୦୬ ଅଗଷ୍ଟ ୨୦୨୦ କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚

💙 *ଗୁଣବାନ୍ ଜାମାତା* 💙

ନାରଣପୁର ଗ୍ରାମରେ ଶମ୍ଭୁ ନାମକ ଜଣେ ଧନୀ ଥିଲେ । ତାଙ୍କର ଗୋଟିଏ ମାତ୍ର ଝିଅ ଥାଏ, ତା’ର ନାମ କମଳା । କମଳା ଦେଖିବାକୁ ବହୁତ ସୁନ୍ଦର, ଧନୀପିତାଙ୍କର ସେ ଏକମାତ୍ର ଉତ୍ତରାଧିକାରୀ । ତେଣୁ ସେଠାକୁ ସବୁଦିନେ ଲୋକେ ବିବାହ ପ୍ରସ୍ତାବ ନେଇ ଆସୁଥାନ୍ତି । କିନ୍ତୁ କମଳା ତା’ର ବାପାଙ୍କ ସହକାରୀ ବିବେକ କୁ ମନେ ମନେ ବହୁତ ପସନ୍ଦ କରିଥାଏ ।

                ବିବେକ ଅତ୍ୟନ୍ତ ସତ୍ ସ୍ୱଭାବର ପିଲା, ବୁଦ୍ଧିମାନ୍, ଗୁଣୀ ଏବଂ ସାହସୀ ମଧ୍ୟ । କିନ୍ତୁ ଦରିଦ୍ର, ସଂସାରରେ ନିଜର ବୋଲି ତା’ର ଆଉ କେହିବି ନାହିଁ । କମଳା ଦେଖିଲା ବାପା ତାରି ବିବାହ ପାଇଁ ପ୍ରାୟ ବ୍ୟସ୍ତ ରହୁଛନ୍ତି । ତାଙ୍କର ବର ପସନ୍ଦ ହେଉନାହିଁ । ଦିନେ ସେ କମଳା ମୁହଁ ଖୋଲି କହିଲା, “ଏତେ ଖୋଜିବାର ଦରକାର କ’ଣ? ଘରେ ତ ବର ରହିଛି । ବିବେକ୍ ଠାରୁ ଆଉ ଭଲ ପିଲା କ’ଣ କିଏ ଅଛି? ସେ ଏ ଘରେ ଜୁଆଁଇ ହେଲେ ମନ ଦେଇ ସବୁ କାମ ବୁଝିବ ଓ ତା’ର ମଧ୍ୟ ଅନ୍ୟ କୁଆଡେ ଯିବାର ଉପାୟ ନାହିଁ । ଏପରି ହେଲେ ମୁଁ ମଧ୍ୟ ସବୁଦିନେ ତୁମ ପାଖରେ ରହିବି ।”

                ଏକଥା ଶୁଣି ଶମ୍ଭୁ ଏତେ ମାତ୍ରାରେ ରାଗିଗଲେ ଯେ, ସେ ବିବେକକୁ ତାଙ୍କ ଘରୁ ସିଧା ତଡିଦେଲେ । କମଳା ଓ ତା’ର ମା ବହୁତ ପରେ ଜାଣିଲେ ଯେ ଏପରି ଘଟଣା ହୋଇଛି । ସେମାନେ ଦୁଃଖ କଲେ । କମଳା କହିଲା ଯେ ସେ ଅନ୍ୟ କାହାକୁ କଦାପି ବିବାହ କରିବ ନାହିଁ । ଝିଅ ନିଜ ଜିଦିରେ ଅଟଳ ରହିଲା । ବାପା ମଧ୍ୟ କିଛି ଦିନ ଧରି ଝିଅର କୌଣସି କଥାକୁ ଶୁଣିଲେ ନାହିଁ ।

                ଶମ୍ଭୁଙ୍କର ସ୍ତ୍ରୀ ଝିଅ କଥାକୁ ମୂଲ୍ୟ ଦେଉଥା’ନ୍ତି । ତେଣୁ ସେ ଶମ୍ଭୁଙ୍କୁ କହିଲେ, “ଦେଖ, ଝିଅ ଯଦି ତା’ମନରେ ଜଣକୁ ପସନ୍ଦ କରିଛି ତେବେ ତ ତାକୁ ସେହିଠାରେ ବାହା ଦେବା ଉଚିତ୍ ହେବ । ଭାବି ଦେଖ ଅନ୍ୟ କେଉଁଠି ଝିଅକୁ ବାହାଦେଲେ ଝିଅ ତା’ ଶ୍ୱଶୁର ଘରକୁ ଚାଲିଯିବ । ଆମର ତ ଗୋଟିଏ ବୋଲି ଝିଅ, ନୟନର ମଣି, ସେ ଆମ ଠାରୁ ଦୂରରେ ରହିଲେ ଆମେ ସହି ପାରିବାଟି? କିନ୍ତୁ ବିବେକକୁ ବାହା ଦେଲେ ଝିଅ ଜ୍ୱାଇଁ ଆମ ଘରେ ରହିବେ । ଆମ ଧନ ଆମ ଘରେ ରହିବ । ତମେହିଁ ତ ନିଜେ ବିବେକକୁ ଖୁବ୍ ପ୍ରଶଂସା କରୁଥିଲ । ଆଜି ଆମ ଝିଅ ତାକୁ ପସନ୍ଦ କରିଦେଲା ବୋଲି ସବୁ ଏମିତି ବିଗିଡି ଗଲା ଯେ ତୁମେ ତାକୁ ଘରୁ ବାହାର କରିଦେଲ? ଶତଧିକ ତୁମର ବୁଦ୍ଧି ବିବେକକୁ । ଏବେ, ନା ଝିଅ ବାହାହେବ, ନା ମଣିଷ ଟିକିଏ ସ୍ୱସ୍ତିରେ ରହିବ । ତୁମ ମନରେ ଶେଷକୁ ଏଇଆ ଥିଲା?” ଏତିକି କହି ସେ ବସି ଖାଲି କାନ୍ଦିଲେ ।

“ହଁ ମୁଁ ତୁମ କଥା ବୁଝୁଛି ଯେ ହେଲେ ମୁଁ କ’ଣ କରିବି? ଝିଅ ତ ତା’ର ଯିଦିରେ ସେ ଅଟଳ । ଟୋକାଟା ଯିବାର କିଛିଦିନ ହୋଇ ଗଲାଣି । ତେଣୁ ଲୋକ ପଠାଇ ଦେଖିବା ।” ଏହା କହି ସେ ତାଙ୍କ ଲୋକ ପଠାଇ ବିବେକକୁ ଖୋଜିବାର ବନ୍ଦୋବସ୍ତ କଲେ । ବହୁପ୍ରକାର ଖୋଜା ହୋଇ ମଧ୍ୟ ସେ ମିଳିଲା ନାହିଁ । ସେହି ଚିନ୍ତାରେ ଶମ୍ଭୁ ବିଛଣା ଧରିଲେ । ତାଙ୍କ ମନରେ ଘୋର ଅନୁତାପ । ଏପରି ପରିସ୍ଥିତିରେ ସେ ଥରେ ତାଙ୍କ ସ୍ତ୍ରୀକୁ କହିଲେ ଯେ ବିବେକ ତ ମିଳୁ ନାହିଁ, ଝିଅ ଯଦି ରାଜି ହୁଏ ତେବେ ଅନ୍ୟ କୁଆଡେ ପ୍ରସ୍ତାବ କରାହେବ । ଥରେ ତାକୁ ଏବିଷୟରେ ପଚାରି ଦେଖିବ କି? ଅନ୍ତତଃ ମରିବା ପୂର୍ବରୁ ବିବାହଟା କରାଇ ଦେବାକୁ ତାଙ୍କର ଭାରି ଇଚ୍ଛା । ଶମ୍ଭୁ ଲୋକ ପଠାଇ ବିବେକକୁ ବହୁତ ଖୋଜିଲେ । ମାତ୍ର ସେ କେଉଁଠାରେ ହେଲେବି ମିଳିଲା ନାହିଁ । ଏକେତ ଚିନ୍ତାରେ ପଡି ସେ ଶଯ୍ୟାଶାୟୀ ଥିଲେ ଏବେ ତାଙ୍କ ଅବସ୍ଥା ଅଧିକ ଖରାପ ହୋଇଗଲା ।

ବିବେକକୁ ନ ପାଇବାରୁ ମା’ କମଳାକୁ କହିଲେ, “ତୋ ବାପା ତ ମରିବାକୁ ବସିଲେଣି, ବିବେକକୁ ତ କେଉଁଠି ହେଲେ ବି କେହି ଦେଖିଲେ ନାହିଁ । ଯାହା ଭାଗ୍ୟରେ ଥିବ ହେବ ।” ବାପାଙ୍କର ଏଭଳି ଅବସ୍ଥା ଦେଖି ଝିଅ ବିବାହ କରିବା ପାଇଁ ବାଧ୍ୟ ହୋଇ ରାଜି ହେଲା । ଝିଅ ରାଜି ହେବା ଶୁଣି ବାପା ଧୀରେ ଧୀରେ ସୁସ୍ଥ ହୋଇଗଲେ ।

ଅଳ୍ପ ଦିନ ପରେ ପୂର୍ବରୁ ଆସୁଥିବା ପ୍ରସ୍ତାବ ମାନଙ୍କ ମଧ୍ୟରୁ ଜଣଙ୍କ ଘରକୁ ଶମ୍ଭୁ ଗଲେ, ସେ ତାଙ୍କ ସାଙ୍ଗରେ ଜଣେ ଭଦ୍ରଲୋକକୁ ମଧ୍ୟ ନେଇଥାନ୍ତି । ପଡୋଶୀ ଗାଁର ବଡ ଜମିଦାର ତାଙ୍କର ଗୋଟିଏ ବୋଲି ପୁଅ । ଏମାନଙ୍କୁ ଦେଖି ଜମିଦାର ଗଦ୍ଗଦ୍ ହୋଇ ଅତିଥି ସତ୍କାର କଲେ । ତା’ପରେ ତାଙ୍କ ସହକାରୀକୁ ଡାକି ସେ କହିଲେ ପୁଅକୁ ଡାକି ଦେବାକୁ । ସହକାରୀକୁ ଦେଖି ତ ଶମ୍ଭୁ ଅବାକ୍ । ସେ ବିବେକହିଁ ଥିଲା । ତାଙ୍କ ସହକାରୀକୁ ଜମିଦାର କହିଲେ “ପୁଅକୁ ଡାକିଦେ ।”

ବିବେକ କହିଲା “ଆଜ୍ଞା ସେ ଆସିପାରିବେ ନାହିଁ । ସେ ନିଳବେଣୀଙ୍କ ଘରେ ଏବେ ଅବସ୍ଥାନ କରୁଛନ୍ତି । ଆଜି ଫେରିବାର କୌଣସି ଆଶା ନାହିଁ ।”

ବିବେକ କହିଲେ “ନୀଳବେଣୀ ହେଉଛନ୍ତି ମଞ୍ଜୁବେଣୀଙ୍କ ଝିଅ । ଦିନେ କୁମାର ବେଶି ଟିକିଏ ପିଇ ଦେଇଥିଲେ ବୋଲି ନିଜକୁ ଆଉ ସମ୍ଭାଳି ନପାରି ଘୋଡା ଉପରୁ ସେ ପଡିଗଲେ । ତାହା ପୁଣି ନୀଳବେଣୀଙ୍କ ଘର ପାଖରେ । ତା’ପରେ ମା ଝିଅ ଦୁହେଁ ତାଙ୍କୁ ଉଠାଇ ଘରକୁ ନେଲେ ଓ ଶୁଶ୍ରୁଷା କଲେ । ସେହି ଦିନଠୁଁ ସେ ସବୁବେଳେ ସେଠାରେ ରହନ୍ତି । ସେଠାକୁ ପୁଣି କିଏ ଯିବ ତାଙ୍କୁ ଡାକିବାକୁ?” ଏବେ ଧନୀକୁମାରଙ୍କର ସବୁ କଥା ପ୍ରଘଟ ହୋଇଯିବାରୁ ସେ ଜମିଦାର ଜଣକ ଭୀଷଣ ରାଗିଗଲେ । ଏଣେ ଶମ୍ଭୁ ଓ ଭଦ୍ରଲୋକ କହିଲେ, “ଆମେ ଯାଉଛୁ ଏଠାରେ ଆଉ ଝିଅ ବାହା କରିବାର ଦରକାର ନାହିଁ ।” ସେମାନେ ଦୁଇପାହାଚ ତଳକୁ ଓହ୍ଲାଇଛନ୍ତି ଜମିଦାର ବିବେକକୁ ଗାଳିଦେଇ ତଂଟିଆମାରି ଗୋଟାଏ ଧକ୍କା ଦେଲେ ଯେ ସେ ଯାଇ ତଳେ ପଡିଲା । ତଳେ ପଡୁପଡୁ ଶମ୍ଭୁ ତାକୁ ଦୁଇ ହାତରେ ସମ୍ଭାଳି ନେଲେ ଓ କହିଲେ, “ଆମେ କେତେଦିନ ଧରି ଯାହାକୁ ଖୋଜୁଥିଲୁ ତାକୁ ପାଇଛୁ । ଜାମାତା ନ ନେଇ ମୁଁ ଘରକୁ ଯାଉନାହିଁ । ଏହି ବିବେକହିଁ ଆମର ଜାମାତା ହେବ ।” ତା’ପରେ ବିବେକକୁ ଚାହିଁ ସେ କହିଲେ, “ତୁ କୁଆଡେ ଗଲୁ ତୋତେ ଖୋଜି ଖୋଜି ଆମେ ନ ପାଇ ବଡ ହଇରାଣ ହୋଇ ଏଠାକୁ ଆସିଲୁ । ଭଗବାନ୍ଙ୍କ ଇଚ୍ଛା ପୂର୍ଣ୍ଣ ହେଲା । ତୋ ଭିତରେ ସବୁ ଭଲ ଗୁଣ ଅଛି କେବଳ ଧନ ନାହିଁ । ମୋର କେଉଁ ଧନରେ ଅଭାବ ଅଛି? ଏବେ ଚାଲ୍ ବାପା ଘରକୁ ଚାଲ୍ ।” “ସେ କମଳା ସହିତ ବିବେକର ବିବାହ ମହା ସମାରୋହରେ ପାଳିତ ହେଲା । ତା’ପରେ ତିନିଜଣ ଘରକୁ ଫେରିଲେ ।”🙏

ନରେଶ

Comments

Popular posts from this blog

ପାଲି ଖେଳ