୨୪ ଅଗଷ୍ଟ ୨୦୨୦ କାହାଣୀ

🦚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🦚

⚖️ *ନ୍ୟାୟ ବିଚାର* ⚖️

ହରିପୁର ଗ୍ରାମରେ ଜଣେ ବିଚାରପତି ଥିଲେ, ତାଙ୍କ ନାମ ଧର୍ମବୀର ଥିଲା । ସେ ଖୁବ୍ ବୁଦ୍ଧିମାନ ଥିଲେ ଓ ନ୍ୟାୟଶାସ୍ତ୍ର ଅଧ୍ୟୟନ କରିବାରେ ସେ ଅତ୍ୟନ୍ତ ନିପୁଣ ମଧ୍ୟ ଥିଲେ, ତେଣୁ ରାଜା ତାଙ୍କୁ ସେହି ଅଂଚଳର ବିଚାରପତି ଭାବରେ ନିଯୁକ୍ତି କରିଥିଲେ । ସମଗ୍ର ଅଂଚଳର ଲୋକେ ଜାଣିଥିଲେ ଯେ ନ୍ୟାୟ ନିର୍ଣ୍ଣୟ କରିବା ପାଇଁ ଧର୍ମବୀରଙ୍କ ପରି ଆଉ କେହି ବି ନଥିଲେ । ସେ ଯାହା ନ୍ୟାୟ ଦିଅନ୍ତି ତାହା ଦୁଇପକ୍ଷ ଖୁସିରେ ମାନି ନିଅନ୍ତି । ଏକଥା ଯାଇ ରାଜାଙ୍କ କାନରେ ପଡିଲା ଯେ ଧର୍ମବୀର ବିଚାର କରିବାରେ ଅଦ୍ୱିତୀୟ । ରାଜା ଖୁସି ହୋଇ ଭାବିଲେ ଯେ ଥରେ ତାଙ୍କ ଦରବାରରେ ଧର୍ମବୀରଙ୍କୁ ସମ୍ମାନିତ କରାଯିବ ଓ ତାଙ୍କୁ କିଛି ପୁରସ୍କାର ମଧ୍ୟ ଦିଆଯିବ ।  ଧର୍ମବୀରଙ୍କୁ ଏ କଥାର ସୂଚନା ଦିଆଗଲା । କିନ୍ତୁ ଧର୍ମବୀରଙ୍କୁ ଏକଥା ବଡ ଅଡୁଆ ଲାଗୁଥାଏ । ତଥାପି ମଧ୍ୟ ରାଜାଙ୍କ ଆଦେଶ ବୋଲି କଥା ଟାଳି ନ ପାରି ରାଜଧାନୀ ଆଡକୁ ସେ ଚାଲିଲେ । ରାସ୍ତାରେ ରାମ ସହିତ ତାଙ୍କର ଦେଖା ହେଲା । ସେ ମଧ୍ୟ ହରିପୁରର ଜଣେ ବାସିନ୍ଦା । ତା’ର ଜମିବାଡିର ମାମଲା କଥା ଧର୍ମବୀର ଜାଣିଥିଲେ । କଥା କ’ଣ କି ସେହ ଗାଁରେ ରାମ ଜଣେ ସାଧାରଣ ଚାଷୀ ଥିଲା । ମହେଶ ନାମକ ଜଣେ ଧନୀ ଚାଷୀ ତା’ ଉପରେ ନାନା ପ୍ରକାର ମିଥ୍ୟା ଦୋଷାରୋପ କରି ତା’ଠାରୁ ଟଙ୍କା ଆଦାୟ କରିବାକୁ ଚାହୁଁଥିଲା । ରାମ ଟଙ୍କା ଦେଇ ନ ପାରିବାରୁ ସେ ରାମର ଜମି ସବୁ ଜବର ଦଖଲ କରୁଥିଲା । ବିଚାରା ରାମ ଅନନ୍ୟୋପାୟ ହୋଇ ବିଚାରପତି ଧର୍ମବୀରଙ୍କ ପାଖକୁ ଗଲା । ଧର୍ମବୀର ବିଚାର କରି କହିଲେ ଯେ ଏସବୁ ମିଥ୍ୟା କଥା, ଯଥାଶୀଘ୍ର ରାମର ଜମି ତାକୁ ଫେରାଇ ଦେବାକୁ ହେବ ।

ଧର୍ମବୀର ରାସ୍ତାରେ ରାମକୁ ଦେଖି ପଚାରିଲେ, “ରାମ, କିପରି ଅଛ?”

ରାମ କହିଲା “ମହାଶୟ, ଦୟାଳୁ ସତ୍ୟପ୍ରକାଶଙ୍କ ଯୋଗୁଁ ମୁଁ କୌଣସି ମତେ ଚଳି ଯାଉଛି ।”

ଧର୍ମବୀର ପଚାରିଲେ “କଥା କ’ଣ? ମନେ ହେଉଛି ସତ୍ୟପ୍ରକାଶ ତୁମର କିଛି ବିଶେଷ ସହାୟତା କରିଛନ୍ତି?”

ରାମ କହିଲା “ଆଜ୍ଞା ମହାଶୟ । ଆଜି ଯଦି ମୁଁ ଓ ମୋର ପରିବାର ବଂଚିରହିଥାଉ ତେବେ ସେସବୁ କେବଳ ତାଙ୍କ ସକାଶେ । ମୁଁ ଯେତେବେଳେ ସବୁ ଜମି ହରାଇ ରାସ୍ତାର ଭିକାରୀ ହୋଇଗଲି ସେତେବେଳେ ସେହିଁ ଦୟାକରି ମୋତେ ଦୁଇ ଏକର ଜମି ଦେଇଛନ୍ତି । ମୁଁ ସେଇଥିରେ ଚାଷ କରି କୌଣସି ମତେ ନିଜର ଗୁଜୁରାଣ ମେଂଟାଉଛି ।”

ଏକଥା ଶୁଣି ଧର୍ମବୀର ହଠାତ୍ ଚମକି ପଡିଲେ । ସେ ବୁଝିପାରିଲେ ନାହିଁ ଯେ ବିଚାରରେ ନ୍ୟାୟ ଦେବା ପରେ ମଧ୍ୟ ମହେଶ ରାମର ଜମି କାହିଁକି ଫେରାଇଲା ନାହିଁ । ସେ ଆଶ୍ଚର୍ଯ୍ୟ ହୋଇ କହିଲେ, “ରାମ, ତୁମେ ଏସବୁ କ’ଣ କହୁଛ? ମୁଁ ତ ବିଚାର କରି କହିଥିଲି କି ତୁମର ଜମି ତୁମକୁ ଫେରେଇ ଦିଆଯିବାକୁ । ମହେଶ ଏପର୍ଯ୍ୟନ୍ତ ତୁମ ଜମି କାହିଁକି ଫେରାଇ ନାହିଁ? ମୁଁ ବୁଝି ପାରୁନାହିଁ ଯେ ବିଚାରରେ ଯାହା ନିର୍ଣ୍ଣୟ କରାଗଲା ସେକଥା ସେ କିପରି ମାନିଲା ନାହିଁ? ଆଉ ତମେ ମଧ୍ୟ କିପରି ଚୁପ୍ଚାପ୍ ଏହିସବୁ ଘଟଣା ସହ୍ୟ କରିଗଲ?”

ରାମ କହିଲା, “ଆଜ୍ଞା ଆପଣ ତ ନ୍ୟାୟ ବିଚାର ଶୁଣାଇ ଦେଲେ । ହେଲେ ସେକଥା କାର୍ଯ୍ୟକାରୀ କରିବ କିଏ? ସବୁ କର୍ମଚାରୀ ତ ଲାଂଚ ନ ଦେଲେ କାମ କରିବେ ନାହିଁ । ମହେଶଠାରୁ ଲାଂଚ ଖାଇ ସେମାନେ ତାକୁ ସାହାଯ୍ୟ କଲେ । ତା’ପରେ ମୁଁ ବା ଆଉ କ’ଣ କରନ୍ତି?”

ଧର୍ମବୀର କହିଲେ “ଓ ତାହେଲେ ଏପରି କଥା?” ଏହାପରେ ସେ ସେହି ବିଷୟରେ ଚିନ୍ତା କଲେ । ତେଣେ ସେ ରାମ ମଧ୍ୟ ତା’ ରାସ୍ତାରେ ଗଲା ।

ରାଜାଙ୍କ ଦ୍ୱାରା ଆୟୋଜିତ ଉତ୍ସବ ଦେଖିବାକୁ ହରିପୁରରୁ ଅନେକ ଲୋକ ମଧ୍ୟ ଆସିଥା’ନ୍ତି । ତାଙ୍କ ମଧ୍ୟରେ ଜମିଦାର ସତ୍ୟପ୍ରକାଶ ବି ଥା’ନ୍ତି । ଦରବାର ସଭାରେ ରାଜା ଘୋଷଣା କଲେ କି ଧର୍ମବୀରଙ୍କ କାର୍ଯ୍ୟରେ ସେ ବହୁତ ଖୁସି; ତେଣୁ ତାଙ୍କୁ ପୁରସ୍କାର ଦିଆଯାଇ ସମ୍ମାନିତ କରିବାକୁ ସେ ମନସ୍ଥ କରିଛନ୍ତି ।”

କିନ୍ତୁ ଧର୍ମବୀର ନିଜ ସ୍ଥାନରେ ଥାଇ କହିଲେ, “ମହାରାଜ ମୁଁ ଏହି ସମ୍ମାନ ପାଇଁ ଆଦୌ ଯୋଗ୍ୟ ନୁହେଁ । ତେଣୁ ମୁଁ ଏହା କଦାପି ମଧ୍ୟ ସ୍ୱୀକାର କରୁନାହିଁ, ଏଣୁ ଆପଣ ମୋତେ କ୍ଷମା କରିବେ । ଆପଣ ଆଜି ମୋତେ ପୁରସ୍କାର ଦେଇଛନ୍ତି ଯେ ମୁଁ ଜଣେ ସଚ୍ଚା ବିଚାରପତି । କିନ୍ତୁ ଜମିଦାର ସତ୍ୟପ୍ରକାଶ ଏହାଠାରୁ ଅଧିକ ମୌଳିକ ଭାବରେ ଜନସେବା କରନ୍ତି ଯିଏ କି ଏ ସଭାରେ ଉପସ୍ଥିତ ଅଛନ୍ତି ମୁଁ ଚାହେଁ ମୋ ସ୍ଥାନରେ ତାଙ୍କୁ ସମ୍ମାନିତ କରାଯାଉ ।”

ଏକଥା ଶୁଣି ସାରା ଦରବାରର ଲୋକ ଓ ସତ୍ୟପ୍ରକାଶ ନିଜେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ରାଜା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଧର୍ମବୀରଙ୍କ ଆଡେ ଚାହିଁଲେ । ଧର୍ମବୀର କହିଲେ, “ମୁଁ ଯାହା କିଛି କହୁଛି ତାହା ସମ୍ପୂର୍ଣ୍ଣ ସତ୍ୟ ।” ତା’ପରେ ରାମ ବିଷୟରେ ଯାହା ସବୁ ଘଟିଥିଲା ସେ ସମସ୍ତ ବୃତାନ୍ତ ସେ ଦରବାରରେ ଗୋଟି ଗୋଟି ବିସ୍ତାର କରି କହିଲେ । ତା’ପରେ ସେ କହିଲେ, “ବିଚାରପତି ଭାବରେ ମୁଁ ନ୍ୟାୟ ବିଚାର କରୁଛି ସତ, କିନ୍ତୁ ଲାଂଚ ନେଇ କର୍ମଚାରୀମାନେ ମୋର ସେ ଆଦେଶକୁ କାର୍ଯ୍ୟକାରୀ କରୁ ନାହାଁନ୍ତି । ଏପରି ଅବସ୍ଥାରେ ଦୀନଦୁଃଖିମାନଙ୍କର ସେବା ଜମିଦାର ସତ୍ୟପ୍ରକାଶହିଁ କରୁଛନ୍ତି । ଆମର ନ୍ୟାୟାଳୟ ସହିତ ତାଙ୍କର କିଛିବି ସମ୍ପର୍କ ନାହିଁ । ଅଥଚ ନିଜର ଶକ୍ତି ଅନୁସାରେ ସେ ନୀରବରେ ଜନସେବା କରି ଚାଲିଛନ୍ତି ।”

ରାଜା କହିଲେ, “ଧର୍ମବୀର, ଆପଣଙ୍କ ପ୍ରସ୍ତାବ ମୁଁ ସ୍ୱୀକାର କରୁଛି । ସତ୍ୟପ୍ରକାଶଙ୍କ କାର୍ଯ୍ୟ ଅତୀବ ପ୍ରଶଂସନୀୟ । ତାଙ୍କର ସମ୍ମାନ ଆମେ ମଧ୍ୟ କରିବା । ସେଥିସହିତ ନ୍ୟାୟ ଓ ସତ୍ୟ ପାଇଁ ଆପଣଙ୍କୁ ମଧ୍ୟ ପୁରସ୍କାର ଦିଆଯିବ ଓ ସମ୍ମାନିତ ମଧ୍ୟ କରାଯିବ ।” ତା’ପରେ ରାଜା ଉଭୟଙ୍କୁ ବଡ ଆଦର ଅଭ୍ୟର୍ଥନା ସହିତ ପୁରସ୍କାର ଦେଇ ସମ୍ମାନିତ କଲେ । ଲାଂଚ ନେଉଥିବା କର୍ମଚାରୀମାନେ କଡା ଦଣ୍ଡ ପାଇଲେ । ରାଜ୍ୟର ମଙ୍ଗଳ ପାଇଁ ଏହା ମହାନ୍ ଆଦର୍ଶ ଥିଲା ।🙏
ନରେଶ

Comments

Popular posts from this blog

ପାଲି ଖେଳ