ୍ୟମାନଙ୍କରେ ରାଜାମାନେ ବିନା କାରଣରେ ନିଜ ନିଜ ମଧ୍ୟରେ ଲଢାଇ କରି କେବଳ ଧନଜନକ୍ଷୟ କରିଚାଲିଛନ୍ତି । ମୁଁ ଚାହେଁ ସେସବୁକୁ ନିଜ ଅଧିନରେ ରଖିବି ଓ ମୁଁ ସମ୍ରାଟ ହେବି । ପ୍ରଜାଙ୍କର କଲ୍ୟାଣ ପାଇଁହିଁ ମୁଁ କଷ୍ଟ କରି ଏ ବୋଝ ନିଜ ମୁଣ୍ଡକୁ ନେଉଛି । ଏଥିରେ ତ ମୋର କୌଣସି ସ୍ୱାର୍ଥ ନାହିଁ । ତେଣୁ ଆପଣ ସାହାଯ୍ୟ କଲେ ମୁଁ ଏକାମରେ ନିଶ୍ଚୟ ସଫଳ ହୋଇ ପାରିବି । ଏହି ଶକ୍ତିଶାଳୀ ମଣି ମୋତେ ପ୍ରଦାନ କଲେ ମୁଁ ଚିର କୃତଜ୍ଞ ରହିବି । କାରଣ ତଦ୍ୱାରା ପ୍ରଜାଙ୍କର କଲ୍ୟାଣ ହେବ, ଆପଣଙ୍କର ମଧ୍ୟ ପୁଣ୍ୟ ହେବ ।”
ବିକ୍ରମଭୂପତି ରାକ୍ଷସ ପ୍ରତି ନିଜର କୃତଜ୍ଞତା ପ୍ରକଟ କରି ନିଜ ରାଜଧାନୀକୁ ଲେଉଟି ଗଲେ ।
ପରଦିନ ବିଜୟାଦିତ୍ୟ ଜଙ୍ଗଲକୁ ଆସିଲେ । ସେ ସେହି ରାକ୍ଷସକୁ ଚିହ୍ନିପାରି କହିଲେ, “ମହୋଦୟ, ମୁଁ ହେମଗିରିର ରାଜା ବିଜୟାଦିତ୍ୟ । ସିଂହପୁରୀର ରାଜା ବିକ୍ରମଭୂପତି ମୋ ଦେଶ ଉପରେ ଆକ୍ରମଣ କରି ତାକୁ କରଗତ କରିବାକୁ ଚାହାଁନ୍ତି । ତାଙ୍କର ଉଦ୍ଧେଶ୍ୟ ମନ୍ଦ । ତାଙ୍କୁ ଜିତିବାବି ଭାରି କଷ୍ଟ । କେବଳ ଆପଣ ଯଦି ମଣିଟି ଦେବେ ତେବେ ତାଙ୍କୁ ଜିତିବା ସହଜ ହେବ । ମୋର ବିଶ୍ୱାସ ଯେ ଆପଣ ମୋତେ ନିଶ୍ଚୟ ସହାୟତା କରିବେ ।”
ରକ୍ତତର୍ପଣ କହିଲା, “ରାଜନ୍, ଚିନ୍ତିତ ହୁଅନାହିଁ । ମୁଁ ତୁମ ଦେଶକୁ ଯାଇ ଦେଖିବି ପ୍ରଜା ଓ ପରିସ୍ଥିତି ।” ତା’ପରେ ବିଜୟାଦିତ୍ୟ ରକ୍ତତର୍ପଣକୁ ନମସ୍କାର କରି ସେଠାରୁ ଫେରିଗଲେ ।
ରକ୍ତତର୍ପଣ ପ୍ରଥମେ ହେମଗିରିକୁ ଗଲା ଓ ଦେଖିଲା ଯେ ବିଜୟାଦିତ୍ୟ ଜଣେ ଧାର୍ମିକ ରାଜା । ତାଙ୍କ ପ୍ରଜାମାନେ ବଡ ସୁଖରେ ରହିଛନ୍ତି । ସେଠାରୁ ସେ ସିଂହପୁରୀ ଯାଇ ଦେଖିଲା କି ବିକ୍ରମଭୂପତି ଜଣେ କ୍ରୁର ସ୍ୱଭାବର ଲୋକ ଓ ଯୁଦ୍ଧ ପାଇଁ ସେଠାରେ ଜୋର୍ରେ ପ୍ରସ୍ତୁତି ଚାଲିଛି । ରକ୍ତତର୍ପଣ ବହୁସମୟ ଧରି ଚିନ୍ତା କରିବା ପରେ, ବିକ୍ରମଭୂପତିଙ୍କୁ ସେ କହିଲା, “ରାଜନ୍, ମୁଁ ତୁମକୁ ଏହି ମଣିଟି ଦେଉଛି, ତାହା ସ୍ୱୀକାର କର ।” ତା’ପରେ ସେ ଜଙ୍ଗଲକୁ ଲେଉଟି ଗଲା ।
ଗଳ୍ପଟି ଶୁଣାଇ ସାରି ବେତାଳ କହିଲା, “ରାଜନ୍, ରାକ୍ଷସ ମଣିଟି ଅପାତ୍ରରେ ଦାନ କଲାନାହିଁ କି? ରାକ୍ଷସ ଜାଣେ ଯେ ସେ ନିଜର ସ୍ୱାର୍ଥ ପୂରଣ କରିବାକୁ ମଣି ଚାହୁଁଛି ଯଦ୍ୱାରା ଯୁଦ୍ଧରେ ଅନେକ ନିରୀହ ପ୍ରଜା ପ୍ରାଣ ଦେବେ । ମୋର ଏ ବିଷୟରେ ସନ୍ଦେହ ରହୁଛି । ମୋର ସନ୍ଦେହ ମୋଚନ କରିବାର ଶକ୍ତି ଥାଇ ଯଦି ତମେ ନକରିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମ ଉତ୍ତର ଦେଲେ, “ବେତାଳ, ତୁମେ ଯାହା କହୁଛ, ତାହା ତ ଠିକ୍ । ଆପାତଃଦୃଷ୍ଟିରେ ତାହାହିଁ ସତ୍ୟ । କିନ୍ତୁ ନିଜ ଅନୁଭୂତିରୁ ରାକ୍ଷସ ଯାହା କିଛିବି କରିଛି ଠିକ୍ କରିଛି; ତାହା ଅତ୍ୟନ୍ତ ନ୍ୟାୟସଙ୍ଗତ । କାରଣ ସେ ମଧ୍ୟ ଦିନେ କ୍ରୁରସ୍ୱଭାବର ଥିଲା । ମଣି ପ୍ରଭାବରୁ ତା’ ମନ ମଧ୍ୟରେ ଦୟା, କ୍ଷମା, ସଦ୍ଭାବ ଓ ଧର୍ମଭାବ ପ୍ରଭୃତି ଉଦୟ ହେଲା ଓ ସେ ଏକ ଭଲ ମଣିଷରେ ପରିଣତ ହେଲା । ତେଣୁ ରାଜା ମଣି ପିନ୍ଧିବାମାତ୍ରେ ତାଙ୍କ କ୍ରୁରସ୍ୱଭାବ ଓ ଚରିତ୍ରରେ ପରିବର୍ତ୍ତନ ଘଟିବ ବୋଲି ଭାବି ସେ ମଣିଟିକୁ ବିକ୍ରମଭୂପତିଙ୍କୁ ଦେଲା । ମଣିଟି ପିନ୍ଧିବା ମାତ୍ରେ ଯୁଦ୍ଧ ପାଇଁ ତାଙ୍କର ଆଉ ଇଚ୍ଛା ହେବନାହିଁ । ତେଣୁ ମଣିକୁ ବିକ୍ରମଭୂପତିଙ୍କୁ ଦେବା ଅତ୍ୟନ୍ତ ନ୍ୟାୟପୂର୍ଣ୍ଣ ।”
ରାଜାଙ୍କର ମୌନଭଙ୍ଗ ହୁଅନ୍ତେ ପୂର୍ବ ସର୍ତ୍ତ ଅନୁସାରେ ବେତାଳ ରାଜାଙ୍କ କାନ୍ଧରୁ ଖସି ପୁଣି ପୂର୍ବୋକ୍ତ ବୃକ୍ଷରେ ଯାଇ ଝୁଲି ପଡିଲା । 🙏
ନରେଶ
Comments
Post a Comment