୨୮ ଅଗଷ୍ଟ ୨୦୨୦ କାହାଣୀ
🌺 *ଗପ ଟିଏ...🌙ଜହ୍ନମାମୁଁ ପୃଷ୍ଠାରୁ* 🌺
🎈 *ନ୍ୟାୟ* 🎈
ନରେନ୍ଦ୍ର ସେନ ଚନ୍ଦ୍ରପୁର ରାଜ୍ୟର ରାଜା ଥିଲେ । ସେ ଅତ୍ୟନ୍ତ ବୁଦ୍ଧିମାନ ଓ ଦୟାଳୁ ବି ଥିଲେ । ପ୍ରଜାପାଳନରେ ସେ ଅଦ୍ୱିତୀୟ ଥିଲେ । ପ୍ରଜାମାନଙ୍କର ଦୁଃଖକଷ୍ଟ ଓ ସମସ୍ୟା ସବୁ ସେ ନିଜେହିଁ ବୁଝୁଥିଲେ ଓ ଯଥାଶକ୍ତି ସେସବୁ ସମସ୍ୟାର ସମାଧାନ ବି କରୁଥିଲେ । ଏସବୁ ଛଡା ତାଙ୍କର ସର୍ବାପେକ୍ଷା ମହାନ୍ ଗୁଣ ନ୍ୟାୟ ପଥରେ ଚାଲିବା ଥିଲା । ଅପରାଧୀକୁ ଧରିବା ପାଇଁ ତାଙ୍କର ସବୁ ନାନା ପ୍ରକାର ଉପାୟ ଥିଲା । ତେଣୁ ତାଙ୍କର ବିଚାର ସର୍ବଦା ନ୍ୟାୟପୂର୍ଣ୍ଣ ଥିଲା ।
ପ୍ରତିଦିନ ସକାଳେ ରାଜା ଏକ ନିର୍ଦ୍ଧାରିତ ସମୟରେ ପ୍ରଜାଙ୍କର ସମସ୍ୟା ଶୁଣୁଥିଲେ ଓ ସେସବୁର ସମାଧାନ କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ । ଦିନେ ରାଜା, ମନ୍ତ୍ରୀଙ୍କ ସହ କୌଣସି କଥା ଆଲୋଚନା କରୁଥିବାବେଳେ ରୂପାଲି ନାମକ ଜଣେ ସ୍ତ୍ରୀଲୋକ ନିଜର ଦୁଃଖ ଜଣାଇବାକୁ ରାଜାଙ୍କ ପାଖରେ ଆସି ପହଁଚିଲା । ରାଜା ପଚାରିଲେ, “ଝିଅ, କ’ଣ ତୁମର ଦୁଃଖ?”
ତହୁଁ ରୂପାଲି କାନ୍ଦି କାନ୍ଦି କହିଲା “ମହାରାଜ, ମୋ ନାମ ରୂପାଲି । ମୋ ସ୍ୱାମୀ ରମେଶ ସବୁଦିନେ ସହରକୁ ବ୍ୟବସାୟ କରିବାକୁ ଯାଏ ଓ ପୁଣି ରାତିକୁ ସେ ଫେରି ଆସେ । ମାତ୍ର କାଲି ସେ ଫେରିଲା ନାହିଁ । ଖୋଜାଖୋଜି କରିବାରୁ ମୁଁ ଶୁଣିଲି ସେ ନଈରେ ପଡି ମରିଯାଇଛି ।”
ରାଜା ପଚାରିଲେ “ତମେ ଏକଥା ଶୁଣିଲ ମାନେ ତେବେ ତୁମେ କ’ଣ କହିବାକୁ ଚାହଁ? ତାଛଡା ତୁମର ପୁଣି କ’ଣ ବା ଅଭିଯୋଗ?”
ରୂପାଲି କାନ୍ଦୁ କାନ୍ଦୁ କହିଲା “ହଁ ମହାରାଜ । ଏପରି କିଛି ଶୁଣିଲି । କିନ୍ତୁ ତା’ପରେ ପଡୋଶୀ ଘରର ରାଧେଶ୍ୟାମଙ୍କ ପାଖରୁ ମୁଁ ସବୁ ଶୁଣିଲି । ସେ ମଧ୍ୟ ଜଣେ ବ୍ୟବସାୟୀ । ସେ ବି ମୋ ସ୍ୱାମୀଙ୍କ ସହ ସହର ଯିବା ଆସିବା କରନ୍ତି । ବାଟରେ ନଦୀଟିଏ ପଡେ । କେବେ କେବେ ଦୁହେଁ ଗୋଟିଏ ନୌକାରେ ପାର ହୁଅନ୍ତି ତ କେବେ ବା ଅଲଗା ନୌକାରେ । ଗତ କାଲି ସେ ଅନ୍ୟ ଏକ ନୌକାରେ ଥିବାବେଳେ ଦୂରରୁ ଦେଖିପାରିଲେ ଯେ ମୋ ସ୍ୱାମୀ ଯାଉଥିବା ନୌକାରେ କିଛି ଗୋଳମାଳ ଲାଗିଛି । ତା’ପରେ ସେ ଦେଖିଲେ ନାଉରୀ ତାଙ୍କ ହାତରୁ ଟଙ୍କା ପୁଟଳା ଛଡାଇ ନେଇ ତାଙ୍କୁ ପେଲି ନଦୀରେ ପକାଇ ଦେଲା । ସେ ତ ସନ୍ତରଣ କରି ଜାଣନ୍ତି ନାହିଁ, ତେଣୁ ସେ ସେହିଠାରେ ପାଣିରେ ଡୁବି ମରିଗଲେ । ଏକଥା ଶୁଣି ମୁଁ ଆପଣଙ୍କ ପାଖକୁ ବିଚାର ପାଇଁ ଆସିଛି ।”
ରାଜା ଏକଥା ଶୁଣି ତୁରନ୍ତ ସିପାହୀମାନଙ୍କୁ ରୂପାଲୀର ସ୍ୱାମୀର ମୃତଦେହକୁ ଆଣିବାକୁ ନଦୀ କୂଳକୁ ପଠାଇଲେ । ପୁଣି ସେ ଆଉ କେତେଜଣଙ୍କୁ ରାଧେଶ୍ୟାମଙ୍କୁ ଡାକି ଆଣିବାକୁ ପଠାଇଲେ ।
ମନ୍ତ୍ରୀ କହିଲେ, “ଏହା ବି ହୋଇପାରେ ଯେ ରାଧେଶ୍ୟାମହିଁ ହତ୍ୟାକାରୀ ।” କିନ୍ତୁ ରାଜା ରାଧେଶ୍ୟାମ ସହ କଥାବାର୍ତ୍ତା କରି ନୀରବ ହୋଇଗଲେ । ଅର୍ଥାତ୍ ତାଙ୍କର ଧାରଣା ହେଲା, ସେ ନିରପରାଧ ।
କିଛି ସମୟ ପରେ କେତେକ ସିପାହୀ ଆସି ଖବର ଦେଲେ ଯେ ରମେଶର ଶବ ମିଳିଛି ଓ ତାକୁ ରାଜାଙ୍କ ପାଖକୁ ଅଣାହୋଇଛି । ରାଜା ଓ ମନ୍ତ୍ରୀ ଶବ ଦେଖିବାକୁ ଗଲେ ଓ କେତେକ ସିପାହୀଙ୍କୁ ନାଉରୀକୁ ଡାକି ଆଣିବାକୁ ପଠାଇଲେ । ରାଜା ଶବ ଦେଖି ଫେରିବା ବେଳକୁ ନାଉରୀକୁ ସିପାହୀମାନେ ଧରିଆଣି ହାଜର କରିଥା’ନ୍ତି ।
ରାଜା ପଚାରିଲେ, “ତୁମ ବିରୁଦ୍ଧରେ ଅଭିଯୋଗ ହୋଇଛି କି କାଲି ସକାଳେ ତମେ ରମେଶ ନାମକ ଜଣେ ବ୍ୟବସାୟୀକୁ ନୌକାରୁ ଠେଲି ନଦୀକୁ ଫିଙ୍ଗିଦେଇ ମାରିଦେଇଛ ।”
ନାଉରୀ କହିଲା, “ମହାରାଜ, ଏସବୁ ମିଛକଥା । ରମେଶ ନୌକାର ଫନ୍ଦରେ ବସିଥିଲା । ବଡ ଢେଉ ଉପରେ ନୌକା ବେଶି ହଲଚଲ ହେବାରୁ ଭାରସାମ୍ୟ ନ ରଖି ପାଣିରେ ସେ ପଡିଗଲା; ତା’ ହାତରେ ତା’ର ପୁଟୁଳା ଥିଲା, ଆଉ ସେ ସ୍ରୋତରେ ଭାସିଗଲା ।”
ରାଜା ପଚାରିଲେ “ତୁମେ ତାଙ୍କୁ ବଂଚାଇବାକୁ କାହିଁକି ଚେଷ୍ଟା କଲନାହିଁ?”
ନାଉରୀ କହିଲା, “ଚେଷ୍ଟା ତ ମୁଁ ଅନେକ କରିଥିଲି ମହାରାଜ! ଜଳ ଭିତରୁ ତା’ର କେଶ ସବୁ ଧରି ମୁଁ ତାକୁ ଉପରକୁ ଟାଣିଲି, କିନ୍ତୁ ସେଥିରେ ବହୁତ ତେଲଥିବା ଯୋଗୁଁ ତାହା ମୋ ହାତରୁ ଖସିଗଲା ।”
ରାଜା ସବୁ ଶୁଣି ରାଗିଯାଇ କହିଲେ, “ଆରେ ମୂର୍ଖ, ଧନ ଲୋଭରେ ତୁ ରମେଶକୁ ନୌକାରୁ ଧକ୍କା ମାରି ତାକୁ ନଦୀରେ ପେଲିଦେଇ ମାରିଦେଲୁ? ସେଥିପାଇଁ ମୋ ପାଖରେ ଯଥେଷ୍ଟ ପ୍ରମାଣ ମଧ୍ୟ ଅଛି । ଏବେ ତୁ ତୋର ଅପରାଧ ସ୍ୱୀକାର କର ତେବେ ଯାଇ ଦଣ୍ଡ ଅଳ୍ପ କିଛି କମ୍ କରି ଦିଆଯିବ ।”
ରାଜାଙ୍କ ଏଭଳି ରାଗ ଦେଖି ସେ ନାଉରୀ ଜଣକ ଖାଲି ଭୟରେ ଥରି ଉଠିଲା । ତା’ପରେ ସେ ତା’ ନିଜ ଦୋଷ ସ୍ୱୀକାର କରି କହିଲା, “ମହାରାଜ, ସେତେବେଳେ ମୋର ମଥା ଖରାପ ହୋଇଯାଇଥିଲା; ପଇସା ଲୋଭରେ ମୁଁ ରମେଶକୁ ନଦୀରେ ପକାଇ ମାରିଛି ।”
ରାଜା ନାଉରୀକୁ ଆଜୀବନ ସଶ୍ରମ କାରାଦଣ୍ଡ ଦେଲେ ଓ ରୂପାଲି ପାଇଁ ରାଜକୋଷରୁ ମାସିକ କିଛି ଧନ ଦେବାର ବନ୍ଦୋବସ୍ତ କରିଦେଲେ ।
ମନ୍ତ୍ରୀ ରାଜାଙ୍କୁ ପଚାରିଲେ, “ମହାରାଜ, ଆପଣ କିପରି ଜାଣିଲେ ଯେ ସେ ନାଉରିଆହିଁ ଅପରାଧୀ?”
ତା’ପରେ ସେ ରାଜା ହସି ହସି କହିଲେ, “ନାଉରୀ କହିଲା ରମେଶ ‘ଥଳୀ ସହିତ’ ନଦୀରେ ପଡିଗଲା । ସେତେବେଳେ ମୋର ତା’ ଉପରେ ଟିକିଏ ସନ୍ଦେହ ହେଲା । କାରଣ ଟଙ୍କାଥଳୀ କଥା ମୁଁ ପଚାରିବା ପୂର୍ବରୁହିଁ ସେ ଅଧିକ ସାବଧାନୀ ହୋଇ କହିଲା ଯେ ଟଙ୍କାଥଳୀ ଧରି ସେ ପାଣିରେ ପଡିଲା । ପୁଣି ରମେଶର ମୃତଦେହ ଦେଖିବା ପରେ ନାଉରୀକୁ ଧରିବା ତ ଆହୁରି ସହଜ ।”
ମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ତାହା ସମ୍ଭବ ହେଲା କିପରି ମହାରାଜ?”
“ରମେଶର ମୃତଦେହକୁ ଆପଣ ବି ତ ଦେଖିଛନ୍ତି । ତା’ର ରୂପ ମୋ ମନ ଭିତରେ ଆଙ୍କି ହୋଇ ରହିଛି । ନାଉରୀ କହିଲା କି ରମେଶ ପାଣିରେ ବୁଡିଯାଉଥିବା ବେଳେ ସେ ତାକୁ ପାଣିରୁ ବଂଚାଇବାକୁ ତାହାର କେଶ ଧରି ଓଟାରିଲା । ସେଇଥିରୁ ଜଣାଗଲା ଯେ ସେ ହିଁ ଅସଲ ଅପରାଧୀ ।”
ମନ୍ତ୍ରୀ ପୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ଏହା କିପରି ସମ୍ଭବ?”
ରାଜା ଅଳ୍ପ ହସି କହିଲେ, “ନାଉରୀ କହିଲା ନା ସେ ରମେଶର କେଶ ଧରି ଉଠାଉଥିଲା?”
ମନ୍ତ୍ରୀ କହିଲେ “ହଁ, କହିଲା ତ ।”
ରାଜା କହିଲେ “ତେବେ ରମେଶର କେଶ କାହିଁ? ତା’ ମୁଣ୍ଡତ ପୁରାପୁରି ଚନ୍ଦା । ଅର୍ଥାତ୍ ସେ ନାଉରୀ ସେତେବେଳ ପର୍ଯ୍ୟନ୍ତ ଖାଲି ଡାହା ମିଛ କହି ଚାଲିଥିଲା । ମୁଁ ଧମକାଇବାରୁ ସେ ସତଟା ମାନିଗଲା ।”
ରାଜାଙ୍କ ଏଭଳି ପ୍ରଖର ବୁଦ୍ଧି ଦେଖି ମନ୍ତ୍ରୀ ବହୁତ ଆଶ୍ଚର୍ଯ୍ୟ ହେଲେ ।🙏
ନରେଶ
Comments
Post a Comment